୧୯୬୧ ମସିହ ଜୁନ୍ ମାସରେ ଓଡ଼ିଶାରେ ବିଧାନସଭା ପାଇଁ ମଧ୍ୟବର୍ତ୍ତୀ କାଳୀନା ନିର୍ବାଚନ ହେଲା । ଏହି ନିର୍ବାଚନରେ ପ୍ରଗତିଶୀଳ ଯୁବନେତା ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ବିରୋଧୀ ଦଳର ସମ୍ମୁଖୀନ ହୋଇ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ଗତ ଦୁଇଟି ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠତା ହାସଲ କଲା ଏବଂ ଉପକୂଳ ଜିଲ୍ଲା ଛଡ଼ା ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରଭାବ ବିସ୍ତାର କରିଥିଲା । ନିର୍ବାଚନ ପରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୬୧ ଜୁନ୍ ମାସରେ ମନ୍ତ୍ରୀମଣ୍ଡଳ ଗଠିତ ହୋଇ ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ । କଂଗ୍ରେସ ମନ୍ତ୍ରୀମଣ୍ଡଳ ଚତୁର୍ଥ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ଇତି ମଧ୍ୟରେ ଦୁଇଥର କଂଗ୍ରେସ ଦଳର ନେତାଙ୍କ ପରିବର୍ତ୍ତନ ହୋଇଥିଲା ।
ପ୍ରଗତିଶୀଳ ଯୁବନେତା ବିଜୁପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଏହି ମନ୍ତ୍ରୀମଣ୍ଡଳଙ୍କ ଶାସନ କାଳ ଭିତରେ ଓଡ଼ିଶାରେ ଶିଳ୍ପ ପ୍ରସାର, ଶିକ୍ଷା ପ୍ରସାର ବିଶେଷ ଭାବରେ ବୈଷୟିକ ଶିକ୍ଷାର ପ୍ରସାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ବୃହତ୍ ଓ ମଧ୍ୟମ ଧରଣର ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ଶିଳ୍ପ ବିକାଶ କର୍ପୋରେସନ୍ ଏବଂ ଗ୍ରାମାଞ୍ଚଳରେ ଶିଳ୍ପ ବିସ୍ତାର ପାଇଁ ଗ୍ରାମ ପଞ୍ଚାୟତ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା । ଏହି ସବୁ ଶିଳ୍ପ ପ୍ରସାର ପାଇଁ ତାଲିମ୍ ଦେବାକୁ ରାଉରକେଲାଠାରେ ଆଞ୍ଚଳିକ ଇଞ୍ଜିନିୟରିଂ ବିଦ୍ୟାଳୟମାନ ସ୍ଥାପନ କରାଯାଇଥିଲା । ଆଞ୍ଚଳିକ ଶିକ୍ଷକ ତାଲିମ ମହାବିଦ୍ୟାଳୟ, ସୈନିକ ସ୍କୁଲ୍ ଓ ମହିଳା ଶିକ୍ଷାନୁଷ୍ଠାନମାନ ସ୍ଥାପନ କରାଇଯାଇଥିଲା । ଏହି ସମୟରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ପାଠ୍ୟ ପୁସ୍ତକ ଗୁଡ଼ିକୁ ଜାତୀୟକରଣ କରାଯାଇଥିଲା । ସର୍ବୋପରି ଏହି ସମୟରେ ଭାରତର ଅନ୍ୟତମ ବୃହତ୍ ବନ୍ଦର ପାରାଦ୍ୱୀପଠାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ସହିତ ୯୫ କିଲୋମିଟର ହାଇୱେ ରାସ୍ତା ଓ ଦଇତାରିଠାରେ ଲୁହାପଥର ଉତ୍ତୋଳନ ପାଇଁ ଯାନ୍ତ୍ରିକ ପଦ୍ଧତି ପ୍ରବର୍ତ୍ତନ କରାଯାଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପରେ ଆସ୍ଥା ଥିବାରୁ ଏବଂ ଭାରତର ବିଶିଷ୍ଟ ପ୍ରଶାସକ ଶ୍ରୀ ବି.ଶିବଚରଣ ମୁଖ୍ୟ ସଚିବ ଏବଂ ବିଶ୍ୱବିଖ୍ୟାତ ଇଞ୍ଜିନିୟର ଡଃ. ଖୋସଲା ସେତେବେଳେ ଓଡ଼ିଶାର ରାଜ୍ୟପାଳ ଥିବାରୁ ସେମାନଙ୍କ ସହଯୋଗରେ ଉପରୋକ୍ତ ଶିଳ୍ପ ଓ ଶିକ୍ଷା ଯୋଜନାମାନ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରିଥିଲା ।
ଶ୍ରୀ ବିଜୁପଟ୍ଟନାୟକ ୧୯୬୧ ଜୁନ୍ ମାସ ଠାରୁ ୧୯୬୩ ଅକ୍ଟୋବର ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ କାମରାଜ ଯୋଜନା ଅନୁସାରେ ଇସ୍ତଫା ଦେଇ ଚାଲିଯାଇଥିଲେ ଏବଂ ତାଙ୍କ ପରେ ୰ ବୀରେନ୍ ମିତ୍ର ୧୯୬୫ ଫେବୃଆରୀ ପର୍ଯ୍ୟନ୍ତ ଏବଂ ସଦାଶିବ ତ୍ରିପାଠୀ ୧୯୬୭ ଫେବୃଆରୀ ପର୍ଯ୍ୟନ୍ତ ରହିଲେ ।