ଇତିହାସ

କଟକ ସ୍ୱରାଜ୍ୟ ଆଶ୍ରମ ଦଖଲ

Balaram Mohanty'd Odisha History

ସରକାରଙ୍କୁ ଆଗରୁ ନୋଟିସ ଦେଇ ଅଗଷ୍ଟ ୮ ତାରିଖ ଦିନ ଗୋଲକ ବିହାରୀ ମହାରଣାଙ୍କ ନେତୃତ୍ୱରେ ଦଳେ ସତ୍ୟାଗ୍ରହୀ ସ୍ୱରାଜ ଆଶ୍ରମ ଦଖଲ କରିବାକୁ ଗଲେ ।

କଟକ ସ୍ୱରାଜ୍ୟ ଆଶ୍ରମ ଦଖଲ

୧୯୩୨ ମସିହାରେ ସ୍ୱାଧୀନତା ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଆଇନ୍ ଅମାନ୍ୟ ସଂଗ୍ରାମ ଚାଲିଥିବାବେଳେ କଟକର ସ୍ୱରାଜ ଆଶ୍ରମକୁ ଇଂରେଜ ସରକାର ତାଲା ପକାଇ ଦେଇଥିଲେ ଓ ଭିତରକୁ କାହାରିକୁ ଛାଡୁ ନଥିଲେ । ସେହି ସମୟରେ ଏହିପରି ତାଲା ପକାଇ ଦିଆଯାଇଥିବା ଅନୁଷ୍ଠାନ ଗୁଡ଼ିକୁ ପୁଣି ଦଖଲ କରି ନେବାକୁ କଂଗ୍ରେସ ସ୍ଥିର କଲେ । ଏଥିପାଇଁ ୧୯୩୨ ମସିହା ଅଗଷ୍ଟ ମାସ ୮ ତାରିଖଠାରୁ ଛଅ ଦିନ ଧରି ସ୍ୱରାଜ ଆଶ୍ରମକୁ ପୁଣି ଦଖଲ କରି ନେବାକୁ ସ୍ୱାଧୀନତା ସଂଗ୍ରାମୀମାନେ ସଂଗ୍ରାମ ଚଳେଇଥିଲେ । ସରକାରଙ୍କୁ ଆଗରୁ ନୋଟିସ ଦେଇ ଅଗଷ୍ଟ ୮ ତାରିଖ ଦିନ ଗୋଲକ ବିହାରୀ ମହାରଣାଙ୍କ ନେତୃତ୍ୱରେ ଦଳେ ସତ୍ୟାଗ୍ରହୀ ସ୍ୱରାଜ ଆଶ୍ରମ ଦଖଲ କରିବାକୁ ଗଲେ । ସେଦିନ ନିଜେ ପୋଲିସ୍ ସାହେବ ଲେନ ସ୍ୱରାଜ ଆଶ୍ରମ ଉପରୁ କଟକରୁ ସିଦ୍ଧେଶ୍ୱର ସାମଲଙ୍କୁ ଦୋମହଲା ଛାତ ଉପରୁ ଠେଲି ତଳକୁ ପକାଇ ଦେଇଥିଲେ । ସେ ଅଚେତା ହେଇଯାଇଥିଲେ । ଅନ୍ୟମାନଙ୍କୁ ନିସ୍ତୁକ ମାଡ଼ ଦେଇଥିଲେ । ଗୋଲକ ବିହାରୀ ମହାରଣା, ରାଜନଗରର ଉପେନ୍ଦ୍ର ଜେନା ଓ ବଡ଼ଚଣାର କାଳନ୍ଦୀ ଚରଣ ସାହୁ ପ୍ରମୁଖ ପୋଲିସ ମାଡ଼ରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ ।

ଦ୍ୱିତୀୟ ଦିନ ସଂଗ୍ରାମୀ ମହାଦେବଙ୍କ ନେତୃତ୍ୱରେ ସ୍ୱରାଜ ଆଶ୍ରମ ଦଖଲ ପାଇଁ ସଂଗ୍ରାମ ଚାଲିଲା । ପୋଲିସ୍ ସେମାନଙ୍କୁ ତଥା ବାହାରେ ଛିଡ଼ା ହୋଇଥିବା ସଂଗ୍ରାମୀ ଭାବଗ୍ରାହୀ ପତି ଓ ନଳିନୀକାନ୍ତ ମିତ୍ରଙ୍କୁ ବାଡ଼େଇ ମୁଣ୍ଡ ଫଟେଇ ଦେଇଥିଲେ । ତୃତୀୟ ଦିନ ସଂଗ୍ରାମୀ ଭଗତସିଂହଙ୍କ ନେତୃତ୍ୱରେ କଟକ ସହରର ୨୦ ଜଣ ସତ୍ୟାଗ୍ରହୀ ସ୍ୱରାଜ ଆଶ୍ରମ ଦଖଲ କରିବା ପାଇଁ ଯାଇଥିଲେ । ଜିଲ୍ଲା ମାଜିଷ୍ଟ୍ରେ¤ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଗିରଫ କରି ଥାନାକୁ ପଠାଇ ଦିଆ ହୋଇଥିଲା । ଏହିପରି ପାଞ୍ଚଦିନ ପର୍ଯ୍ୟନ୍ତ ସ୍ୱରାଜ ଆଶ୍ରମ ଦଖଲ ପାଇଁ ସଂଗ୍ରାମ ଚାଲିବାପରେ ଷଷ୍ଠଦିନ ଆଉ ସତ୍ୟାଗ୍ରହୀମାନଙ୍କୁ ଗିରଫ କରାଗଲା ନାହିଁ । ଆଶ୍ରମର ରୋଷେଇ ଘର, ବାରଣ୍ଡା ଓ ହତାକୁ ଲୋକେ ଦଖଲ କରି ସେଠାରେ ବହୁଲୋକ ରହିଲେ । ୧୪୪ ଧାରା ପ୍ରତ୍ୟାହାର କରି ନିଆଗଲା । ସ୍ୱାଧୀନତା ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟରେ କଟକ ସ୍ୱରାଜ ଆଶ୍ରମ ଦାଖଲ ଏକ ସ୍ମରଣୀୟ ଘଟଣା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top