-: ପୂର୍ବରୁ :-
ଗୋଟିଏ ଚାକିରି ଛାଡ଼ି ଆଉ ଗୋଟିଏ କମ୍ପାନୀକୁ ଗଲେ ଯେପରି ଶ୍ରମର ଦାମ୍ ବଢ଼େ-ବାର୍ଷିକ ବେତନର ପରିମାଣ ବୃଦ୍ଧି ପାଏ, ରାଜନୀତି କରୁଥିବା ଲୋକେ ଦଳ ବଦଳ କଲେ ସେହିପରି ଜନପ୍ରିୟତା ବଢ଼େ । ଗୋଟିଏ ଚାକିରିରେ ସାରା ଜୀବନ ପଡ଼ି ରହିଲେ ଯେପରି ହିସାବ- ବହିର୍ଭୂତ ଆୟ ବଢ଼େ ନାହିଁ । ଗୋଟିଏ ରାଜନୈତିକ ଦଳରେ ମାଟି କାମୁଡ଼ି ପଡ଼ି ରହିଥିଲେ ଲୋକଙ୍କ ପତିଆରା ବଢ଼େ ନାହିଁ ।
ବିଛଣା ବଦଳ ପରେ ସେଥିପାଇଁ ଶ୍ୟାମଳ ଦଳ ବଦଳ କରିବା ଉଚିତ୍ ମନେ କରୁଥିଲା ।
କିନ୍ତୁ ତୃଣାର ବିନା ଅନୁମୋଦନରେ ସମତା ଛାଡ଼ି କଂଗ୍ରେସରେ ଯୋଗ ଦେବା କଥା ସ୍ଥିର କରିପାରୁ ନଥିଲା ଶ୍ୟାମଳ । ଯାହା ହେଲେ ବି ସେ ତା’ର ସ୍ତ୍ରୀ, ବିବାହ ବିଚ୍ଛେଦ ଆଇନ୍ ଅନୁସାରେ ଏ ପର୍ଯ୍ୟନ୍ତ ହୋଇ ନାହିଁ ।
କିନ୍ତୁ ଯେପରି ଭାବରେ ତୃଣା ତାକୁ ସେଦିନ ରାତିରେ ଡାକିଲେ ସୁଦ୍ଧା ଦରଜା ଖୋଲିଲା ନାହିଁ । ଦଳ ବଦଳ କରିବା କଥା ସେ ତାକୁ ପଚାରିବା ପାଇଁ ସାହସ କଲା ନାହିଁ ।
– କାଲି ରାତିରେ କ’ଣ କହିବା ପାଇଁ ଡାକୁଥିଲ ?
– ତମେ ତ ଶୁଣିବା ପାଇଁ ଚାହିଁଲ ନାହିଁ । ତେଣୁ ଯାହା ପଚାରିବି ବୋଲି ଭାବିଥିଲି ତାହା ଭୁଲିଗଲିଣି । ହଁ- ଏ ମାସର ଘର ଖର୍ଚ୍ଚ ପାଇଁ ମୋର ସେଆର୍ ତିନି ହଜାର ଟଙ୍କା ରଖ ।
ଟଙ୍କାଟା ବଢ଼ାଇଲାବେଳେ ଶ୍ୟାମଳ ଭାବୁଥିଲା ତା’ର ଖାଇବା, ରହିବା ଖର୍ଚ୍ଚ ହୁଏତ ନେବା ପାଇଁ ହାତ ବଢ଼ାଇବ ନାହିଁ ତୃଣା । କିନ୍ତୁ ସେପରି କିଛି ଘଟିଲା ନାହିଁ ।
ଟଙ୍କାଟା ନ ଗଣି ନେଇଗଲା ତୃଣା ।
ସମ୍ପର୍କ କ୍ରମଶଃ ସରଳ ହୋଇଗଲା । ଆକ୍ଷରିକ ଅର୍ଥରେ ସେ ପେଇଂ ଗେଷ୍ଟ୍ । ତୃଣାର ହାତରନ୍ଧା ଖାଦ୍ୟ ଖାଇବାର ଅଧିକାର ତା’ର ଅଛି । କିନ୍ତୁ ତା’ ପାଇଁ ନାଇଟ୍ ଡ୍ରେସ୍ ପିନ୍ଧି ଦରଜା ଖୋଲିବାର ବାଧ୍ୟବାଧକତା ତୃଣାର ନାହିଁ ।
ସେ ଅସୁସ୍ଥ ହୋଇ ପଡ଼ିଲେ ତୃଣା ତା’ର ସେବାରେ କାର୍ପଣ୍ୟ କରେ ନାହିଁ । କିନ୍ତୁ ସେ ଅସୁସ୍ଥ ହେଲେ ତାକୁ ଡାକ୍ତର ଡାକିବାକୁ ସେ ଦିଏ ନାହିଁ । ନିଜେ ଫୋନ୍ କରି ଡାକ୍ତର ବୋଷ୍ଙ୍କ ପରାମର୍ଶ ନିଏ । ଔଷଧ ଦୋକାନକୁ ଫୋନ କରି ଦେଲେ ସେମାନେ ଔଷଧ ପଠାଇ ଦିଅନ୍ତି ।
ବିଛଣା ଅଲଗା ହୋଇଗଲା ପରେ ତୃଣା କେବେ ବଡ଼ ମାପର କୌଣସି ରୋଗରେ ପଡ଼ି ନାହିଁ । ଥଣ୍ଡା, କାଶ, ଜ୍ୱର- କେବେ ମାଇଗ୍ରେନ୍-ସବୁ ରୋଗ ଡାକ୍ତର ବୋଷଙ୍କ ଔଷଧରେ ଭଲ ହୋଇଯାଏ ।
କିନ୍ତୁ ଶ୍ୟାମଳ ବିଛଣା ବଦଳ ପରେ ପ୍ରାୟ ନିଦ୍ରାହୀନତା ବ୍ୟାଧିରେ ଅସୁସ୍ଥ । ରାତିରେ ନିଦ ହୁଏ ନାହିଁ । ସକାଳକୁ ଆଖି ଜଳୁଥାଏ । ଚା’ ପିଇଲା ବେଳେ ତୃଣା ତା’ର କଅଣ ହୋଇଛି ବୋଲି ପଚାରିଲେ କିଛି ହୋଇନାହିଁ ବୋଲି କହି ପ୍ରସଙ୍ଗ ଏଡ଼ାଇଯାଏ ଶ୍ୟାମଳ ।
ଯେତେ ଚେଷ୍ଟା କଲେ ବି ରାତିରେ ଭଲ ନିଦ ହେଉ ନାହିଁ- ଏକଥା ମୁହଁ ଖୋଲି କହିବାକୁ ସଙ୍କୋଚ ଆସେ । ଡାକ୍ତରଙ୍କୁ ନ ପଚାରି ସେ ଦୋକାନରୁ ସ୍ଲିପିଙ୍ଗ ପିଲ୍ କିଣି ଆଣେ । ପ୍ରଥମେ ଗୋଟାଏ ବଟିକା ଖାଇଲେ ନିଦ ହେଇଯାଉଥିଲା ।
ବେଳେ ବେଳେ ସ୍ୱପ୍ନ ଦେଖାଯାଉଥିଲା ।
ଏବେ ସ୍ୱପ୍ନ ସବୁ ଯେତେ ଚେଷ୍ଟା କଲେ ବି ତା’ର ଅବଚେତନରେ ଅବତରଣ କରନ୍ତି ନାଇଁ ।
ନିଦ ବଟିକାରେ ଆଖିପତା ଯୋଡ଼ି ହୋଇଯାଏ । କିନ୍ତୁ ସ୍ୱପ୍ନ ଦେଖାଯାଏ ନାହିଁ ।
ନିଦ ନ ହେଲେ ସେ ନିଦ ବଟିକା କିଣି ଆଣେ । କିନ୍ତୁ କେଉଁ ବଟିକା ଖାଇଲେ ସ୍ୱପ୍ନ ଦେଖାଯିବ- ସେ କଥା କେହି ତାକୁ କହିପାରନ୍ତି ନାହିଁ ।
ଦେହରେ ଉତ୍ତାପ ନଥାଏ, କିନ୍ତୁ ଜ୍ୱର ଥାଏ । ପ୍ରଚୁର ପାଣି ପିଇଲେ ବି କୋଷ୍ଠକାଠିନ୍ୟ ଦୂର ହୁଏ ନାହିଁ ।
ତା’ର ଏ ଅସୁସ୍ଥତା ତୃଣାକୁ ଚିନ୍ତାରେ ପକାଇ ଦିଏ ।
ସେ ଡାକ୍ତର ବୋଷଙ୍କୁ ଖବର ଦିଏ । ବିଛଣା ବଦଳ ଅନେକ ଆଗରୁ ସେ ତାଙ୍କର ପାରିବାରିକ ଚିକିତ୍ସକ ଥିଲେ । ସେ ଦୁଇଜଣଙ୍କ ନାଡ଼ି ନକ୍ଷତ୍ର ତାଙ୍କୁ ଭଲ କରି ଜଣା ।
ଶ୍ୟାମଳର ଦେହ ଭଲ ନାହିଁ ବୋଲି ଖବର ପାଇ ଡାକ୍ତର ବୋଷ ଆସିଥିଲେ । ତା’ର ଭୋକ କମି ଯାଉଛି । ଓଜନ ହ୍ରାସ ଘଟିଛି ।କନ୍ଷ୍ଟିପେସନ୍ ଲାଗି ରହିଛି ।
ରୋଗର କାରଣ ଅନୁମାନ କରି ନ ପାରି ଡାକ୍ତର ବୋଷ ତାକୁ ପଚାରିଲେ-
– ଭୋକ ହେଉ ନାହିଁ, ନିଦ ହେଉ ନାହିଁ । କାହିଁକି ?
ସେଥିପାଇଁ ମୋର ଚିନ୍ତା ନାହିଁ । ଶ୍ୟାମଳ ହସିବାକୁ ଚେଷ୍ଟା କଲା । କିନ୍ତୁ ହସି ପାରିଲା ନାହିଁ ।
ତା’ପରେ ଖୁବ୍ ଭାବିଚିନ୍ତି କହିଲା- “ପ୍ରାୟ ତିନିମାସ ହେଲା ମୁଁ ଭଲ କି ଖରାପ – କିଛି ଗୋଟିଏ କି ଅଧା ସ୍ୱପ୍ନଟିଏ ଦେଖି ନାଇଁ । ଭୋକ ନ ହେଲେ ମୁଁ ବଞ୍ଚିଛି- ବଞ୍ଚିବି । ନିଦ ନ ହେଲେ ବି ଚଳିବ । ନିଦ୍ରାହୀନତା ଦୂରୀକରଣର ଉପାୟ ମତେ ଜଣାଅଛି । କିନ୍ତୁ ସ୍ୱପ୍ନ ନ ଦେଖିଲେ ମୁଁ ମରିଯିବି । ଯଦି ସ୍ୱପ୍ନ ଦେଖାଇ କିଛି ଔଷଧ ଥିବା ମତେ ପ୍ରେସ୍କ୍ରିପ୍ସନ୍ ଲେଖି ଦିଅନ୍ତୁ-ଯେତେ ଟଙ୍କା ପଡ଼ିଲେ ବି ମୁଁ ସେ ସ୍ୱପ୍ନସିଦ୍ଧ ଔଷଧ କିଣି ଆଣିବି ।”
ଡାକ୍ତର ବୋଷ ଶ୍ୟାମଳ ମୁହଁରୁ ଦୃଷ୍ଟି ଫେରାଇ ଆଣି ତୃଣା ଆଡ଼କୁ ଚାହିଁଲେ ।
କହିଲେ- “ସ୍ୱପ୍ନର ଚଢ଼େଇ ଥୁଣ୍ଟା ଗଛଡ଼ାଳରେ ବସନ୍ତି ନାଇଁ । ଥୁଣ୍ଟା ଗଛରେ କେମିତି ପତ୍ର କଅଁଳିବ- ଡାଳ ଘଞ୍ଚ ହେବ-ସେ କଥା ଆପଣଙ୍କୁ ଜଣା-ଆପଣ ଥରେ ଚେଷ୍ଟା କରି ଦେଖନ୍ତୁ- ନିଦ ବଟିକା ପଏଜନ-ବିଷ ଠାରୁ ତାଙ୍କୁ ଦୂରରେ ରଖନ୍ତୁ ।”
ଡାକ୍ତର ବୋଷ ଚାଲିଗଲା ପରେ ତୃଣା ଶ୍ୟାମଳକୁ କିଛି ସମୟ ନିରେଖି ନିରେଖି ଦେଖିଲା ।
ତା’ପରେ ମନ୍ତ୍ର ଉଚ୍ଚାରଣ କଲା ଭଳି କହିଲା- “ସ୍ୱପ୍ନର ଚଢ଼େଇ ଏ ଥ୍ରୀ-ବେଡ୍ ରୁମ୍ ଫ୍ଲାଟ୍ର ଝର୍କାବାଟେ ଦୂର ଆକାଶକୁ ଉଡ଼ିଯାଇଛି- ତା’ର ଆଉ ଫେରି ଆସିବାର ନାହିଁ । ତମେ ଯଦି ସ୍ୱପ୍ନ ଦେଖିବାକୁ ଚାହଁ- ଏ ଘର ଛାଡ଼ି ଅନ୍ୟ ଘରକୁ ଚାଲିଯାଅ- ମୁଁ ତମକୁ ଆଉ ଗୋଟିଏ ମୁହୂର୍ତ୍ତ ଅଟକାଇ ରଖିବାକୁ ଚାହେଁ ନାଇଁ ।”
ତା’ପରେ ସେ ଗୋଟାଏ ଦୁଃସ୍ୱପ୍ନ ଭଳି ଧୀରେ ଧୀରେ ଅପସରି ଗଲା । କାୟାରୁ ଛାୟା, ପାଦ ଶବ୍ଦ ଧୀରେ ନିସ୍ତବ୍ଦ ହୋଇ ଆସିଲା ।
କାର୍ର ହର୍ଣ୍ଣ ଶୁଣାଗଲା ।
ମାଷ୍ଟର ବେଡ୍ରୁମ୍ ଆଡୁ ମୁହଁ ଫେରାଇ ଦାଣ୍ଡଘର ବାହାରକୁ ଅନେଇଲା ଶ୍ୟାମଳ ।
ନାଲିବତି ଲଗା କାର୍ରୁ ବାହାରି ଶାସନ ମୁଖ୍ୟ ଦାଣ୍ଡଘର ଦେଇ ମାଷ୍ଟର ବେଡ୍ରୁମ୍ ଆଡ଼କୁ ଚାଲିଗଲେ । ବଡ଼ ଅନ୍ୟମନସ୍କ ଥିଲା ଶ୍ୟାମଳ ।
ଦୁଇ ହାତ ଲମ୍ୱାଇ ତା’ର ଶାସନ-ମୁଖ୍ୟଙ୍କୁ ବାଧା ଦେବାର କଥା ଥିଲା । କିନ୍ତୁ ସେ କଥା ଅନେକ ଦିନ ଧରି ନିଦ୍ରାହୀନତା ଭୋଗୁଥିବା ଶ୍ୟାମଳ ଦତ୍ତ ଭୁଲିଗଲା । କଥା ଦେଇ କଥା ରଖିପାରିଲା ।
ସେ କେବଳ ଏକ ଥୁଣ୍ଟା ଗଛ ଭଳି ଠିଆ ହୋଇ ରହିଲା ।
ସ୍ୱପ୍ନର ଚଢ଼େଇ ଧରିବାକୁ ଶିକାରୀ ଏନ୍.ଡ଼ି. ତିୱାରୀ ଦାଣ୍ଡଘର ଅତିକ୍ରମ କରି ମାଷ୍ଟର ବେଡ୍ରୁମ୍ରେ ହାତ ମାରିବା ମାତ୍ରେ ଦରଜା ଖୋଲିଗଲା ।
ନୀଳ ଈର୍ଷାରେ ଜଳି ଉଠି ଲିଭିଗଲା ଶ୍ୟାମଳ ।
