ସୋମବାର ସାଢେ ଦଶ ବାଜିଗଲେବି ପୁରା କମ୍ ଉପସ୍ଥାନ । କେତେ ଗୁଡିଏ ସିଟ୍ ଖାଲି କ୍ୟାବିନ୍ରେ କେହି ନାହାଁନ୍ତି । ଦୂରବାଟ, ଟ୍ରାଫିକ୍ଜାମ ଆଉ ଗାଆଁ ଫେରନ୍ତା ସହ କର୍ମୀମାନେ ଫେରୁଥିବେ ବସ୍ରେ କେହି ବାଇକ୍ରେ । ବଡବାବୁ କିନ୍ତୁ ସାଢେ ନଅରୁ ଦଶ ଭିତରେ ଅଫିସ୍ରେ ପହଞ୍ଚି ନିଜ ଆସ୍ଥାନଟି ଦଖଲ କରି ନେଇ ଥିବେ । ବିଦ୍ୟା ନଜର ଘୁରାଇ ଆଣିଲା, ବଡବାବୁ କ୍ୟାବିନ୍ ଆଡକୁ । ଖୁବ୍ ମନଧ୍ୟାନ ଦେଇ ଗୋଟେ ଫାଇଲ ଉପରେ ଧ୍ୟାନ ଦେଇଛନ୍ତି ସେ । ଚଷମାଟା ପୁରା ନାକତଳକୁ ଖସି ଆସିଛି । ଭୟଙ୍କର ମୁଦ୍ରା, ବିଦ୍ୟା ନିଜ ଡେସ୍କ ଉପରକୁ ନଜର ଫେରାଇଲା । ତିନୋଟି ଫାଇଲ ଗତ ଶନିବାର ଠୁଁ ରଖା ଯାଇଛି । ଡେରି ହୋଇ ଗଲାଣି କହି ବଡବାବୁ ତାକୁ ପରାମର୍ଶ ଦେଇଥିଲେ । ସଞ୍ଜ ହେଲାଣି । ଅଫିସ୍ ଘଣ୍ଟାକୁ ଚାହିଁଲା ବିଦ୍ୟା । “ ଘରକୁ ଯାଅ । ସୋମବାର ଫାଷ୍ଟ ଆସ୍ଵାରରେ ଆସି ସେ କାମ ସାରି ଦେବ ।”
– “ମୁଁ ବି ଟିକେ କାମ ଅଛି ସହଳ ଯିବି କହି ବିଦ୍ୟାକୁ ବାପା ବାପା ଲାଗୁଥୁବା ବଡବାବୁଙ୍କୁ ମନେ ମନେ କୃତଜ୍ଞତା ଜଣାଇ ସେ ଦିନ ଅଫିସ୍ ଛାଡି ଥିଲା । ଆଜି ସେଇ କାମ ଆଗ ସାରି ବଡବାବୁଙ୍କୁ ଧରେଇ ଦେଲେ ସେ ଖୁସି ହୋଇଯିବେ ।
କାମରେ ମନ ଦେଲା । ଅଫିସ ଭିତରକୁ ହସି ହସି ପଶି ଆସୁଥିଲେ ଏମ୍.ଡି. । ସିଟ୍ରୁ ଛିଡା ହୋଇ ବିଦ୍ୟାସହ ଉପସ୍ଥିତ ସହକର୍ମୀ ମର୍ଣ୍ଣିଙ୍ଗ କହି ସମ୍ମାନ ଜଣାଇ ଥିଲେ ।
ଚାମ୍ବର ଭିତରକୁ ପଶୁପଶୁ ପିଅନ ଆସି ବଡବାବୁ ଡାକି ନେଲା ତ ସେ ଚଷମା ସଜାଡି, ଫାଇଲ ସହ ଚାମ୍ବର ଅଭିମୁଖେ ଚାଲିଲେ ।
କଣ ହେଇଚି ? ଆଜି ବୁଢା ଭାରି ଖୁସୀ ଜଣା ପଡୁଛି ? ଫାଇଲରେ ତାର ଥିବା କାମକୁ ତୁଲେଇ ଦେଇ ଧନେଶ୍ଵରକୁ ଡାକି ବଢେଇ ଦେଲା ବଡବାବୁଙ୍କ ଉଦ୍ଦେଶ୍ୟରେ । “ଆଜ୍ଞା’ କହି ଧନେଶ୍ଵର ଫାଇଲ ଧରି ବଡବାବୁଙ୍କ ଚାମ୍ବର ଆଡେ ଚାଲିଗଲା ।
ଫୋନଟା ବାଜି ଉଠିଲା ଏଇ ସମୟରେ । ଆରେ ବିପ୍ଳବର ଫୋନ ! ହାଲୋ ବିପ୍ଲବ କଣ ହେଲା । ରଂଜନାଙ୍କ ଦେହ କେମିତି ଅଛି ?”
-“ସାମାନ୍ୟ ଭଲ ବିଦ୍ୟା । ମାତ୍ର ଶଳା ଏ ଅଫିସରେ ଛୁଟି ମିଳୁନାହିଁରେ ! ଦୁଇଦୁଇ ଥର ବସଙ୍କୁ ଦେଖା କରି ନିଜର ବ୍ୟକ୍ତିଗତ ଅସୁବିଧା କହିଲେ ବି ନ ଶୁଣିଲା ପରି ଶଳା ରହୁଛି । କଣ କରିବି କୁହ ।
– “ କିଛି ନାହିଁ । ଶୁଣାଇତ ସାରିଛ ? ଶୁକ୍ରବାର ଦିନ ଲାଷ୍ଟ ଆୱାରରେ ଦରଖାସ୍ତଟି ପିଅନ ହାତରେ ତାଙ୍କ ଟେବୁଲକୁ ପଠାଇ ଦିଅ । ତା ପର ଦିନତ ସେକେଣ୍ଡ ସଟର ଡେ,ପରେ ସଣ୍ଡେ । ମଣ୍ଡେ କୁ କଣ କରିବା ଚିନ୍ତା କରିବା । ସେହି ସମୟରେ ରଂଜନାର ଟେଷ୍ଟ ଆଉ ମେଡିସିନ୍ ହେଇଗଲାତ ଠିକ୍ ଅଛି । ନହେଲେ ପୁଣି ନେକ୍ସଟ ଡେ ରେ ଛୁଟି ଆପ୍ଲାୟ କରିଦେବ । ଦେଖ, କଣ ହେଉଛି । ଆଗ ସ୍ତ୍ରୀ ନା ଆଗ ଅଫିସ୍ ?
ବିପ୍ଲବ ସେପଟୁ ହସୁଥୁଲା ସଶବ୍ଦରେ । ମାଇଁ ଡାଲିଂ ଲୟର, ଦ୍ୟାଟ୍ ମଷ୍ଟ ବି କ୍ୟାରିଆଉଟ ଫାଷ୍ଟ” ଆଉ କଣ ଖବର କୁହ ।
ଏମିତି କେତେଦିନ ଜୀବନ ଚାଲିବ ବିଦ୍ୟା ? ଟିକେ ତଳେଇ କରି ଦେଖ ନିଜକୁ । ଏକ ଦିଗଦର୍ଶୀ ହୋଇ କିଛି ଦିନ ଏକାକୀ ଚଳିଯାଇ ପାର ମାତ୍ର ସବୁଦିନକୁ ନୁହେଁ ।”
“ତମେ ବିପ୍ଲବ, କଣ କହିବାକୁ ଚାହୁଁଚ ? ଏଯାଏ ଆମ ବନ୍ଧୁତ୍ୱ ଭିତରେ କେଉଁ କଥା ଅଜଣା ଅଛି । ମତେ ଲାଗୁଛି ମୋ ହୃଦୟ ଚିହ୍ନିବାରେ ତମର କେଉଁଠି ତୃଟି ରହିଯାଇଛି ! ଏଟା ମୋର ଦୁର୍ଭାଗ୍ୟ । ତମ ପରି ବନ୍ଧୁ ମୁହଁରେ ଏସବୁ ଶୋଭା ପାଏନା । ”
ବିପ୍ଳବ ଦୀର୍ଘ ନିଶ୍ଵାସଟେ ମାରି କହିଲା, “ତମ ଇଚ୍ଛା ବିଦ୍ୟା । ତଥାପି ନିରୋଳା “ବେଳରେ ମୋ କଥା ଟିକେ ଚିନ୍ତା କରିବ । ଆଚ୍ଛା ବାଏ ।”
ମୋ ଜୀବନରେ ଶୋଭନ୍ ଯେଉଁ ଆସନରେ ଅଛନ୍ତି ତାଙ୍କୁ ବାହାର କରି ଆଉ କାହାକୁ ନେଇ ଚିନ୍ତା କରି ପାରିବି ନାହିଁ । ଏ କଥା ଭଲ ଭାବରେ ଜାଣିଛ ବିପ୍ଲବ । ମୋତେ ଚିଡେଇବାକୁ ନା ମୋର କିଛି ବିଲକ୍ଷଣ ୟା ଭିତରେ ଲକ୍ଷ୍ୟ କରିଛ କି ? ଛାଡ, ସେ ବି ଅନ୍ୟ ଏକ ପାଗଳ । ବିଦ୍ୟାର ଭାବନାରେ ଖଣ୍ଡିକାଶ ମାରି ଜୀବନ ଦାସ କହିଲେ, “ ମାଡାମ କିଛି ନ ଭାବିଲେ ଗୋଟେ କଥା ଅଛି ।”
“ଅଫିସ୍ ସଂକ୍ରାନ୍ତିୟ କଥା ହୋଇଥିଲେ କହି ପାରନ୍ତି । ଅନ୍ୟ କଥାରେ ମୁଁ ପଶିବାକୁ ଚାହେଁନା ?” ବିଦ୍ୟା ଜୀବନ ଦାସଙ୍କୁ ନ ଚାହିଁ କହିଲା ।
ଜୀବନ ଦାସ କଥା କହିବାର ସରସତା ସେଇଠି ଅଶୀ ଭାଗ ମରିଗଲା । ତଥାପି ସେ ଚେଷ୍ଟାରୁ ବିରତ ହେଲେ ନାହିଁ । “କ୍ଷମା କରିବେ, ଆପଣ ଏ ଅଫିସରେ ଜଏନ କଲା ଦିନରୁ ଅଫିସ୍ ଚମକ ବଢିଯାଇଛି । ଦକ୍ଷତା ଓ ଅଭିଜ୍ଞତା ସଂପୁର୍ଣ୍ଣ ନୂଆ ହେଲେବି ତିନିବରଷ ହେଲାଣି କୌଣସି କଥାରେ କେହି ପଦେ କହିବାକୁ ସାହାସ ବି କରି ନାହିଁନ୍ତି । ମୁଁ ନିରବରେ ଲକ୍ଷକରେ ଆପଣ କାମରେ ମତଲବ ରଖୁ ଥାନ୍ତି ସଦାବେଳେ ।”
ମନେ ମନେ ବିରକ୍ତ ହୋଇ ଗଲାଣି ବିଦ୍ୟା । ଜଣେ ପୁରୁଷ ବିନା ଉଦ୍ଦେଶ୍ୟରେ ଏତେ ତୋଷାମଦି କରିବା, ଏମିତି ତେଲ ମାରିବା ମୁଳରେ ନିଶ୍ଚୟ କିଛି ଉଦ୍ଦେଶ୍ୟ ଅଛି । ନହେଲେ ଝିଅଙ୍କୁ ପଟେଇବାରେ ଦକ୍ଷ ଜୀବନ ଦାସ ମୋତେ ପଟେଇବାକୁ ଚାଲି ଆସି ନାହାଁନ୍ତି ତ, ଭାବନାକୁ ବ୍ରେକ୍ ଲଗାଇ ଫାଇଲରୁ ମୁଁହ ଉଠାଇ ସିଧା ଜୀବନ ଦାସଙ୍କୁ ଚାହିଁ କହିଲି, “ ସରିଲା ନା ଆଉକିଛି ଅଛି ? ”
“ନାନା ମାଡାମ୍, ଆପଣ ମୋତେ ଭୁଲବୁଝିଲେ । ଅସଲ କଥା ହେଉଛି ମୋ ମତରେ ଯୋଗ୍ୟଲୋକଙ୍କୁ ଅଫିସ୍ ଅନରୂପ ସୁବିଧା ଯୋଗାଇ ଦେବା ଉଚିତ୍ । କଥା ହେଉଛି କମ୍ପାନୀ ତରଫରୁ କିଛି କ୍ଵାର୍ଟର ଖାଲିଅଛି । ମୋ ପାଖ କ୍ଵାର୍ଟର ତ ଯୋଗାଇ ଦିଆ ଯାଇଛି । ମୋର ପାଖ କ୍ଵାର୍ଟରକୁ ଛାଡି ଆଉ ଗୋଟିଏ କ୍ଵାର୍ଟର ଖାଲିଅଛି । ମୋ ପାଖ କ୍ଵାର୍ଟରଟି ଆକାଉଣ୍ଟାଣ୍ଡ ବାଦଲ ମିଶ୍ରଙ୍କର । ଯାହା ସେ ଏବେ ଖାଲିକରି ଯିବେ । ତାଙ୍କୁ ଆଉ ଟିକେ ବଡ କ୍ଵାର୍ଟର ଆଲର୍ଟ ହୋଇଛି । ତେଣୁ ଆପଣ ଏହି ସୁଯୋଗରେ ଏମ୍ଡିଙ୍କୁ ଦେଖା କରି କ୍ଵାର୍ଟର କଥା କହି ଖଣ୍ଡେ ଆପ୍ଲିକେଶନ ଦେଉ ନାହାଁନ୍ତି ? ମୁଁ ତେଣିକି କ୍ଵାର୍ଟର ଆପଣ କେମିତି ପାଇବେ, ସେ ବ୍ୟବସ୍ଥା ଏମ୍.ଡି ଙ୍କ ପାଖରେ ବୁଝିବି । ତାହା ମୋ ଦାୟିତ୍ୱ । ଆପଣ ବ୍ୟଚେଲର । ଭଡାଘର ମାଲିକମାନଙ୍କର ଦୌରାତ୍ମ୍ୟ ତ ଜାଣିଥିବେ । କମ୍ପାନୀ କ୍ଵାଟର ଟା ମିଳିଗଲେ ଚାକିରୀ ଏଠି ଶେଷଯାଏ କ୍ଵାର୍ଟରରେ ! ଟୁଆର କ୍ଵାର୍ଟରଟେ । ଅନ୍ୟାନ୍ୟ ସବୁ ସୁବିଧା ଅଛି । ଅଫିସରେ ଏମ୍.ଡିଙ୍କ ପାଖାପାଖି ଥିଲି ତ ହଠାତ୍ ଆକାଉଣ୍ଟାଣ୍ଟ ନୂଆ କ୍ଵାର୍ଟରକୁ ଯିବ କଥା ଫୋନ୍ରେ କଥା ହେଉଥିଲେ । ଏ ଅଫିସ୍ରେ କାମ କିଏ କେତେବେଳେ ହାତେଇ ନିଅନ୍ତି, ଅନ୍ୟମାନେ ତାର ବାସ୍ନା ବି ପାଆନ୍ତି ନାହିଁ । ଫୋନ ମୁଁ ଶୁଣି ନଥିଲେ ମୋର ବା ଜାଣିବାର କ’ଣ ସୁବିଧା ଥିଲା । ”
ଜୀବନ ଦାସଙ୍କ କଥା ଯେମିତି ସରିବାର ନାଁ ଧରୁନଥିଲା । ଏତେ ସମୟ ମୋ କ୍ୟାବିନ୍ରେ ବସି କଣ କରୁଛନ୍ତି ବୋଲି, ଅନ୍ୟମାନଙ୍କର କୌତୁହଳ ସହ ସନ୍ଦେହ ସୃଷ୍ଟି ହୋଇ ଯିବଣି । ଜୀବନ ବାବୁ ଦେଉଥିବା ପ୍ରସ୍ତାବଟି ମଧ୍ୟ ଆଦୌ ମନ୍ଦନୁହେଁ । ଭଡାଘର ଅପେକ୍ଷା କ୍ଵାର୍ଟର ଅଫିସ୍କୁ ପାଖ ଓ ନିରାପଦ । ଭଡା ଅଳ୍ପ ପୁଣି ଦରମାରୁ ଡିଡକ୍ଟ ହୋଇଯିବ, ଜଣା ପଡିବ ନାହିଁ । ଷ୍ଟାଫ ପାଖରେ ରହୁଛନ୍ତି ମାନେ ଭଲମନ୍ଦରେ ସାହାଯ୍ୟ ସହଯୋଗ ମିଳିପାରେ । ବହୁତ ଭଲ ପ୍ରସ୍ତାବଟିଏ । ନିଜ ସମ୍ମତିକୁ ଗୋପନ ରଖି କହିଲା ବିଦ୍ୟା – “ଏହା କଣ ସମ୍ଭବ ? ଏମ୍.ଡି ମୋତେ କ୍ଵାର୍ଟର ଆଲର୍ଟ କରିବେ ? ବହୁ ସିନିୟର ଷ୍ଟାଫ୍ ଥାଉ ଥାଉ ମୋତେ ମିଳିବା ସହଜ କଥା ନୁହେଁ । ଅଫିସ୍ସାରା ବରଂ ଏ ପ୍ରସଙ୍ଗକୁ ନେଇ ଗୋଟେ ଚାପା ଗୁଞ୍ଜରଣ ଖେଳିଯିବ । ଲେଡିଟେ ବୋଲି, ରୂପ ଅଛି ବୋଲି, ଆଉରି ଆଉରି କେତେ କଥା କହିବେ ।”
“ଏ କଥା ମନରୁ କାଢି ଥରେ ଏମ୍.ଡିଙ୍କୁ ଅନୁରୋଧ କରି ଆପ୍ଲିକେସନ ଦିଅନ୍ତୁ । ତା ପରେ ସବୁ କାମ ମୋ ଉପରେ ଛାଡି ଦିଅନ୍ତୁ ।”
ଜୀବନ ଦାସ ଚାଲିଗଲେ । ଗୁଡାଏ ସୁସମ୍ବାଦ, ଖୁସୀ ଆଉ ତାଙ୍କ ଭଲ ପଣିଆର ବାସ୍ନା ଉଡାଇ ଅଥଚ ମୁଁ ତ ତାଙ୍କୁ ମୋ ଗୁଡ୍ବୁକ୍ରେ ଆଦୌ ରଖି ନଥଲି ! ଏ ବାବଦରେ ବିପ୍ଲବ ସହ ରାତିରେ ପରାମର୍ଶ କରିବି । ମନ ଭିତରେ ଅସ୍ଥିରତା ଖେଳୁଥିଲେ ହେଁ ସବୁକୁ ଭିତରେ ରଖି ଅଫିସ୍ କାମରେ ମନ ଦେଲି । ମନ କିନ୍ତୁ ଲାଗିଲା ନାହିଁ । ଅଫିସ୍ରେ ଜଏନ କଲା ଦିନରୁ ଜୀବନ ଦାସଙ୍କୁ ଜାଣେ । ଖୁବ୍ ଚତୁର ଆଉ ଉଦ୍ଯୋଗୀ । ଏମ୍.ଡିଙ୍କର ପାଖଲୋକ । କାମ କମ୍ କଥା ବେଶୀ । ଏମ୍ ଡିଙ୍କର ବିଶ୍ଵସ୍ତ ବୋଲି ଅନ୍ୟମାନେ ମଧ୍ୟ ତାଙ୍କ ଜରିଆରେ ସୁବିଧା ଅସୁବିଧା ଜଣେଇ ଥାଆନ୍ତି । ନିଜ ସିଟ୍ରେ ବସିବା ଖୁବ୍ ବେଶିରେ ଘଣ୍ଟାଏରୁଁ ଦୁଇଘଣ୍ଟା । ସମସ୍ତଙ୍କ କ୍ୟାବିନ୍ରେ ପଶୁଥୁବେ । ଅଧିକାଂଶ ସମୟ ଏମ୍. ଡିଙ୍କ ଚାମ୍ବର ଠାରୁ ରେସ୍ ଯାଏ ଯିବା ଆସିବା ଥାଏ । ଅଫିସ୍ରେ କିଏ ଅସୁବିଧାରେ ପଡିବେ ତ ପାଖରେ ଜୀବନ ଦାସ ଥିବେ । କାହାର ମେଡିକାଲ କାମ ପଡିଲା ସାଂଗରେ ଜୀବନ ଦାସ ଥିବେ । ସବୁବେଳେ ଅଫିସ୍ଟାକୁ ନିଜେ ଚଳାଇଲା ପରି ଏଣେ ତେଣେ ନସର ପସର ହେଉଥିବେ । ଅଫିସ୍ କାମ, ଅଫିସ୍ ପାର୍ଟି ପିକିନିକ୍; ଅଡିଟ୍ ପାର୍ଟି ଇତ୍ୟାଦି ସବୁ ଥିଲେ ଜୀବନ ଦାସ ଲୋଡା ପଡନ୍ତି ଅଫିସ୍ରେ । ତେଣୁ ସେ ନିଜ ସିଟ୍ରେ ନଥିଲେ ବି ଷ୍ଟାଫ୍ଙ୍କର ଗ୍ରମ୍ବଲିଂ ନଥାଏ । ସମସ୍ତେ ଜାଣି ଅଜଣା, ଶୁଣି ଅଶୁଣା ହୋଇ ରହି ଯାଆନ୍ତି । ଏମିତି କି ଏମ୍. ଡି ପର୍ଯ୍ୟନ୍ତ । ଯଦିଓ କିଛି ଈର୍ଷା ଓ ଚୁପ୍ଚାପ୍ ଆଲୋଚନା ଚାଲେ ମାତ୍ର ଖୁଲମଖୁଲା କେହି ତାଙ୍କସହ ମୁହାଁମୁହିଁ ହେବାର ସେ ଆସିଲା ଦିନରୁ ଦେଖିନାହିଁ । କି ବିଚିତ୍ର ଲୋକରେ ବାବା !
ସେଇ ଜୀବନ ଦାସ ତା ପାଇଁ ଆଜି ପଞ୍ଚମ ବୃହଷ୍ପତି ହୋଇ ଦଣ୍ଡାୟମାନ ।
ସତକୁ ସତ ମାସକ ଭିତରେ ଟୁଆର୍ କ୍ଵାର୍ଟର ଟା ବିଦ୍ୟା ନାମରେ ଆର୍ଲଟ ହୋଇଗଲା । ପୂର୍ବ ପ୍ରସ୍ତୁତି ଆଉ ପର ପ୍ରସ୍ତୁତି ପାଇଁ ଜୀବନ ଦାସ ଯେ ଏହା କରିଦେଲେ, ଏଥିପାଇଁ ତାର କୃତଜ୍ଞ ରହିବା ଉଚିତ୍ ନୁହେଁ କି ? ତାର ଅନୁରୋଧ, ଦରଖାସ୍ତରେ ଏ କ୍ଵାର୍ଟର ତାକୁ ମିଳିନାହିଁ ବରଂ ଜୀବନ ଦାସଙ୍କ କରିତ୍ କର୍ମଗୁଣ ଯୋଗୁଁ ତାକୁ ମିଳିଛି । ଏକଥା ଭାବିଲା କ୍ଷଣି ବିଦ୍ୟାକୁ ବେଶୀ ଖୁସୀ ଲାଗୁନଥିଲା । ଏସବୁ କରିବା ମୂଳରେ ଜୀବନ ଦାସର କଣ ସ୍ଵାର୍ଥ ରହିଛି । ଏହା ଦ୍ଵାରା ଏମ୍.ଡିଙ୍କ ନଜର ପାଖେଇ ଆସିବାର ସୁଯୋଗ ମଳିଛି । “ ଆଦୌ ହାତଛଡା କରନା ଅନ୍ତତଃ ଚାକିରୀଟା ଥିବା ଯାଏ ତମେ ଗୋଟେ ସୁରକ୍ଷିତ ସ୍ଥାନରେ ରହିବା ଏହା ମୋ ପାଇଁ ତଥା ମାଉସୀ ମଉସାଙ୍କ ପାଇଁ ବଡ ଆଶ୍ଵାସନା ର କଥା ।’ ଏସବୁ ସତ୍ତ୍ୱେ ଡର ଲାଗୁଚି କାହିଁକି ?
ଜୀବନ ଦାସ କେବେ ତମ ପାଖକୁ ବଳେଇ ଯିବନି । ହାଲୋ ହାଏ ଭିତରେ ତାଙ୍କୁ ହ୍ୟାଣ୍ଡେଲ୍ କରିନେବା ବୁଦ୍ଧିମାନର କାମ ହେବ । ତମେ ନିଶ୍ଚୟ ପାରିବ ।” ବିପ୍ଲବର ପରାମର୍ଶକୁ ବିଦ୍ୟା ଉଚିତ ଭାବିଲା ।
ହସିଲା ବିଦ୍ୟା । “ବିପ୍ଲବଙ୍କର ମୋ ଉପରେ ଏତେ ବିଶ୍ଵାସ କଣ ପାଇଁ ? ସତରେ ମୁଁ ଏସବୁ କୁ ତୁଲେଇ ପାରିବି ? ଦେଖାଯାଉ ।”
ଅଫିସ୍ରୁ ବସାକୁ ଫେରିଲେ ଚିନ୍ତା । ଏତେ ଗୁଡାଏ ଜିନିଷପତ୍ର ପ୍ୟାକେଜ୍ କରିବା, କ୍ଵାର୍ଟର କୁ ନେବା । ସେଠି ସଜାଡି ରଖୁବା କେତେ କଷ୍ଟ ! ବାପା ମାଆ କିଛିତ ବୁଝିଲେ ନାହିଁ । ଝିଅ ଭଲରେ ଚଳିବ ବୋଲି ଖଟ, ଆଲ୍ମିରା, ଫ୍ରିଜ୍, ଆଲଣା, ସବୁ ପଠେଇ ଦେଲେ । ନିଜର ବ୍ୟବହାର୍ଯ୍ୟ ଜିନିଷ କଂସା ବାସନ ଲୁଗା, ବିଛଣା ସଜ, ରୋଷେଇ ସଂରଜାମ, ଟେବୁଲ ଚେୟାର ! ଓଃ, ବାବାରେ ବାବା ।
ଚିନ୍ତାର ପ୍ରତିବିମ୍ବ ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଥିଲା । ଏସବୁର ସାହାଯ୍ୟ ପାଇଁ ବିପ୍ଲବ ନା ଅମିତ୍ ଆଉ ଆରାଧ୍ୟାର ସାହାଯ୍ୟ ନେବ କି ? ବିପ୍ଲବ ଆସିବ ତ ଏତେଦିନ ହେଲାଣି ତା ଅଫିସ୍ ଛାଡି ଆସିପାରୁନି, ନିଜ ସ୍ତ୍ରୀ ଦେହ ପାଇଁ । ମୋ ଘର ବଦଳାଇବାକୁ କହିଲେ କଣ ସେ ଆସି ପାରିବେ ? ବାପାଙ୍କୁ କହିବ କି ଦୁଇଦିନ ପାଇଁ ବିଦ୍ୟାଧର ଦାଦାଙ୍କୁ ପଠାଇବେ । ନା ବୟସ୍କଲୋକ । ଗାଆଁର ଲୋକ । ଏ ଗାଡି ମଟର, ଧାଁ ଧପଡ ଦେଖି ଲେ ଆବାକାବା ହୋଇଯିବେ । ତାଙ୍କୁ ସେହିଜମି ଚାଷ, ବିଲବାଡି, ପୋଖରୀ କାମ ଶୋଭାପାଏ ।
“କଣ ଚିନ୍ତାରେ ଏତେ ବୁଡି ଯାଇଛନ୍ତି ମାଡାମ୍ ? ମୁଁ ତ ଦୁଇତିନି ମିନିଟ୍ ହେଲା ଏଠି ଛିଡା ହେଲିଣି । ଗୋଟିଏ ଅବସ୍ଥାରେ ଆପଣ ବସିଛନ୍ତି । ହଲ୍ଚଲ୍ ବି ନାହିଁ ।
“ ନାଇଁ, ସେମିତି କିଛି ନାହିଁ । କ୍ଵାଟର ହ୍ଵାଇଟ୍ ହାଉସ୍ ୱାସ ସରିଗଲା କି ? ”
“ନା ନା କମ୍ପାନୀ କ୍ଵାର୍ଟର । ଆମେ କଣ ବିଧାୟକ, ମନ୍ତ୍ରୀ ନା ଜିଲ୍ଲାପାଳ ହୋଇଛନ୍ତି ଯେ ଆମଯିବା ପୂର୍ବରୁ ସବୁ ସରିଥିବ । ଆପଣ ଝଡାଝଡି, ସଫା ଧୂଆକରି ଆଗ ରହିଯାଆନ୍ତୁ ।
ଅଫିସ୍ କ୍ଵାର୍ଟର ମାନଙ୍କରେ କାମ ହେଲେ ସେତେବେଳେ କରେଇ ନେବା । କହିବେ ତ ଏଇ ସଣ୍ଡେରେ ମୁଲିଆଟେ ଡାକି ଘରଝଡା ଧୁଆକରି ଚକାଚକ୍ କରିଦେବ । ତା ପରେ ଜିନିଷ ପତ୍ର ବୋହିନେବା । ”
“ତାହାହିଁ କରିଦିଅନ୍ତୁ । ଆଛା ଏ ବସାଘରର ଏତେଜିନିଷ ପତ୍ର…… ।” :
“ଆରେ ଲୋକ ଅଛନ୍ତି ସବୁ କରିଦେବେ । ଆସିବେ, କେଉଁ ଜିନିଷ, କିପରି ପ୍ୟାକେଜ୍ ହେବ, କିଏ କାର୍ଟୁନରେ ରହିବ, କିଏ ସିଧା ଗାଡିରେ ଲଦା ହେବ ସବୁ ସେମାନେ କରି, ଗାଡିରେ ଲଦି ପୁଣି କ୍ଵାର୍ଟରରେ ରଖିଦେବେ । ସବୁ ମାଡାମ୍ ଟଙ୍କାର ଖେଳ । ଟଙ୍କା ଖର୍ଚ୍ଚ କଲେ ନା ବାଘ ଆସି ସର୍ଭିସ୍ କରିବ ।”
ବିଦ୍ୟା ମୁଣ୍ଡରୁ ପାହାଡ ଗୋଟାକର ବୋଝ ଓହ୍ଲେଇ ଗଲା । ହେ ଭଗବାନ, ମୋପରି ଲୋକମାନଙ୍କୁ ଜୀବନ ବାବୁ ପରି ଲୋକଟିଏ ଲେଖା ସବୁସମୟକୁ ମିଳୁଥାନ୍ତୁ । ଜୀବନ ବାବୁଙ୍କୁ ଚାହିଁ ଏଥର ବିଦ୍ୟା କୃତଜ୍ଞତାର ହସଟେ ହସିଦେଲା ।
ଅଫିସ ସଂକ୍ରାନ୍ତୀୟ କଣ ଦୁଇ ଚାରିପଦ କଥା ହୋଇବା ଭିତରେ ବିଦ୍ୟା ଜୀବନବାବୁଙ୍କ କଥା କୁ ପ୍ରବଚନ ଶୁଣିଲାଭଳି ଶୁଣୁଥୁଲା । ଜୀବନବାବୁଙ୍କୁ ପୂର୍ବରୁ ଏପରି ସଳଖ ଚାହାଁଣୀରେ ବିଦ୍ୟା ଆଦୌ ଚାହିନଥିଲା । ବାଃ, ଜୀବନବାବୁ, ତମେ ପରର ଉପକାର କରିବାକୁ ଯେମିତି ଉତ୍ସର୍ଗୀକୃତ ସୁନ୍ଦର ହୃଦୟଟେ ପାଇଛ, ତା ଠୁଁ ତମର ଚେହେରା, ବ୍ୟକ୍ତିତ୍ ଆଉରି ସୁନ୍ଦର । ମୁଁ ଅମଣିଷ ଆପଣଙ୍କୁ ଚିହ୍ନି ନପାରି ଜଣେ ଶସ୍ତା ଧରଣର ବ୍ୟକ୍ତି ବୋଲି ଭାବି ମୋ ଚିହ୍ନିବାର଼େ ଭୁଲ୍ କରିଥୁଲି । ଆଉଥରେ ମନେ ମନେ ଧନ୍ୟବାଦ ଜଣାଇ ବିଦ୍ୟା ନିଜ କାମରେ ମନ ଦେଲା ।
ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜଣେ ଲୋକ ସଣ୍ଡେରେ ଆସି ଘର ଝାଡି, ଧୋଇ ସଫା କରି ଦେଇ ଯାଇଥିଲା । ଅଦରକାରୀ ଜିନିଷ ଟ୍ରଲିରେ ଲଦିଲା । ତା ସାଂଗକୁ କ୍ଵାର୍ଟରକୁ ଲାଗିଥିବା ବା ଅଳ୍ପ ଜମି ଯାହାକୁ ବାଡି ବଗିଗ୍ ଉପଯୋଗୀ କରି ହେବ, ତାକୁ ସଫା କରି ଘାସ ଓ ଅନାବନା ଗଛ ଉପାଡି ଅଳିଆ ସଫାକରି ଟ୍ରଲିରେ ଲଦି ବାହାରେ ପକାଇବାକୁ ନେଇଥିଲା । ତାମୂଲ ନେଇଯାଇଥିଲା ତା ଠାରୁ । ସେଇଦିନ ସଂଧ୍ୟାରେ ଦୁଇଟି ଲୋକ ଧରି ଓ ସେମାନେ ଆଠଦଶଟି କାଗଜ କାର୍ଟୁନ୍ ଧରି ଆସି ବିଦ୍ୟା ବସାରେ ପହଞ୍ଚିଲେ । ରୋଷେଇ ସରଜାଂମକୁ ଛାଡି ସବୁ ଚୂନା ଓ ଛୋଟ ଜିନିଷ କାର୍ଟୁନରେ ପୁରେଇ ସାଇଜ୍ କରି ରଖିଲେ । ଜୀବନ ବାବୁ ଥିଲେ ସେମାନଙ୍କ ସାଥିରେ ।
ବିଦ୍ୟା ସେ ଲୋକ ଦୁଇ ଜଣଙ୍କୁ ଚା ଦୁଇକପ୍ ଧରେଇ ଦେଇ ଆଉ ଦୁଇଟି କପ୍ରେ ଚା ଧରି ଜୀବନ ବାବୁଙ୍କ ପାଖକୁ ଆସି ତାଙ୍କ ପାଖ ଚେୟାରରେ ବସି, ଚା କପ ଜୀବନଙ୍କ ହାତକୁ ବଢେଇ ଦେଲା ଓ ଅନ୍ୟଟି ରେ ନିଜ ଓଠ ଲଗାଇଲା ।
ଜୀବନ ବାବୁ ମନେ ମନେ ଖୁସୀ ହେଉଥୁଲେ । ଚାକିରୀ ଜୀବନର ୩୮ବର୍ଷ ପରେ ବିଦ୍ୟା ମାଡାମ୍ ପାଖରେ ବସିବା, ସାଥିରେ ପିଇବା, ହସି ହସି ପଦେ କଥା ଶୁଣିବାକୁ ତାଙ୍କୁ କେତେ ଯେ ଶ୍ରମ, ବୁଦ୍ଧି ଖଟାଇବାକୁ ନ ପଡିଛି ! ବାଃ ବିଦ୍ୟାମାଡାମ୍ ବାଃ । ଦେଖାଯାଉ ଆଉ ଆଗକୁ କଣ ସତରେ ବେଷ୍ଟ ଅଛି ।
ଭଡାଘରୁ କମ୍ପାନୀ କ୍ଵାର୍ଟରକୁ ସୋମବାର ଦିନ ସମସ୍ତ ଜିନିଷ ପତ୍ର ୪୦୭ ଟାଟା ଗାଡିରେ ଲଦି ଗାଲିଗଲା । ବିଦ୍ୟା ସେଦିନଟି ଛୁଟି ନେଇ ସବୁ ତଦାରଖ କରୁଥିଲା । ଜୀବନ ବାବୁ ଅଫିସ୍ ବିଦ୍ୟା ଭଡାଘର, ପୁଣି ଭଡାଘରୁ କ୍ଵାର୍ଟରରେ ପହଞ୍ଚିସମସ୍ତ କାର୍ଯ୍ୟ ଦେଖା ଶୁଣା କରୁଥିଲେ ଏକାନ୍ତ ନିଜର ଲୋକପରି । ଜୀବନ ବାବୁ ଜଣେ ଦାୟିତ୍ତ୍ୱବାନ, ବିଶ୍ଵାସୀ ଓ ଆପଣାର ହେଲା ଭଳି ଲୋକ ଏବିଶ୍ଵାସ ବିଦ୍ୟାର ଧୀରେ ଧୀରେ ଦୃଢିଭୂତ ହେଉଥିଲା ।
ସଚୁକାମ ସୁରୁଖୁରୁରେ ସରିଲା । ଖଟ, ଆଲମାରୀ ଓ ଫ୍ରିଜ କୁ ଯଥା ସ୍ଥାନରେ ଲୋକ ଦୁଇଜଣ ସଜାଡି ଦେଇ ତାଙ୍କ କଥା ମୁତାବକ ମଜୁରୀ ଓ ଗାଡି ଭଡା ନେଇ ଗଲିଗଲେ । ସବୁ କାର୍ଟୁନ୍ ସେମିତି ଥାଏ ବିଦ୍ୟା ଭଲ ରକମ ଗାଧୁଆ କାମ ସାରି, ଆଗ ଖଟ ଉପରେ ନିଜ ବିଛଣାଟା ସଜାଡି ଦେଲା । ବିଛଣାରେ ଟିକେ ଗଡି ପଡ଼ୁଛି, କବାଟ ଠକ୍ ଠକ୍ ଶୁଭିଲା ।
ଆଶ୍ଚର୍ଯ୍ୟ ହେଲା । ରାତି ଆଠଟା ହେଲାଣି । ଏତେ ରାତିରେ କିଏ ? ଏଠିବା ତାର ଚିହ୍ନା କିଏ ପୁଣି ଠକ୍ ଠକ୍ । ଏଥର ଗଳା ସଫାକରି ବିଦ୍ୟା ପଗରିଲା – “କିଏ ?”
“ଆରେ ମୁଁ ! ଜୀବନ ଦାସ । ମାଡାମ୍ କବାଟ ଖୋଲନ୍ତୁ ।”
ସାମ୍ନାରେ ଜୀବନବାବୁ । ହାତରେ ପ୍ୟାକେଟ୍ ଦେଖି ପଚାରିଲା “ଇଏ କଣ ?”
“ଆରେ ଏତେ ପରିଶ୍ରମ ରଖାଥୁଆ ପରେ ରୋଷେଇ କରିବା କଣ ସମ୍ଭବ ? ଭାବିଲି କିଛି ଦୋଷା ଚଟଣୀ ଆଉ ସମ୍ବର ନେଇଗଲେ ରାତିଟା ଚଳିଯାଉ । ସକାଳେ ରୋଷେଇ କରିବେ । କଣ ଖରାପ ହେଲାକି ? ”
ଆପଣ ମୋତେ କୃତଜ୍ଞତା ଭାରାରେ ପାତାଳଗାମୀ କରିଦେବେ ଦେଖୁଛି । ଛତୁଆ, ଚୁଡା, ମୁଢି କଣ ଦିଟା ଖାଇ ଦେଇ ଥାଆନ୍ତି । ଆପଣ ମୋ ପାଇଁ ଏତେ କଷ୍ଟ କରୁଛନ୍ତି, ଖର୍ଚ୍ଚ ବି କରୁଛନ୍ତି, ମୁଁ ଜାଣିପାରୁନି କେମିତି ସବୁ ଏ ରଣ କୁ ମୁଁ ଶୁଝିବି ! ଆଣିଛନ୍ତି ଖାଇବି ନିଶ୍ଚୟ । ମାତ୍ର ଆପଣ ଖାଇଲେ । ଦୁଇଟି ପ୍ଲେଟ ଧୋଇ ଆଣେ, ଦିହେଁ ଖାଇବା ।
ଖିଆ ପିଆ ପରେ ଗେଟ୍ରେ ଆଗ ଭଲ କରି ତାଲାଦେଇ ଦେଖିବେ, ଭିତର ପଟୁ କବାଟ ଭଲ କରି ବନ୍ଦ କରି ଶୋଇବେ । ମୁଁ ଚାଲିଲି ଗୁଡ୍ ନାଇଟ୍” କହି ଗଲିଗଲେ ଜୀବନ ବାବୁ । ବିଦ୍ୟା ପାଣି ପିଇଲା । ଥକି ଯାଇଥଲା ଦିନ ତମାମ । ସଂଗେ ସଂଗେ ଭଗବାନଙ୍କ ନାମ ସ୍ମରଣ କରି ଶୋଇଲା ।
–ତା’ପରେ–
