–ପୂର୍ବରୁ–
ତିନିଦିନ ଛୁଟିରେ ସମସ୍ତ ଟିକେ କାର୍ଯ୍ୟରେ ଧିମେଇ ଯାଇ ଥିଲେ । ଅଫିସରେ ସମସ୍ତେ ଜଏନ୍ କରିଥିଲେ ବି ଘରକଥା, ପିଲାଙ୍କ କଥା, ବାପା ମାଆଙ୍କ କଥାକୁ ନେଇ ଆଲୋଚନା ପରସ୍ପର ଭିତରେ ଗଲିଥୁଲା । ଏମ୍. ଡି ଆସି ନାହାଁନ୍ତି । ବଡବାବୁ ସିଟ୍ରୁ ଆସି ବିଭିନ୍ନ ବାହାନାରେ ଦୁଇ ଘେରା ବୁଲି ଗଲେଣି । ଏମାନେ ନିଜ ନିଜ ସିଟ୍ରେ ନବସି ହଲଟାରେ କଣ କରୁଛନ୍ତି ପଚାରିବେ ବୋଲି ମନରେ ଅଛି ସିନା ପଚାରି ପାରୁ ନାହାଁନ୍ତି । ବଡବାବୁ ହେଲେ ବି ଜଣେ ମଣିଷ ତ ! ତାଙ୍କ ଭିତରେ କଣ ହୃଦୟଟେ ନାହିଁ ।
ତଥାପି ବଡବାବୁଙ୍କୁ ଦେଖି ସମସ୍ତେ ନିଜ ନିଜ କ୍ୟାବିନ୍ ଭିତରକୁ ଚାଲିଯାଇଥିଲେ । ଛୋଟ ମୋଟ କାମ ପରେ ଲଞ୍ଚ ଆୱାର ହେଇଗଲା । ବର୍ଷା କୁଆଡେ ଥିଲା କେଜାଣି ଆଚ୍ଛା କରି ଅସରାଏ ବର୍ଷିଗଲା । ଭୋକ ହେଉଥିଲେ ବି କ୍ୟାଣ୍ଟିନ୍କୁ ଯାଇ ଖାଇବା ସମ୍ବବ ହେଲାନାହିଁ । ଚାରିଟା ବେଳକୁ ପ୍ରବଳ ଭୋକ । ବିଦ୍ୟା ବଡବାବୁଙ୍କୁ ତା ପ୍ରକୃତ ସତ୍ୟକଥାଟା କହିଲା । ବଡବାବୁ ତାକୁ ଘରକୁ ଯିବାର ଅନୁମତି ଦେଇ ଦେଲେ ।
ବିଦ୍ୟା ଅଫିସ୍ ଫେରନ୍ତା ବାଟରେ ଅଟୋ ଅଟକେଇ କିଛି ଖାଇବା ଜିନିଷ ପ୍ୟାକେଟ କରିନେଇ ଆସିଲା । ଅଟୋ ବିଦାକରି ଘର ଖୋଲି ବ୍ୟାଗ୍ପତ୍ର ରଖୁଲା । ଭିତରୁ କବାଟ ଦେଇ ଶାଢୀ ବଦଳାଇ ବାଥ୍ରୁମ୍ରେ ଫ୍ରେଶ୍ ହେଲା । ଧୁପଟେ ଘରେ ଲଗାଇ ଦେଇ ଖାଇବାକୁ ବସିଛି ତା ଫୋନ ରିଂ ହେଲା । ବିପ୍ଲବର ନମ୍ବରଟି ମୋବାଇଲ ଉପରେ ଦପ୍ଦପ୍ ହେଉଥିଲା ।
“ ହାଲୋ ! କେଡେ ଭାଗ୍ୟ ମୋର । ନିଶ୍ଚୟ ମୋତେ ଆଉ ଗୋଟେ ସୁଦିନ ଅପେକ୍ଷା କରି ରହିଛି । ତମଭିନ୍ନ ମୋ ପାଇଁ କିଏ ବା ଆଉ ଶୁଭ ସମାଚାର ଧରି ଫୋନରେ ଉଭା ହେବ। କୁହ, ମୋ ଜୀବନରେ ସୁଖ ନିର୍ଣ୍ଣାୟକ, ଶାନ୍ତି ବିଧାୟକ ବନ୍ଧୁ ଶ୍ରୀକୃଷ୍ଣ ସମ ବିପ୍ଳବ !
-“ଆରେ, ଏତେବଡ ବିଶେଷଣ ? ମୁଁ ୟା ଭିତରେ ଗଣପତି ଗଜାନନ ହୋଇଗଲିଣି ନା କଣ ?” ସେପଟୁ ବିପ୍ଲବ ପ୍ରାଣଖୋଲା ହସୁଥିଲା ।
– “ ଏତେ ହସୁଛ କଣ ପାଇଁ ଯେ ? ବିଶେଷଣଟା ଅଧିକ ହୋଇଗଲା ନା ? ଠିକ୍ ଅଛି । ମୁଁ କଟ୍ସଟ କରି ନେଉଛି ବାବା । ଏଥର କୁହ କଣ ଖବର । ହସ ତ ବନ୍ଦ କର !”
ମୁଁ ଏଇ ସପ୍ତାହ ଶେଷରେ ତମ ପାଖରେ ପହଞ୍ଚିପାରେ । ରଂଜନା ଦେହ ଭଲ ନାହିଁ । ତାଙ୍କୁ ଆଦିତ୍ୟ କେୟାର ନହେଲେ ହାଇଟେକ୍ ରେ ଟିକେ ଦେଖାଇବା । ନହେଲେ ତୁମେ ଭୁବନେଶ୍ଵର ବାସିନ୍ଦା ହୋଇ ଗଲଣି, ତମେ କେଉଁ ହସ୍ପିଟାଲରେ ଦେଖାଇବା ଠିକ୍ କରିବ । ଗାଇନିକ୍ ପ୍ରବ୍ଲମ ସାଂଗରେ ଆଉରିକଣ ଅସୁବିଧା ସବୁଅଛି । ଅଫିସ୍ରୁ ଛୁଟି ତିନିଚାରିଦିନ ଧରି ଭାବୁଚି ପହଞ୍ଚିବି ।”
-ଠିକ୍ ଅଛି । ଆସ ଏଠି ସବୁ ଠିକ୍ ହୋଇଯିବ ।
-“ପୁଅଝିଅର ସ୍କୁଲ ବନ୍ଦ ହେବ । ତାଙ୍କ ମାମୁଁ ମାଇଁ ଏଇଠି ଅଛନ୍ତି ତାଙ୍କ ପାଖରେ ଭାବରେ ଛାଡିଦେଇଯିବି । ପୁଅଟା ଟିଉସନ ହେଉଛି । ଗଲେ ସେମାନେ ଅସୁବିଧା । ପବ୍ଲିକ ସ୍କୁଲ ଦୁଇତିନି ଦିନ ବନ୍ଦ ହେଲେ ସବୁ ଗୋମମାଳ ହୋଇଯିବ ।
“ ଠିକ୍ ଅଛି । ତମେ ଦୁହେଁ ଚାଲି ଆସ ।”
“ଆଚ୍ଛା ରହିଲି । ଯିବା ପୂର୍ବରୁ ଫୋନ କରିବି । ବାଏ ।” ସେପଟୁ ବିପ୍ଲବ ଫୋନ ରଖିଲା । ବିଦ୍ୟା ନିଶ୍ଵାସ ମାରି ଖାଇବାରେ ମନ ଦେଲା ।
ବସାରେ ଏକୁଟିଆ ହୋଇଗଲେ ବାର ଆଡୁ ବାରକଥା ମନଭିତରକୁ ପଶିଯାଏ । ବାପା ମାଆ, ଶୋଭନ ଗାଆଁ, କଲେଜ ଅପାଶୋରା ସ୍ମୃତି ଭିଡିନିଏ ତାକୁ ପଛକୁ, ପଛକୁ । ମାଆ ମୁହଁଟା ଆଖି ଆଗରେ ଭାସି ଉଠିଲା । ଫୋନ ଲଗାଇଲା ମାଆକୁ । ବାପା ଦାଣ୍ଡ ପିଣ୍ଢାରେ ଥିଲେ। ମାଆ ଧରିଲା ଫୋନ । “ କଣ କହୁଛୁ ମାଆ ? ଆମେ ସମସ୍ତେ ଭଲରେ ଆସି ପହଞ୍ଚଲୁ । ଆରାଧ୍ୟାକୁ ତା ଶାଶୁଘରେ ଛାଡି ଦେଇ ଫେରିଲି । ଆରାଧ୍ୟା ଶାଶୁ ବହୁତ ବଦଳି ଗଲେଣି ମାଆ । ତାର ପିଲା ହେବ ବୋଲି ଶାଶୁ ଶଶୁର ଦୁହେଁ ବହୁତ ଖୁସୀ । ତାକୁ କାମ କିଛି କରେଇ ଦେଉନି ତା ଶାଶୁ । ମୁଁ ଅଫିସ୍ ସାରି ଏବେ ଘଣ୍ଟାଏ ହେଲା ଆସି ବସାରେ ପହଞ୍ଚିଲି । ଜଳଖିଆ ଖାଇଛି। ରାତିକି ଭାବୁଚି ଭାତ ଦିଟା ରାନ୍ଧିବି । ଦିନ ତମାମ ଆଉ ଭାତ ଖାଇହେଲାନି । ଲଞ୍ଚ ବ୍ରେକ୍ରେ ଭାରି ବର୍ଷାହେଲା । ବାପା ଆଉ କଣ କହୁଥିଲେ । ମାଆ ଅମିତ୍ଙ୍କୁ ବାପା ଭଲ କହୁଥୁଲେ ? ନାଁ ? ପସନ୍ଦ ହେଇଛି ତ ? ତୋ ଝିଅ ଚଏସ୍ ମାଆ । ”
– “ତୋ ବାପା ଆଜି ଖରାବେଳେ ଭାତ ଦୁଇପାଟି ବି ନେଇ ନାହାଁନ୍ତି । କିଏ ଜଣେ ବସିଛି ପିଣ୍ଢାରେ, ତାରି ପାଖରେ ବସି ତମରି ମାନଙ୍କ କଥା କହୁଛନ୍ତ । ମାଆର ଗଳା ରୁଦ୍ଧ ହୋଇଗଲା ଜାଣି ଫୋନଟି କାଟି ଦେଲା । ମୁହଁ ଧୋଇ ନିଜ ମୁହଁକୁ ମିରର୍ରେ ଦେଖି ହସିଲା । ଆରେ ବିଦ୍ୟା, ତୁ ଏତେ ଦୁର୍ବଳ ଆଉ ଇମୋଶନାଲ୍ ହେଲେ ଆଗକୁ ଏତେ ଗୁଡାଏ ବାଟ ଏକା ଏକା କେମିତି ଚାଲିବୁ ଯେ, ଦୁର୍ବଳମାନେ କାନ୍ଦନ୍ତିନା । ତୁ ତ ତୋ ବାପା ମାଆର ସାହସୀ ଝିଅ ନୁହେଁ ବଡ ପୁଅ !
ଫୋନ୍ ପୁଣି ରିଂ ହେଲା । ଏଥର ଆରାଧ୍ୟାର ଫୋନ । – “ ବାପା ମାଆଙ୍କୁ ଫୋନ କରିଥିଲି ଏଇ ଟିକକ ଆଗରୁ । ମାଆ ବାପା ଆଜି କେହି ଖାଇ ନାହାଁନ୍ତି ଅପା ! ମାଆ କଥା ଲୁଚାଉଥଲା । ଅମିତ୍ ଅଫିସ୍ ଚାଲିଗଲା ପରେ ମତେ ବି ଏଠି ଭଲ ଲାଗିଲା ନାହିଁ ଅପା ! ତୁ ଖାଇଲୁ ଟି ?”
– “ହଁ ହଁ ଅଫିସ୍ସାରି ଖାଇଛି । ଭାତ ରାତିରେ ରାନ୍ଧି ଖାଇବି । ମୋକଥା ଚିନ୍ତା କରନା । ନିଜଦେହ ପ୍ରତି ଧ୍ୟାନ ନେବୁ । ଶାଶୁ ଶଶୁର ଅମିତ୍ଙ୍କର ଖିଆଲ ରଖୁବୁ । ମୁଁ ରହୁଛି ? ପରେ ଫୋନ କରିବି ।” ଫୋନ କାଟି ଦେଇ ସ୍ଵାଭାବିକ ହେବାକୁ ଚେଷ୍ଟା କରୁଥଲା ବିଦ୍ୟା ।
ସମସ୍ତେ ସମସ୍ତଙ୍କର ସୌଜନ୍ୟ ଜଗି ଚାଲିଛନ୍ତି । ବିଦ୍ୟା ଅନୁଭବ କରୁଛି ଯେମିତି ରାଜ୍ ଆଉ ଆରାଧ୍ୟା ତାକୁ କୃତଜ୍ଞତା ରେ ପୋତି ପକାଉଛନ୍ତି । କାହିଁକି ? ସେ କଣ ତାଙ୍କର ନିଜର ନୁହେଁ । ବଡ ହିସାବରେ ଯାହା କରିବା ଉଚିତ୍ ତାହା ହିଁ ତ ସେ କରିଛି କେବଳ !
ସତରେ ଯାହାଙ୍କୁ ମୋ ଠୁଁ ସାନ ଭାବି ଏଯାଏ ତାକୁ ଅନୁଶାସନ କିମ୍ବା ପରାମର୍ଶ ଦେଇ ଆସିଛି, ସେମାନେ ମୁଁ ବଡ ବୋଲି ମୋ କଥାକୁ ଗ୍ରହଣ କରନ୍ତି ଆଉ ସମ୍ମାନ କରନ୍ତି ସିନା ମୋ
ଭାବନାଠୁଁ ଯଥେଷ୍ଟ ସେ ବଡ ହୋଇ ସାରିଛନ୍ତି । ନିଜର ଗୁରୁଦାୟିତ୍ୱ କି ଗୋପନ ସମସ୍ୟା ତାଙ୍କୁ ନ ଜଣାଇଲେ ବି ସେ ବାବଦରେ ସେମାନେ ସଚେତନ ଓ ଚିନ୍ତିତ । ବରଂ ତାଙ୍କୁ ସେ ସବୁ ସମସ୍ୟାରେ ସାମିଲ କରି ତାଙ୍କୁ ଜଣାଇବା ଉଚିତ୍ । କିଏ ଜାଣେ, କେତେବେଳେ କାହା ମୁଣ୍ଡରୁ କି ବୁଦ୍ଧି ବାହାରିବ ଓ ସହଜ ସମାଧାନ ହୋଇଯିବ !
ବିଦ୍ୟା ମନେ ପକାଉ ଥିଲା ତା ପିଲାଦିନ କଥା । ଗୋଟିଏ ପରିବାରରେ ବାପା ମୁଖ୍ୟ ହିସାବରେ ସବୁ ନିଷ୍ପତି ତାଙ୍କର ହୋଇଥାଏ । ଏଥିରେ କିଏ ସହମତ ହେଉ କି ନହେଉ ମାତ୍ର ସେ ନିଷ୍ପତି ବିରୋଧରେ ସ୍ଵର ଉଠାଇବା କି ପ୍ରତିବାଦ କରିବାର ସାହାସ କାହାର ନଥିଲା । ବାପା ସେତେବେଳେ ସିଡିଏମ୍ କୋର୍ଟରେ ଥାଆନ୍ତି । ଦିନେ ବାପାଙ୍କ ପାଖକୁ ତାଙ୍କ ପିଲା ଦିନ ସାଂଗ ଗାଁରେ ରହି ଫୋନ କରିକହିଲା, ତମ ବାଡିରୁ ବାଉଁଶ କଟା ହୋଇ ବିକ୍ରୀ ହେଉଛି । ଗଛର ଆମ୍ବ, ଜାମୁ, ନଡିଆ ଯାହା ଅମଳ ହେଉଚି ପୁରା ତୁ ପାଉଚୁ ନା ବିଦ୍ୟାଧର ପେଟକୁ ଯାଉଛି ? ମଝିରେ ମଝିରେ ଗାଆଁକୁ ଆସି ଏସବୁ ତଦାରଖ ଯଦି କରନ୍ତୁ, ଏମିତି ବାଟମାରଣା କରିବାକୁ କେହି ସାହାସ କରନ୍ତେ ନାହିଁ । ବାପା ବସାକୁ ଆସି ମାଆ ପାଖରେ ସବୁ କହିଲେ । “ ବିଦ୍ୟାଧର ସବୁ ବିକ୍ରି କରୁଛି । ଚୋର ବଦମାସ୍ ଟା ! ଏଥର ଗଲେ ତା ମଜା ବୁଝିବି । ବୋଉ ଚୁପ୍ଚାପ୍ ରୋଷେଇ ଘରେ କଣକାମ କରୁଥାଏ । “ ଆଜିକାଲି କାହାକୁ ବିଶ୍ଵାସ କରିବ ? କିଏଭଲ ? ବୋଉ ମନ ଭଲ ନଥାଏ । କଣ ସବୁ ଗୁଣୁ ଗୁଣୁ ହୋଇ ନିଜକୁ କହୁଥାଏ । ଚାକିରିଆ ଲୋକ । ଚାକିରୀ ଦେଖିବ ନା ସେଣେ ବାଡି ଘରକୁ ଜଗିବ ! ଏଠି ଧାନ ଗୌଣିଏ ଅର୍ଜିଲା ବେଳକୁ ଗାଆଁରେ ଚାଉଳ ଗୌଣିଏ ଉଡି ଯାଉଛି ।”
ମୁଁ ଏ କଥା ଶୁଣି ପ୍ରତିବାଦ କଲି । “ତୁ ମାଆ ବିଦ୍ୟାଧର ଦାଦାଙ୍କୁ ସେମିତି କହନା । ସିଏ ଭଲ ଲୋକ । କିଏ କଣ କହିଦେଲା, ତୁ ବୁଝିଛୁ ? କେତେ ସତ କେତେ ମିଛ ନପରଖି ଏମିତି ଆମର ଭାବିବା ଭୂଲ । ବାଡିଘର ଯତ୍ନ ନେବା ଓ ଜଗିବା ପାଇଁ ବାପା ବିଦ୍ୟାଧର ଦାଦାଙ୍କୁ ମାସିକ କିଛି ଦିଅନ୍ତି ? ସେ ଅଭାବ ଗ୍ରସ୍ଥ ଲୋକ । ତାଙ୍କର କଣ ଅଭାବ ପଡିଥିବ । ବାଉଁଶ ଦୁଇଖଣ୍ଡ କି ନଡିଆ ଗରିଟା ବିକିଦେଲେ ଏମିତି କଣ ମାର୍ହାଣକଥାଟେ ! ଗାଆଁରୁ ବର୍ଷରେ ଦୁଇଥର ବିଦ୍ୟାଧର ଦାଦା ପଚାଶ ଷାଠିଏ ନଡିଆ ଛଡେଇ ଆଣି କଟକରେ ଦେଇଯାଆନ୍ତି ନା ନାହିଁ ? ସେଥିରେ କଣ ତାଙ୍କର ଶ୍ରମ ଲାଗେନା ? ବାପା ପର କଥା ଶୁଣି ଏମିତି କହିବା ଠିକ୍ ହଉନି ।” ମୋ କଥା ସରିଛି କି ନାହିଁ ବୁଲି ପଡିଲା ବେଳକୁ ବାପା ମୋ ପଛରେ ଠିଆ ହୋଇ ଥିଲେ । ଭାବିଲି ଆଜି ମୋ ପ୍ରାଣ ଗଲା ।
ବାପା କିନ୍ତୁ ମତେ କିଛି କହିଲେ ନାହିଁ । ବରଂ ମାଆକୁ ରାତିରେ କହିଲେ ବିଦ୍ୟା ମାତ୍ର ନବମ ଶ୍ରେଣୀରେ ପଡୁଛି । ତା ମୁଣ୍ଡରେ ବଡ ବିବେକୀ ମଣିଷର ବୁଦ୍ଧି ଆଉ ତା ଛାତି ତଳେ ବିବେକ ଅଛି । ଗରିବଙ୍କ ପ୍ରତି ତାର କେତେ ଦରଦ । ଦିନେ ଦେଖିବ ସେ ଜଣେ ଭଲ ମଣିଷ ହୋଇ ବାହାରିବ । ”
ମୋ ବିବାହ ପାଇଁ ବାପାଙ୍କର ଭୂଲ୍ ନଷ୍ପତ୍ତି ଯୋଗୁଁ ଆଜି ସମସ୍ତଙ୍କୁ ଭୋଗିବାକୁ ପଡୁଛି । ମୁଁ ଯାହା କଷ୍ଟ ପାଉଛି ନୁହେଁ ବାପା ବି ମୋଠାରୁ ଅଧିକ କଷ୍ଟ ପାଉଛନ୍ତି । ସତରେ ଶୋଭନ, ଥରେ ଯଦି ଆସି ଯାଆନ୍ତ, ବାପାମାଆ ସାଂଗରେ ସାକ୍ଷାତ ନ ହେଲା ନାହିଁ ମୁଁ ଖାଲି ତମକୁ ଟିକେ ସାକ୍ଷାତ କରନ୍ତି । ତମକୁ ସବୁ କଥା ଗୋଟି ଗୋଟି କରି କହନ୍ତି । କେଉଁଠି ଅଛ ତମେ ଶୋଭନ ? ହ କେବେ ଥରଟିଏ ପାଇ କଣ ତମ ବିଦ୍ୟା କଥା ମନରେ ପଡୁନି । ଯେଉଁଠି ବି ଥାଅ ଆସ ନା ଥରେ ! କେବେ ଅଟକେଇବି ନାହିଁ । ପ୍ରେମ ଆମର ସ୍ଵର୍ଗୀୟ, ଅତୁଟ, ଅମଳିନ ସେମିତି ଅଛି, ଆରମ୍ଭରୁ ଯେମିତି । ସେତିକି ତମକୁ ପ୍ରମାଣିତ କରି ଦେଖାଇ ଦେବି । ଶୋଭନ୍, ମାଇଁ ଲଭ୍ ମାଇ ହାର୍ଟ ! ବିଲିଭି ମି, କେବଳ ଥରେ ।
ଆଖିରୁ ବହି ପଡ଼ୁଥୁଲା ଧାର ଧାର ଲୁହ । କେହି ନାହାଁନ୍ତି ଦେଖିବାକୁ । ହସିବାକୁ କି କାନ୍ଦିବାକୁ ନା ତାତ୍ସଲ୍ୟ କରିବାକୁ । ସମବେଦନା ଜଣାଇ ସମଦୁଃଖୀ ହୋଇ ବୁଝିବାକୁ ବି କେହିନାହିଁ । ମୋ ଭିତର ଦୁଃଖକୁ ବାଣ୍ଟ ନେବା ପାଇଁ । ମୋ ଦୁଃଖ, ମୋଲୁହ, ମୋସୁଖ, ସ୍ଵପ୍ନ, ଝୁରିହେବା, ଜଳି ଜଳି ମରିବା ସବୁ ମୋର ଏକ ଚଟିଆ ଶୋଭନ୍ । ସବୁ ମୋର । ମୁଁ ତମକୁ କେବେ ଭାଗୀଦାର କରିବନି କେବେ ନୁହେଁ । ଥରେ ତମେ କେଉଁଠିନା କେଉଁଠି ଭେଟ ହୋଇଯାଅ, ମୁଁ କହିଦିଏ ମୋ ଭିତରେ ବହି ଯାଇଥିବା ଗୋଟେ ଦୁଃଖର ନୀଳନଦୀକୁ । ତମ ନଥିବା ଦିନରୁ ଯା’ସବୁ ଘଟି ଯାଇଛି । ତାହା ଆମ ପାଇଁ ଗୋଟେ ଇତିହାସ ।
ଫୋନ ରିଂ ହେଉଥଲା ବାରମ୍ବାର । ତରତରରେ ଫୋନ ରିସିଭ୍ କଲା । ରାଜ୍ର ଫୋନ । ନିଜକୁ ସ୍ଵାଭାବିକ କରି ଭଲ କଥା କରିବାକୁ ଚେଷ୍ଟା କଲା ସେ ।
–ତା’ପରେ–