–ପୂର୍ବରୁ –
ବିଦ୍ୟା ଆଜି ଶୋଭନଙ୍କୁ ପାଖରେ ପାଇବାର ଦୁଃଖଦ ଅନୁଭବକୁ ମର୍ମେ ମର୍ମେ ଅନୁଭବ କରୁଥିଲା ସମ୍ପୂର୍ଣ୍ଣ ଏକୁଟିଆ ବିଛଣାରେ ଥିଲା ବେଳେ । ଆର ପଟ ରୁମ୍ରେ ବିପ୍ଲବ ଆଉ ରଂଜନା ଶୋଇଛନ୍ତି । ବିପ୍ଲବ ନୀରବ ଥିଲେ ବି ରଂଜନାର ଗୁଣୁଗୁଣୁ ସ୍ଵରରେ କିଛି କହୁଥିବାର ଶୁଭୁଛି । ବିଦ୍ୟା ଜାଣି ଜାଣି ଫ୍ୟାନ୍ ବଢେଇ ଦେଲା । ବାହାରର କୌଣସି ଶବ୍ଦ ତାକୁ ନ ଶୁଭୁ ।
ମନେ ପଡୁଥିଲେ ଶୋଭନ । ସକାଳର କୋଚିଂ କ୍ଲାସ୍ ବେଳେ ଚପଳଖରାର ମଧୁର ସ୍ପର୍ଶ ସଂଗରେ ଶୋଭନଙ୍କୁ କେମିତି ପାଉଥିଲା । ଏକ୍ଷ୍ଟ୍ରା କ୍ଲାସରେ କେମିତି ଭେଟ ହେଇଥିଲା । ଖାଲି କ୍ଲାସ୍ କରିବାର ବାହାନା ଧରି ଘରୁ ଚାଲିଆସୁ ଥିଲେ । ପହଞ୍ଚି ଯାଉଥିଲେ ପାର୍କରେ ରେଷ୍ଟୁରାଣ୍ଟ୍ରେ ନଇଲେ କାଠଯୋଡି ପଠା ଆଡେ । କୁଆଡେ ଗଲା ସେଦିନ । ଖାଲି ରହିଛି ମଧୁର ସ୍ମୃତି ! ମେଲି ଯାଉଥଲା ଦୁନିଆଁ ଯାକର ଗପ, ଯାହାର ସରିବାର ନାମ ଗନ୍ଧ ନଥିଲା । ଡର ନଥିଲା କାହାକୁ । ସତେକି ସୃଷ୍ଟିର ପ୍ରଥମ ପ୍ରେମିକ ପ୍ରେମିକା !
ବିଦ୍ୟା ଆଖି ଖୋଲିଲା । ଝରକା ଧାରକୁ ରାସ୍ତାର ଆଲୋକ ସାମାନ୍ୟ ପଡି ଜହ୍ନ ରାତିରେ ଭ୍ରମ ସୃଷ୍ଟି କରୁଛି । ସେ ଝରକା ପାଖକୁ ଉଠି ଆସିଲା । ବାହାର ବେଶ୍ ଶାନ୍ତ ଆଉ ଚୁପଚାପ୍ । ତାରି ଭିତରେ ଗଡି ଯାଉଛି ମଟର ସାଇକେଲ୍ଟେ, କାରଟେ । ଏତେ ରାତିରେ ବି ।
ଖୁବ୍ ଦୀର୍ଘ ଲାଗେ ରାତି, ଯେତେବେଳେ ଆଖିକୁ ନିଦ ଆସେନା । ଏକାକୀତ୍ଵ ର ଯନ୍ତ୍ରଣା ଖାଇ ଗୋଡାଏ । ତାରି ଭିତରେ ଚରିଯାଏ, ହରାଇ ଥିବାର ଶୂନ୍ୟତା ପୁଣି ଜୀଇ ଉଠେ ଶୋଭନଙ୍କୁ ଆଉଥରେ ଜୀବନ ଭିତରକୁ ଭିଡି ରଖିବାର ଗୋଟେ ଦୁରନ୍ତ ଇଚ୍ଛା । ଜୀବନ ନିଜର ପରିଚୟକୁ ଲୁଚାଇ ଯାହା ଯାହା ସାହାଯ୍ୟ କଲେ ଏଟା ତାଙ୍କର ମଣିଷ ପଣିଆ । ନା ତାଙ୍କ ଭାଇଙ୍କର ପରାମର୍ଶ । ଜୀବନ ବାବୁ ତା ହେଲେ ଶୋଭନଙ୍କୁ ଅଫିସ୍ ଜଏନ କଲା ଦିନରୁ ସବୁକଥା କହିଛନ୍ତି । କେବଳ ମୁଁ ଶୋଭନଙ୍କର ବିଦ୍ୟା ବୋଲି ? ଆଜିକାଲି ଯୁଗରେ ବିପ୍ଲବଙ୍କ ପରି ବନ୍ଧୁ ଅଛନ୍ତି ଦୁନିଆଁରେ । ରଂଜନା ଜଣେ ଉତ୍ତମ ସ୍ତ୍ରୀ ବୋଲି ସିନା ବିପ୍ଲବ ଏସବୁ କାମ କଲେ ? ଯଦି ରଂଜନା ସହଯୋଗ ନ କରିଥାନ୍ତା, ବିପ୍ଲବ କେତେ ଅସୁବିଧା ଆଉ ଅଶାନ୍ତି ମୋ ଯୋଗୁଁ ପାଇଥାନ୍ତା ?
ମୋର ଦୁଃଖରେ ଦୁଃଖୀ ମୋ ବାପା ମାଆ, କେତେ କଷ୍ଟ ପାଇଲେଣି ସାତବର୍ଷ ହେଲା ? ମାଆର ଶୁଖିଲା ବେଦନା ଭର୍ତ୍ତି ମୁହଁ, ବାପାଙ୍କର ପଶ୍ଚାତାପର ଅନଳରେ ଝାଉଁଳି ପଡୁଥୁବା ଚେହେରାକୁ ଦେଖି କେତେ ଲୁଚି ଲୁହ ନ ଢାଳିଚି ମୁଁ ? ପରିଣତ ବୟସରେ ଏ କଷ୍ଟ ଦେଖି ସହି ପାରେନା । ନିଜ ଦୁଃଖଠୁଁ ବଳେଇ ଯାଏ ମାଆର ଠାକୁର ପାଖେ କାତର ପ୍ରାର୍ଥନା। ଥରଥର କଣ୍ଠରେ କଣ ଗୁଡାଏ ଗୁଣୁଗୁଣୁ ହୋଇ ଲୁହ ଝରାଇବାର ବିରଳ ଦୃଶ୍ୟ ପ୍ରାୟ ସବୁଦିନ । ଏସବୁ ସମାପ୍ତି ସତରେ କଣ ହେବ ? ମୋ ମାଆ ମୁହଁରେ ହସ, ମୋ ବାପା ଆଖିରେ ପୂର୍ବ ଚମକ ଫେରି ଆସିବ ? ନିଜ ଭିତରେ ଦୁଃଖର ପାହାଡ଼କୁ ବୋହି ଚାଲିଥିଲେ ବି ବାପା ମାଆ ଆଗରେ ଚଳ ଚଞ୍ଚଳ ହେବା, ହସି ହସି କଥା କହିବା, ଚାକିରୀ ଦରମାରେ ବାପାଙ୍କ ପାଇଁ ଯୋତା, ସାଲ, ସାର୍ଟକନା ଆଉ ମାଆ ପାଇଁ ମାର୍ବଲର ରାଧାକୃଷ୍ଣ ମୁର୍ତ୍ତୀ, ପିତ୍ତଳର ଲକ୍ଷ୍ମୀନରାୟଣ ନେଇ ଧରାଇଲାବେଳେ ମାଆ ମୁହଁରେ ଖୁସୀ ବାପାଙ୍କ ଛଳଛଳ ହୋଇ ଯାଉଥିବା ଆଖିକୁ ଦେଖି ଖୁସୀ ହୁଏ ତାଙ୍କ ଆଗରେ ସିନା, ନିଜ ଶୋଭନ ପାଇଁ ଯେ ମୋର ଅସରନ୍ତି ହାହାକାର ଏକଥା କାହାକୁ କହିପାରେ ? ନିଜର ହୋଇଥାଏ ଏକାକୀତ୍ୱ , ନିଃସଂଗତା, ଦୀର୍ଘଶ୍ଵାସ ଆଉ ବିନିଦ୍ର ରାତି ! ଶ୍ରୀକାନ୍ତଙ୍କର ଦିନ ଦିନ ପ୍ରତାରଣା ପୂର୍ବ ବାହ୍ୟ ବ୍ୟବହାର ଓ ନିରୋଳା ରାତିରେ ଅଚିହ୍ନା ପୁରୁଷ ପରି କାରବାରତାକୁ ବେଳକୁ ବେଳ ଶକ୍ତ ଓ ସାହସୀ କରାଉଥିଲା । ସବୁ ଗୋଟେ ରୁଟିନ୍ ର ଜୀବନ । କେଇ ଖଣ୍ଡ ଫିକା ରଂଗର ଶାଢୀ ଯାହା ନା ବିବାହିତ ପାଇଁ ପିନ୍ଧିବା କଥା ନା ଅବିବାହିତ ଝିଅର ତାହା ଆବଶ୍ୟକତା । ହାତରେ ପଟେ ଲେଖା ସୁନା ଚୁଡି । କପାଳ କେବେ ସାଦାତ କେବେ ଛୋଟ ନାଲି କଳାର ଟିକିଲିଟିଏ । କାନରେ ଛୋଟ ଷ୍ଟଡ୍ । ଏଇତ ଜୀବନ । ବେକରେ ସରୁ ଚେନ୍ଟେ ଟିକେ ଲମ୍ବାର ବାସ୍ ବିଦ୍ୟା ମହାନ୍ତିର ଲୋଗୋ ।
ମାରି ସକାଳରୁ ରାତି ଯାଏ ବି ସ୍ଵପ୍ନ ଜୀବନ କାଟୁଥାଏ । ଗୋଟେ ଗୁଡ୍ଗାର୍ଲର ସାର୍ଟିଫିକେଟ ଗୋଟାଇ ଥାଏ ସିନା । ପଛରୁ ଗାଁ ସ୍ତ୍ରୀ ଲୋକଙ୍କର କମେଣ୍ଟ ଶୁଭିଯାଏ, “ ଦେଖୁନ ରୂପଗୁଣ ପାଇଁ କଣ ଗୁଣ ଦେଖିଲା ବୋଲି ସିନା ସ୍ଵାମୀ ଘରୁ ତଡି ଦେଲା ? କଣ ଲାଭ, ଏ ରୂପ ଏ ଶିକ୍ଷାର ? କିଏ କାହିଁକି ତାକୁ ବିଶ୍ୱାସ କରିବ ।’
ଝିଅ ବେଳେ କୋଉ ଗୋଟେ ଟୋକାକୁ ଧରିଲା ଯେ, ହାତ ଛାଡି ଦେଇ ସେ ଛୁ । ବାପା ବାହାଘର କଲା ଯେ ଶାଶୁଘର ଛାଡି ଆସି ଘରେ ! ସମସ୍ତେ ଖରାପ, ଏଇ ଖାଲି ଭଲ ? ”
କାନରେ ଅତଡା ଖସି ପଡେ । ଆଖିର ଗରମ ଲୁହ କେତେ ଧାର ନିଗିଡିଯାଏ । କାହା ପାଟିରେ ସେ ହାତ ଦେଇ ବନ୍ଦ କରିବ ? ପ୍ରତାପ ପରି ନଷ୍ଟ ବୁଦ୍ଧି ଲୋକଙ୍କ ଆଖରେ ବି କାମନାର ଇଶାରା । କେମିତି ଏସବୁ କୁ ସେ ମୁକାବିଲା କରିବ ବୋଲି ଭାବନା ତା ଭିତରକୁ ରୁଟ୍ ରୁଟ୍ କରି କାଟୁଥିଲା । କାହାକୁ ଦେଖାଇବ ନିଜର ଗୁଡ୍ ସାର୍ଟିଫିକେଟ !
ବାପା ଯଦି ତାକୁ ବୁଝିଥାନ୍ତେ !
ଶୋଭନ ହେଲେ ହାତ ପାଆନ୍ତା ଦୂରତାରେ ଥାଆନ୍ତେ ? କେଉଁଠି ଦେଖା ହୋଇଥିଲେ ଥରେ ଅଧେ ! ଏ ସବୁ ସୁଯୋଗ ତା ପରି ହୀନ କପାଳୀ ପାଇଁ କାହି ?
ବାହାରୁ କବାଟ କିଏ ଠକ୍ ଠକ୍ କରୁଛି । ଏତେ ରାତିରେ ? ଆଖି ଖୋଲିଲା ବେଳକୁ ପୂର୍ବପଟ ଝରକାରୁ ଖରା ମେଞ୍ଚାଏ ବିଛାଡି ହୋଇପଡିଛି ତା ଘରେ ଓ ବିଛଣାରେ ଖରା ! ତା’ମାନେ ସକାଳ ହେଲାଣି । ତା ଭାବନା ର ଅସରନ୍ତି କଥା ଭିତରକୁ ପଶି ଆସିଥିଲା ନିଦ କେତେବେଳେ ତାହେଲେ ?
ଉଠିବନିକି ବିଦ୍ୟା ! ଘଣ୍ଟା ଦେଖ ସାତଟା ହେଲାଣି । ସେ ପଟୁ ରଂଜନାର ସ୍ଵର ।
ରାତିରେ ପରୀ ରାଇଜରେ ବୁଲୁଥିଲ ନା ପାରିଧିରେ ବାହାରି ଯାଇଥିଲ ? ଉଠ ଉଠ । ଚା’ ତମ ଅପେକ୍ଷାରେ ।‘
କବାଟ ଖୋଲିଦେଲା ବିଦ୍ୟା । ଆଉଟିକେ ସହଳ ଡାକି ନଥାନ୍ତ ରଂଜନା ? କି ଯେ ନିଦ ! ତରତରରେ ବାଥ୍ରୁମ୍କୁ ପଶିଗଲା ବିଦ୍ୟା ।
ବିପ୍ଳବ ଚାଲିଯାଇଥିଲା ମର୍ଣ୍ଣିଂୱାକ୍, ଫ୍ରେସ୍ ପରିବା ଆଣିବା ପାଇଁ, ମାଛ ବି ।
ରଂଜନାର ବରାଦ ଥିଲା “ମତେ କହିଥାନ୍ତ ମୁଁ ମଗେଇ ଦେଇଥାନ୍ତି, ତମେ ରଂଜନା, ଖାଲି ବିପ୍ଳବଙ୍କୁ ଖର୍ଚ୍ଚାନ୍ତ କରୁଛ କାହିକି ? ସେ କେତେଟଙ୍କା ଖର୍ଚ୍ଚ କରିବେ ଯେ ? ତା ଛଡା ତମେମାନେ ମୋର ଅତିଥି ନା ମୁଁ ତୁମର ଅତିଥି । ତମେ କିଣି ରାନ୍ଧି ବାଢି ମୋତେ ଖୋଇପେଇ ଯିବ ।’
ରଂଜନା ମୁହଁ ଫୁଲେଇ କହିଲା, “ ହଁ କହିବନି କାହିଁକି, ଯେହେଲେ ଆମେ ପରନା ! ରାଜ୍ ଆଣିଥିଲେ ଏମିତି କହିଥାନ୍ତ ! ଆଚ୍ଛା ଚା ‘ଦେବି ଏଇନେ ?”
ନା ନା, ବିପ୍ଲବ ଆସନ୍ତୁ ଚା ପିଇବା । ସରି ବାବା, ସରି ଫର ଏଭ୍ରିଥିଙ୍ଗ୍ । କୁଣ୍ଢେଇ ପକାଇଲା ବିଦ୍ୟା ରଂଜନାକୁ । ଦୁହେଁ ହସିଦେଲେ ଏକସାଂଗରେ ।
“ଆଚ୍ଛା ଏଇ ସମୟରେ କଣ ଟିକିଏ କାମ କରିଦିଏ । କ’ଣ କରିବ କୁହ । ବିଦ୍ୟା କହିଲା “ ପିଲାଙ୍କୁ ଗାଧୋଇଦିଅ । ସ୍କୁଲ ବ୍ୟାଗ୍ ସଜାଡି ଟିଫିନ୍ ବକ୍ସ ଆଉ ପାଣି ବଟଲ ବ୍ୟାଗରେ ଭରିଦିଅ। ଡାଇନିଂ ଟେବୁଲ ଉପରୁ ପାଣି ବୋତଲ ଉଠାଇ ନେଇ ଡାଇନିଂ ସଜାଡି ଦିଅ, କେତେକାମ ପଡିଛି ପରା । କ’ଣ ସବୁ ପସନ୍ଦ ଜଣାଥିବ ତ ଶୋଭନଙ୍କର ? ଜାମା ପ୍ୟାଣ୍ଟ, ବ୍ଲେଜର, ଟାଏ ମ୍ୟାଚ କରି ସଜାଇ ରଖ ଖଟଉପରେ ତାଙ୍କ ବ୍ରିଫ୍ କେଶ, ମୋବାଇଲ, ରୁମାଲ, ପର୍ସ ଆଉ କଣଟି ? ”
“ହେ, ଫାଜିଲ୍ କଉଠିକାର । ଏ ସବୁ ଦିବାସ୍ୱପ୍ନ କାହିଁକି ଯେ ଦେଖୁଛ ?”
ଆଉ ସକାଳ ସାତଟାରୁ ତମ ପାଇଁ ମୁଁ କେଉଁଠୁ କାମ ଆଣିବି । ତମେ କରିବ । ଆଁ ? ଘର ଓଳା ଓ ବାସନ ମଜା ସରିଛି । ଖାଲି ବିପ୍ଳବ ଆସିଲେ ଚା ପିଇବା । ପ୍ରେସରରେ ଡାଲିଟା ବସି ସାରିଛି । ମାଛ ଆସିଲେ ଖାଲି ବେସର ଦେଇ ଫ୍ରାଏ ହେବ । ରୋଷେଇ ଶେଷ, ରଂଜନା ହସିଲା । ଶୋଭନଙ୍କୁ ନେଇ ରଂଜନାଙ୍କର ସକାଳୁ ସକାଳୁ ଥଟ୍ଟା ପରିହାସ । ଗତକାଲି ରାତିସାରା ଶୋଭନଙ୍କୁ ନେଇ ନାନା ଭାବନା ଆଉ ଆଶଙ୍କାରେ ରାତିପାହି କେତେବେଳେ ସକାଳ ହେଲା । ସତେ ଯେପରି ଦିନକୁ ଦିନ ଶୋଭନ ପାଖେଇ ଆସୁଛନ୍ତି ତାଙ୍କ ବିଦ୍ୟା ପାଖକୁ । ସତରେ କଣ ଶୋଭନ କଲେଜ ବେଳର ମନ ପ୍ରାଣ ହୃଦୟ ନେଇ ଫେରି ଆସିବେ ?
ବିପ୍ଳବ ବ୍ୟାଗ୍ ଭର୍ତ୍ତି ଜିନିଷ ସହ ଘରେ ପ୍ରବେଶ କଲା ତ ସମସ୍ତେ ସଚେତନ ହୋଇଗଲେ ।
–ତା’ପରେ –