“ ଅପ୍ସରୀ”, ଏମିତି ଗୋଟିଏ ନାମକରଣ କରି ହିଁ ମୋ ପିତାମାତା ମୋ ପାଇଁ ଖୁବ୍ ବ୍ୟଙ୍ଗ, ବିଦୃପ ଆଣି ଦେଇଥିଲେ । ଅବଶ୍ୟ ଆଠ, ଦଶବର୍ଷ ପର୍ଯ୍ୟନ୍ତ ମୁଁ ମୋ ନା’ର ପ୍ରକୃତ ଅର୍ଥ ବୁଝି ପାରୁନଥିଲି । ତେଣୁ ସମସ୍ତଙ୍କ ବକ୍ରୋକ୍ତି ଓ ବ୍ୟଙ୍ଗୋକ୍ତିକୁ ପ୍ରଶଂସା ବୋଲି ଭାବି ଖୁବ୍ ଆତ୍ମତୃପ୍ତି ଅନୁଭବ କରୁଥିଲି, ଲୋକେ କହୁଥିଲେ, “ଆହା ଇୟେ କାହା ଝିଅ ବା ! ୟାକୁତ ଜନ୍ମଦେଇ ତା ମା’ ନିଜକୁ ଧନ୍ୟ ମନେକରୁଥିବ ।” ଆଉ ଜଣେ ଉତ୍ତର ଦିଅନ୍ତି, “ ଇୟେ ପରା ମଦନ ମହାନ୍ତିଙ୍କ ଝିଅ ଅପ୍ସରୀ, ଆମ ଗାଁର କଳାପରୀ, ” ଉପସ୍ଥିତ ସମସ୍ତେ ହୋ… ହୋ… ହୋଇ ହସିଉଠନ୍ତି । ମୁଁ ଭାବେ ମୋତେ ପ୍ରଶଂସାକରି ହସୁଛନ୍ତି ତେଣୁ ମୁଁ ମଧ୍ୟ ମୋ ବାହାଡ଼ା ତେହେଡ଼ା ଦାନ୍ତ ଦେଖାଇ ହସେ । ସେମାନେ ମୋ ହସକୁ ଦେଖି ଆହୁରି ଫାଟି ପଡ଼ନ୍ତି ।
ବୟସ ବଢ଼ିବା ସାଙ୍ଗେ, ସାଙ୍ଗେ ମୁଁ ବୁଝିଗଲି ଯେ, କାହାକୁ କାହାକୁ ଭଗବାନ ସୁନା ଚାମଚ କି ରୂପା ଚାମଚ ପାଟିରେ ଦେଇ ଜନ୍ମ ଦେଇଥାନ୍ତି ହେଲେ ମୋତେ ଖାଲି ବ୍ୟଙ୍ଗ ବିଦୃପର ଜୀବନଟିଏ ଦେଇ ପଠାଇଛନ୍ତି । ମୋ ଦେହର ରଙ୍ଗ ଜହ୍ନିମଞ୍ଜି ପରି କଳା, ମୋ ମୁହଁଟା ଓଉ ପରି ମୋଡ଼ା ମୋଡ଼ା ଆଉ ଚେପଟା ନାକକୁ ମିଞ୍ଜି, ମିଞ୍ଜି ଆଖି । ଦାନ୍ତ ବାହାଡ଼ାକୁ ଆଗକୁ ନେଭାଡ଼ି ହୋଇ ବାହାରିଥାଏ । ମୋ ଜେଜେମା ମୋତେ ଗେଲକରି କହେ, ‘ଯା ଲୋ ଦାନ୍ତୁରୀ, କାଳୀ କୋତରି,’ ହେଲେ ମୋ ବୋଉ ମୋତେ କୋଳେଇ ନେଇ କହେ, “ତୁ ତ ମୋର ଉଆଁସୀ ଜହ୍ନ” । ଚାନ୍ଦପରି ରୂପ ନ ପାଇଲେ କ’ଣ ହେଲା, ଗୁଣରେ ସମସ୍ତଙ୍କୁ ମୁଗ୍ଧ କରିଦେବୁ । ସମସ୍ତଙ୍କ ହୃଦୟକୁ ନରମ ଜ୍ୟୋତ୍ସ୍ନାରେ ଛୁଇଁ ଯିବୁ। ମୁଁ ନିର୍ବୋଧ ଆଖିରେ ବୋଉକୁ ଚାହେଁ । ବୋଉ ମୋ ମୁଣ୍ଡ ଆଉଁଶି ଦେଇ କହେ । “ବୁଝିପାରୁନୁକି ? ଆଲୋ ହୁଣ୍ଡି ରୂପଟା କ’ଣ ଆମ ହାତର କଥା । ଭଗବାନ ଯାହାକୁ ଯେମିତି ରୂପଦେଇ ଗଢ଼ିଲେ ନା । ତାଙ୍କର ପ୍ରତିଟି କାମ ପଛରେ କିଛିନା କିଛି ଉଦ୍ଦେଶ୍ୟ ଥାଏ । ତୋତେ ଏମିତି ବିରୂପ କରିଛନ୍ତି, ତୁ ସିନା ରୂପର ପ୍ରଶଂସା ପାଇବୁନି ହେଲେ ଗୁଣ ତ ତୋ ହାତରେ । ଭଲ ଗୁଣ କଲେ ସମସ୍ତଙ୍କ ମନ ମୋହି ପାରିବୁ । ଭଲ ପାଠ ପଢ଼, ଖେଳ କୁଦରେ ମିଶି, ଦେଖିବୁ ଦିନ ଆସିବ,” ସମସ୍ତଙ୍କ ତୁଣ୍ଡରେ ତୋ ନାଁ ହିଁ ଥିବ।”
ବୋଉର ଉପଦେଶ ମୋ ସରଳ କିଶୋରୀ ମନରେ ଖୁବ୍ ପ୍ରଭାବ ପକାଉଥିଲା । ମୁଁ ଖୁବ୍ ମନଦେଇ ପାଠ ପଢୁଥିଲି । କ୍ଲାସରେ ପ୍ରଥମ ହେବାପାଇଁ ଚେଷ୍ଟା କରୁଥଲି । ମୋ ଅକ୍ଷର ମଧ୍ୟ ଖୁବ୍ ଗୋଲ ଗୋଲ ଏବଂ ପରିଷ୍କାର ଥିଲା । ତଥାପି ମୋ ସାଙ୍ଗମାନେ ମୋତେ ପାଖରେ ବସାଇବା ପାଇଁ ସର୍ବଦା କୁଣ୍ଠିତ। ପ୍ରଥମ ଲାଲନ୍ରେ ବସୁଥବା ଶୁଭ୍ରା ମୋ ବ୍ୟାଗ୍ଟା ଠେଲିଦେଇ କହେ, “ ଏ ଅପ୍ସରୀ ତୁ ଆରପଟ ବେଞ୍ଚରେ ବସ୍ ।” ଆର ପଟକୁ ଗଲା ବେଳକୁ ହୀମଶ୍ଵେତା କହେ “ଏ ଜାଗାଟା ପରା ପ୍ରତିଭାର, ତୁ ପଛ ଲାଇନ୍କୁ ଯା’ । ଦ୍ଵିତୀୟ ଲାଇନ୍କୁ ଗଲେ ସେମାନେ ମଧ୍ୟ ଠେଲା ମାରନ୍ତି । ଚୁପିଚୁପି କହନ୍ତି, “କିଏ ଲୋ ମା କାଳିଆ ବୋଦା ପାଖରେ ବସିବ । ଲଜ୍ଜା, ଅପମାନରେ ମୋ ମୁହଁ ପୋଡ଼ିଯାଏ । ମୁଁ ସବା ଶେଷ ଲାଇନ୍କୁ ପଳାଏ । ସେଠାରେ ଜାଗାମାଡ଼ି ବସିଥାନ୍ତି କିଛି ଗଧ, ଗପୁଡ଼ି ଆଉ ପାଠ ଠକ ଝିଅ, ସେମାନେ ମୋତେ ପାଖରେ ବସାଇବା ପାଇଁ କିଛି ଆପତ୍ତି କରନ୍ତି ନାହିଁ । ମୋ ଖାତାରୁ ଉତ୍ତର ଦେଖି ଉତ୍ତାରି ନେବାକୁ ସେମାନଙ୍କର ଖୁବ୍ ସୁବିଧା ହୁଏ । ହେଲେ ସେମାନଙ୍କ ପାଖରେ ବସିଲେ ଅସୁବିଧା ହୁଏ ମୋର କାରଣ ପଢ଼ାଚାଲିଥିଲା ବେଳେ ସେମାନେ ଚୁପ୍ଚୁପ୍ ଗପମାରନ୍ତି, ବାଜେ ଗପ ବହି କାଢ଼ି ଖାତା ତଳେ ରଖି ପଢ଼ନ୍ତି । ଫଳରେ ମୋ ପଢ଼ାପଢ଼ିରେ ବ୍ୟାଘାତ ଘଟେ । ମୁଁ କେବେ ବି କ୍ଲାସରେ ଫାଷ୍ଟ ହୋଇପାରେ ନାହିଁ । ସତରେ ମୋ ଉତ୍ତର ଭଲ ହୁଏନି କି ମୋ ରୂପ ଯୋଗୁଁ ମୋତେ ଭଲ ନମ୍ବର ମିଳେନି ସେକଥା ଭାବିଲେ ଏବେ ଥରେ ଥରେ ମନରେ ସନ୍ଦେହ ହୁଏ ।
ମୁଁ ଯେତେ ଭଲ ବ୍ୟବହାର ଦେଖାଇଲେ ମଧ୍ୟ ମୋ ସହିତ ସାଙ୍ଗ ହେବାପାଇଁ ଝିଅମାନଙ୍କର ଆଗ୍ରହ ନଥାଏ ତେଣୁ ମୋର କେହି ଅନ୍ତରଙ୍ଗ ବାନ୍ଧବୀ ନ ଥିଲେ । ମୋର ବନ୍ଧୁ, ସଖା, ସାଥି ସବୁ କିଛି ଥିଲା ମୋର ବୋଉ, ମୁଁ ମୋ ମନର ସବୁ ଦୁଃଖ ତା ଆଗରେ କହିଦିଏ । ସେ ମୋତେ ଆଦର କରେ । ସାନ୍ତ୍ୱନା ଦିଏ । କୋଳେଇ ନେଇ ମୋ ମୁଣ୍ଡରେ ହାତ ବୁଲାଏ । ମୁଁ ପାଏ ନୂତନ ପ୍ରେରଣା । ଆଗକୁ ଆଗେଇ ଯିବାପାଇଁ ନୂତନ ଉତ୍ସାହ, ଉଦ୍ଦୀପନା ।
ଦିନେ ବୋଉ ଓ ମୁଁ ବସି ଟି.ଭି. ଦେଖୁଥାଉ, ବୋଉ କହିଲା, ‘ ଦେଖିଲୁ ମା ପି.ଟି. ଉଷା ଏସିଆଡ଼ ଗେମ୍ରେ କେତେ ସ୍ଵର୍ଣ୍ଣ ପଦକ ପାଇଲେ । ସାରା ଦେଶ ତାଙ୍କ ପ୍ରଶଂସାରେ ମୁଖରିତ । ସେ ଏବେ ଆମଦେଶର ଦୌଡ଼ରାଣୀ । ତାଙ୍କୁ କେତେ ଭଲ ଚାକରି, କେତେ ପୁରସ୍କାର ପୁଣି କେତେ ସମ୍ବର୍ଦ୍ଧନା ମିଳୁଛି । ସେ କ’ଣ ଦେଖିବାକୁ ସୁନ୍ଦର ? ପ୍ରସିଦ୍ଧି ନିମନ୍ତେ ସୌନ୍ଦର୍ଯ୍ୟଟା ଗୌଣ । ମୁଖ୍ୟ ହେଲା ସଫଳତା । ତୁ ଏମିତି ଭଲ ଖିଳିବା ପାଇଁ ଚେଷ୍ଟା କର । ଦିନେ ଦେଖିବୁ ସଫଳତା ତୋ ପାଦ ଛୁଇଁବ ।
ମୋତେ ସେଦିନ ବୋଉ କଥା ଖୁବ୍ ଭଲ ଲାଗିଲା । ମୁଁ ସେ ବର୍ଷ ଆମ ସ୍କୁଲରେ ହେଉଥିବା ବିଭିନ୍ନ ଖେଳରେ ଭାଗନେଲି ଆଉ ସମସ୍ତଙ୍କୁ ଚକିତ କରିଦେଇ ଚାରୋଟି ଖେଳରେ ପୁରସ୍କୃତ ହେଲି । ସବୁଠାରୁ ଭଲ କରିଥିଲି ହାଇଜମ୍ପ୍ରେ । ମୋ ପତଳା, କଳା ଶରୀରଟା ଯେମିତି ଶୂନ୍ୟରେ ଉପରକୁ ଉଠିଯାଉଥଲା । ହାଇଜମ୍ପ୍ରେ ପ୍ରଥମ ପୁରସ୍କାର ତ ପାଇଥିଲି ତା ସହିତ ଆମ ସ୍କୁଲର ରେକର୍ଡ଼ ମଧ୍ୟ ଭାଙ୍ଗିଥିଲି । ଯେତେବେଳେ ପୁରସ୍କାର ନେଇ ଘରକୁ ଗଲି ମୋ ଓଠରେ ମଧୁର ହସଟିଏ ଖେଳି ବୁଲୁଥିଲା ଆଉ ମୋ ବୋଉ ଆଖିରେ ଆତ୍ମତୃପ୍ତିର ଆଭା । ମୁଁ ମୋର ସମସ୍ତ ସମୟ ପଢ଼ା ଓ ଖେଳରେ ଲଗାଇଦେଲି । ବିଭିନ୍ନ ପ୍ରକାର ଯୋଗ ଓ ବ୍ୟାୟାମ କରି ମୋ ଶରୀରକୁ ସୁସ୍ଥ ଓ ଖେଳିବା ପାଇଁ ସକ୍ଷମ କରିବାକୁ ଚେଷ୍ଟା କଲି ।
ଇତିମଧ୍ୟରେ ମୋ ଭିତରେ ଘଟିଗଲା ଅନେକ ପରିବର୍ଭନ । କିଶୋରୀ ତନୁକୁ ମୋର ଛୁଇଁଗଲା ଯୌବନର ମଳୟ ପବନ । ମୋ ଚଉଦିଗେ ବସନ୍ତର କୁହୁତାନ ଭରା ମଧୁର ମୂର୍ଚ୍ଛନା । ମୁଁ ଉଚ୍ଚକିତ ହେଲି । ଆଖିରେ ମୋ ଭରି ହୋଇଗଲା ଯୌବନର ସୁନେଲି ସ୍ଵପ୍ନ । “ ଯୌବନେ ମର୍କଟି ରମ୍ଭା” ନ୍ୟାୟରେ ମୁଁ କାଳେଟିକେ ବାଗର ଦେଖାଗଲି । ଆଉ ଏମିତି ବିଭୋର ବେଳାରେ ମୁଁ ପାଦ ଥାପିଲି କଲେଜ୍ରେ ।
ଆଖିରେ ଅଯୁତ ଅୟୁତ ସ୍ଵପ୍ନନେଇ ମୁଁ କଲେଜ ମାଟି ମାଡ଼ିଲି ହେଲେ ସେସବୁ ସ୍ୱପ୍ନ ଧୂଳିସାତ୍ ହୋଇଯିବା ପାଇଁ ବିଶେଷ ସମୟ ଲାଗିଲା ନାହିଁ । ମୋ ହାସ୍ୟମୟୀ, ଦଲାସ୍ୟମୟୀ ବାନ୍ଧବୀମାନଙ୍କ ନିକଟରେ ଭ୍ରମରମାନଙ୍କ ଅନେକ ଗୁଜ୍ଞନା ସେମାନଙ୍କ ନିକଟତର ହେବାପାଇଁ; ସୋମନଙ୍କ ସହିତ ବନ୍ଧୁତାର ହାତମିଳାଇବା ପାଇଁ ପୁଅମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅଥଚ ମୁଁ ଚାଲିଗଲା ବେଳକୁ ଭାସିଆସେ ରିମାର୍କ, “ଆରେ ଇଏ କିଏକି ରେ, ଏତ ପୁତନାର ନବକଳେବର” ଅଥବା “ ଏ ସୂର୍ପଣେଖା ଆମ କଲେଜରେ କ’ଣ କରୁଛି । ୟା’ କୁ ଖଣ୍ଡିଆ ବାକ୍ସରେ ଭୋଟ୍ଦେଇ ଆମ କଲେଜର ହରର୍ କୁଇନ୍ କରିବା”, ଇତ୍ୟାଦି… ଇତ୍ୟାଦି ।
ଏମିତି ଅପମାନ ସୂଚକ ବାକ୍ୟ ଦ୍ୱାରା ମୁଁ’ ତ ଛୁଆଟି ବେଳରୁ କ୍ଷତବିକ୍ଷତ ଅଭ୍ୟସ୍ତ, ତେବେ ମୋ ଯୁବତୀ ମନଟା କାଚର ପିରାମିଡ଼୍ ପରି ଟୁକୁରା ଟୁକୁରା ହୋଇ ଭାଙ୍ଗିଯାଏ । ତଥାପି ମୁଁ ନିଜକୁ ସାଉଁଟି ନିଏ । ପଢ଼ା ଓ ଖେଳରେ ଅଧିକ ଲାଗିପଡ଼େ ।
ଏ ଭିତରେ କଲେଜର ବାର୍ଷିକ ଉତ୍ସବରେ ମୁଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇ ସାରିଲିଣି । ଆନ୍ତଃରାଜ୍ୟ ମହାବିଦ୍ୟାଳୟ ସ୍ତରରେ ଖେଳିବା ନିମନ୍ତେ ମୋତେ ମନୋନୀତ କରାଗଲା । କଟକର ବାରବାଟି ଷ୍ଟାଡ଼ିୟମରେ ଖେଳିବା ନିମନ୍ତେ ଆମେ ଘରଛାଡ଼ିଲୁ । ମୁଁ ଆଉ ଦୁଇଜଣ ଝିଅ, ପାଞ୍ଚଜଣ ପୁଅ ଏବଂ ଦୁଇଜଣ ଅଧ୍ୟାପକ ମିଶାଇ ଆମେ ଦଶଜଣିଆ ଗ୍ରୁପ୍ଟିଏ ଆସିଥିଲୁ । ସେଠାରେ ମଧ୍ୟ ମୋ ବିଜୟ କେତନ ଅକ୍ଷୁର୍ଣ୍ଣ ଥିଲା । ମୁଁ ପାଞ୍ଚୋଟି ଇଭେଣ୍ଟ୍ରେ ପୁରସ୍କୃତ ହୋଇଥିଲି ଏବଂ ହାଇଜମ୍ପ୍ ଏବଂ ଶହେମିଟର ଦୌଡ଼ରେ ପ୍ରଥମ ହୋଇ ରେକର୍ଡ଼ କରିଥିଲି । ସେଇଠି ପ୍ରଥମ କରି ମୋ ଭିତରେ ମୁଁ ଏକ ବିରାଟ ପରିବର୍ଭନ ଅନୁଭବ କରିଥିଲି । ମୁଁ ଲକ୍ଷ୍ୟ କରିଥିଲି କିଏ ଜଣେ ମୋର ନିକଟତର ହେବାପାଇଁ ଚେଷ୍ଟା କରୁଛନ୍ତି । ପ୍ରତିଟି ଇଭେଣ୍ଟ୍ରେ ମୁଁ ପୁରସ୍କୃତ ହେବା ପରେ ସେ ଆସି ମୋତେ କଂଗ୍ରାଚୁଲେସନ ଜଣାନ୍ତି ଏବଂ ଗୋଲାପ ଫୁଲଟିଏ ବଢ଼ାଇ ଦିଅନ୍ତି । ଏମିତି ତ ଅନେକ ବ୍ୟକ୍ତି ସେଠାରେ କଂଗ୍ରାଚୁଲେସନ୍ ଜଣାନ୍ତି କିନ୍ତୁ ତାଙ୍କ ଆଖି ଦୁଇଟାରେ କ’ଣ ଥାଏ ଯାହା ମୋତେ ଆକର୍ଷିତ କରିନିଏ । ସପ୍ରଶଂସ ମୁଗ୍ଧତା ନା ଅମାପ ଭଲପାଇବା ? ? ? ସେ ଆଖିର ଗଭୀରତାରେ ମୁଁ ବୁଡ଼ି ଗଲି । ତାଙ୍କ ଭଲପାଇବାରେ ମୁଁ ମନେ ମନେ ଉବୁଟୁବୁ ହେଲି । ତାଙ୍କ ଦୁଗ୍ଧ ଅଳତାର ଦେହର ରଙ୍ଗ ତାଙ୍କ ବଳିଷ୍ଠ ଚେହେରା, ଆଉ ଭସା ଭସା ଆଖି ମୋତେ ପାଗଳ କରିଦେଲା । ସେ ଥିଲେ ସୁଶୋଭନ ଏବଂ ସେ ରେଭେନ୍ସା କଲେଜରୁ ଆସିଥିଲେ । ସେ କେବଳ ଡିସ୍କସ୍ ଥ୍ରୋରେ ତୃତୀୟ ହୋଇଥିଲେ ଆଉ ସବୁ ଇଭେଣ୍ଟ୍ରେ ହାରିଯାଇଥିଲେ । କିନ୍ତୁ ମୋତେ ଲାଗୁଥିଲା ସେହିଁ ଏଠାରେ ଏକମାତ୍ର ବିଜୟୀ । ଆଃ, ଏତେ ବଳିଷ୍ଠ ଚେହେରା । ଏଡ଼େ ଲୋଭନୀୟ ଦେହର ରଙ୍ଗ ଆଉ ଏ ସୁନ୍ଦର ଆଖି… । ଏମିତି ଜଣେ ପୁରୁଷର ହାତ ଧରିଲେ ତ ଏ ରୂପକୁ ଦେଖି ଦେଖି ଜୀବନର ସବୁ ଦୁଃଖ କଷ୍ଟ ଭୁଲି ହୋଇଯିବ । ମୁଁ ମୋହାଛନ୍ନ ହୋଇପଡ଼ିଲି । ସମୟ ଓ ସୁଯୋଗ ମିଳିଲେ ତାଙ୍କ ସହିତ ଗପିଲି । ମୋ ଠିକଣା ଦେଲି ଓ ତାଙ୍କ ଠିକଣା ଆଣିଲି । ତାଙ୍କ ଇ-ମେଲ୍ ଆଡ଼୍ରେସ୍ ଓ ଫୋନ୍ ନମ୍ବର ମଧ୍ୟ ଆଣିଲି । ଟିକେ ସମୟ ମିଳିଲେ ମୋବାଇଲ୍ରେ ତାଙ୍କ ସହିତ ଗପ ଯୋଡ଼ିଲି । ଅଳ୍ପ କଥା କହୁଥିବା ମୁଁ ହୋଇଗଲି ପ୍ରଗଳ୍ଭା ଛଳ ଛଳ, କଳ କଳ ନଦୀଟିଏ ।
ଘରକୁ ଫେରିଲା ପରେ ମୋ ବୋଉକୁ ସବୁକଥା କହିଲି କାରଣ ମୋ ବୋଉ ହିଁ ମୋର ଏକମାତ୍ର ବାନ୍ଧବୀ । ସବୁଶୁଣି ସେ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଲା । ଏବେବି ତା’ର ବିଶ୍ୱାସ ହେଉନଥିଲା । କିନ୍ତୁ ସୁଶୋଭନ୍ଙ୍କ ଫୋନ୍ ବାରମ୍ବାର ଆସିବା ଦେଖି ସେ ଆମୋଦିତ ହୋଇ ହସିଥିଲା । ଆଉ କହିଥିଲା, ‘ସତରେ କ’ଣ ଟାଙ୍ଗର ମୁଣ୍ଡିଆ ଉପରେ ପଦ୍ମଫୁଲ ଫୁଟିବ ।’
ଏବେ ତ ମୋତେ ଚାରିଆଡ଼େ ସୁଶୋଭନମୟ ଦେଖାଯାଉଥିଲା । କଲେଜ୍ ଘର, ରାସ୍ତାଘାଟ ସବୁ ମୋତେ ଖୁବ୍ ସୁନ୍ଦର ଓ ସୁବାସିତ ଲାଗୁଥିଲା । ମୋ ପାଇଁ ଥିଲା ଗୋଟିଏ ଋତୁ, କୁହୁତାନ ଭରା ମଳୟ ମୂର୍ଚ୍ଛିତ ବସନ୍ତ ଋତୁ । ଫୋନ୍ରେ ଫୋନ୍ରେ କିଛିଦିନ ବିତିଗଲା ପରେ ମୁଁ ସୁଶୋଭନଙ୍କୁ ଦେଖିବା ପାଇଁ ଉଚ୍ଚକିତ ହୋଇଗଲି । ମୋ ମନ ଜାଣିଲା ପରି ବୋଉ କହିଲା, “ ଦିନେ ସୁଶୋଭନକୁ ଘରକୁ ନିମନ୍ତ୍ରଣ କରୁନୁ।’
“ମନ ଖୋଜୁଥିଲା କାକର ପାଣି
ବଇଦ କହିଲା ଦିଅ ତୋରାଣୀ ।”
ଆମମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇ ସୁଶୋଭନ ମୋ ନିମନ୍ତ୍ରଣ ରକ୍ଷାକଲେ ଓ ଆମଘରକୁ ଆସିବାପାଇଁ ରାଜି ହୋଇଗଲେ । ସତକୁ, ସତ ଦିନେ ରବିବାର ସକାଳୁ, ସକାଳୁ ସେ ଆମଘରେ ପହଞ୍ଚିଗଲେ । ସେଦିନ ମୋତେ ସ୍ୱର୍ଗର ଚାନ୍ଦ ପାଇଲା ପରି ଲାଗୁଥିଲା ଆଉ ଦେଖିବାର କଥା ଥିଲା ମୋ ବୋଉକୁ । ଚରମ ବିସ୍ମୟରେ ସେ ଫାଟି ପଡ଼ୁଥିଲା । ସତରେ କ’ଣ ମୋ’ କାଳୀ କୋତରି ଝିଅ ଭାଗ୍ୟରେ ଏ କନ୍ଦର୍ପ ପରି ବର । ମୁଗ୍ଧ ହୋଇ ସୁଶୋଭନଙ୍କୁ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଚାହିଁରହିଲା । ଆଉ ପରମୁହୂର୍ତ୍ତରେ ରୋଷେଇଘରେ ପଶି ଭଲ, ଭଲ ଜଳଖିଆ ତିଆରି କରିବାରେ ଲାଗିଗଲା । ମୋ ବାପା କିନ୍ତୁ ଖୁବ୍ ଗମ୍ଭୀର ହୋଇଯାଇଥିଲେ । ସୁଶୋଭନଙ୍କୁ ଔପଚାରିକତା ଦୃଷ୍ଟିରୁ କେତୋଟି ପ୍ରଶ୍ନ ପଚାରି ବାହାରକୁ ଚାଲିଯାଇଥିଲେ । ମୋର ସେ ସବୁ ପ୍ରତି ଦୃଷ୍ଟି ନ ଥିଲା । ମୋତେ ଖାଲି ଲାଗୁଥିଲା, ଆଜି ଏ ବସନ୍ତାପ୍ଲୁତ ଧରଣୀରେ କେବଳ ମୁଁ ଆଉ ସୁଶୋଭନ… ସୁଶୋଭନ ଆଉ ମୁଁ ଆଉ ଚାରିଆଡ଼ କଦମ୍ବମୟ । ମୁଁ ତାଙ୍କ ହାତଧରି ମୋ ରୁମ୍କୁ ଟାଣି ନେଲି । ମୋ ପ୍ରାଇଜ୍ ସବୁ ଦେଖାଇଲି, ଫଟୋ ସବୁ ଦେଖାଇଲି । ଅନେକ ଅନେକ ଗପର ପସରା ତାଙ୍କ ଆଗରେ ମେଲାଇ ବସିଲି । ସେ କେବଳ ଅଳ୍ପ ଅଳ୍ପ ହସୁଥିଲେ । ଆଉ ତାଙ୍କ ହସ କି ସୁନ୍ଦର । ସେ କହିଲେ ‘ଅପ୍ସରୀ, ତୁମେ ଖୁବ୍ ଭାଗ୍ୟବାନ । ଭଗବାନ ତୁମକୁ ଭଲ ବିଦ୍ୟା ସହିତ ସଫଳ ଖେଳାଳୀ କରିଛନ୍ତି । ଥରେ ନ୍ୟାସ୍ନାଲ୍ ଲେବୁଲ୍ ଖେଳିଦେଲେ ତୁମପାଇଁ ଚାକିରି ଥୁଆ ।’ ହେଲେ ମୁଁ ସ୍ଵଗଗାତ୍ୟୋକ୍ତି କରୁଥିଲି, ତୁମେ ଯେ ସୁଶୋଭନ ମୋ ଜୀବନରେ ଆସିଛ, ସେଥିପାଇଁ ମୁଁ ଖୁବ୍ ଭାଗ୍ୟବତୀ । ମୋର ଆଉ କିଛି ଲୋଡ଼ା ନାହିଁ । ମୋ ଅନ୍ୟମନସ୍କତାକୁ ଲକ୍ଷ୍ୟକରି ସେ ପୁଣି କହିଲେ “କ’ଣ ଭାବୁଛ ଅପ୍ସରୀ ? ମୁଁ ତୁମକୁ ପରୀ ଡାକିଲେ ଆପତ୍ତି ଅଛି କି ? ମୁଁ ସେମିତି ମୋହମୁଗ୍ଧ ହୋଇ ମୁଣ୍ତ ହଲାଇଲି, ନା… ନା… ମୋଟେ ଆପତ୍ତି ନାହିଁ । ହେଲେ ବୁଝିପାରିଲି ନାହିଁ ପରୀ ନା ଟା ମଧ୍ଯ ମୋ ନାମର ଏକ ବିଦୃପ ସଂସ୍କରଣ । ସେଇଦିନରୁ ମୁଁ ହୋଇଗଲି ପରୀ ଆଉ ମୋତେ ଲାଗୁଥିଲା ମୁଁ ଉଡ଼ିବୁଲୁଛି ପରୀଟିଏ ପରି ପ୍ରେମର ଅନନ୍ତ, ନିର୍ମଳ ଆକାଶରେ… ।
ଏ ଭିତରେ ସମୟର ଘୋଷଯାତ୍ରାରେ ଆଗେଇ ଯାଇଛି କେତୋଟି ବର୍ଷ । ମୁଁ ବି.ଏସି. ପାଶ୍ କରିଛି ଆଉ ଏପଟେ ଜାତୀୟସ୍ତରରେ ଖେଳି ଅନେକ ପଦକ ଜିତିଛି । ଅନେକ ଚାକିରର ଅଫର ମଧ୍ୟ ମୋ ପାଖକୁ ଆସି ଗଲାଣି । ନାଲକୋ, ସାହାରା ଇଣ୍ଡିଆ ଆଉ ରେଲୱେରୁ । ବର୍ତ୍ତମାନ ମୋ ପାଇଁ ଦୁଇଟି ଲକ୍ଷ୍ୟ । ଏସିଆଡ଼ ଗେମ୍ରେ ସ୍ୱର୍ଣ୍ଣ ପଦକ ଆଉ ସୁଶୋଭନଙ୍କ ସହିତ ବିବାହ । ଆଉ ଚିଠି… ଫୋନ୍ରେ ମନ ବୁଝେନା । ମୁଁ ଚାହେଁ ସୁଶୋଭନଙ୍କୁ ଏକାନ୍ତ ନିଜର ଭାବରେ, ସ୍ଵାମୀ ରୂପରେ ।
ସୁଶୋଭନ ମଧ୍ୟ ଏ ଭିତରେ ଏମ୍.ଏ. ପାଶ୍ କଲେଣି । ଅବଶ୍ୟ ଖେଳରେ ଏତେଟା ଆଗେଇ ପାରି ନାହାନ୍ତି । ଜାତୀୟସ୍ତରରେ ଖେଳିପାରି ନାହାନ୍ତି । ଏପଟେ ବିଭିନ୍ନ ପରୀକ୍ଷା ଦେଇ ଚାକିରି କରିବା ପାଇଁ କୋଚିଙ୍ଗ୍ ନେଉଛନ୍ତି ଓ ପଢ଼ାପଢ଼ିରେ ସମୟ ଅତିବାହିତ କରୁଛନ୍ତି ଅଥଚ ତାଙ୍କୁ ଚାକିରି ଖଣ୍ଡିଏ ମିଳୁନାହିଁ ।
ଏ ଭିତରେ ମୁଁ ନାଲ୍କୋରେ ଜଏନ୍ କରିଦେଲି । ଏହାର ହେଡ଼ ଅଫିସ୍ ଭୁବନେଶ୍ଵରରେ ଥିବାରୁ ମୋର ପ୍ରାକ୍ଟିସ୍ କରିବା ଖୁବ୍ ସୁବିଧା ଜନକ ଥିଲା । ଏଥି ସହିତ ଯେତେବେଳେ ଚାହିଁଲେ ଖେଳ ନିମନ୍ତେ ମୋତେ ଅଫିସ୍ରୁ ଛୁଟି ମିଳୁଥିଲା । ସୁଶୋଭନ ପ୍ରାୟତଃ ଭୁବନେଶ୍ଵର ଆସନ୍ତି । କଉଦିନ ତାଙ୍କର କଉଠିନା କଉଠି ପରୀକ୍ଷା ଥାଏ । ସନ୍ଧ୍ୟା ବେଳଟା ଆମେ ସାଥୀହୋଇ କଟାଉ । ମୁଁ ତାଙ୍କୁ ପରୋକ୍ଷରେ ଜଣାଇ ଦେଇଥାଏ ଯେ, ମୋର ତ ଚାକିରି ହୋଇଗଲା । ତେଣୁ ଆମେ ବିବାହ କଲେ ଆର୍ଥିକ ଦୃଷ୍ଟିରୁ କୌଣସି ଅସୁବିଧା ହେବନାହିଁ । କିନ୍ତୁ ଏତେ ମିଳାମିଶା ପରେ ବି ସୁଶୋଭନ ମୋତେ କେବେ ହେଲେ ଏପର୍ଯ୍ୟନ୍ତ ପ୍ରପୋଜ୍ କରିନଥାନ୍ତି । ଏପରିକି ତାଙ୍କ କୌଣସି ଚିଠିରେ ମଧ୍ୟ ଏମିତି କିଛି ସୂଚନା ଦେଇନଥାନ୍ତି । ମୁଁ କିନ୍ତୁ ତାଙ୍କୁ ପ୍ରାଣ ଭରି ଭଲ ପାଉଥିଲି ଆଉ ଭାବୁଥିଲି ସୁଶୋଭନ ହିଁ ମୋର, ଏକମାତ୍ର ମୋର ।
ମୋର ବହୁ ଅପେକ୍ଷିତ, ବହୁ ବାଞ୍ଛିତ ଏସିଆଡ଼ ଗେମ୍ର ଦିନ ସ୍ଥିର ହୋଇଗଲା । ହାତରେ ମାତ୍ର ଏକମାସ ସମୟ । ଆମକୁ ଅଭ୍ୟାସ କରିବାପାଇଁ ଚେନ୍ନାଇ ଯିବାକୁ ପଡ଼ିବ । ମୋର ଲକ୍ଷ୍ୟ ଚାରୋଟି ସ୍ଵର୍ଣ୍ଣପଦକ ସେଥିପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିବ । ମୁଁ ମୋ ବାପା, ବୋଉଙ୍କ ଠାରୁ ବିଦାୟ ନେଲି । ସୁଶୋଭନ ମୋତେ ଷ୍ଟେସନ୍କୁ ବିଦାୟ ଦେବା ନିମନ୍ତେ ଆସିଥିଲେ । ହାତରେ ତାଙ୍କର ଗୋଲାପ ଫୁଲର ଗୁଚ୍ଛଟିଏ ଥିଲା । ମୁଁ ହଠାତ୍ ତାଙ୍କ ହାତକୁ ଚାପିଧରି କହିଲି, “ ସୁଶୋଭନ ମୁଁ ଏସିଆଡ଼ରୁ ଫେରିଲା ପରେ ଆମେ ବିବାହ କରିବା ।’ ଏବେ ତ ତାଙ୍କୁ ଦେଖିବା କଥା । ତାଙ୍କ ଗୋରା ମୁହଁରେ ସତେ ଯେମିତି କିଏ ମେଞ୍ଚାଏ ଅବିର ବୋଳିଦେଲା । ସେ କିଛି ନ କହି, ମଧୁର ହସଟିଏ ହସି ଫୁଲ ଗୁଚ୍ଛଟି ମୋ ହାତରେ ଧରାଇଦେଲେ । ସେଠି ଭିଡ଼ ଜମାଇଥିଲେ ମୋର କିଛି ଶୁଭେଚ୍ଛୁ ଓ ସାମ୍ବାଦିକ । ସେମାନେ ତୋଳିନେଲେ ଏ ଦୃଶ୍ୟକୁ ତାଙ୍କ କ୍ୟାମେରାରେ । ମୁଁ ତ ଚେନ୍ନାଇ ଚାଲିଗଲି ପରେ ପରେ ଜାପାନ୍ । କିନ୍ତୁ ସୁଶୋଭନ ମୋ ଫଟୋ ତହିଁ ଆରଦିନ ପ୍ରତିଟି ଖବର କାଗଜରେ ବାହାରି ପଡ଼ିଲା । ଏବଂ ତା’ ସହିତ ଆମ ପ୍ରେମ, ପ୍ରଣୟର କିଛି ମୁଖ ରୋଚକ ଉପକଥା । ରାତାରାତି ସୁଶୋଭନ ମୋ ନାମ ସହିତ ଯୋଡ଼ି ହୋଇ ପ୍ରସିଦ୍ଧ ହୋଇଗଲେ । ବାସ୍, ୟା ପରେ ଚାକିରି ମିଳିବା ତାଙ୍କ ପାଇଁ କଷ୍ଟକର ହେଲାନାହିଁ । ଯେଉଁଠାକୁ ଇଣ୍ଟରଭ୍ୟୁ ଦେବାପାଇଁ ଗଲେ ଅପ୍ସରୀର ପ୍ରେମିକ ଭାବରେ ତାଙ୍କୁ ଖୁବ୍ ଖାତିରି କରାଗଲା । ଆଉ ଗୁରୁତ୍ୱ ମଧ୍ୟ ଦିଆହେଲା । ମୁଁ ଜାପାନ୍ରେ ଥିବା ଭିତରେ ହିଁ ସୁଶୋଭନ ନାଲ୍କୋରେ ଜଏନ୍ କରିଗଲେ ।
ଏଆଡ଼େ ଜାପନ୍ର ଏସିଆଡ଼ରେ ମୁଁ ଖୁବ୍ ମାନସିକ ଚାପ ମଧ୍ୟରେ ରହୁଥିଲି । ଆଉ ଦୁଇଟି ଦେଶର ଖେଳାଳୀ ମୋ ସମକକ୍ଷ ଥିଲେ ତେଣୁ ଗୋଲ୍ଡ ମେଡ଼ାଲ ଜିତିବା ମୋ ପାଇଁ ଖୁବ୍ କଷ୍ଟକର ଥିଲା । ମୁଁ କଠୋର ଅଭ୍ୟାସ କରୁଥିଲି ଏବଂ ମୁହୂର୍ତ୍ତେ ସମୟ ଅପଚୟ କରୁନଥିଲି ତେବେ ସୁଶୋଭନଙ୍କୁ ପ୍ରତିଦିନ ଫୋନ୍ କରିବାପାଇଁ ଭୁଲୁନଥିଲି । ତାଙ୍କର ଦୁଇପଦ ମିଠା ମିଠା କଥା ମୋ ଦେହରେ ନୂତନ ଜୀବନଶକ୍ତି ଭରିଦେଉଥିଲା । ମୁଁ ଖୁବ୍ ଆଗ୍ରହ, ଉତ୍ସାହରେ ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲି । ଶେଷରେ ଦୁଇଟି ସ୍ଵର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକରେ ମୋତେ ଏବଂ ମୋ ଦେଶବାସୀଙ୍କୁ ସନ୍ତୁଷ୍ଟ ହେବାପାଇଁ ହେଲା । ହାଇଜମ୍ପ୍ରେ ନୂଆ ରେକର୍ଡ଼ କରିଥିବାରୁ ମୋ ଦେଶବାସୀ ମୋ ପାଇଁ ଖୁବ୍ ଗର୍ବ ଅନୁଭବ କରୁଥିଲେ । ତେବେ ମୋ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇପାରି ନ ଥିବାରୁ ହର୍ଷ, ବିଶାଦର ଫେଣ୍ଟାଫେଣ୍ଟି ଅନୁଭବ ଭିତରେ ଆମେ ଦେଶକୁ ପ୍ରତ୍ୟାବର୍ତ୍ତନ କଲୁ ।
ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କଲାବେଳକୁ ଗହଳି, ଚହଳିରେ ସ୍ଥାନଟି ମୁଖରିତ ହୋଇପଡ଼ିଥିଲା । ସମସ୍ତଙ୍କ ହାତରେ ଫୁଲତୋଡ଼ା ଆଉ ସମସ୍ତଙ୍କ ଇଚ୍ଛା ମୋ ପାଖକୁ ଆସି ମୋ ହାତକୁ ପୁଷ୍ପଗୁଚ୍ଛ ବଢ଼ାଇ ଦିଅନ୍ତେ । ସୁରକ୍ଷା କର୍ମୀମାନେ ଆମକୁ ନିରାପଦରେ ବାହାରକୁ ନେଇ ଆସିଲେ । ସେଠାରେ ଫଟୋଗ୍ରାଫର ଓ ସାମ୍ବାଦିକମାନଙ୍କର ଅସମ୍ଭବ ଭିଡ଼ । ପ୍ରତି ମୁହୂର୍ତ୍ତରେ କ୍ୟାମେରାର ଲାଇଟ୍ ଝଲସି ଉଠୁଛି ଆଉ ତାରି ଭିତରେ ମୋ ଆଖି ଆତୁର ହୋଇ ଖୋଜୁଥାଏ ଜଣକୁ । ମୋର ବିଶ୍ଵାସ ଥାଏ ସେ ହିଁ ଦିଲ୍ଲୀ ଆସି ମୋତେ ପାଛୋଟି ନେବେ । ବକ୍ଷଲଗ୍ନା କରି ଅଭିନନ୍ଦନ ଜଣାଇବେ । ମାତ୍ର ନା, ତାଙ୍କର କଉଠି ମଧ୍ୟ ଦେଖା ନଥିଲା । ମୋତେ ମୁଗ୍ଧ ଚକିତ କରିଦେଇ ଠିଆ ହୋଇଥିଲେ ମୋ ବାପା ଓ ବୋଉ । ମୋ ବାପାଙ୍କ ଆଖିରୁ ଆତ୍ମସନ୍ତୋଷର ଜ୍ୟୋତି ଛିଟିକି ପଡ଼ୁଥିଲା । ଆଉ ଓଠରେ ତୃପ୍ତିର ହସ ଲାଖି ରହିଥିଲା । ଆଃ, ସେତିକି ଦେଖି ମୋ ଜନ୍ମ ସାର୍ଥକ ହୋଇଗଲା । ମୋ ମନ ପ୍ରାଣ ଭରିଗଲା । ହେଲେ ସୁଶୋଭନ…, ତାଙ୍କର କ’ଣ ଆସିବା ଉଚିତ ନଥିଲା ?
ଦିଲ୍ଲୀରେ ଆମକୁ ଭବ୍ୟ ସମ୍ବର୍ଦ୍ଧନା କରାଗଲା । ମହା ମହିମ ରାଷ୍ଟ୍ରପତି ଆମକୁ ପୁଷ୍ପଗୁଚ୍ଛ ଦେଇ ଅଭିବାଦନ ଜଣାଇଲେ । ତାଙ୍କ ଭବନରେ ସେଦିନ ରାଜକୀୟ ଠାଣୀରେ ରାତ୍ରୀ ଭୋଜନ କରାଇଲେ । ଦେଶର ପ୍ରତିଟି ଖବର କାଗଜରେ ସେଦିନ ଥିଲା ମୋ ଫଟୋ ଏବଂ ମୋ ସାଙ୍ଗମାନଙ୍କର ଫଟୋ । ଏତେସବୁ ପୂର୍ଣ୍ଣତା ମଧ୍ୟରେ ବି ମନ ଖୋଜୁଥିଲା ଜଣକୁ…
ତହିଁ ଆରଦିନ ଫ୍ଲାଇଟ୍ରେ ଆମେ ଭୁବନେଶ୍ଵରକୁ ଆସିଲୁ । ସେଠାରେ ମଧ୍ୟ ବିରାଟ ଜନତା ପୁଷ୍ପଗୁଚ୍ଛ ଧରି ଆମର ସ୍ଵାଗତ କଲେ । ସେଇଠି ଠିଆ ହୋଇଥିଲେ ସୁଶୋଭନ । ହାତରେ ଲାଲ୍ ଗୋଲାପର ଗୁଚ୍ଛ, ଆଃ, ଉତ୍ତପ୍ତ ମରୁଭୂମିରେ ଝରିଗଲା କି ସୁଶୀତଳ ବାରିପାତ । ମୋ ମନପ୍ରାଣ ପୂର୍ଣ୍ଣ ହୋଇଗଲା । ତାଙ୍କ ଦର୍ଶନରେ ମୋ ଜୀବନ ଧନ୍ୟ ହୋଇଗଲା । ମଉଳି ଯାଇଥିବା ମୋ ଓଠରେ ଫୁଟି ଉଠିଲା ମଧୁର, ମନମୁଗ୍ଧକର ହସ । ମୁଁ ଭିଡ଼ଠେଲି ତାଙ୍କ ପାଖକୁ ଆଗେଇ ଚାଲିଲି । ସେ ହସି ହସି ମୋ ହାତକୁ ଫୁଲତୋଡ଼ାଟି ବଢ଼ାଇଦେଇ କହିଲେ, ‘କଂଗ୍ରାଚୁଲେସନ୍’, ମୁଁ ତ ମହମ ପରି ତରଳି ବିଗଳିତ ହୋଇଯାଇଥିଲି । ଖୁବ୍ ଆନନ୍ଦରେ ତାଙ୍କ ହାତ ଚାପି ଧରିଲି । ମିଡ଼ିଆ ପରସନ୍ ଯେ ଫଟୋ ଉଠାଇ ନେଉଛନ୍ତି ସେକଥା ଖିଆଲ୍ ନ ଥିଲା । ଏତିକି ବେଳକୁ ସେ ମୋ ହାତ ମୁଠାରୁ ତାଙ୍କ ହାତ ଆସ୍ତେ ଖସାଇ ନେଇ କହିଲେ, ‘ ପରୀ, ମିଟ୍ ମାଇଁ ୱାଇଫ୍, ଲାବଣ୍ୟମୟୀ ।’ ଏଥର ମୋର ଆକାଶରୁ ଖସିପଡ଼ିବାର ପାଳି । ପାଦତଳେ ମୋର କ’ଣ ମାଟିଥିଲା ? ମୋତେ ସବୁ ଶୂନ୍ୟ, ଶୂନ୍ୟ, ମହାଶୂନ୍ୟ ଲାଗିଲା । ଭାଙ୍ଗିପଡ଼ିଲା ମୋ ମନର ପିରାମିଡ଼୍ ଟୁକୁରା ଟୁକୁରା କାଚହୋଇ, ତରଳି ଯାଉଥିଲା ମୋ ହୃଦୟର ତାଜମହଲ ଭସା ଭସା ବରଫ ହୋଇ । ମୋ ମୁହଁର ଅବସ୍ଥା କ’ଣ ଥିଲା । ମୋ ଆଖିରୁ ଲୁହ, କ୍ରୋଧ, ଈର୍ଷା କିଛି ବାହାରି ଆସୁଥିଲା କି ନା ମୁଁ ଜାଣେନା ମୁଁ ସେ ଗୋରୀ ପାତେଳି, ଡଉଲ ଡାଉଲ ଲାବଣ୍ୟମୟୀଟିକୁ ଦେଖିଲି କି ନା ଜାଣେନା, କ’ଣ ସବୁ ଯେମିତି ମୋ ଭିତରରେ ଓଲଟ ପାଲଟ ହୋଇଗଲା । ଏତିକି ବେଳେ କିଏ ମୋ ପିଠିରେ ଶାନ୍ତ ଶୀତଳ ହାତର ସ୍ପର୍ଶଦେଇ କହିଲା, “ମା ଅପ୍ସରୀ ଦେଖ ତ ଖୋଦ କ୍ରୀଡ଼ାମନ୍ତ୍ରୀ ତୋତେ ସ୍ଵାଗତ କରିବା ପାଇଁ ପରା ଠିଆ ହୋଇଛନ୍ତି । ‘ଆ, ଇଆଡ଼େ ଆ । ସେ ଥିଲେ ମୋ ପ୍ରିୟ ଜନନୀ, ମୋ ଅତି ଆଦରର ବୋଉ । ମୁଁ ବୋଉ କହି ତା ଛାତିରେ ଲୋଟି ପଡ଼ିଲି । ସେ ମୋତେ କୁଣ୍ଢାଇ ଧରି ଚୁପ୍ ଚୁପ୍ କହିଲା, ଧୈର୍ଯ୍ୟ ଧର ଏବଂ ପରମୁହୂର୍ତ୍ତରେ ମୋ ଆଖିର ଲୋତକ ପୋଛି ଦେଇ ମୋତେ କ୍ରୀଡ଼ାମନ୍ତ୍ରୀଙ୍କ ନିକଟକୁ ଟାଣିନେଲା ।
ଘରକୁ ଆସିଲା ପରେ ମୋତେ ଅନ୍ନ, ଜଳ ସବୁ ପିତା ଲାଗିଲା । ସୁଶୋଭନଙ୍କର ଏ ପ୍ରତାରଣାରେ ମୁଁ ମ୍ରିୟମାଣ ହୋଇପଡ଼ିଲି । ମୋର ଅନେକ ଶୁଭେଚ୍ଛୁଙ୍କ ପାଖରୁ ଫୋନ୍, ଚିଠି ଓ ଶୁଭେଚ୍ଛା କାର୍ଡ଼ମାନ ଆସୁଥିଲା ଓ ତା’ର ଯଥାଯଥ ଉତ୍ତର ଦେଉଥିଲା ମୋ ବୋଉ । ମୋ ରୁମ୍ରେ ମୁଁ ଅନେକ ସମୟ ପର୍ଯ୍ୟନ୍ତ କବାଟ କିଳି ରହିଲି ଓ ଖୁବ୍ କାନ୍ଦିଲି । ସୁଶୋଭନ ମୋତେ ଦେଇଥିବା ସମସ୍ତ ଚିଠିକୁ କାଢ଼ି ଟିକି ଟିକି କରି ଚିରିଦେଲି । ତାଙ୍କ ସହିତ ମୋର ଯେତେ ଫଟୋଥିଲା ସବୁ ମୋ ଆଖି ଲୁହରେ ବତୁରିଗଲା । ସବୁ ଗୁଡ଼ାକୁ ଲୋଚାକୋଚା କରି ଫୋପାଡ଼ି ଦେଲି । ଅର୍ଦ୍ଧ ପାଗଳୀ ପରି ମୋ ଅବସ୍ଥା । ଏତିକି ବେଳେ ମୋ ବୋଉ କବାଟ ଖଡ଼, ଖଡ଼ କଲା । ଖୁବ୍ ଅନୁନୟ, ବିନୟ କରି ଡାକିଲା । ଶେଷକୁ ଭୋ… ଭୋ… ହୋଇ କାନ୍ଦି ପକାଇଲା । ମୋ ପ୍ରାଣପ୍ରିୟା ଜନନୀଙ୍କ କଷ୍ଟ ମୁଁ କେବେହେଲେ ସହ୍ୟ କରିପାରେନି । ତାଙ୍କ କାନ୍ଦ ଦେଖି ମୁଁ ନିଜ ଦୁଃଖ ଭୁଲି କବାଟ ଖୋଲିଦେଲି । ବୋଉ ମୋତେ ବକ୍ଷଲଗ୍ନା କରି ମୋ ମୁଣ୍ଡରେ ଓ ପିଠିରେ ସସ୍ନେହ ହାତ ବୁଲାଇ ଆଣିଲା । ମୁଁ ପୁଣି ଲୁହ ଓ କୋହରେ ଫାଟି ପଡ଼ିଲି । ବୋଉ ମୋତେ ବୁଝାଇବାକୁ ଲାଗିଲା । ‘ମା’ରେ ଭଲପାଇବା ବାହାହେବା, ସନ୍ତାନ ଜନ୍ମ କରିବା ଏତ ଅତି ସାଧାରଣ କଥା । ଏହାତ ସମସ୍ତେ କରୁଛନ୍ତି । ତୁ ଯେ ଅସାଧାରଣ । ଏସବୁ ଜାଗତିକ ସୁଖ ପାଇଁ ବିକଳ ହେବା ତୋତେ କ’ଣ ଶୋଭାପାଏ ? ତୁ ଯେ ଆଜି ଜାତୀୟ ସମ୍ପତ୍ତିର । ପ୍ରତିଟି ଖବର କାଗଜରେ ତୋ ପ୍ରଶଂସା, ତୋ ଫଟୋ । ତୋ ପାଇଁ ଦେଶବାସୀ ଗର୍ବୀତ । ସେମାନେ ତୋ ଠାରୁ ଆହୁରି କିଛି ଚାହୁଁଛନ୍ତି । ଅଲମ୍ପିକ୍ ରେ ସ୍ଵର୍ଣ୍ଣପଦକ ଚାହୁଁଛନ୍ତି ।
ତୋତେ ସେମାନଙ୍କ ଆଶା ଓ ଭରସାକୁ ସମ୍ମାନ ଦେବାକୁ ପଡ଼ିବ । ତୋତେ ଆଗକୁ ବଢ଼ିବାକୁ ହେବ । ତୁ ହେବୁ ଦେଶର ହଜାର, ହଜାର ଖେଳାଳୀଙ୍କର ଆଦର୍ଶ, ପ୍ରେରଣା । ଆଉ ତୁ ଏ ସାମାନ୍ୟ କଥାରେ ଭାଙ୍ଗିପଡ଼ିଲେ କେମିତି ହେବ ? ସାଧାରଣ ଶଗଡ଼ଗୁଳାର ବାଟ ତୋ ପାଇଁ ନୁହେଁ, ତୋ ପାଇଁ ଯେ ନୂଆ ରାସ୍ତା ସେ ରାସ୍ତାରେ ତୁ ଆଗେଇ ଯାଇ ନୂଆ ଖେଳାଳୀମାନଙ୍କୁ ରାସ୍ତା ଦେଖାଇବୁ । ତୁ ଆଉ ପଥ ହୁଡ଼ିଲେ ହେବ କି ? ଦେଖ ମା, ଏଇ ଘଣ୍ଟାଏ ପରେ ଇ.ଟି.ଭି. ବାଲା ତୋ ସାକ୍ଷାତ୍କାର ନେବା ପାଇଁ ଆସିବେ । ମୁଁ
ଆଶା ଓ ବିଶ୍ଵାସ କରୁଛି ତୁ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବୁ । ଏଥର ମୋ ବୋଉ ମୋ ପାଇଁ ଆଣିଥିବା ଖାଦ୍ୟ ଓ ଫଳରସ ଥୋଇଦେଇ ଚାଲିଗଲେ ।
ଘଣ୍ଟାଏ ପରେ ଇ.ଟି.ଭି.ର କ୍ୟାମେରା ଆଗରେ ହସହସ ମୁହଁରେ ଠିଆହୋଇଥିବା ମୋତେ ଦେଖି ମୋ ବୋଉ ଓ ବାବାଙ୍କ ଓଠରେ ଫୁଟି ଉଠିଲା ସ୍ନିଗ୍ଧ ମଧୁର ଓ ସାର୍ଥକ ହସ । ଏବେ ମୋ ଦେଶବାସୀ, ମୋ ବାବା, ମୋ ବୋଉ ଏବଂ ମୋର ଗୋଟିଏ ଲକ୍ଷ୍ୟ ଆଉ ଆଉ ତା’ ହେଲା ଆଗାମୀ ଅଲମ୍ପିକ୍ ଖେଳରେ ଗୋଲ୍ଡ଼ ମେଡ଼ାଲ ।