କବିତା

ସେଇ ମଣିଷ

Brundabana Das's odia poem Sei Manisha

ଦୁନିଆକୁ ବୁଝିବା ଦିନଠୁଁ
ଧାଁ ଦୌଡର ପ୍ରତିଟି ଚରିତ୍ର ସଙ୍ଗେ
ମିଳାମିଶା ଦବାନବା ଟଣା ଓଟରାରୁ
ପ୍ରାପ୍ତି ଅପ୍ରାପ୍ତର ହିସାବ ନିକାଶ ଖାଲି
ରକ୍ତ କ୍ଷରଣ ଛଡ଼ା ଆଉ କ’ଣ ହୋଇପାରେ ?

ବେଳେ ବେଳେ ଏକ ବୃହତ୍ ‌ ଝଡ଼ର ଆଶଙ୍କାରେ
ବର୍ତ୍ତମାନ ହୁଏ ଆନ୍ଦୋଳିତ ବ୍ୟସ୍ତ ବିବ୍ରତ
ପ୍ରିୟ ଗୋଟେ କିଛି ହରେଇବାର ଅନୁଶୋଚନା
କଳାଛାଇ ହୋଇ
ଆବୋରି ବସେ ସାରା ସତ୍ତା ସମୁଦାୟ
ହଠାତ୍‌ ଚତୁଃପାର୍ଶ୍ୱସ୍ଥ ବାଟ ସବୁ ରୁନ୍ଧିଦିଏ କିଏ
ଏଇ ଅବୁଝା ଭାବନାରେ ଦିନ ସରେନା
ଅପ୍ରମିତ ସଂଶୟ ଘେରରେ ।

ଲେଖାଯୋଖା ସମ୍ପର୍କର ସୁଖ
କେବେ କେମିତି ବାଟ ଭାଙ୍ଗି ଆସେ
ମୁହଁ ଫେରେଇ ଦାଣ୍ଡ ଦୁଆରୁ ଚାଲିଗଲା ପରେ
ପୁଣି ସେଇ ସ୍ଥିତାବସ୍ଥାର ପୁରାତନ ଦୁଃଖ
କାଳେକାଳେ ଯିଏ ପରିଚିତ ବନ୍ଧୁ
ଲହୁଲୁହ ଝାଳ ସଙ୍ଗେ ମିତ ବସେ
ନଛୋରବନ୍ଧା ଦୂରାବସ୍ଥା ଦୁର୍ଭାବନାର
ଶୀତଳ ଆଲିଙ୍ଗନରେ
ହଲଚଲ୍‌ହୁଏ ନାହିଁ ସ୍ଥବିର ସମୟ ।

ଦୁନିଆକୁ ବୁଝିବା ଦିନଠୁଁ
ଧାଁ ଦୌଡର ପ୍ରତିଟି ଚରିତ୍ର ସଙ୍ଗେ
ମିଳାମିଶା ଦବାନବା ଟଣା ଓଟରାରୁ
ପ୍ରାପ୍ତି ଅପ୍ରାପ୍ତର ହିସାବ ନିକାଶ ଖାଲି
ରକ୍ତ କ୍ଷରଣ ଛଡ଼ା ଆଉ କ’ଣ ହୋଇପାରେ ?

ନିଜକୁ ହତ୍ୟା କରି ପଳପଳ ବାଣ୍ଟି ଦେବାର
ବହୁମୂଲ୍ୟ ଅନୁଭବ ଆତ୍ମତୃପ୍ତି ହିଁ
କୋଣଠେସା କରି ରଖେ
ନିଜର ଅପ୍ରକାଶିତ ମହାନୁଭବତା;
ଆଉ କା’ର ସହଜ ବିସ୍ମରଣତା ତା’କୁ
ଘୋଡ଼େଇ ଦେବାକୁ ପଛାଏ ନାହିଁ
ବେଖିଆଲ ମନୋବୃତ୍ତିରେ ।

ସବୁ ଠିକ୍‌ ଠାକ୍‌ ଥାଏ କାହାରି ନା କାହାରି
ଏମିତି ସମର୍ପିତ ଉଚ୍ଛୁଳା ବଦାନ୍ୟତାରେ
ଯଦି କେବେ ଟିକେ ଆଡବାଙ୍କ
ପରିସ୍ଥିତି ବାଧ୍ୟବାଧ୍ୟକତାରେ ଟିକେ ବ୍ୟତିକ୍ରମ
ସବୁଦିନେ ନେଉଥିବା ହାତ
ପଛକଥା ଭୁଲି ଛିଡ଼ା କରିଦେବ
ଚଳ ଚଞ୍ଚଳ କୋଳାହଳ ଭିତରୁ
ନିରବ ଝଡ଼ର ପ୍ରଚ୍ଛନ୍ନ କଳାଛାଇ ।

ଅପହଞ୍ଚ ଉଚ୍ଚତାର ସେଇ ମଣିଷ
ଯିଏ ଖାଲି ଦେଇପାରେ
ଭିଜୁଥିବ ଭିଜୁଥିବ ଅବ୍ୟକ୍ତ ବେଦନାରେ ଏମିତି ଯେ
କହି ପାରୁନଥିବ ନିଜକଥା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top