ଯେବେଠାରୁ ଅନିଲ୍ ଜାଣିପାରିଲାଣି କି ତା ଅଂଶ ଏ ଦୁନିଆକୁ ଆସିବାକୁ ଦିନ ଗଣୁଛି , ତା ମନରେ ଚଞ୍ଚଳତା, ଆଗ୍ରହ ବଢ଼ିଯାଇଥିଲା ହେଲେ ତା ଦ୍ୱାରା ପ୍ରତ୍ୟେକ୍ଷରେ ହୋଇଥିବା ନୂତନ ସୃଷ୍ଟି ପାଇଁ ନୁହେଁ ବରଂ ସନ୍ତକର ପରିଚୟ ମାନେ ଲିଙ୍ଗଗତ ସମସ୍ୟାକୁ ନେଇ ଅର୍ଥାତ୍ ତାର ଅଂଶ କନ୍ୟା ହେଉ ବୋଲି ସେ ଆଦୌ ଚାହୁଁ ନ ଥିଲା । ନିଶ୍ଚୟ ଏହା ଆଇନି ବିପକ୍ଷ ହୋଇଥିଲେ ମଧ୍ୟ କେତେକ ଅର୍ଥପିପାସୁଙ୍କ ସାହାଯ୍ୟରେ ସେ ଜାଣି ପାରିଥିଲା କି ତା ଔରସ ଆଉ ଅଳକା ଗର୍ଭରେ ବଢ଼ୁଥିବା ଜୀବନଟା ଗୋଟେ କନ୍ୟା ଭ୍ରୁଣର । ସେବେଠୁ ତା ବ୍ୟବହାରରେ ରୁକ୍ଷତା ଫୁଟି ଉଠିବାର ଆଭାସ ପଇସାରିଥିଲା ଅଳକା ତଥାପି ନାରୀ ସୁଲଭ ଗୁଣ ଓ ପତିବ୍ରତା ଧର୍ମ ସହ ନିଜ ମାତୃତ୍ୱକୁ ବଞ୍ଚାଇ ରଖିବାର ଉଦ୍ୟମରେ କୌଣସି ପ୍ରକାରେ ଗୋଟେ ମୁହୁର୍ତ୍ତ ପାଇଁ ବି ଥକି ପଡିନି ଅଳକା । ପରିସ୍ଥିତି ସହ ଶୀତଳଯୁଦ୍ଧ କରି ସେ ଅନ୍ତିମ ପର୍ଯ୍ୟାୟରେ ପହଁଚି ସାରିଥିଲା ପ୍ରାୟ । କିନ୍ତୁ ସେ ଜାଣି ନ ଥିଲା କି ଏନ୍ତୁଡ଼ିଶାଳରେ ହିଁ ଘାତକର ସହାୟକ କୁଚକ୍ରି ପୁତନା ତା ସନ୍ତାନର ପ୍ରାଣ ଶୋଷିବା ଅପେକ୍ଷାରେ ଚାହିଁ ବସିଛି । ପରନ୍ତୁ ବିଧିର ବିଧାନ ଥିଲା ଅନ୍ୟ ପ୍ରକାରର । ଅଳକାର ପ୍ରସବ ଜନିତ ସଂଜ୍ଞାହୀନତାର ସୁଯୋଗରେ ପିଶାଚିନିର ପଞ୍ଝା ନବଜାତକୁ ଝାମ୍ପି ନେବା ସମୟରେ ହଠାତ୍ ଖୋଲିଯାଇଥିଲା ବନ୍ଦୀଗୃହ ଦ୍ୱାର । ଭାଗ୍ୟବଶତଃ ସେଠାରେ ପହଁଚିଯାଇଥିଲେ ଡାକ୍ତର ନର୍ସଙ୍କ ସହିତ ପରିବାରବର୍ଗ ଓ କାବୁ କରିନେଇଥିଲେ ଷଡ଼ତନ୍ତ୍ରକାରୀ ଓ ସମ୍ପୃକ୍ତ ସହାୟିକାକୁ । ନବଜାତ ଶିଶୁକନ୍ୟାଟିର କୁଆଁ କୁଆଁ ରଡ଼ିରେ କମ୍ପି ଉଠୁଥିଲା ଏନ୍ତୁଡ଼ିଶାଳ, ଆଉ କମ୍ପୁଥିଲା ଅସୁରର ଛାତି ।
ଏଇ ତ ଯୁଗ ଯୁଗର କାହାଣୀ ଦୁର୍ବଳ ଉପରେ ଶବଳର ଅତ୍ୟାଚାର ଚାଲି ଆସୁଥିଲା ଆଉ ଚାଲୁଛି ବି ଚିରାଚରିତ ବିଧିରେ ।
ତଫାତ୍ କେବଳ ଏତିକି କି ସେଦିନ ଦେବକୀର ଆଖି ସାମ୍ନାରେ ନବଜାତକୁ କଚାଡି ମାରିବାର ପ୍ରୟାସ ଥିଲା କଂସର ଆଉ ଆଜି ସମାନ ଆଚରଣରେ ଥିଲେ ସ୍ୱୟଂ ବସୁଦେବ, ସେଦିନର ଯୁଦ୍ଧ ଥିଲା ସୃଷ୍ଟିରେ ଧର୍ମର ବିଜୟ ପାଇଁ ଆଉ ଆଜିର ଲଢେଇ ସୃଷ୍ଟି ସମ୍ଭବତାକୁ ନେଇ ।