କହିଥିଲେ କେହି ଜଣେ
ସଂଜ୍ଞା, ଧର୍ମ ଯୁଦ୍ଧର
“ଯାହା ର ଅଛି ସର୍ବୋତ୍ତମ କାଳ୍ପନିକ ସାଙ୍ଗ,” ବୋଧେ
ଏ ନେଇ ଝଗଡା ପ୍ରାପ୍ତ ବୟସ୍କଙ୍କ ମଧ୍ୟେ ।
କେହି କେବେ ଖୋଜିଛନ୍ତି ପ୍ରକୃତ ଶାନ୍ତି?
ଯାହା ମିଳି ଯାଏ ସହଜରେ-
କେବଳ ଆପଣେଇ ନେଲେ ମାନବିକତାକୁ ।
ଦୂରେଇ ଦେଇ ଧର୍ମର ନିକଟ-ଦୃଷ୍ଟି ଦୋଷକୁ ।
ସଂକୀର୍ଣ୍ଣତା ନୁହେଁ, ବିଶାଳତା
ଘୃଣା ନୁହେଁ, ପ୍ରେମ
ସବୁ ଧର୍ମର ମୂଳ ମନ୍ତ୍ର ଯେଉଁଠି
ଅଧ୍ୟାତ୍ମିକତାକୁ ଉତ୍ତରଣ ହୁଏ ଧର୍ମ ର ସେଠି ।
ଜୀବନ ର ପରିଚୟ ନ ଥାଏ ସୀମିତ,
ଲିଙ୍ଗ, ଭାଷା, ଜାତୀୟତା, ନା
ସାମାଜିକ ପ୍ରତିପତ୍ତିର ତୁଳନା ।
ମାତ୍ର, ଉଚ୍ଚ କରି ନେଲେ ନିଜର ଚେତନା ।
କରି ନେଲେ ନିଜର, କ୍ଷମା ଓ କରୁଣା
ଘଟନ୍ତା ନି ଧର୍ମ ନାମେ ବିଭୀଷିକା ଯୁଦ୍ଧର
ଆଉ ଏତେ ସବୁ ଅମାନବୀୟ ଘଟଣା ।
“ସେବା ହିଁ ଧର୍ମ, ଆଉ ପ୍ରେମ ହିଁ ପ୍ରାର୍ଥନା !”