ଆଳୁ ପରଟା, କୋବି ପରଟା , ଛେନା ପରଟା , ମସଲା ପରଟା ; ପଞ୍ଜାବୀ ଢାବାରେ ମିଳୁଥିବା ଏଭଳି ଅନେକ ପରଟା ଠାରୁ , ଜଗନ୍ନାଥ ପରଟା ର କଥା ଟି ନିଆରା ।
ସେହିଦିନଟି ସବୁଦିନ ଭଳି ଆଉ ଗୋଟିଏ ସାଧାରଣ ଦିନଥିଲା । ମିତ୍ରଭାନୁ ନିଜ କାର୍ଯ୍ୟାଳୟ କୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲା । ସେ, ଆଉ ତାହାର ସହକର୍ମୀ ରିପ୍ପଲ୍, ଦୁଇଜଣ ମିଶି ଏକ ଅଫିସ୍କୁ ଏକ ସଙ୍ଗରେ ଯାଆନ୍ତି । ରିପ୍ପଲ୍, ଗଣେଶ ଘାଟ ସ୍ଥିତ ନିଜ ଘରୁ ବାହାରିଲା ବେଳେ କଲ୍ଟିଏ କରେ , ଆଉ ଦୁଇଜଣ ଖାନ୍ନଗରରୁ ମିଶି, ଏକା ସାଙ୍ଗରେ ଭୁବନେଶ୍ୱର ଯାଆନ୍ତି ।
ସେଦିନ , ଘଣ୍ଟାରେ ସକାଳ ୯:୩୦ ବାଜିସାରିଥିଲା। ହେଲେ ମଧ୍ୟ , ରିପ୍ପଲ୍ର କଲ୍ ଆସିନଥାଏ । “ ବାହାରିବା ସମୟରୁ ଅଧଘଣ୍ଟା ଡେରି ହୋଇସାରିଲାଣି । ରିପ୍ପଲ୍ର ଏତେ ବିଳମ୍ବ କେବେ ତ ହୁଏନାହିଁ , ବାହାରୁଥିବ ବୋଧ ହୁଏ ।”- ଏଭଳି ମନେ ମନେ ଚିନ୍ତା କରି ,ମିତ୍ରଭାନୁ ରିପ୍ପଲ୍ର କଲ୍କୁ ଅପେକ୍ଷା କରି ରହିଥାଏ । ପାଖା ପାଖି ୯:୩୫ ସମୟରେ ମିତ୍ରଭାନୁର ମୋବାଇଲ୍ ଫୋନ୍ ବାଜି ଉଠିଲା । ହଁ , ରିପ୍ପଲ୍ ହିଁ କଲ୍ କରିଥିଲା । ମିତ୍ରଭାନୁ କଲ୍ ଉଠାଇଲା, ମାତ୍ର ଲୋକ କୋଳାହଳ ଭିତରେ , ତାକୁ କିଛି ଶୁଭୁନଥାଏ । “ କିରେ, କୋଉଠି ଅଛୁ ? ପଛରେ ଏତେ ଶବ୍ଦ କଅଣ ? ” – ମିତ୍ରଭାନୁ ପ୍ରଶ୍ନ କଲା । “ତୁ ଶୀଘ୍ର ତୋ ଗାଡି ଧରି ଗଣେଶଘାଟ ଆସ। ଏତେ ଲୋକ ଏଠି, ମୁଁ ଏଠୁ ବିଗତ ୨୦ ମିନିଟ୍ ଧରି ଚେଷ୍ଟା କରି ମଧ୍ୟ ବାହାରିପାରୁନି । ଶୀଘ୍ର ଆସ । ମୁଁ ଚେଷ୍ଟା କରି ନଦୀବନ୍ଧରେ ପହଞ୍ଚୁଛି।” – ମିତ୍ରାଭାନୁ ଆଉ କିଛି ପଚାରିବ ପୂର୍ବରୁ ଏତିକି କହି ରିପ୍ପଲ୍ ଫୋନ୍ ରଖିଦେଲା । ବ୍ୟସ୍ତରେ ଥିଲା ରିପ୍ପଲ୍ ।
ମିତ୍ରଭାନୁ ସେହି ମୁହୂର୍ତ୍ତରେ , ଗାଡି ଚାବି ଧରି ବାହାରି ପଡିଲା । ବାଟରେ ଗାଡି ଚଲାଇଲାବେଳେ , ଆଶଙ୍କା ଆସୁଥାଏ , ରିପ୍ପଲ୍ କିଛି ଅସୁବିଧାରେ ନାହିଁ ତ ? – ପହଞ୍ଚି ଦେଖେ ତ , ସେଠାରେ ଅସଂଖ୍ୟ ଗାଡି, ଆଉ ଏକ ବିଶାଳ ଲୋକାରଣ୍ୟ । ରିପ୍ପଲ୍ର ଘରଠାରୁ ୨୦୦ମିଟର୍ ଦୂରରୁ ଆରମ୍ଭ କରି ସମସ୍ତେ ଠେଲା ପେଲା ହେଉଛନ୍ତି । କାହା ହାତରେ ଫୁଲ , ତ ଆଉ କାହା ହାତରେ ତୁଳସୀ ମାଳ ଓ ଧୂପକାଠି । ମିତ୍ରଭାନୁ ଭାବିଲା, “ ରିପ୍ପଲ୍ ଘରେ କେହି ଇହଲୀଳା ସମ୍ବରଣ କରିନାହାନ୍ତି ତ ? କାହିଁ , ରିପ୍ପଲ୍ର କଥାବାର୍ତ୍ତାରୁ ତ ସେମିତି କଛି ଜଣା ପଡୁନଥିଲା।” – ମିତ୍ରଭାନୁ ତା ଗାଡି କୁ ରାସ୍ତାକଡରେ ପାର୍କ କରି , ରିପ୍ପଲ୍ର ଘର ଆଡକୁ ଚାଲିବାରେ ଲାଗିଲା ।
“ କେଡେ ଅଭଦ୍ର ଲୋକଟା ତୁମେ? ଗାଡିଟାକୁ ଆମ ଘର ରାସ୍ତା ଉପରେ ରଖି କୁଆଡେ ପଳେଇଥିଲ? ମଣିଷର କାମ ଦାମ ଅଛି କି ନାହିଁ । ଅଧଘଣ୍ଟା ହେଲା ଠିଆହୋଇଛି ମୁଁ ।”- ରିପ୍ପଲ୍ର ଗଳି ମୁଣ୍ଡରେ ଜଣେ ବ୍ୟକ୍ତି ଆଉ ଜଣଙ୍କୁ ଏପରି ଗାଳିଦେଉଥାଆନ୍ତି । ଭିଡରେ ଡେରି ହୋଇଯାଇଥିବ ବୋଧେ । ମିତ୍ରଭାନୁ ଆଗକୁ ଚାଲିବରେ ଲଗିଲା । କିନ୍ତୁ , ଏ କଣ ? ହଠାତ୍ ଲୋକେ ଧସ୍ତା ଧସ୍ତି ଆରମ୍ଭ କରିଦେଲେ । ରିପ୍ପଲ ଘରର ସଂକୀର୍ଣ୍ଣ ଗଳି ଭିତରକୁ ଯିବାପାଇଁ ସମସ୍ତେ ବ୍ୟଗ୍ର । ସେପଟେ “ ହରି ବୋଲ” , ଘଣ୍ଟ ସହ ହୁଳହୁଳି ମଧ୍ୟ ଶୁଭୁଥାଏ । ଭିଡ ଭିତରୁ , ଜଣେ ମହିଳା ଛାଟି ପିଟି ହୋଇ ବାହାରି ଆସିଲେ, ଜାଲରୁ ଖସି ଆସିଥିବା ମାଛ ପରି। ସାଣ୍ଡଲ୍ର ଫିତା ଛିଣ୍ଡି ଯାଇଥାଏ । ପାଦ ଦଳି ହୋଇ , ରାଞ୍ଚୁଡି ହୋଇଯାଇଥାଏ ଓ ଅଳ୍ପ ରକ୍ତ ବାହାରୁଥାଏ । ଫିତା ସଜାଡୁ ସଜାଡୁ କହିଲେ “ମରଣ ହେଉନି ଏମାନଙ୍କର! ମଣିଷ ଭଳିଆ ହଉଛନ୍ତି ?“ – ତାଙ୍କ ପଛେ ପଛେ ଆଉ ଜଣେ ଯୁବକ ବାହାରି ଆସି କହିଲା , “ନାନି ! ତୁ ଆ ! ବାହାରକୁ କାହିଁ ପଳେଇ ଆସିଲୁ ? ସାହି ଲୋକ ଆଗ ଦେଖିବେ, ନା ଭଡାଟିଆ, ଛତର ଖିଆ । ତୁ ମୋ ସାଙ୍ଗରେ ଆ ! ଦେଖିବା କିଏ ତୋତେ ପେଲି ଦେଉଛି । ଗୋଟା ଗୋଟା କୁ ଏଇଠି ହାଣି ଦେବି ।”
ମିତ୍ରଭାନୁ ଏପର୍ଯ୍ୟନ୍ତ କିଛି ବୁଝିପାରୁନଥାଏ । କିନ୍ତୁ , ଅଜଣା ଭିଡ ମଝିରୁ , ଚିହ୍ନାମୁହଁଟିଏ ବାହାରି ଆସିଲା । ଆରେ, ରିପ୍ପଲ୍ ବୋଧେ ? ହଁ ରିପ୍ପଲ୍ ହିଁ ଥିଲା । କିନ୍ତୁ, ସେ ମଧ୍ୟ ଝାଳ ନାଳରେ ସର ସର । ଲାଗୁଥାଏ ଯେପରି କେଉଁଠି କାଠ ହାଣି ବାହାରୁଛି । ମିତ୍ରଭାନୁ ପଚାରିଲା “କିରେ କଅଣ ଏ ସବୁ?” ରିପ୍ପଲ୍ କହିଲା, “ଭଲ ହେଲା , ତୁ ନଦୀବନ୍ଧ କୁ ନ ଯାଇ ସିଧା ଘର ପଟକୁ ଆସିଲୁ । ଭାବୁଥିଲୁ ତୋତେ ଭିଡରୁ ବାହାରିଯଇ କଲ୍ କରିବି । ଭାବୁଥିବୁ , ଏସବୁ କଅଣ ? ତୁ, ଗାଡି ପାଖକୁ ଚାଲ୍, ମୁଁ କହୁଛି।”
ଦୁଇଜଣ ଏକ ସଙ୍ଗରେ ମୋ ଗାଡି ଆଡକୁ ଚାଲିବା ଆରମ୍ଭ କଲୁ। ଟିକିଏ ଦମ୍ ନେଇ ରିପ୍ପଲ୍ କହିଲା , “ଆଜି ସକାଳେ, ଆମ ଖୁଡି ଆମ ସମସ୍ତଙ୍କ ପାଇଁ ପରଟା ସେକୁଥିଲେ ,ଗୋଟିଏ ପରଟାରେ ଜଗନ୍ନାଥଙ୍କ ମୁହଁ ଭଳି ଚିତ୍ରଟିଏ ବାହାରିଗଲା । ପରଟାର ଯେଉଁ ଜାଗା ଗୁଡିକ ପୋଡିଯାଏ ସେଥିରେ । ବାସ୍ , ତାପରେ ତ ଏସବୁ ଯାତ୍ରା ଆରମ୍ଭ । ପରଟା ସେକା ସେଠି ବନ୍ଦ, ସକାଳ ଖାଇବା ବନ୍ଦ । ସାହି ପଡିଶା ଆସିଲେ । ଏପଟେ ଖୁଡିଙ୍କ ବରାଦ, ଫୁଲ ଆଣ, ଚନ୍ଦନ ଆଣ । ଭାଇ, ଅଧଘଣ୍ଟା ଭିତରେ ରଥଯାତ୍ରା ।” – “ ସତେ ନା କଅଣ ?” – ମିତ୍ରଭାନୁ ପଚାରିଲା । “ ହେଇ ଦେଖୁନୁ ! ମୋବାଇଲ୍ରେ ଫଟ ରଖିଛି ।” କହି, ରିପ୍ପଲ୍ ମୋବାଇଲ୍ ଟି କାଢି ଦେଖାଇଲା ।
ମିତ୍ରଭାନୁ ମୋବାଇଲ୍ ଫଟଟିରେ ଦେଖିଲା ; ଠାକୁର ଘରେ କାଠ ପିଢା , ଓ ତା ଉପରେ ଗୋଟିଏ ତିନି କୋଣିଆ ପରଟା , ପରଟା କଡରେ ତୁଳସୀ ମାଳ , ପରଟା ଉପରେ ଫୁଲ , ଜଗନ୍ନାଥଙ୍କ ଟାହିଆ ପରି ସଜା ହୋଇଥାଏ । ପରଟାରେ ଜଗନ୍ନାଥଙ୍କ ଓଠପରି ଗୋଟିଏ ଗାର ଓ ତାଙ୍କ ଆଖିପରି ଦୁଇଟି ବୃତ୍ତ । ଅନ୍ୟ ପାଖରେ ଭୋଗ, ନୈବେଦ୍ୟ, ଦୀପ , ଧୁପ । ଫିକ୍କରି ହସିଦେଲା ସିଏ । ରିପ୍ପଲ୍ ପଚାରିଲା , “କଅଣ ହେଲା, ହସିଲୁ ଯେ ? ତୁ ଜଗନ୍ନାଥଙ୍କ ଉପରେ ବିଶ୍ୱାସ କରୁନୁ?” – ମିତ୍ରଭାନୁ ଉତ୍ତର ଦେଲା , “ଜଗନ୍ନାଥଙ୍କ ଉପରେ ବିଶ୍ୱାସ କରେ ସାଙ୍ଗ । ସେ ତ, ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରକଟିତ ହୁଅନ୍ତି । ପରଟାରେ ତାଙ୍କ ମୁହଁ ନ ଆସିଥିଲେ ମଧ୍ୟ ଖାଦ୍ୟରେ ରେ ସେ ବ୍ରହ୍ମ ଭାବରେ ଅଛନ୍ତି, ଓ ପ୍ରାଣ ସଞ୍ଚାର କରୁଛନ୍ତି । ମୋତେ ହସ ମାଡିଲା , ମଣିଷ ହାଣିବାକୁ ପ୍ରସ୍ତୁତ ହୋଇଯାଇଥିବା, ଧସ୍ତା ଧସ୍ତି ହେଉଥିବା , ଭକ୍ତ ବୋଲାଉଥିବା ଲୋକ ମାନଙ୍କ ଉପରେ । ଯିଏ ନିଜ କଡରେ ଥିବା ମଣିଷଟିରେ ନାଥଙ୍କୁ ନ ଦେଖିପାରିଲା, ସେ ଜଗନ୍ନାଥଙ୍କୁ କିପରି ଦର୍ଶନ କରିବ ? ହେବନି, ଏଥିନେଇ ମୁଁ ନିଶ୍ଚିତ । ହଉ, ଏବେ ଅଫିସ୍କୁ କଲ୍ କରି ସାର୍ଙ୍କୁ ବିଳମ୍ବର କାରଣ ଜଣାଇ ଦେ , ବାହାରିବା ।”
ଅଳ୍ପ ସମୟ ମଧ୍ୟରେ ଆମ ଗାଡି ରିଂରୋଡ୍ ରେ ଭୁବନେଶ୍ୱର ଆଡକୁ ଗଡିବାରେ ଲାଗିଲା । ମିତ୍ରଭାନୁ ପଚାରିଲା, “ ରିପ୍ପଲ୍ ! କୋଉଠି ଖାଇବାପାଇଁ , ରାସ୍ତାରେ ଅଟକିବା?”