କବିତା

ଏତିକି ଅନ୍ଧାର ବି ଯଥେଷ୍ଟ!!

Dr Mousumi Parida's odia poem Etiki Andhaara Bi Jatheshta

ସେଇଠି ଥିବି ମୁଁ , କାଳକାଳ ଧରି,
ଅପରିବର୍ତ୍ତିତ, ଅନାହୁତ, ଅବିଚଳିତ, ହୋଇପାରେ ଅବାଞ୍ଛିତ ବି।

ଏତିକି ଅନ୍ଧାର ବି ଯଥେଷ୍ଟ!!

ସେଇଠି ଥିବି ମୁଁ , କାଳକାଳ ଧରି,
ଅପରିବର୍ତ୍ତିତ, ଅନାହୁତ, ଅବିଚଳିତ, ହୋଇପାରେ ଅବାଞ୍ଛିତ ବି।
ହଁ ସେଇଠି ..ଯୋଉଠି ଭେଟିଥିଲ ବହୁବର୍ଷ ପୂର୍ବେ। ସେତେବେଳେ ମଣିଷର ରକ୍ତ ଲାଲ୍ ଥିଲା
ସେ ହସିଲେ ଫୁଲ ବାସୁଥିଲା, ସମୟ ଝୁଂଟୁଥିଲା
ଆଜିକାଲି ବାରୁଦର ଗନ୍ଧ ତା କଥାରେ ହସରେ
ସେ ରଚୁଥିବା ପ୍ରତିଟି ବ୍ୟୁହରେ !

ଦେଖିଚି ଏ ମ୍ଳାନ ଆଖି ଭାଙ୍ଗିକି ଯୋଡିବାର, ମରିକି ଜୀଇଁବାର ପୁଣି କଙ୍କାଳ ହୋଇ ନାଚିବାର.. !
ଜାଣିଚି କେତେଜଣ ଆଗେଇଗଲେ ପାହାଡରେ ସୁଡ଼ଙ୍ଗ ଖୋଳି, ସୁଅ ଭାଙ୍ଗି, ନିଆଁରେ ପୋଡିହୋଇ , ବରଫ ପାଲଟି!!
ନା ମୁଁ ଯାଇପାରିନି ସେଯାଏଁ…
ଏଇଠି ତୋଳିନେଇଛି ଭିନ୍ନ ଏକ ତପୋଭୂମି !

ଧୂଳିରୁ ପଥର କି ଗଛ ହୋଇହୁଅନ୍ତା ଯଦି..
ନିର୍ବିବାଦରେ ଛିଡାହେବା ସହଜ ହୋଇଥାନ୍ତା
ତେବେ ଧୂଳିକଣା ହେବା କଷ୍ଟକର ନୁହେଁ ଏତେ
ସାହସ ଓ ସାମର୍ଥ୍ୟ ଥିଲେ ସିନା…!!

ପାଣି ପରି ତଳକୁ ନିଗିଡି କାୟା ବଦଳାଇବା
ନାଗୁଣୀ ପରି ବିଷଦାନ୍ତ ଗଳେଇ
ମୋହିନୀର ମାୟା ରଚି ମନ୍ତ୍ର ଫୁଙ୍କିବା ହୋଇପାରିଲାନି ମୋ ଦେହି !! ନା ହେଲାନି !!!

ଅନୁଭବିଛି ଧୂଳିମାନେ ପର୍ବତ ହେବା ଆଗରୁ ଉଡୁଥିଲେ ଆକାଶରେ..
ଫୁଲ ଓ ଭଅଁର ..ନିଆଁ ଓ ପାଣି, ଅନ୍ଧାର ଆଲୁଅ
ସମସ୍ତଙ୍କ ସହ ସନ୍ଧି କରି
ଗୁଡେ ସ୍ଥାବର ଅସ୍ଥାବର ସଂପତ୍ତିକୁ କବ୍ଜା ନେଇଥିଲେ !
ପବନକୁ ତାଲା ପକେଇ ସିନ୍ଧୁକ ଭିତରେ ରଖି
ଲେଖିଦେଇଥିଲେ “ଦୁଷ୍ଟ ପ୍ରେତାତ୍ମା” !!
ସେମାନଙ୍କ ପାଦ ଚିହ୍ନ ବଦଳି ଯାଉଥିଲା ଜୀବଜନ୍ତୁ,
ପଶୁପକ୍ଷୀ, କୀଟମାନଙ୍କ ପାଦଚିହ୍ନରେ..
ହଁ ସବୁ ମନେଅଛି !
ଭଲରେ ବୁଝିଛି ମୋତେ ପ୍ରେରଣା କହୁଥିବା ଲୋକଙ୍କ ଈର୍ଷାକୁ,
ଈର୍ଷା କରୁଥିବା ଗୁଡେ ଅସହିଷ୍ଣୁଙ୍କୁ..|
ମୁଁ ତ ମେଲି ଦେଇଚି ବୋଇତ ନୂଆ ଭୂଖଣ୍ଡର ଖୋଜ୍ ରେ, ସମୁଦ୍ର ମଝିରେ କେବେ ଅଗ୍ନି-ସ୍ନାନ ତ କେବେ ବରଫ-ସ୍ନାନ..!!
ଜୀବନ ସତରେ କେତେ ସମ୍ଭାବନାମୟ!

ହେଇ ଦେଖ, ସେମାନେ ପାରହୋଇଗଲେଣି କେତେ ଖୁଣ୍ଟ, କେତେ ନଦୀ ଓ କେତେ ଯୋଜନ ଦୂରତ୍ୱ..ବେହିସାବ ସବୁ !! ହିସାବ ବି କରନା।
ଏବେ ଛୋଟ ଟେକାଟେ ପରି ଦିଶୁଛନ୍ତି!
କେହି କେହି ଜମା ବି ଦିଶୁନାହାନ୍ତି
ବୋଧେ ସବୁଠୁ ଆଗରେ,
ନଜର ବି ଯୋଉଠି ହାରେ !!

ପାଣି ପରି କାୟା କି ଛାୟା ବଦଳାଇପାରୁନଥିବା
ନିଜ ସହ କିଛି ଚୁକ୍ତିର ଏରୁଣ୍ଡିବନ୍ଧକୁ ପାର୍ ହେବାର ସାମର୍ଥ୍ଯ ରଖିନଥିବା କିମ୍ବା ଭାବିନିଅ
କାହା ଆଖିରେ ଖୁ୍ଂଚି ହେଉନଥିବା ଧୂଳିକଣାକୁ
ପବନ ବି ଭୁଲିଯାଇଛି ଉଡେଇନେବାକୁ,
ପାଣି ବି ଛୁଇଁବାକୁ ମନାକରିଛି ..
ସୂର୍ଯ୍ୟଂକ ଉତ୍ତାପ କିନ୍ତୁ ଚେଷ୍ଟା କରି ଜାଳିପାରିନି!
କାହା ପାଦକୁ କ୍ଷତ ହେବନି ବୋଲି ସେଇଠି ସେମିତି ଜମିଯାଇଛି ବର୍ଷ ବର୍ଷ,ସାକ୍ଷୀ ହୋଇ କିଏ କେତେବେଳେ ଅତିକ୍ରମ କଲା କେତେ ଦୂର ଉଡିଲା..ଛିଣ୍ଡିଲା କି ନା କୋଉଠି
ଅଟକିଗଲା ସବୁ ହିସାବ ନେଇ..।

ସେମାନେ ଜୀଉଁଥାନ୍ତୁ ତାଂକ ଭାଗର ଅଢେଇଦିନିଆ ଜୀବନ
ଅନ୍ତତଃ ନିଜ ବିବେକ ସହ
ଆଖି ମିଶେଇ ପାରିବାର ସ୍ପର୍ଦ୍ଧା
ଆଇନାରେ ନିଜକୁ ଦେଖି ବିହ୍ୱଳିତ ହେଉଥିବା ମନର ସେ ବିଶୁଦ୍ଧ ମନ୍ତ୍ର ମାପୁଥାଉ ନିଜ ଭିତରର ସ୍ୱଚ୍ଛତାକୁ-
“ନିଜକୁ ନିଜ ପରି ଓ ନିଜ ସର୍ତ୍ତରେ ଜୀଇଁବା କଣ ସହଜ ଯେ ! କାହା ଦୟାର ପାତ୍ର ହେବା କଣ କମ୍ ଅପମାନ” !

ଏ ବି ନିଜଭିତର ର ଗୋଟେ ନିଆରା ଖୋଜ୍, ଯାହାପରେ ଆଉ ଖୋଜିବାକୁ ପଡେନି ଗୋଟେ ଛଳନାଭରା ବିଷାକ୍ତ ଓ ଅଭିଶପ୍ତ ସକାଳକୁ !
ଏତିକି ଅନ୍ଧାର ବି ଯଥେଷ୍ଟ ବାଟଟେ ତିଆରି କରିବାକୁ !!

ଲୋକପ୍ରିୟ ଲେଖା

To Top