ସହର ଶୋଇପଡ଼ିଥାଏ ନିଶ୍ଚିନ୍ତ ମୁଦ୍ରାରେ । ରାତି ଯେତେ ଅଧିକରୁ ଅଧିକ ଗଭୀର ଓ ଗାଢ଼ ପାଲଟୁଥାଏ ଦୀପକ ବାହାଦୂରର ହୁଇସିଲ୍ଟା ରହି ରହି ଶୁଭୁଥାଏ କାନକୁ । ତା’ ପାଇଁ ରାତିର ରଙ୍ଗ କେଉଁଠି କିଟିମିଟି କଳା ତ ଆଉ କେଉଁଠି ରାସ୍ତା କଡ଼ର ବତୀଖୁଣ୍ଟରେ ଜଳୁଥିବା ଶୁଭ୍ର ଆଲୁଅ ପରି ଚିକ୍କଣ ଧଳା । କିଛି ଫରକ ପଡ଼ିନଥାଏ ତାକୁ । କାରଣ ଏହି ନିସ୍ତବ୍ଧ ରାତିର ଛାଇ ଆଉ ଆଲୁଅର ଖେଳ ସହ ତା’ର ପରିଚିତି ବହୁଦିନର ।
ତା’ ସହ ମୋର ଚିହ୍ନାଜଣା ସେତେ ବେଶୀ ପୁରୁଣା ନ ହେଲେ ବି ସେହି ଚିହ୍ନାଜଣାର ସମ୍ପର୍କ ଏକ ଅଜଣା ଡୋରିରେ ବାନ୍ଧି ହୋଇ ଯାଇଥିଲା । ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଉତ୍ତୀର୍ଣ୍ଣ ହେବା ପରେ ମୋର ନୂଆକରି ପୋଷ୍ଟିଂ ହୋଇଥାଏ ଭଦ୍ରକ ସରକାରୀ ମହାବିଦ୍ୟାଳୟରେ । ସ୍ଥାନୀୟ ଜଗନ୍ନାଥପୁର ଅଞ୍ଚଳରେ ନୂଆ କରି ଭଡ଼ାଘରଟିଏ ଖୋଜି ମୁଁ ରହୁଥାଏ । ଉପର ମହଲାରେ ଅବସ୍ଥାନ କରୁଥିଲେ ଘରର ମାଲିକ । କହିବାକୁ ଗଲେ ସେମାନେ ଥିଲେ ବୟସ୍କ ବୃଦ୍ଧ ଦମ୍ପତ୍ତି । ପିଲାମାନେ ସବୁ ଯେଝାଯେଝା ପରିବାର ସହ କିଏ ବାଙ୍ଗାଲୋର ତ କିଏ ବିଦେଶରେ । ସେଥିପାଇଁ ତାଙ୍କ ସମ୍ପର୍କୀୟ ପୁତୁରା ସାଇପ୍ରସନ୍ନ ବାବୁ ବାଇପାସ୍ ଛକ ସ୍ଥିତ ନିଜ ଘରୁ ଆସି ସବୁକଥା ବୁଝାବୁଝି କରିଯାନ୍ତି । ତାଙ୍କରି ମାଧ୍ୟମରେ ହିଁ ତଳ ମହଲା ଘରଟି ଭଡ଼ାସୂତ୍ରେ ମିଳିଛି କହିଲେ ଠିକ୍ ହେବ । ସେହି ତଳ ମହଲା ଘରଟି ଭାଗଭାଗ କରାଯାଇ ଦୁଇଟି ଛୋଟ ଛୋଟ କ୍ୱାର୍ଟରରେ ବିଭକ୍ତ ହୋଇଥିବା ବେଳେ ଗୋଟିଏ ପଟ ମୋ ଭାଗରେ ପଡ଼ିଥିଲା । ଆର ପଟରେ ଜଣେ ବ୍ୟାଙ୍କ୍ କର୍ମଚାରୀ ସପରିବାରେ ରହୁଥିଲେ । ଏହାକୁ ଛାଡ଼ି ସିଡ଼ିଘର ପାଖରେ ଯେଉଁ ଗୋଟିକିଆ ରୁମ୍ ବଳିପଡ଼ିଥିଲା, ସେଠି ରହୁଥିଲା ଏହି ଦୀପକ ବାହାଦୂର ।
ଖାକି ପୋଷାକ ପିନ୍ଧୁଥିବା ଏହି ପାହାଡ଼ୀ ନେପାଳୀ ଗୌରବର୍ଣ୍ଣର ସୁଠାମ ଯୁବକ ଜଣକ ପ୍ରଥମ ସାକ୍ଷାତକାରରେ ହିଁ ମୋର ମନ କିଣି ନେଇଥିଲା । ମୁଁ ଯେଉଁଦିନ ପ୍ରଥମେ ଏହି ନୂଆ ଘରକୁ ରହିବାକୁ ଆସିଥିଲି, ମୋ ଗାଡ଼ିର ଆଗେ ଆଗେ ସାଇପ୍ରସନ୍ନ ବାବୁ ମଟର ସାଇକେଲରେ ବାଟ କଢ଼ାଇ ନେଉଥିଲେ । ତାଙ୍କୁ ଅନୁସରଣ କରି ଯେତେବେଳେ ଏହି ଘର ପାଖରେ ଗାଡ଼ି ଅଟକେ, ସହସା ବାହାରୁ ଡୋର୍ ବାଟେ ମୁହଁ ଦେଖାଇ ‘ନମସ୍ତେ ସାହେବ’ ସମ୍ବୋଧନ କରି ସେ ମୋ ଗାଡ଼ିର ଡୋର୍ଟିକୁ ଖୋଲିଥିଲା । ତା’ ପରେ ମୁଁ କିଛି ବୁଝିବା ଆଗରୁ ପଛ ଡିକି ଖୋଲି ମୋର ଲଗେଜ୍ ଓ ଅନ୍ୟାନ୍ୟ ଜିନିଷପତ୍ର ସବୁ ଭିତରକୁ ବୋହି ନେବାକୁ ଆରମ୍ଭ କରିଦେଲା ।
ପାଖରେ ଛିଡ଼ା ହୋଇଥିବା ସାଇପ୍ରସନ୍ନ ବାବୁ ବୋଧେ ମୋ ଆଖିର ଅବୁଝା ଚାହାଣିକୁ ପଢ଼ିପାରିଥିଲେ । ତତ୍କ୍ଷଣାତ୍ ମୁହଁ ଫିଟାଇ କହିଲେ, “ଏ ନେପାଳୀ ବାହାଦୂରର ନାଁ ଦୀପକ । ଭାରି ବିଶ୍ୱସ୍ତ ପିଲା । ସେଥିପାଇଁ ତ ମୋ ଅନୁପସ୍ଥିତିରେ ଦାଦା ଖୁଡ଼ୀଙ୍କ କଥା ଟିକେ ବୁଝିବାକୁ ୟାକୁ ଏଠି ରଖାଇଛି । ତାଙ୍କ କଥା ଶୁଣି ମୁଁ ଟିକେ ଉତ୍ସାହିତ ହୋଇପଡ଼ି ପଚାରିଲି, “ଆପଣ ଦାଦାଖୁଡ଼ୀଙ୍କ କଥା ବୁଝିବା ପାଇଁ ଏ ନେପାଳୀ ଯୁବକର ସନ୍ଧାନ ପାଇଲେ କିପରି?”
– ନାଇଁ ନାଇଁ, ସେମିତି କିଛି ବିଶେଷ ପରିଶ୍ରମ ମୋତେ କରିବାକୁ ପଡ଼ିନାହିଁ । ତା’ ଭାଇ ରାମ ବାହାଦୂର ପୂର୍ବରୁ ବାଇପାସ ଅଞ୍ଚଳରେ ରହୁଥିଲା । ସେହି ଆଖପାଖ ଅଞ୍ଚଳରେ ସେ ରାତିରେ ଚୌକିଦାରୀ କରେ । ତା’ ସହିତ ମୋର ଚିହ୍ନାଜଣା ସମ୍ପର୍କ ଥିଲା । ନିଜ ଦେଶରୁ ଫେରିଯିବା ଆଗରୁ ତା’ ସାନଭାଇ ଦୀପକକୁ ମୋ ସହିତ ପରିଚିତ କରାଇଥିଲା । ମୁଁ ନିଜ ଆଡୁ ଛୋଟିଆ ସର୍ତ୍ତଟିଏ ରଖି ତାକୁ ଏଠିକି ନେଇ ଆସିବା ପାଇଁ ପ୍ରସ୍ତାବ ଦେଇଥିଲି । କିଛି କ୍ଷଣ ଚିନ୍ତା କରି ରାମ ବାହାଦୂର ରାଜି ହୋଇଯାଇଥିଲା ସେଥିରେ ।
– “ସେଥିପାଇଁ କ’ଣ ସବୁ ରଖିଥିଲେ ଆପଣ ସର୍ତ୍ତ?” ମୁଁ କୌତୁହଳବଶତଃ ପଚାରି ଚାହିଁଲି ସାଇପ୍ରସନ୍ନ ବାବୁଙ୍କ ମୁହଁକୁ ।
– ନା, ସେମିତି କିଛି ବଡ଼ ସର୍ତ୍ତ ନୁହେଁ । କଥା ହୋଇଥିଲା, ରାତିବେଳା ସେ ତା’ର ଚୌକିଦାରୀ କାମ କରିବା କଥା କରୁ; ମାତ୍ର ଦିନବେଳା ଯେତିକି ସମୟ ପାଇବ ଦାଦାଖୁଡ଼ୀଙ୍କ କଥା ବୁଝିବ । ପ୍ରତିବଦଳରେ କିଛି ମାସିକ ପାରିଶ୍ରମିକ ତା’ ସହିତ ରହିବା ପାଇଁ କୌଣସି ଘରଭଡ଼ା ତାକୁ ଦେବାକୁ ପଡ଼ିବ ନାହିଁ । ଏହାଛଡ଼ା ଘରକାମ କରିବା ପାଇଁ ଜଣେ କାମବାଲୀ ବି ସକାଳ ସଞ୍ଜ ଆସୁଛି । ଏତେ ବଡ଼ ଘରକୁ ଦୁଇଜଣ ମଣିଷ ନ ବୁଝିଲେ କେମିତି ଚଳିବ?
ତାଙ୍କ ମୁହଁରୁ କଥାତକ ସରିଛି କି ନାହିଁ, ଆମ ନିକଟରେ ଦୀପକ ବାହାଦୂର ଆସି ଛିଡ଼ା ହୋଇଯାଇଥିଲା ବିଶ୍ୱସ୍ତ ମୁଦ୍ରାରେ । ମୁହଁରେ ସ୍ମିତହସ ଖେଳାଇ ମୋ ଆଡ଼କୁ ଚାହିଁ କହିଲା, “ସବ୍ ସାମାନ୍ ଅନ୍ଦର ରଖ୍ ଦିଆ ସାହେବ । ଅଗର୍ କୋଇ ଜରୁରତ୍ ହୋଗା ତୋ ମୁଝେ ବୁଲାଇୟେଗା ।” ମୁଁ ମନ୍ତ୍ରବତ୍ ମୁଣ୍ଡ ଟୁଙ୍ଗାରି ତା’ ଆଡ଼କୁ କେବଳ ଚାହିଁ ରହିଥିଲି ପ୍ରସନ୍ନ ଚିତ୍ତରେ । ସେଇ ପ୍ରଥମ ଦେଖାରେ ସେ ମୋ ହୃଦୟକୁ ଅଚିରେ ଆପଣାର କରି ନେଇଥିଲା ।
ଏହା ଭିତରେ ମୋର ସେଠି ରହିବା ଦୁଇବର୍ଷ ହୋଇ ଯିବଣି । ସବୁ ଦିନର ଦେଖାଚାହାଁ କଥାବାର୍ତ୍ତା ଭିତରେ ଆମ ଦୁଇଜଣଙ୍କ ସମ୍ପର୍କର ଘନିଷ୍ଠତା ଯଥେଷ୍ଟ ବଢ଼ିଯାଇଥିଲା । ଅଭ୍ୟାସବଶତଃ ଦିନବେଳା ମୁଁ ପ୍ରସ୍ତୁତ ହୋଇ କଲେଜକୁ ବାହାରିଯାଏ । ସନ୍ଧ୍ୟା ପୂର୍ବରୁ ଫେରି ଆସିଥାଏ ରୁମ୍ କୁ । ତା’ ଭିତରେ ଦିନକୁ ଥରେ ଦୁଇଥର ନିଶ୍ଚୟ ଦେଖା ସାକ୍ଷାତ୍ ହୋଇଥାଏ ଦୀପକ୍ ସହିତ । ଦେଖାହେଲା ମାତ୍ରେ ମୁଣ୍ଡକୁ ଅଳ୍ପ ତଳକୁ ଝୁଙ୍କାଇ ଦୁଇହାତ ଯୋଡ଼ି ତା’ର ଚିରାଚରିତ ହସହସ ମୁହଁରେ ‘ନମସ୍ତେ ସାହେବ’ ସମ୍ବୋଧନ କରେ । ମୁଁ ମଧ୍ୟ ସମୟ ଥିଲେ ଆଗ୍ରହର ସହିତ ତା’ ବିଷୟରେ ଜାଣିବାକୁ ଚେଷ୍ଟା କରେ । ସେ ମଧ୍ୟ ଅକୁଣ୍ଠିତ ଭାବରେ ମୋତେ ତା’ର ଦେଶ, ତା’ର ଗାଁ, ତା’ର ପିଲା ପରିବାର ବିଷୟରେ ସବୁକଥା ଜଣାଏ । ଯଦିଓ ତା’ର ମାତୃଭାଷା ନେପାଳୀ କିନ୍ତୁ ଦୀର୍ଘବର୍ଷ ଭାରତରେ ରହି ଖୁବ୍ ଭଲ ହିନ୍ଦୀ କହିପାରୁଥିଲା । ସେହି ହିନ୍ଦୀ ମାତୃଭାଷାରେ ସେ ବ୍ୟକ୍ତ କରୁଥିଲା ତା’ ମନର କଥା ।
ମୁଁ ଲକ୍ଷ୍ୟ କରେ ସେ ଯେତେବେଳେ ତା’ର ଗାଁ ଓ ପିଲା ପରିବାର ବିଷୟରେ କହେ ସେତେବେଳେ ସେହି କଠିନ ପାହାଡ଼ୀ ମଣିଷ ଭିତରେ ଭାବପ୍ରବଣତାର ଲହଡ଼ି ମଥା ପିଟେ । କହେ, ପାହାଡ଼ ପର୍ବତ ଘେରା ଭିତରେ ତା’ର ଛୋଟିଆ ଗାଁ ଖଟ୍ଗଡ଼ା । ସେହି ଗାଁର ଲୋକ ସଂଖ୍ୟା ଦୁଇଶହ ପାଖାପାଖି ହେବ । ପାହାଡ଼ୀ ଅଞ୍ଚଳ ହୋଇଥିବାରୁ ଚାଷଜମିର ପରିମାଣ ବହୁତ କମ୍ । ତେଣୁ ଖାଲି ଚାଷକାମ କରି ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ । ଯେଉଁଥିପାଇଁ ତାଙ୍କ ଗାଁର ଯୁବକମାନେ ଏହି ଚୌକିଦାରୀ ବୃତ୍ତି କରିବା ପାଇଁ ଭାରତକୁ ଚାଲିଆସିଥାନ୍ତି । ପୂର୍ବରୁ ତା’ ବାପା ଦଲ୍ ବାହାଦୂର ଓଡ଼ିଶାରେ ରହି ଏହି କାମ କରୁଥିଲେ । ବୟସ ହେବାରୁ ସେ ଗାଁକୁ ଚାଲିଆସିବା ପରେ ଆମେ ଦୁଇଭାଇ ଏବେ ପାଳିକରି ଏହି କାମ କରୁଛୁ । ଜଣେ ଭାଇ ଏଠି ରହିଲେ ଆର ଜଣେ ଗାଁରେ ରହି ଚାଷକାମ କରେ । ବର୍ଷେ ଦୁଇବର୍ଷ ଅନ୍ତରେ ସେହି ଭାଇ ଗାଁରୁ ଏଠାକୁ ଆସିଲେ ଆର ଜଣକ ଗାଁକୁ ଯାଇଥାଏ ।
ମୁଁ ଯେତିକି ଆଗ୍ରହର ସହ ତା’ କଥାଗୁଡ଼ିକୁ ଶୁଣୁଥାଏ, ନେପାଳର ଅଦ୍ୟାବଧି ସୁଧୁରି ପାରି ନଥିବା ଦୁର୍ବଳ ଅର୍ଥନୀତିର ଚିତ୍ର ମୋ ଭିତରେ ସେହି ପରିମାଣରେ ନୈରାଶ୍ୟଭାବ ଉଦ୍ରେକ କରୁଥାଏ । ଆପଣାକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲେ, ପ୍ରକୃତିର ଅଯାଚିତ ବରଦାନରେ ସମୃଦ୍ଧ ସେହି ଦେଶ କିପରି ନିଜର ଜନସମୁଦାୟକୁ ପ୍ରତିପୋଷଣ କରିବାରେ ତଥାପି ଅସମର୍ଥ? ପଡେ଼ାଶୀ ଦେଶର ଦାନ ଉପରେ ପୂରାପୁରି ନିର୍ଭରଶୀଳ? ନିଜ କ୍ଷୁଦ୍ର ମାନବ ସମ୍ବଳକୁ ପରିଚାଳନା କରିବାରେ ବିଫଳ? ଆଉ ଯାହାର ପରିଣାମ ଭୋଗୁଛନ୍ତି ରାମ ବାହାଦୂର୍, ଦୀପକ୍ ବାହାଦୂର୍? ଆଉ ଯାହାର ପରିଣାମ ଭୋଗୁଛନ୍ତି ଦେଶ ଛାଡ଼ିଥିବା ଅସଂଖ୍ୟ ଯୁବଶକ୍ତି । ଦୀପକ ପ୍ରତି କିପରି ଏକ ସମ୍ବେଦନା ଅଜାଣତରେ ମୋ ଭିତରେ ସୃଷ୍ଟି ହୋଇସାରିଥାଏ ।
ମନେ ମନେ ଭାବି, ଆଶ୍ଚର୍ଯ୍ୟ ହୁଏ “ବିଚରା କେତେ ପଇସା ଅବା ଉପାର୍ଜନ କରୁଛି ଯେ, ନିଜ ଦେଶ ମୂଳକ, ସ୍ତ୍ରୀ ଓ ପିଲା ପରିବାର ଛାଡ଼ି ଏଠି ଆମ ଧନସମ୍ପତ୍ତିର ଜଗୁଆଳ ସାଜିଛି । ଆମକୁ ସବୁ ରାତ୍ରିରେ ନିଶ୍ଚିତ ନିଦ୍ରାର ଆଶ୍ୱାସନା ଆଣି ଦେଉଛି!” ପୁଣି ମତେ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ କରିଥାଏ ତା’ର ନିର୍ଭୟପଣକୁ ଦେଖି । ଥରେ ମଧ୍ୟ ତାକୁ ପଚାରିଥିଲି, “ଆଜିକାଲି କେତେ ନୂଆ ନୂଆ ମାରଣାସ୍ତ୍ର ଧରି ଚୋର ଡକାୟତମାନେ ବୁଲୁଛନ୍ତି । ତମେ ଏକୁଟିଆ ନିର୍ଜନ ରାତିରେ ହାତରେ ଖଣ୍ଡେ ବାଡ଼ି ଓ ଟର୍ଚ୍ଚ ଲାଇଟ୍ଟେ ଧରି ବୁଲୁଛ? ତମକୁ ଭୟ ଲାଗୁନି…?” ସେ କେବଳ ହସିକି ଉତ୍ତର ଦିଏ – “ହମ୍ ବାହାଦୂର୍ ହେ ସାହେବ ଡର କ୍ୟୁଁ ଲଗେଗା । ଅବ୍ ତକ୍ ତୋ ଐସା ହିଁ ଚଲ ରହାହେ । ଆଗେ ଯୋ ହୋଗା ଦେଖାଯାଏଗା ।”
ଅନ୍ୟମାନଙ୍କ ସହ ସବୁବେଳେ ସ୍ୱଳ୍ପ ଅବା ପଦେ ଅଧେ କଥା ହେଉଥିବା ଦୀପକ କିନ୍ତୁ ମୋ ପାଖରେ ସମ୍ପୂର୍ଣ୍ଣ ବିପରୀତ । କାହିଁକି କେଜାଣି ସେ ମୋତେ ତା’ ପାଇଁ ଏହି ବିଦେଶ ଭୂଇଁରେ ସବୁଠାରୁ ନିଜର ବୋଲି ଭାବେ । ହୁଏତ ଆମ ଦୁହିଁଙ୍କ ବୟସ ପାଖାପାଖି ସମାନ । ନତୁବା, ମୁଁ ତା’ ରୁମ୍ ର ନିକଟବର୍ତ୍ତୀ ପଡେ଼ାଶୀ ସେଥିପାଇଁ । କାରଣ ଯାହା ହେଉନା କାହିଁକି, ସେ ତା’ ମନ ତଳର ଭାବନାକୁ କେବଳ ମୋ ପାଖରେ ହିଁ ପ୍ରକାଶ କରି ହାଲକା ଅନୁଭବ କରିଥାଏ ।
ଦୀପକର ସବୁଠାରୁ ବଡ଼ ଦୁର୍ବଳତା ତା’ର ସ୍ତ୍ରୀ ଦେବୀ ଓ ଦୁଇଟି ପୁଅ । ବଡ଼ ପୁଅ ହର୍କ ବାହାଦୂରକୁ ଦଶ ବର୍ଷ । ସେ ଚତୁର୍ଥ ଶ୍ରେଣୀରେ ପାଠ ପଢେ଼ । ସାନ ଲାଲ୍ ବାହାଦୂର । ତାକୁ ଆଠ ବର୍ଷ । ସିଏ ବି ସେହି ଗାଁ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢେ଼ । ଏମାନଙ୍କୁ ଭଲରେ ରଖିବା ତା’ ସଂଘର୍ଷଭରା ଜୀବନର ସବୁଠାରୁ ବଡ଼ ସ୍ୱପ୍ନ । ତାକୁ ଯେତେବେଳେ କୋଡ଼ିଏ ବର୍ଷ ହୋଇଥିଲା ଦେବୀ ସହିତ ତା’ର ବାହାଘର ସମ୍ପନ୍ନ ହୋଇଥିଲା । ତାଙ୍କ ଗାଁ ଠାରୁ ପୂର୍ବପଟେ ଚାରି ପାେଞ୍ଚାଟି ଗାଁ ଡେଇଁଲେ ପଡେ଼ ଦେବୀର ଗାଁ । ସେପଟ ଅଞ୍ଚଳର ଅନ୍ୟ ପାହାଡ଼ୀ ଝିଅମାନଙ୍କ ପରି ଦେବୀ ମଧ୍ୟ ଖୁବ୍ ସାହସୀ ଓ ପରିଶ୍ରମୀ । ଘର ଓ ପିଲାମାନଙ୍କ ଲାଳନପାଳନ ଦାୟିତ୍ୱ ସହ ଆବଶ୍ୟକ ସମୟରେ ଚାଷକାମରେ ମଧ୍ୟ ସହଯୋଗ କରିଥାଏ । ଘରଠାରୁ ବର୍ଷାଧିକ କାଳ ଅନୁପସ୍ଥିତିରେ ଏହି ଦେବୀ ହିଁ ସମ୍ଭାଳି ରଖିଛି ତା’ ପରିବାରକୁ । ତେଣୁ ମଝିରେ ମଝିରେ ସମୟ କାଢ଼ି ଦେବୀ ସହିତ କଥା ହେବା ପାଇଁ ଚେଷ୍ଟା କରେ ଦୀପକ । ସୁଦୂର ପାହାଡ଼ୀ ଅଞ୍ଚଳ ହୋଇଥିବାରୁ କେବେ ଦୈବାତ୍ ମୋବାଇଲ ନେଟ୍ୱାର୍କ ଲାଗେ । ତ କେବେ ଥରକୁ ଥର ଚେଷ୍ଟା କରି ମଧ୍ୟ ଲାଗେନା । ଯେଉଁଦିନ ନେଟ୍ୱାର୍କ ଲାଗିଯାଏ, ସେଦିନ ଦୀପକର ମୁହଁରୁ ଚହଟି ଉଠୁଥିବା ଖୁସି ସହଜରେ ବାରିହୋଇ ପଡେ଼ । ପବନର ମୃଦୁ ସ୍ପର୍ଶରେ ପ୍ରସ୍ଫୁଟିତ ଫୁଲସବୁ ଯେପରି ନାଚି ଉଠନ୍ତି ମହାଆନନ୍ଦରେ । ସେହିପରି ମତେ ଦେଖୁ ଦେଖୁ ଉଲ୍ଲସିତ ମନରେ ସେ ତା’ ଖୁସିକୁ ବ୍ୟକ୍ତ କରିପକାଏ । ବିରାମହୀନ ଭାବରେ କହିଚାଲେ ଗାଁ ଓ ପରିବାରର ହାଲଚାଲ । କହେ, କିପରି ତା’ର ବଡ଼ପୁଅ ହର୍କ ବାହାଦୂର ପରୀକ୍ଷାରେ ପ୍ରଥମ ହୋଇଛି । କହେ, କିପରି ତା’ ସାନ ପୁଅ ଲାଲ୍ ବାହାଦୂର ଦୁଷ୍ଟାମୀ କରି ତା’ ମା’କୁ ହଇରାଣ କରୁଛି । ଆଉ ମୁଁ ଯେତେବେଳେ ତାକୁ ସ୍ତ୍ରୀ ଦେବୀ କେମିତି ଅଛି ବୋଲି ପଚାରେ, ସେ ଟିକେ ଲାଜେଇ ଯାଇ ଓଠରେ ସ୍ମିତହସ ଖେଳାଇ କହେ, “ୱହ ବିଲ୍କୁଲ ଠିକ୍ ହେ ସାହେବ । ଜବ୍ ଫୋନ୍ ମେ ବାତ୍ କରତି ହେ ତୋ ମୁଝେ ମିସ୍ କର୍ତି ହେ ବୋଲ୍ତି ହେ ।” ତା’ କଥା ଶୁଣି ମୁଁ ଆଉ ଟିକେ ରସିକପଣରେ ତାକୁ ପଚାରି ବସେ, “ତୁମେ ଦେବୀକୁ କ’ଣ ଉତ୍ତର ଦିଅ?” ସେ ଆଉ ଟିକେ ଲାଜେଇ ଯାଇ, “ମେଁ ଭି ତୁମ୍କୋ ମିସ୍ କରତା ହୁଁ” ତାକୁ ଉତ୍ତର ଦେଇଥାଏ ବୋଲି କହେ ।
ମୁଁ ଯେତିକି ଦୀପକ ସହ ମିଶିଛି, ତା’ ଭିତରେ ସ୍ତ୍ରୀ ଦେବୀ ଓ ଦୁଇ ପିଲାଙ୍କ ପ୍ରତି ଅସୀମ ଭଲପାଇବାର ଲୁକ୍କାୟିତ ଚେହେରାକୁ ଭେଟିଥାଏ । ଯାହାର ଶରୀର ପେଟପାଟଣା ଦାଉରେ ଏଠି ପଡ଼ିଥାଏ ସିନା କିନ୍ତୁ ହୃଦୟଟା ତ ଥାଏ ସୁଦୂରରେ ରହୁଥିବା ସ୍ତ୍ରୀ ଓ ପିଲାଙ୍କ ପାଖରେ । ଥରେ ମତେ ପକେଟରୁ ମୋବାଇଲ କାଢ଼ି ଦେଖାଇଥିଲା ସେମାନଙ୍କ ଫଟୋ । ଯାହାକୁ ସେ ୱାଲ ପେପର ସାଇତି ରଖିଥାଏ । କହେ, ପିଲାମାନଙ୍କୁ କାଠମାଣ୍ଡୁ ସହର ବୁଲାଇ ଆଣିଥିବା ବେଳେ ଏହି ଫଟୋଟି ଉଠାଇଥିଲା । ଏହାକୁ ଛାଡ଼ି ଆହୁରି ଅନେକ ତା’ ପରିବାରର ଫଟୋ ସବୁ ମୋତେ ଦେଖାଇ କହେ, “ୟେ ସବ୍ ମେରା ଅକେଲାପନ୍ କା ସାହାରା ହୈ । ଯବ୍ ଆପ୍ନା ଲୋଗୋଁକା ୟାଦ୍ ଆତା ହେ, ତୋ ୟେ ସବ୍ ଦେଖ୍ କେ ମନ୍ କୋ ଶାନ୍ତ କର୍ତା ହୁଁ ।” ମୁଁ କେବଳ ନୀରବଦ୍ରଷ୍ଟା ପାଲଟି ସେହି ଫଟୋଗୁଡ଼ିକ ଆଉ ତା’ ଉପସ୍ଥିତି ଭିତରେ ମାଇଲ୍ ମାଇଲ୍ ବ୍ୟାପୀ ଲମ୍ବିଥିବା ବ୍ୟବଧାନର ବେଦନାକୁ ମନେମନେ କଳନା କରେ । କିପରି ପେଟର ଆହ୍ୱାନ ଦୁଇ ହୃଦୟର ଦୂରତାକୁ ଲମ୍ବାଇ ଦେଇପାରେ ସହସ୍ର କୋଶ ଯାଏଁ, ସେହି ଅପ୍ରକାଶ୍ୟ ପୀଡ଼ାକୁ ଚାକ୍ଷୁସ କରେ ।
ଦିନେ ସକାଳୁ ସକାଳୁ ଦରଜାରେ କାହାର ଠକ୍ଠକ୍ ଶବ୍ଦ ଶୁଣି ନିଦ ଭାଙ୍ଗିଗଲା । ଏହି ଅସମୟରେ କିଏ ଆସି ନିଦ ଭାଙ୍ଗିଥିବାରୁ ପ୍ରଥମେ ମୁଁ ବିରକ୍ତ ହୋଇଉଠିଲି । ମନେ ମନେ ଚିନ୍ତା କଲି, “ମାସ ଶେଷ ତ ହୋଇନାହିଁ, ତେଣୁ ପେପର୍ବାଲା ତ ଜମା ନୁହେଁ । ତା’ ହେଲେ କିଏ ଅବା ହୋଇଥିବ? କ୍ଷୀରବାଲା ଯଦି ବା ଶୀଘ୍ର ଚାଲିଆସିଥିବ, ସିଏ ତ ବୋତଲଟା କବାଟ ଆଗରେ ରଖିଦେଇ ଯାଇଥିବ । ପୁଣି ତା’ ହେଲେ ଠକ୍ଠକ୍ କରୁଛି କିଏ? ସହଜେ ସେ ବର୍ଷ ଶୀତର ପ୍ରକୋପ ଥାଏ ଅଧିକ । ସେଥିପାଇଁ ଆଠଟା ନ ବାଜିବା ପର୍ଯ୍ୟନ୍ତ ମୁଁ ବିଛଣା ଛାଡ଼ି ନଥାଏ । ଦରଜାରେ ଠକ୍ଠକ୍ ଶବ୍ଦ ବାରମ୍ୱାର ଶୁଣି ମୁଁ ବାଧ୍ୟ ହୋଇ କବାଟ ଖୋଲିବାକୁ ଉଠିଗଲି । ବାହାରେ ଛିଡ଼ା ହୋଇଥିଲା ଦୀପକ । ତା’ ଗୋଲ ମୁହଁଟି ସମ୍ପୂର୍ଣ୍ଣ ଲାଲ ଦେଖାଯାଉଥିଲା, ଯେପରି କେଉଁ ଅନାହତ ଆଶଙ୍କାରେ । ଦୁଇ ଆଖିରେ ଅସ୍ଥିର ବିବ୍ରତପଣ, “ସାହେବ ଦେବୀକା ଫୋନ୍ ଆୟା ଥା । ଲାଲ୍ ବାହାଦୂର କା ତବିୟତ୍ ବହୁତ ଖରାପ ହୈ । ସାତ୍ ଦିନ ସେ ଥଣ୍ଡିବୁଖାର ଥା । ଠିକ୍ ନେହିଁ ହୁଆ ତୋ ଉସ୍କୋ ସିଲଗଡ଼ି କା ହସ୍ପିଟାଲ ମେ ଆଡ଼ମିସନ୍ କରନା ପଡ଼ା । ଡାକ୍ତର ସାହେବ ନିମୋନିଆ ହୋ ଗୟା ବୋଲ୍ତେ ହୈ । ଅବ କୁଛ କହା ନେହିଁ ଯା ସକ୍ତା ।” କହି ଅତି ବିକଳ ଭାବେ କାନ୍ଦି ପକାଇଲା ସେ । ତା’ ଆଖିରୁ ଠପ୍ଠପ୍ ହୋଇ ଝରି ପଡୁଥାଏ ଲୁହ । ମୁଁ ଦୀପକକୁ କେବେ ଏହିପରି ଭାଙ୍ଗିପଡ଼ିବାର ଦେଖି ନଥିଲି । ମୋର ଏଠାରେ ରହିବା ଭିତରେ ସେ କେବେ ଦିନେ କବାଟ ଠକ୍ଠକ୍ କରି ଡାକିବାର ସାହାସ ଜୁଟାଇ ନଥିଲା ।
ତାକୁ କ’ଣ କହି ସାନ୍ତ୍ୱନା ଦେବି ଜାଣିପାରୁ ନଥାଏ । ଆମ ଦୁହିଁଙ୍କ ମଝିରେ ପ୍ରାଚୀର ସଦୃଶ୍ୟ ଛିଡ଼ା ହୋଇଥାଏ ଏକ ସ୍ତବ୍ଧ ନୀରବତା । ଶେଷକୁ ମୁଁ ସେହି ନୀରବତାର ପ୍ରାଚୀର ଭାଙ୍ଗି ଆଶ୍ୱାସନା ଦେଇ କହିଲି, “ଭଗବାନଙ୍କ ଉପରେ ଭରସା ରଖ । ଦେଖିବ, ତୁମ ପୁଅ ନିଶ୍ଚୟ ସୁସ୍ଥ ହୋଇ ଘରକୁ ଫେରିବ ।” ମୋର ଏହି କଥା ପଦକ ତାକୁ ସମ୍ଭାଳି ରଖିବାରେ ଥିଲା ଅସମର୍ଥ । କୋହଭରା କଣ୍ଠରେ କହିଲା, “ମେଁ ଗାଁଓ ଚଲା ଯାଉଙ୍ଗା ସାହେବ । କ୍ୟା ଫାଇଦା ୟାହାଁ ରହକର ମେଁ ଯବ୍ ଅପ୍ନେ ଲୋଗୋଁ କା ଖରାପ୍ ବକ୍ତ ମେଁ ସାହାରା ନା ବନ୍ ସକୁ?” ତା’ର ସେହି କୋହ ଭିତରେ ମୁଁ ଭାଙ୍ଗି ପଡୁଥିବା ଜଣେ ପିତାର ହୃଦୟକୁ ପ୍ରତ୍ୟକ୍ଷ କରୁଥିଲି । ଯାହା ଥିଲା ଯଥାର୍ଥ । ତଥାପି ବୁଝାଇବାକୁ ଚେଷ୍ଟା କରି ଯାଇ କହିଲି, “ତମେ ଏବେ ଚାଲିଗଲେ ବି ଯାଇ କ’ଣ କରିପାରିବ? ସିଏ ତ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ । ବରଂ ଦୁଇ ତିନି ଦିନ ଅପେକ୍ଷା କରି ଦେଖ, ମୋର ବିଶ୍ୱାସ ସେ ଭଲ ହୋଇଯିବ ।” ତା’ ଆଖିର ଲୁହ କିନ୍ତୁ ଥାଏ ଅମାନିଆ । ହାତରେ ଲୁହ ପୋଛି ପୋଛି ସେ ମୋ ପାଖରୁ ନୀରବରେ ଚାଲି ଯାଇଥିଲା ।
ଏହା ପରେ ଦୁଇଦିନ ପର୍ଯ୍ୟନ୍ତ ମୋର ଦୀପକ ସହ ଦେଖାସାକ୍ଷାତ୍ ହୋଇ ନଥିଲା । ଏକ ସେମିନାର୍ରେ ଯୋଗ ଦେବା ପାଇଁ ମୁଁ ବାରିପଦା ଚାଲିଆସିଥିଲି । ଭଦ୍ରକକୁ ବସ୍ରେ ଫେରିବା ବାଟରେ ଦୀପକ କଥା ବହୁତ ମନେ ପଡୁଥାଏ । ଭାବୁଥାଏ, “ସେ ବୋଧେ ଗାଁକୁ ଚାଲି ଯାଇଥିବ ଏହା ଭିତରେ । ଭାରି ବ୍ୟସ୍ତ ହେଉଥିଲା ପୁଅ ପାଇଁ । ହେଲେ, ସିଏ ତ ଡାକ୍ତର ନୁହେଁ, ଏପରି ଅଧୈର୍ଯ୍ୟ ହୋଇ ବାହାରି ଗଲେ କ’ଣ ବା ଅଧିକ କରିପାରିବ? ତା’ ମୁହଁରୁ ଆଗରୁ ସେହି କ୍ଲାନ୍ତିକର ଯାତ୍ରା ବିଷୟରେ ଯାହା ଶୁଣିଛି । ପ୍ରଥମେ ସିଏ ଏଠୁ ଟ୍ରେନ୍ରେ ଲକ୍ଷ୍ନୌ ଯାଏ ଯିବ । ସେଠୁ ଓହ୍ଲାଇ ବସ୍ରେ ପଲିଆ ବଡର଼୍ର ଯାଏଁ ଯାଇଥିବ, ଯାହା ବାର ଘଣ୍ଟାର ବାଟ । ପୁଣି ପଲିଆରୁ କାଠମାଣ୍ଡୁ ସେତିକି ସମୟ ଲାଗିବ । ଏହାପରେ କାଠମାଣ୍ଡୁରୁ ସିଲ୍ଗଡ଼ି ପହଞ୍ଚିବାକୁ ତାକୁ ଦିନକର ସମୟ ଦରକାର । ଏମିତି ପୁଅ ପାଖରେ ପହଞ୍ଚୁ ପହଞ୍ଚୁ ତାକୁ ପାଖାପାଖି ତିନି ଚାରିଦିନର ସମୟ ଲାଗିଯିବ ।” ବସ୍ର ସେହି ଯାତ୍ରା ଭିତରେ ମୁଁ ଦୀପକର କଥା ଭାବି ଟିକେ ବିଷଣ୍ଣ ହୋଇପଡୁଥାଏ । ମନକୁ ବୁଝାଇ କହିଲି, “ତା’ ଜାଗାରେ ମୁଁ ବି ହୋଇଥିଲେ ସେୟା କରିଥାନ୍ତି । ଏଭଳି ସ୍ଥିତିରେ ପିତାର ହୃଦୟକୁ କେତେ ଅବା ଆଶ୍ୱାସନା ଦେଇ ଆକଟ କରି ରଖିହବ!”
ଭଦ୍ରକରେ ପହଞ୍ଚିଲା ବେଳକୁ ରାତି ଦଶଟା ହୋଇ ସାରିଥାଏ । ଶୀତ ରାତିର ନିର୍ଜନତାରେ ଖାଁ ଖାଁ ଲାଗୁଥାଏ ସହର । ଚାରିଆଡେ଼ ଶୁନ୍ଶାନ୍ । କେବଳ ରାସ୍ତା କଡ଼ର ଢାବା କେତେଟାକୁ ଛାଡ଼ିଦେଲେ କେଉଁଠି ଲୋକବାକ ନାହାନ୍ତି । ଲଗାତାର ଦୁଇ ଦିନର ସେମିନାର୍ରେ ଯୋଗଦାନ ତାହା ସହିତ ବସ୍ ଯାତ୍ରାର ଥକ୍କାପଣ ମୋର ଶାରୀରିକ କ୍ଳାନ୍ତିକୁ ଦ୍ୱିଗୁଣିତ କରିଦେଇଥାଏ । ଏତେବେଳେ ଯାଇ ରୁମ୍ରେ ନିଜ ପାଇଁ ରାତିର ଖାଇବା ପ୍ରସ୍ତୁତ କରିବା ମୁଡ୍ରେ ନଥିଲି । ଆପାତତଃ ପାଖ ଢାବାରୁ ଖାଇବାତକ ସଂଗ୍ରହ କରି ସିଧା ଚାଲିଆସିଲି ରୁମ୍କୁ । ଖାଇବା ପରେ ବିଛଣା ଧରୁଧରୁ କେତେବେଳେ ନିଦ ଲାଗିଯାଇଥିଲା, ଆଖିକୁ ଜଣାପଡ଼ିଲା ନାହିଁ ।
ସକାଳୁ ପୁଣି କବାଟରେ କାହାର ଠକ୍ଠକ୍ ଶବ୍ଦ ଶୁଣି ନିଦ ଭାଙ୍ଗିଗଲା । ବିଲକୁଲ ମୋ ଭିତରେ ଉଠିକି ଯାଇ କବାଟ ଖୋଲିବାର ସ୍ପୃହା ନଥାଏ । ସହଜେ ପୂର୍ବରାତିର କ୍ଲାନ୍ତି ମେଣ୍ଟି ନଥାଏ ଦେହରୁ । ଯିଏବି କେହି ହେଇଥାଉ ପଛକେ ଭୟଙ୍କର ଭାବେ ଚିଡ଼ି ଉଠିଲି । ପୁଣି ରହି ରହିକା ଠକ୍ଠକ୍ ଶବ୍ଦ ଶୁଭିବାରୁ ବାଧ୍ୟ ହୋଇ ଉଠିଲି କବାଟ ଯାଏଁ । ଖୋଲିଲା ବେଳକୁ ଆଶ୍ଚର୍ଯ୍ୟ କଲାପରି ଦୀପକ ମତେ କୁଣ୍ଢାଇ ପକାଇ କହିଲା, “ଦେବୀ କା ଫୋନ୍ ଆୟା ଥା ସାହେବ । ହମାରା ଲାଲ୍ ବାହାଦୂର କା ତବିୟତ୍ ସୁଧର ରାହା ହେ ! ଡାକ୍ତର ସାହେବ କା କେହନା ହୈ ବହତ୍ ଜଲଦି ଉସ୍କୋ ଡିସ୍ଚାର୍ଜ କର ଦେଙ୍ଗେ ।” ଏପରି ଅପ୍ରତ୍ୟାଶିତ ଭାବେ ତା’ର ବ୍ୟବହାର ଯଦିଓ ମତେ କିଛି ପରିମାଣରେ ଅସ୍ୱସ୍ତିକର ଲାଗିଥିଲା ସତ, କିନ୍ତୁ ମୁଁ ତା’ର ଖୁସିରେ ଆନମନା ହୋଇ ଯାଇଥିଲି କ୍ଷଣକ ପାଇଁ । ଦେଖୁଥିଲି ତା’ ମୁହଁରେ ଉଛୁଳି ଉଠୁଥିବା ଖୁସିର ତରଙ୍ଗ । ଆଉ କିପରି ସେହି ତରଙ୍ଗ ଭୂଗୋଳର ସୁଦୂର ସୀମା ସର୍ହଦକୁ ଲଂଘି ଜଣେ ପ୍ରବାସୀ ବାହାଦୂର୍ର ଝାଉଁଳା ମନକୁ ପୁଣି ସତେଜ କରିଦେଉଛି, ତା’ର ଅଦୃଶ୍ୟ ସ୍ପର୍ଶରେ ।