ୱେଲ୍କମ୍ ପାର୍ଟିର ସେ ପ୍ରଥମ ଦେଖାରୁ ହିଁ ପ୍ରିୟଙ୍କା ପ୍ରେମରେ ବାୟା ହୋଇଯାଇଥିଲା ଦେବାଶିଷ୍ । ସମୟ ସହ ତାଳ ଦେଇ ହାଏ, ହାଲୋରୁ ନୋଟ୍ ଦିଆ ନିଆ କରି ସେ ପ୍ରିୟଙ୍କା ହୃଦୟରେ ନିଜର ଏକ ଛବି ବନେଇ ଦେଇଥିଲା । ବର୍ତ୍ତମାନ ସମୟ ଥିଲା ପ୍ରିୟଙ୍କାକୁ ତା ହୃଦୟ କଥା ଜଣେଇବାକୁ । ସେଦିନ ପ୍ରିୟଙ୍କାର ନୋଟ୍ କପି ନେଇଥିଲା ଦେବାଶିଷ୍ । ଫେରେଇଲା ବେଳକୁ ସେଥିରେ ଖଣ୍ଡେ କାଗଜରେ “ଆଇ ଲଭ୍ ୟୁ” ଲେଖି ରଖିଦେଲା । ଭାବିଥିଲା ପ୍ରିୟଙ୍କା ନିଶ୍ଚୟ ପଢିିବ । ହେଲେ ସେହିଦିନ ସଂଧ୍ୟାରେ ଅନ୍ୟ ଏକ ସହପାଠକ ଶେଖର ଆସି ପ୍ରିୟଙ୍କା ଠାରୁ ମାଗିନେଲା ସେହି ନୋଟ୍ କପି । ଘରେ ଯାଇ ଶେଖର ଖାତା ଖୋଲିଲା ଓ ସେଥିରୁ ପାଇଲା ଲଭ୍ ଲେଟର । କ୍ଲାସ୍ ରେ ଅନେକ ଥର ଶେଖରର ଆଖି ପ୍ରିୟଙ୍କାର ଆଖିରେ ମିଶିଯାଇଛି । ଶେଖରର ଜୋକ୍ରେ ବହୁତ ହସେ ପ୍ରିୟଙ୍କା । କ୍ଲାସ୍ରେ ସୁନ୍ଦରୀ ମାନଙ୍କ ମଧ୍ୟରୁ ପ୍ରିୟଙ୍କା ଅନ୍ୟତମ । ନୋଟ୍ କପି ଫେରାଇଲା ବେଳେ ଶେଖର ଅନ୍ୟ ଏକ କାଗଜରେ “ଆଇ ଲଭ୍ ୟୁ ଠୁ” ଲେଖି, କପି ଭିତରେ ଦେଇଦେଲା ପ୍ରିୟଙ୍କାକୁ । ଦେବାଶିଷ୍ ସନ୍ଦେହରେ ଥାଏ, “କିଛି କହିଲା ନାହିଁ ଯେ ପ୍ରିୟଙ୍କା ?” ଏଣେ ଶେଖରର ଖୁସିର ଠିକଣା ନଥାଏ । ଶେଖର ଭାବୁଥିଲା ସେ ଲଭ୍ ଲେଟର ପ୍ରିୟଙ୍କା ତାକୁ ଦେଇଚି ।
ଦୁଇଦିନ ପରେ ଦେବାଶିଷ୍କୁ ପୁଣି ସେହି ନୋଟ୍କପି ଦରକାର୍ ପଡିଲା, ମାଗିନେଲା ପ୍ରିୟଙ୍କାଠୁ । ଏଥର ଦେବାଶିଷ୍ ଖାତା ଖୋଲି ଦେଖିଲା ତା ଦେଇଥିବା ଲଭ୍ ଲେଟର ବଦଳରେ ଏକ ଶୁଭ ସନ୍ଦେଶ ଅଛି – “ଆଇ ଲଭ୍ ୟୁ ଠୁ” । ଏଥର ଦେବାଶିଷ୍ର ମନ ମଧ୍ୟ ପ୍ରିୟଙ୍କା ପ୍ରେମରେ ଉଡି ବୁଲିଲା । ସେ ଦୁହେଁ, ଦେବାଶିଷ୍ ଓ ଶେଖର ଭାବିନେଲେ ପ୍ରିୟଙ୍କା ତାଙ୍କୁ ବହୁତ ପ୍ରେମ କରୁଚି । ଏବେ କଲେଜରେ ଗୁପ୍ଚୁପ୍ ଖୁଆଇବା ଓ ୱାଟ୍ସ୍ଆପ୍ରେ ମେସେଜ୍ ପଠାଇବା ଆରମ୍ଭ ହୋଇଯାଇଥିଲା । ପ୍ରିୟଙ୍କା କିନ୍ତୁ ଅଜଣା, ଦୁହିଁଙ୍କୁ କେବଳ ସାଙ୍ଗ ଭାବି ଚାଲିଥିଲା । ହେଲେ ଦେବାଶିଷ୍ ଓ ଶେଖର ଦୁହେଁ ପ୍ରିୟଙ୍କାକୁ ନିଜ ପ୍ରେମିକା ଭାବିନେଇଥିଲେ ।
ଯେତେବେଳେ ପ୍ରିୟଙ୍କା ଦେବାଶିଷ୍ ସହ ଗୁପ୍ଚୁପ୍ ଖାଉଥାଏ, ଶେଖରକୁ ଭାରି ବାଧେ ଏବଂ ଯେତେବେଳେ ପ୍ରିୟଙ୍କା ଶେଖର ସହ ଏକା ବସି ଗପୁଥାଏ ଦେବାଶିଷକୁ ଭାରି ବାଧେ । ଦିନେ ଅସମ୍ଭାଳ ହୋଇ ଦେବାଶିଷ୍ ପଚାରିଦେଲା ଶେଖରକୁ ଯେ ସେ କାଇଁ ତା ପ୍ରେମିକା ସହ ମିଳାମିଶା କରୁଚି ? ଶେଖର ଯୁକ୍ତି ବାଢ଼ିଥିଲା ପ୍ରିୟଙ୍କା ତା ପ୍ରେମିକା, ତାକୁ ଆଇ ଲଭ ୟୁ ଲେଟର ଦେଇଛି । ଦେବାଶିଷ୍ କହିଲା ପ୍ରିୟଙ୍କା ତାକୁ ମଧ୍ୟ ଆଇ ଲଭ ୟୁ ଠୁ ଲେଖି ପଠାଇଛି । ଦୁହେଁ ପ୍ରେମରେ ପଡ଼ିଯାଇଥିଲେ ସତ ହେଲେ ସେମାନେ ଦୁହେଁ ସାଙ୍ଗ ଥିଲେ । ଯଦି କଲେଜ୍ରେ ପଢ଼ିଲା ବେଳେ ପ୍ରେମ କରୁଥାଅ ତେବେ ସିନିୟର ଭାଇ ମାନେ ମତ ଦେଇଛନ୍ତି “ଆଗ ସାଙ୍ଗ, ପଛେ ପ୍ରେମିକା” । ପ୍ରିୟଙ୍କା ସହ କରିଥିବା ହ୍ଵାଟ୍ସଆପ୍ ଚାଟିଙ୍ଗ୍ ପରସ୍ପର ସହ ଦେଖା ଦେଖି ହୋଇଗଲେ ସାଙ୍ଗ ଦୁହେଁ । ସେମାନେ ବୁଝିଯାଇଥିଲେ ପ୍ରିୟଙ୍କା ତାଙ୍କ ସହ ଡବଲ ଗେମ ଖେଳୁଛି ।
ସେଦିନ ପରଠାରୁ ପ୍ରିୟଙ୍କା ସହ ଗୁପ୍ଚୁପ୍ ଖାଇବା ଚାଟିଙ୍ଗ୍ କରିବା ତ ଦୂରର କଥା, ତା’ ମୁହଁକୁ ବି ଅନାଇଲେ ନାହିଁ ସାଙ୍ଗ ଦୁଇ । ଦେବାଶିଷ୍ ଓ ଶେଖରର ଆଚରଣରେ ପରିବର୍ତ୍ତନ ପ୍ରିୟଙ୍କା ବାରି ପାରିଥିଲା । ହେଲେ ସେ ଏ ଲଭ ଲେଟର ଦିଆ ନିଆ ବିଷୟରେ କିଛି ଜାଣି ପାରିନଥିଲା । ସେ ଜାଣିପାରିନଥିଲା ଦୁଇଟା ପୁଅ ତା ପ୍ରେମରେ ପଡ଼ି ବ୍ରେକ୍ ଅପ୍ ମଧ୍ୟ କରିସାରିଥିଲେ । ହେଲେ ଦେବାଶିଷ୍ ଗୁପଚୁପ ନ ଖୁଆଇଲେ କିମ୍ବା ଶେଖର ତା ସହ ଗପ ନ କଲେ ତାକୁ କିଛି ଫରକ ପଡୁ ନ ଥିଲା କାରଣ ତା’ର ତ ଅଲରେଡ଼ି ଗୋଟେ ବଏଫ୍ରେଣ୍ଡ୍ ବା ପ୍ରେମିକ ଟେ ଥିଲା ।