ଅଣୁଗଳ୍ପ

ଖବରକାଗଜ

Khabarakagaj an odia short story by Hemanta Kumar Rout

ଆମେ ଅପରାଧୀ ଭଳି କହିଲୁ, “ଭୁଲ୍ ହୋଇଛି ସାର୍, ଆମେ କ୍ଷମା ମାଗୁଛୁ ଆପଣଙ୍କ ପାଖରେ ।”

ଖବରକାଗଜ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଦୁଇଘଣ୍ଟା ଧରି ଟ୍ରେନ୍‌ରେ ବସିଥାଉ । ସଙ୍ଗରେ ଜଣେ ଅନ୍ତରଙ୍ଗ ବନ୍ଧୁ । ମୁଁ ଚା’ ପିଏ ସେ ପାନ ସିଗାରେଟ୍ ପିଅନ୍ତି । ମଝିରେ ମଝିରେ ବାଦାମ ମଞ୍ଜି ପକାଉଥାଉ ପାଟିରେ । ହଠାତ୍ କାଗଜ ବିକାଳି ଆସିଗଲା । କେହି ଆମେ କାଗଜ କିଣିଲୁନି । ଆମ ପାଖରେ ବସିଥିବା ସେଇ ମୋଟାଲୋକ କିନ୍ତୁ କିଣିଲେ । ସେ ପଢ଼ିବା ପରେ ଆମେ ତାଙ୍କ କାଗଜ ଆଣି ଆଖି ପକେଇଲୁ ।

ହଠାତ୍ ସେ ନିଦରୁ ଉଠି କାଗଜ ଖୋଜିଲେ । ଆମ ହାତରେ ଦେଖି ଆମକୁ କିଛି ସମୟ ନିରୀକ୍ଷଣ କରି ତା’ପରେ କହିଲେ ।

“ମୋତେ ନ ପଚାରି ମୋ କାଗଜ ଉଠେଇଲ କାହିଁକି ?” ଆମେ କହିଲୁ, “ଟିକେ ଦେଖିବା ପାଇଁ ଆଣିଲୁ ସାର୍ ।”

ତେବେ ବି ମୋ ଅନୁମତି ଦରକାର । ମୋତେ ନ ଜଣାଇ ମୋ କାଗଜ ଉଠେଇବା ଅନ୍ୟାୟ ।

କାଗଜ ମାଗି ଆଣି ପଢ଼ିବା, କାହାକୁ ନ କହି ଉଠେଇବା ଏସବୁ ଅଭ୍ୟାସ ଆମର ଆଗରୁ । ଆମେ ଅପରାଧୀ ଭଳି କହିଲୁ, “ଭୁଲ୍ ହୋଇଛି ସାର୍, ଆମେ କ୍ଷମା ମାଗୁଛୁ ଆପଣଙ୍କ ପାଖରେ ।”

ସେତିକିରେ କ’ଣ ସରିଗଲା ? ମୋ ପିଲା ହୋଇଥିଲେ ଉଚିତ୍ ଦଣ୍ଡ ପାଇଥାନ୍ତେ । ମୋତେ ନ ଜଣେଇ ମୋ ଜିନିଷ କେହି ଉଠାନ୍ତି ନାହିଁ । କ୍ଷମା ମାଗିବା ସବୁ ସମସ୍ୟାର ସମାଧାନ ନୁହେଁ ।

ପାଖାପାଖି ଯାତ୍ରୀମାନେ ବସିଥାନ୍ତି । ଆମକୁ ଭାରି ଅଡୁଆ ଲାଗୁଥାଏ । ହେଲେ ତାଙ୍କର କ୍ରୋଧ ଶାନ୍ତ ହେଉ ନ ଥାଏ ।

ଆମେ କହିଲୁ, “ସାର୍ ଆମେ ତ ଭୁଲ୍ କରିଛୁ, ମାନୁଛୁ ଆମେ ଆଉ କ’ଣ କରିବୁ ?”

ଏଥର ମହାଶୟ ଚୁପ୍ ! କିଛି ସମୟ ରହି ପୁଣି କହିଲେ । “ଦୁଇ ଘଣ୍ଟା ଧର ମୁଁ ଲକ୍ଷ୍ୟ କରୁଛି । ପାନ ସିଗାରେଟ୍ ଚା’ ଖାଉଛ । ବାଜେ ଖର୍ଚ୍ଚ ଏଗୁଡ଼ା, ଅଥଚ ଖଣ୍ଡେ କାଗଜ କିଣୁନ । ଏତେ ଶୀତ ରାତିରେ ସେ କାଗଜ ଆଣି ବିକୁଛି । ଆମ ପାଇଁ ନା କାହା ପାଇଁ ? ଆମ ଭାଷାର ପତ୍ର ପତ୍ରିକାର ଅବସ୍ଥା କ’ଣ ? ଆମେ କିଣିବାକୁ ପସନ୍ଦ କରୁନା ।” ମୁଁ କହିଲି, “ସାର୍, ଗୋଟେ ଶିକ୍ଷା ପାଇଲୁ, ଆଜିଠୁ କାଗଜ କିଣି ପଢ଼ିବୁ ।” ତା’ପରେ ସେ ତାଙ୍କ ଆଟାଚ୍‌ରୁ ଦୁଇଖଣ୍ଡ ବହି ବାହାର କରି ଆମ ଦି’ଜଣଙ୍କୁ ଧରାଇଲେ । ତାଙ୍କ ନିଜ ଲେଖା । ଆମେ ବ୍ୟସ୍ତ ହୋଇ ପଡ଼ିଲୁ, ଆମ ପାଖରେ ବହି କିଣିବାକୁ ପଇସା ନାହିଁ ।

ଆମକୁ ଲକ୍ଷ୍ୟ କରି କହିଲେ, “ତମେ ପଇସା ଦବନି । ତମେ ଦୋଷ ସ୍ୱୀକାର କଲ । ତେଣୁ ତମ ପ୍ରତି ଶ୍ରଦ୍ଧା କରି ଦୁଇଖଣ୍ଡ ବହି ଦେଲି । ଆଜିକାଲି ପିଲେ ଦୋଷ ସ୍ୱୀକାର କରନ୍ତି ନାହିଁ । ମୁଁ ଜାଣେ ଶହେ ଟଙ୍କା ତମେ ଦେଇପାରିବନି, କିନ୍ତୁ ତମର ସାମର୍ଥ୍ୟ ଅନୁସାରେ କିଣିବାକୁ ଯେପରି ନ ଭୁଲ, ଏତିକି କଥା ମନେରଖିବ ।”

ଆମେ ନିର୍ବାକ ହୋଇ କେବଳ ଚାହିଁ ରହିଛୁ ।

1 Comment

1 Comment

  1. Krushna Chandra Swain

    September 27, 2017 at 7:17 pm

    Excellent writing sir. This is happening in most of the trains and buses. We are wasting money on unnecessary things like cigarettes but not on useful things.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top