କାଲି ମୁଁ ଶୁଣିଲି,
ଏବେର ଅପ୍ରତ୍ୟାଶିତ ବିତ୍ତୀୟ ପରିସ୍ଥିତି ମଧ୍ୟରେ ଚମ୍ପାବନର* ଏକ ବ୍ୟାଙ୍କ ଶାଖାରେ ଯୁଦ୍ଧକାଳୀନ ଭିତ୍ତିରେ ସାଧାରଣ ଜନତାଙ୍କୁ ସେବା ଯୋଗାଇଦେବା ପାଇଁ କର୍ତ୍ତବ୍ୟ ରତ ଥିବା ଜଣେ ସରଳ, ଅମାୟିକ ସହାୟକ ଶାଖା ପରିଚାଳକଙ୍କୁ ଜଣେ ସ୍ଥାନୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଜୀବନର ଧମକ ଦେଇଛନ୍ତି ! ଉପ-ଶାଖା ପରିଚାଳକଙ୍କ ଦୋଷ ହେଲା, “ବାବୁଙ୍କ ଦୂତ ଦୁଇ ଲକ୍ଷ ଟଙ୍କା ଧରି ଅନ୍ୟାନ୍ୟ ସାଧାରଣ ଜନତାଙ୍କ ଭଳି ଧାଡିରେ ଠିଆ ହେଲେ!”ଏଇଟା ବାବୁଙ୍କୁ ଏମିତି ବାଧିଲା ଯେ, ସେ ଉକ୍ତ ଶାଖା ପରିଚାଳକଙ୍କୁ ଫୋନରେ ତାଙ୍କ ୪ ପିଢ଼ିକୁ ନେଇ ଅସାଂସଦୀୟ ଉପମାରେ ଆରତୀ କଲେ ! ବାବୁ “ଦେଖି ନେବେ “ବୋଲି ଘୋଷଣା କଲେ ! ଏହା ବି କହିଲେ ଯେ ସେ ତାଙ୍କୁ ଆଉ ଚମ୍ପାବନରେ ରଖେଇ ଦେବେନି ! ଚମ୍ପାବନରେ ତାଙ୍କର କୁଆଡେ ବଡ ପ୍ରଭାବ ! ବଡ ବଡ ଗୁଣ୍ଡା ଆଉ ହାକିମ କୁଆଡେ ତାଙ୍କର ଗରାଖ !
କେଜାଣି – ଚମ୍ପାବନର ମାଟି ବୋଧେ ତାଙ୍କର ପୈତୃକ ସମ୍ପତ୍ତି !”ମତେ ଭାରି ଦୁଃଖ ଲାଗିଲା ଏ ସବୁ କଥା ଶୁଣି | ଏ ସମାଜରେ ଗୋଟେ ସାଧାରଣ ଜୀବନର କ’ଣ କିଛି ମୂଲ୍ୟ ନାହିଁ ! ଖାଲି ନାଲିବତୀ ଗାଡି ଚଢା ବାବୁ, ହାକିମ, ପୁଞ୍ଜିପତି, ବ୍ୟଭିଚାରୀ ମାନେ ହିଁ ବଞ୍ଚିବେ ? ଆଉ ସାଧାରଣ ଲୋକଟେ ଏମାନଙ୍କ ଭୟରେ ବାରମ୍ବାର ବାର ଦୁଆର ଶୁଣ୍ଢି ପିଣ୍ଡା ହଉଥିବ ? ପୁଣି ନ୍ୟାୟ ଆଉ ନାଯ୍ୟ ଅଧିକାର ପାଇଁ ବଡ ବଡ ତାଲା ଲାଗୁଥିବା ସେହି ବଡ ଦୁଆରମାନଙ୍କରେ ହିଁ ଗୁହାରି କରୁଥିବ?
ବନ୍ଧୁ ଶାଖା ପରିଚାଳକ ଜଣକ ଭାରି ବ୍ୟସ୍ତ ହୋଇ ମତେ ଜଣେଇଲେ! ହେଲେ ମୁଁ ବି କଣ କରି ପାରିବି ! ମୁଁ ସେଠି ପାଖରେ ଥିଲେ ବୋଧେ ଜୀବନକୁ ବାଜି ଲଗେଇ କେଜରିୱାଲ ଭାଇଙ୍କ ଭଳି ଧାରଣା ଦେଇଥାନ୍ତି ! ଅନ୍ୟାୟ ବିରୁଦ୍ଧରେ ଲଢେଇ କରିଥାନ୍ତି ! ମୁଁ ତ ଏଠି ବସିଛି ! ଦେଶ ବାହାରେ ! ମୁଁ ବି ତ ସେମାନଙ୍କ ପାଇଁ ଏକ ସାମାନ୍ୟ, ପରିଚୟହୀନ, ପ୍ରଭାବହୀନ ଚରିତ୍ର କାରଣ ମୋ ପାଖେ ନାଲିବତୀର କବଚ ନାହିଁ ! ମୁଁ କେବଳ ଏତିକି କହିଲି , ଯେଉଁ ଦେଶରେ ପ୍ରଧାନମନ୍ତ୍ରୀଙ୍କ ବୋଉ ବି ଧାଡିରେ ଅପେକ୍ଷା କରି ନୋଟ ପରିବର୍ତ୍ତନ କରୁଛନ୍ତି, ତୁମେ ଆଉ କାହାକୁ ଭୟ କାହିଁ କରୁଛ ? ତୁମକୁ ସାଧୁବାଦ ଯେ ତୁମେ ତୁମର କର୍ତ୍ତବ୍ୟ ନିଷ୍ଠାର ସହ କରିଛ ! ଦରକାର ପଡିଲେ ତୁମେ ପୁଲିସକୁ ସୂଚନା ଦିଅ |
ହେଲେ ଅନଧ ଶାଖା ପରିଚାଳକ ବଡ ଆତଙ୍କିତ କଣ୍ଠରେ ଉତ୍ତର ଦେଲେ, ‘ଦେଖିବା’ !
(*ସତ୍ୟ ଘଟଣା ଉପରେ ଆଧାରିତ, “ଚମ୍ପାବନ”ଏକ କଳ୍ପିତ ନାମ )