ବାବୁ ! ଦୁଇ ଦିନ ହେଲା କିଛି ଖାଇନୁ…. । ସେ ଖୋଲା ପାପୁଲି ଦେଖାଇ ନିଜ ଡାହାଣ ହାତ ଟ୍ରେନର ଝରକା ଭିତରେ ଗଳେଇଦେଲା । ଛିଣ୍ଡା ଶାଢୀ, ମଳିନ ଚେହେରା, ନୁଖୁରା କେଶରେ ବି ତା’ର ତଥାପି ଚିକ୍ ଚିକ୍ କରୁଥିବା ଆଖି ଯୋଡ଼ିକରେ ଭରି ରହିଥିଲା ଜୀବନ ଜିଇଁବାର ଦୃଢ ସଂକଳ୍ପ । କରୁଣ ସ୍ୱରରେ ବହୁତ ଅନୁନୟ । ସେ ଟ୍ରେନ୍ ଯାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲା ନିଜର ବଢିଲା ପେଟକୁ ଇସାରା କରି । କାଖରେ ଧରିଥାଏ ଏକ ଛୋଟ ଶିଶୁ ଯିଏ କି କାନ୍ଦୁଥାଏ ମା’ର ପେଟରେ ଗୋଡ଼ ଛାଟି ଛାଟି । ‘ଓଃ! ଏଗୁଡ଼ାକ !’ କହି ଘୃଣାରେ ଟିକେ ଘୁଞ୍ଚି ଗଲା ଦେବାଶିଷ । ‘ପିଲା ଜନ୍ମ କରିବାକୁ କିଏ କହୁଛି ?’ ତା’କଣ୍ଠରେ ଥିଲା ବ୍ୟଙ୍ଗଭରା ତାତ୍ସଲ୍ୟତା । ସେ ସ୍ତ୍ରୀଟି ଥିଲା ନିର୍ବିକାର, ସେ ଅନ୍ୟ ଏକ ଝରକା ପାଖକୁ ଗଲା । ଏହି ସମୟରେ ଏକ ବୃଦ୍ଧ ବ୍ୟକ୍ତି ଏକ ବଡ଼ ଲଗେଜକୁ ଟାଣିଟାଣି ଟ୍ରେନ୍ ଆଡ଼କୁ ଯାଉଥିବାର ଦେଖି ସେ ସ୍ତ୍ରୀ ଲୋକଟି ଦୃତ ଗତିରେ ଯାଇ ଅତି ଆତୁରତାର ସହ କାମ ମାଗିଲା । ପିଲାଟିକୁ ତଳେ ଛାଡ଼ି ଲଗେଜଟିକୁ ଧରି ସେ ଭଦ୍ର ବ୍ୟକ୍ତିଙ୍କ ସିଟ ପାଖରେ ପହଞ୍ଚାଇ ଦେଲା ଓ କୃତ କୃତ ହେଇ ନିଜର ପ୍ରାପ୍ୟ ଗ୍ରହଣ କଲା । ପାଖ ସିଟରେ ବସିଥିଲା ଦେବାଶିଷ । ଟ୍ରେନଟି ପ୍ଲାଟଫର୍ମ ଛାଡିଲା । ଏକ କେକ୍ ପ୍ୟାକେଟ୍ ଖୋଲି ହସି ହସି ସେ ଅତି ଆଦରରେ ଖୁଆଇଲା ନିଜ ସ୍ତ୍ରୀ ଦେବସ୍ମିତାକୁ ଯେ କି ତିନି ମାସର ଗର୍ଭବତୀ ଓ ଏକ ଚିସ୍ପ୍ ପ୍ୟାକେଟ୍ ବଢାଇଦେଲା ନିଜର ପାଞ୍ଚ ବର୍ଷର ଝିଅ ମିଲୁକୁ ।
ଫରକ
ଲେଖିଛନ୍ତି
ଓଃ! ଏଗୁଡ଼ାକ !’ କହି ଘୃଣାରେ ଟିକେ ଘୁଞ୍ଚି ଗଲା ଦେବାଶିଷ । ‘ପିଲା ଜନ୍ମ କରିବାକୁ କିଏ କହୁଛି ?
ଫରକ