ସଖୀଲୋ ! ତୋ ପାଇଁ ମୂର୍ତ୍ତିଟିଏ ନାହିଁ । ଠାକୁର ପାଇଁ ମନ୍ଦିର । ତୋ ପାଇଁ ସଞ୍ଜବତୀଟିଏ ନାହିଁ । ଠାକୁର ପାଇଁ ଘୃତ ଆହୁତି । ତୋ ପାଇଁ ପାଣି ଚଳେ ନାହିଁ । ଠାକୁର ପାଇଁ ମଣୋହି ଭୋଗ । ତୋ ପାଇଁ ମୁଣ୍ଡିଆଟିଏ ବି ନାହିଁ । ଦେବଙ୍କ ପାଇଁ ଭଜନ କିର୍ତ୍ତନ । ସଖୀଲୋ ତୁ ତ ଗୋଟିଏ ମଣିଷ ଚାଷି ଝିଅଟା । ତୁ ବୁଲାଉ ଥିବା ବେଙ୍ଗଳାର ମେରିରୁ ହେଲା ବଟ ବୃକ୍ଷ, ଲୋକ କଥା ସବୁବେଳେ ଉଡାଇଲା ପରି କଥା ନୁହେଁ । ବରତାଳ ବଞ୍ଚିଲା । ସେଇଠୁ ସୃଷ୍ଟି ହେଲା ଧର୍ମୀୟ ବିଶ୍ୱାସ । ତାହାହିଁ ଆଜିର ଧର୍ମପୀଠ ସୃଷ୍ଟି କରିଛି । ସାଧାରଣ ମେରିରୁ ହେଲା ବଟ ବୃକ୍ଷ, ବଟ ବୃକ୍ଷରୁ ହେଲା ବଟବନ । ବଟବନରେ ଦିଅଁ ଲୁଚିଲେ କିଛିବର୍ଷ ନିରୋଳାରେ । ତାଙ୍କୁ ମନେରଖିବା ପାଇଁ ମଠ, ମନ୍ଦିର, ତୀର୍ଥ, ଯଜ୍ଞ ଇତ୍ୟାଦି ହେଲା ।
ସଖୀଲୋ- ତୁ ହେଲୁ ସ୍ରଷ୍ଟା ତୋ ପାଇଁ କିଛି ନାହିଁ । ତୋ ନା ବୁଡାଇ ଦେବାକୁ ବି ଚେଷ୍ଟା କରାଗଲା । କୁହାଗଲା ସେ ସାଧାରଣ ଚାଷୁଣୀ ଝିଅ ଯୋଗୁ “ସଖୀବଟ” ନୁହେଁ । ସଖୀବଟରେ ସଖୀମାନଙ୍କ ସହ ଦିଅଁ ଏଠାରେ ରାସ କରୁଥିବାରୁ ସଖୀବଟ ନାଁ ଏହାର ହେଇଛି । ଏହା ମଧ୍ୟ ବଳରାମ କୃଷ୍ଣଙ୍କ ବିହାରର ସାକ୍ଷୀ ହେଇଥିବାରୁ ଏହାର ନାମ ସାକ୍ଷୀବଟ, ସଖୀବଟ ନୁହେଁ । ସାକ୍ଷୀବଟର ଅପଭ୍ରଂଶ ନାଁ ଏହା । ସଖୀର ନାମକୁ ବୁଡାଇ ଦେବାର ବ୍ୟବସ୍ଥା ଚାଲିଲା ।
ଗବେଷଣା ଚାଲୁ । ସ୍ରଷ୍ଟାର ନାଁ ବୁଡାଇ ଦେବାକୁ ଚେଷ୍ଟା କରାନଯାଉ । ଏବେ ସତେ ଯେମିତି ପ୍ରତ୍ୟେକ ବଟବୃକ୍ଷରୁ ସଖୀ ବିଳାପ କରି କହୁଛି “ଏ ହଳଧାରୀ ! ବଟବନ ଥିବାରୁ ସିନା ଆପଣ ଲୁଚିଲେ । ହେ ବଂଶୀଧାରୀ ! ଏ ବଟବନ ଥିବାରୁ ସିନା ଆପଣ ସଖୀମାନଙ୍କ ମେଳେ ରାସ ରଚିଲେ । ହେ ମହାପୁରୁଷ ଅଚ୍ୟୁତ ! ବଟବନ ଥିବାରୁ ସିନା କୃଷ୍ଣ ବଳରାମଙ୍କ ରାସକଥା ଆପଣ ମାଳିକାରେ ଉଲ୍ଲେଖ କଲେ ।
ଏ ବଟବନର ଯେ ସ୍ରଷ୍ଟା ତା’ର ନାମ ରହିବ କି ବୁଡିଯିବ ଏ ବିଷୟରେ ଟିକେ ଭାବିଲେନି ତ । କାଳିଜାଇ ଚିଲିକାରେ ବୁଡିଯାଇ ଆଜି ଦେବୀ ହେଇଗଲା । ତଅପୋଇ ମଙ୍ଗଳାଙ୍କୁ ପୂଜି ଘରମଣି ପାଇଁ ଆଜି ଖୁଦୁରୁକୁଣୀଙ୍କ ପାଖରେ ତଅପେଇ ପୂଜିତା । ସେହିପରି ମୁଁ ଚାହୁଁନି ମନ୍ଦିର କି ମୂର୍ତ୍ତି । ମୁଁ ଏଥିରେ ଖୁସି ହେବିନି । ମୋର ଆତ୍ମା ଏହି ବତ ବଟବୃକ୍ଷରେ ଅଛି । କେହି ଜଣେ ହେଲେ ଏ ବଟବୃକ୍ଷ ପୂଜୁ ନାହାନ୍ତି । ଯିଏ ଏଠାରେ ଦେବତାଙ୍କୁ ପୂଜିବା ସହିତ ମୋର ବଟବୃକ୍ଷ କୁ ପୂଜିବ ସେ ମୋର ଆଶୀର୍ବାଦ ଲାଭ କରିବ । ଯିଏ ଏହା ମୂଳରେ ପାଣିଟିକେ ଦେବ ସେ ମହତ୍ ପୂଣ୍ୟ ଅର୍ଜନ କରିବ । ଯିଏ ଏ ବୃକ୍ଷମୂଳରେ ମୁଣ୍ଡିଆଟିଏ ମାରିବ ସେ ଏଠାର ସମସ୍ତ ଦେବତାଙ୍କୁ ପୂଜିବାର ଫଳଲାଭ କରିବ ।
ମୁଁ ନାହିଁ, ମୋ ଆତ୍ମ ଏଠି ରହିଛି । ଆତ୍ମା ଚାହେଁ ଶ୍ରଦ୍ଧା, ବଟବୃକ୍ଷ ପ୍ରତି ସମସ୍ତ ଶ୍ରଦ୍ଧା ରହୁ । ଏହା ପ୍ରତି ଅତ୍ୟାଚାର ନ ହେଉ । ମନ୍ଦିର ବଢୁ ହେଲେ ବଟବୃକ୍ଷ ନ କମୁ । ଦେବତା ବଢନ୍ତୁ ହେଲେ ବଟବୃକ୍ଷ ଏଠି ଦେବତାଙ୍କ ସମ୍ମାନ ପାଆନ୍ତୁ ।