ମାଘ ମାସର ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ରାକେଶ ବାବୁ ଓ ରାଗିଣୀ ଦେବୀଙ୍କର ପାଣିଗ୍ରହଣ ବିଧି ଯଥୋଚିତ ଭାବେ ସମ୍ପାଦିତ ହୁଏ । ବିବାହ ପରେ ଦୁହେଁ ନାନା ରଙ୍ଗ ବେରଙ୍ଗର ସଜା ଯାଇଥିବା ଯାଇ ବସିପଡ଼ନ୍ତି । ବାଟ ସାରା କୋହଲା ପବନର ମାଡ଼ ଖାଇ ରାଗିଣୀ ଦେବୀଙ୍କ ର ସେହି ଲୁହ ଭିଜା ଆଖି ପତା ଗୁଡ଼ିକ ଅନାୟସରେ ବୁଜି ହୋଇଯାଏ । ଦୀର୍ଘ ୪୦ ମିନିଟ୍ ର ରାସ୍ତା ଅତିକ୍ରମ କରି ସାରିବା ପରେ ଗାଡ଼ି ର ହର୍ଣ୍ଣ ଶବ୍ଦରେ ରାଗିଣୀ ଦେବୀଙ୍କର ସ୍ଵପ୍ନଭରା ଆଖି ଦୁଇଟି ଖୋଲିଯାଏ । ଅନାବିଳ ଉତ୍ସୁକତାରେ ଭରା ତାଙ୍କ ଚଗଲୀ ମନ ଏବେ କାହିଁ କେଜାଣି ଅଶାନ୍ତିର ବାଆରେ ଚଳଚଞ୍ଚଳ ହୋଇପଡ଼େ ? ଶରୀରର ପ୍ରତ୍ୟେକ ଅବୟବ ଗଣ ସତେ ଯେପରି ଶିଥିଳତା ଭରା ସଙ୍ଗୀତରେ ନୃତ୍ୟ କରି ଉଠନ୍ତି । ଅନିଚ୍ଛା ସତ୍ତ୍ୱେ ମଧ୍ୟ ରାଗିଣୀ ଦେବୀଙ୍କର ସେହି କଥାକୁହା ଆଖିର ଦୃଷ୍ଟି ସ୍ୱାମୀ ରାକେଶ ବାବୁଙ୍କ ଉପରେ ପଡ଼ିଯାଏ । ସ୍ତ୍ରୀଙ୍କର ଅକୁହା ମନର ଭାବଭାଷା କୁ ବୁଝି ପାରି ରାକେଶ ବାବୁ ତୁରନ୍ତ ଯାଇ କାର୍ ର ଡୋର୍ ଖୋଲି ଦିଅନ୍ତି ।
ହାତେଲମ୍ବର ଓଢଣା ଟାଣି କାର୍ ଭିତରୁ ବାହାରକୁ ଚାଲି ଆସନ୍ତି ରାଗିଣୀ ଦେବୀ । ଗାଁ , ପଡ଼ୋଶୀ ର କିଛି ସ୍ତ୍ରୀ ଲୋକ, ଝିଅ ପିଲା ସଅଳ ପାଛୋଟି ନିଅନ୍ତି ତାଙ୍କୁ । ଆଉ କି ରକ୍ଷା ଥାଏ ? ମନରେ ଭିତରେ ଅନେକ ଲାଜ , ଭୟ , ଡର ର ମିଶ୍ରଣ ଗୁଡ଼ାକ ତାଙ୍କୁ ଅବଗତ କରାଇ ଦେଉଥାନ୍ତି , ଏମାନେ ତ ନିଜ ଲୋକ ପରି ନୁହେଁ …., ସତେ ଯେପରି ” କାଉ ବସାରେ ଢମଣା ପଶିଲା ” ପରି ମତେ ଘେରି ରହିଛନ୍ତି , କି ଭୁଲ୍ ଅବା ମୁଁ କରିଛି ? ସେ ଯାହା ବି ହଉ ; କଷ୍ଟମଷ୍ଟେ ଏରୁଣ୍ଡି ବନ୍ଧ ଯାଏ ଆସିଲା ପରେ ଭିତର ପଟୁ କାହାର କଡ଼ା ତାଗିଦ୍ ର ଶବ୍ଦ ଶୁଭେ…. ରୁହ ! ରୁହ ! ଆଳତୀ ଥାଳି ସହ ବିଧିସଜ ନେଇ ଯାଉଛୁ । ଅନିଚ୍ଛା ସତ୍ତ୍ୱେ ବି ଲାଜରେ ମରି ମରି ସ୍ଵାମୀଙ୍କ ପାଖରେ ରାଗିଣୀ ଦେବୀ ଏରୁଣ୍ଡି ବନ୍ଧ ବାହାରେ ଲୋକ ଗହଳି ରେ ଛିଡ଼ା ହୋଇଥାନ୍ତି । ଶାଶୁ ସୁଲୋଚନା ଦେବୀ ଆଳତୀ ସାରି ନିର୍ଦ୍ଦେଶ ଦିଅନ୍ତି ; ଆଲୋ ମା’ ତୋ ବାମ ପଟ ପାଦ ଆଗ ରଖି ଘର ଭିତର କୁ ପ୍ରବେଶ କର । ଶାଶୁ ଙ୍କ ମୁହଁରୁ କଥା ନସରୁଣୁ ରାଗିଣୀ ଦେବୀ ପ୍ରଥମେ ଆଜ୍ଞା ପାଳନ କରି ସାରିଲେଣି । ଲାଲ୍ ଟହଟହ ସିନ୍ଦୂର ଟୋପା କୁ ମହଣ ଓଜନ ର ସେହି ନାଲି ପାଟ ଶାଢ଼ୀ ସହ, ସୁବର୍ଣ୍ଣ ର ଆୟ ଅଳଙ୍କାର ରେ ଛାଉଣୀ ହୋଇ, ଚାନ୍ଦୀ ର ପାଉଁଜି ସହ ମୁଣ୍ଡରେ ନାଲି ଧଡ଼ି ଓଢଣା ଦେଇ , ରକ୍ତଜବା ଅଳତା ର ସମ୍ମିଶ୍ରଣ ରେ ବୋହୂ ମୋର ଆଜି ଭାରି ସୁନ୍ଦର୍ ଦେଖାଯାଉଛି । ସାକ୍ଷାତ୍ ମା ଲକ୍ଷ୍ମୀ ସାଆନ୍ତାଣୀ ମୋ ଘର କୁ ବିଜେ କରିଛନ୍ତି କହି ସୁଲୋଚନା ଦେବୀ ବୋହୂ କୁ ଘର ଭିତର କୁ ନେଇଯାଆନ୍ତି ।
ବିବାହର ଚାରିକ୍ରମ ପରେ ଗୋଟିଏ ଶଯ୍ୟାରେ ସ୍ଵାମୀ ଙ୍କ ପାଖରେ ବସି ପ୍ରଶ୍ନ ବାଢ଼ନ୍ତି ରାଗିଣୀ ଦେବୀ । ବାସ୍ତବରେ ମତେ ବହୁତ ଭଲ ଲାଗିଲା ମୋ ଶାଶୁଘର ଓ ମୋ ନୂଆ ପରିବାର । ଆଚ୍ଛା ! ସାଧାରଣ ଭାବେ ମତେ ବୋହୂ ଭାବେ ଗ୍ରହଣ କରିଥିଲେ କଣ ହୋଇ ନଥାନ୍ତା ? ଏତେ ଯାକାଜକମରେ ସ୍ୱାଗତ କରିବାର କ’ଣ ଆବଶ୍ୟକ ଥିଲା ଯେ ? ସ୍ତ୍ରୀ’ଙ୍କର ପ୍ରୀତିଭରା ପ୍ରଶ୍ନରେ ଉତ୍ତର ରଖନ୍ତି ରାକେଶ ବାବୁ ସ୍ଵାଗତ, ସ୍ଵାଗତ ଏକ ଶାଶ୍ଵତ, ନିରନ୍ତର ବିଧିବଦ୍ଧ ପ୍ରକ୍ରିୟା ତ କେବେ ଏକ ପାଳନୀୟ ପରମ୍ପରା । ପୁଣି କେବେ ପର୍ବର ଉତ୍ସାହ ତ କେବେ ନବଚେତନାର ଗନ୍ତାଘର । ନବଦିଗନ୍ତର ନୂତନ ପ୍ରମାଣ ପରି ଏହା ସଦା ଉଲ୍ଲାସିତ କରେ ଭାବନା ର ଦିବ୍ୟ ଚେତନାକୁ । ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧନ ର ଆଲିଙ୍ଗନର ଫାଶରେ ସ୍ଵାଗତ ଜାବୁଡ଼ି ଧରେ ନିଜର ନବାଗତ ଅତିଥି ମାନଙ୍କୁ । ପୁନଃ ପ୍ରେମ , ସ୍ନେହ ର ଭେଟି ଦେଇ ଆନନ୍ଦ ର ଜୁଆର ଖେଳାଏ ସେମାନଙ୍କ ମନ ସରୋବରରେ , ବାସ୍ ! ଅପେକ୍ଷା ଆଉ ଆକାଂକ୍ଷା ର ଡୋର ରେ ଛନ୍ଦି ହୋଇ ପଡ଼େ କେବେ କେବେ ସ୍ୱାଗତ । ଭାବେ କ’ଣ ସତରେ ସ୍ଵାଗତମୟୀ ଅତିଥି ଗଣ ମୋ ପାଖରେ ସଦା ନିଜର ହୋଇ ରହିବେ ନା ସମୟର ସ୍ରୋତ ରେ ମତେ ଛାଡ଼ି ସେମାନେ ମଧ୍ୟ ବିଦାୟର ପର୍ବରେ ସାମିଲ ହୋଇଯିବେ ……? ଏଇ ଯେମିତି ” ଜାତସ୍ୟ ଧ୍ରୁବ ମୃତ୍ୟୁ ” । ଜନ୍ମ , ମୃତ୍ୟୁ ଭଳି ସ୍ୱାଗତ ଓ ବିଦାୟ ମଧ୍ୟ ଏକ ସତ୍ୟ ପ୍ରକ୍ରିୟା ।
ସ୍ୱାମୀଙ୍କ ମୁହଁରୁ ଏସବୁ କଥା ଶୁଣି ସାରିବା ପରେ ରାଗିଣୀ ଦେବୀ ପ୍ରୀତିଭରା ଆଲିଙ୍ଗନ ର ଫାଶରେ ରାକେଶ ବାବୁଙ୍କୁ ଜାବୁଡ଼ି ଧରନ୍ତି । ଆଖିରେ ଅସୁମାରୀ ଲୁହର ସ୍ରୋତକୁ ପ୍ରଖର କରି , ସ୍ନେହଭରା ଆତୁର କଣ୍ଠରେ ହଠାତ୍ କହି ଉଠନ୍ତି , ହେଲେ ମୋ ଜୀବନ ରେ ମୁଁ ସର୍ବଦା ସ୍ୱାଗତ ଆଉ ମୃତ୍ୟୁକୁ ଆପଣେଇବି । ତମକୁ ସ୍ୱାଗତ କରି ସୌଭାଗ୍ୟବତୀର ସିନ୍ଦୂର କୁ ମଥାରେ ଧାରଣ କରି ମୁଁ ଅହ୍ୟରାଣୀ ମୃତ୍ୟୁକୁ ବରଣ କରିବି । ମୁଁ ସୌଭାଗ୍ୟବତୀ ହେଇ ମଶାଣୀ କୁ ଯିବି । ଜୋର୍ କରି ସ୍ତ୍ରୀ’ଙ୍କ କାନ୍ଧ କୁ ହଲେଇ ଦେଇ ରାକେଶ ବାବୁ ପ୍ରେମ ପୂର୍ଣ୍ଣ ଅଭିମାନରେ ଶାସନ କରନ୍ତି ପତ୍ନୀ ରାଗିଣୀ ଦେବୀଙ୍କୁ । “ଆଉ ଯେବେ ଏ କଥା କହିବ ତୁମ ସହ କଥା ହେବିନି ମୁଁ । ତୁମେ ମୋ ଜୀବନ ର ଅସ୍ତିତ୍ୱ , ତୁମେ ମୋର ସବୁକିଛି । ତୁମକୁ ଛାଡ଼ି ବଞ୍ଚିବା ମୋ ପାଇଁ ଦୁଃସ୍ଵପ୍ନ ସଦୃଶ ।” ଦୁହିଁ ଙ୍କ ର ଆଖି ର ଲୁହ ସେମାନଙ୍କ ପ୍ରେମ ନିବିଡ଼ତା କୁ ଏମିତି ବାନ୍ଧି ରଖିଥିଲା , ସତେ ଯେପରି ଆକାଶ ଓ ପୃଥିବୀ ପ୍ରେମର ସାକ୍ଷୀ ଡୋରି ରୂପୀ ବର୍ଷା ଭଳି ।
ପରଦିନ ସକାଳୁ ଡ୍ରେସିଂ ଟେବୁଲ୍ ଉପରେ ବସି ବଡ଼ ଆଇନାରେ ନିଜ ରୂପ କୁ ପାସୋରି , ମଥାରେ ସ୍ୱାମୀଙ୍କ ନାମରେ ସିନ୍ଦୂର ଲଗାଇ ସାରି କପାଳ ରେ ଯେବେ ଟିକିଲି ଫତା ରୁ ନାଲି ଟିକିଲି କୁ ମୁଣ୍ଡରେ ଲଗାନ୍ତି ରାଗିଣୀ ଦେବୀ, ତାଙ୍କୁ ଏମିତି ଅନୁଭବ ହୁଏ , ସତେ ଯେମିତି ନାରୀର ର ଆଉ ଗୋଟେ ସ୍ୱରୂପ ଜନ୍ମ ନେଇଛି ତାଙ୍କ ଜୀବନରେ । ଏଇତ ବୋହୂ ର ଅସ୍ତିତ୍ୱରେ ସେ କେତେ ସୁନ୍ଦର ଲାଗୁଛନ୍ତି । ସତେ ଯେପରି ଲାଲ୍ ଟୁକୁ ଟୁକୁ ସାଧବ ବୋହୂ ଟେ ପରି । ପଛ ପଟୁ ସ୍ଵାମୀଙ୍କ ହାତ ସ୍ପର୍ଶ ରେ ତାଙ୍କ ଭାବନା ଭାଙ୍ଗିଯାଏ । ତୁରନ୍ତ ପଚାରି ଉଠନ୍ତି ସ୍ୱାମୀଙ୍କୁ ରାଗିଣୀ ଦେବୀ , ଏଇ ଦେଖିଲ ମୁଁ କେମିତି ଲାଗୁଚି ? ସ୍ମିତ ହାସ୍ୟ ଟିକେ ବାଢ଼ି ଦେଇ ରାକେଶ ବାବୁ କୁହନ୍ତି , କଣ ଅବା କହିବି ? ଜହ୍ନ ରେ ସିନା କଳଙ୍କ ଲାଗେ , ହେଲେ ତମ ସୌନ୍ଦର୍ଯ୍ୟ ରେ କେବେ କାଳିମା ଲଗେନି । ତମେ ତ ବୟସ ହାଟରୁ ଯୌବନ କିଣିଛ । ପୁଣି ଯୌବନ ଫରୁଆ ରେ ତମ ମଖମଲ୍ଲୀ ଗୋରା ମୁହଁ ର ସୌନ୍ଦର୍ଯ୍ୟକୁ ଲୁଚାଇ ରଖିଛ । ତମ ଯୌବନ ରେ କେବେ ବାର୍ଦ୍ଧକ୍ୟ ଆସିବନି । ଏତିକି ଶୁଣି ରାଗିଣୀ ଦେବୀ ଙ୍କ ଖୁସି କହିଲେ ନସରେ ।
ଚାହୁଁ ଚାହୁଁ ୪ ବର୍ଷ ବିତିଗଲାଣି । ଦୁହିଁ ଙ୍କ ର ଏବେ ଗୋଟେ ୩ ବର୍ଷ ର ଅଲିଅଳୀ ଝିଅ ଅଛି, ଯାହାର ନାମ ସ୍ଵାତୀ । ହସଖୁସିରେ ସମ୍ପନ୍ନ ପରିବାର ରେ ଏବେ ଶାନ୍ତି ର ପୂର୍ଣ୍ଣତା ଆସିଛି । ହେଲେ କାଳର କରାଳ ଛାୟା ଦୁଃଖ ର ମାୟ ଜାଲ କୁ ଏ ଶାନ୍ତି ର ପରିବାର ଉପରେ ଏମିତି ବିଛେଇ ଦେବ ବୋଲି କିଏ ଜାଣିଛି ? ସକାଳୁ ସକାଳୁ ଉଠି ନିତ୍ୟ କର୍ମ ସାରିବା ପରେ ଅଫିସ୍ ବାହାରନ୍ତି ରାକେଶ ବାବୁ । ଜଳଖିଆର ପ୍ରସ୍ତୁତି କେତେ ବାଟ ଗଲାଣି ତଦାରଖ କରିବାକୁ ଗଲାବେଳୁ ରୋଷେଇ ଘରେ ପତ୍ନୀ ମହାଶୟ ଙ୍କ ଅନୁପସ୍ଥିତି ରେ ସେ ଅସ୍ତବ୍ୟସ୍ତ ହୋଇ ପଡ଼ନ୍ତି । କାଳେ ଘରେ କଣ କରୁଥିବେ ଭାବି ସେ ଶୋଇବା ଘରକୁ ଆସନ୍ତି । ବିଛଣାରେ ସ୍ତ୍ରୀ ଙ୍କୁ ଶୋଇବାର ଦେଖି ଭାବି ବସନ୍ତି ବୋଧ ହୁଏ ଦେହ ଖରାପ ଅଛି ରାଗିଣୀଙ୍କର । ପାଖକୁ ଯାଇ ସ୍ନେହଭରା କଣ୍ଠ ରେ ରାଗିଣୀ , ଏ ରାଗିଣୀ କହି ଟିକେ ହଲେଇ ଦିଅନ୍ତି ଧର୍ମପତ୍ନୀ ରାଗିଣୀ ଦେବୀ ଙ୍କୁ ……. ନିଃସ୍ତବ୍ଧ ହୋଇ ଏକାଏକ ତଳେ ବସି ପଡ଼ନ୍ତି ରାକେଶ ବାବୁ । ହୃଦଘାତରେ ସ୍ତ୍ରୀ’ଙ୍କର ଅକାଳ ବିୟୋଗ ସତେ ଯେପରି ରାକେଶ ବାବୁଙ୍କର ସହନଶୀଳତାର ମେରୁଦଣ୍ଡ କୁ ଭାଙ୍ଗିଦେଇ ତାଙ୍କୁ ନିର୍ବାକ, ସ୍ଥାଣୁ ପଥରର ପ୍ରତିମୂର୍ତ୍ତି ସଜେଇ ଦେଇଥିଲା । ସ୍ତ୍ରୀ’ଙ୍କ ଶବ କୁ ଛାତି ରେ ଧରି ଭୋ ଭୋ ହୋଇ କାନ୍ଦି ଉଠନ୍ତି ରାକେଶ ବାବୁ । କୋହଭରା କଣ୍ଠରେ ପ୍ରଳାପ କରନ୍ତି । “ତମେ ଜିତିଗଲ ରାଗିଣୀ , ତମେ ଜିତିଗଲ । ମୁଁ ହାରିଗଲି । ତମେ ସୌଭାଗ୍ୟବତୀ ହୋଇ ମତେ ଛାଡ଼ି ଚାଲିଗଲ । ତମେ ସେଦିନ ଭଳି ଆଜି ବି ସେମିତି ଚହଟୁଛ ନାଲି ସିନ୍ଦୂର ରେ, ତମ ଯୌବନ ରେ ବାର୍ଦ୍ଧକ୍ୟ ସିନା ଆସିନି, ହେଲେ ତମ ଅକାଳ ମୃତ୍ୟୁ ର ଅସହ୍ୟ ବେଦନା ରୂପୀ ଶୋକ ସାଗର ଟା ମୋ ଛାତି କୁ ଫଟେଇ ବିକ୍ଷିପ୍ତ କରି ଦେଇଛି ।” ସ୍ତ୍ରୀ ଙ୍କୁ କୋଳରେ ଧରି ରାକେଶ ବାବୁ ବହୁ ଜୋରରେ କାନ୍ଦିବାକୁ ଲାଗନ୍ତି । କାନ୍ଦୁ କାନ୍ଦୁ ତାଙ୍କ ନଜର ସ୍ତ୍ରୀ ଙ୍କ ଖାଲି କପାଳ ଉପରେ ପଡ଼ିଯାଏ । ବିନା ଟିକିଲି ରେ ତାଙ୍କ ମଥା କୁ ଚାହିଁ କହି ଉଠନ୍ତି ହେ ରାଗିଣୀ ! କଣ ମୋ ହାତରୁ ଶେଷ ସିନ୍ଦୂର, ଟିକିଲି ପିନ୍ଧିବା ପାଇଁ ମତେ ଏକା ଛାଡ଼ି ଚାଲିଗଲ ?
କାଳକ୍ରମେ ଶ୍ମଶାନ ଯାତ୍ରା ର ବିଧି ଆରମ୍ଭ ହୁଏ । ରାଗିଣୀ ଦେବୀଙ୍କ ମଥା ରେ ସିନ୍ଦୂର ଦେଇ , ହାତରେ ନାଲି ପାଣିଚୁଡ଼ି , ଶଙ୍ଖା ପିନ୍ଧେଇଲା ବେଳେ କଇଁ କଇଁ ହୋଇ କାନ୍ଦି ଉଠନ୍ତି ରାକେଶ ବାବୁ । ଶୋକରେ ଭାବ ବିଭୋର ହୋଇ କହିବାକୁ ଲାଗନ୍ତି , “ସେଦିନ ମତେ କହୁଥିଲ ମୁଁ ସୌଭାଗ୍ୟବତୀ ହୋଇ ମରିବି । କିଏ କହେ ମଣିଷ ମଲା ବେଳେ ମଶାଣୀ କୁ କିଛି ନିଏନି, ଖାଲି ହାତରେ ଯାଏ । ମୁଁ ମଲା ବେଳେ ତୁମେ ମୋ ହାତକୁ କୋକେଇ ରୁ ବାହାର କରି ଦୁଇ ପଟ କୁ ରଖିଦେବ। ଦୁଇ ହାତରେ ମାଳ ମାଳ ନାଲି ଶଙ୍ଖା ପିନ୍ଧି ମୁଁ ଦୁନିଆଁ ଦାଣ୍ଡରେ ସୌଭାଗ୍ୟବତୀ ର ନାଲି ଶଙ୍ଖା ନେଇ ମଶାଣୀ କୁ ଯିବି ଆଉ ଏ ସଂସାର ବାସୀ ଙ୍କ କଥା କୁ ମିଛ ପ୍ରମାଣିତ କରିବି । ଆଉ ଆଜି ତମେ ତମ କଥା କୁ ସତ କରି ଚାଲିଗଲ ରାଗିଣୀ ;” କହି କାନ୍ଦି ଉଠନ୍ତି ରାକେଶ ବାବୁ। ସ୍ତ୍ରୀ ଙ୍କ ଖାଲି ମଥାରେ ତାଙ୍କ ପ୍ରିୟ ନାଲି ଟିକିଲିକୁ ଲଗେଇବା ପାଇଁ ଯେବେ ରାକେଶ ବାବୁ ଘର ଭିତର ଡ୍ରେସିଂ ଟେବୁଲ୍ ପାଖକୁ ଯାଆନ୍ତି , ଟିକିଲି ଫତା କୁ ହାତରେ ଧରି ଅଧୈର୍ଯ୍ୟ ହୋଇ ଉଠନ୍ତି । ଦୌଡ଼ି ଆସି ସ୍ତ୍ରୀ ଙ୍କ ମଥା ରେ ଟିକିଲି ଫତା ର ଶେଷ ଟିକିଲିକୁ ଲଗେଇ ଦେଇ କୁହନ୍ତି , “ଆଜି ତୁମ ପରି ଏ ଟିକିଲି ମଧ୍ୟ ଏ ଟିକିଲି ଫତା କୁ ଛାଡ଼ି ଚାଲିଗଲା । ମୋ ଜୀବନ ଟା ଏ ଟିକିଲି ଫତା ପରି, ତୁମ ବିନା ପୂରା ଖାଲି ହୋଇଗଲା ରାଗିଣୀ” କହି କାନ୍ଦି ଉଠନ୍ତି ରାକେଶ ବାବୁ।
ବାତାବରଣ ର ନିଃଶବ୍ଦ ଶୂନ୍ୟତା ରେ କେବଳ ଉଜ୍ଜଲ୍ୟମାନ ହେଉଥାଏ ରାକେଶ ବାବୁ ଙ୍କ ଆଖିରୁ ଝରୁଥିବା ସେହି ଅନବରତ ଉଷ୍ମତା ର ଲୁହ ଧାରା । ଯିଏ ଅଦୃଶ୍ୟ ରେ ବଖାଣୁ ଥାଏ ଜୀବନ ର ସେହି ବାସ୍ତବ ସନ୍ଦେଶ ଗୁଡ଼ିକୁ ଯେ ମଣିଷ ଜୀବନ ଠିକ୍ ଏ ଟିକିଲି ଫତା ପରି । ବିନା ଟିକିଲି ରେ ଯେପରି ଟିକିଲି ଫତା ର କୌଣସି ମହତ୍ତ୍ଵ ନଥାଏ , ଠିକ୍ ସେହିପରି ବିନା ଆତ୍ମା ବା ପ୍ରାଣ ରେ ମନୁଷ୍ୟ ର ଶରୀର ବା ପିଣ୍ଡ ର କୌଣସି ପ୍ରୟୋଜନ ନଥାଏ । ବାସ୍ ସେ ପଡ଼ି ରୁହେ ଗୋଟେ ଅଦରକାରୀ ଶବ ହୋଇ , ଯେମିତି ଆଜି ମୋ ଆଖି ସାମ୍ନାରେ ମୋର ପ୍ରାଣପ୍ରିୟ ସ୍ତ୍ରୀ ସୌଭାଗ୍ୟବତୀ ର ଶେଷ ଟିକିଲି କୁ ମଥାରେ ପିନ୍ଧି ଗୋଟେ ସୁନ୍ଦର ଶବ ସାଜି ଚିରଦିନ ପାଇଁ ଶୋଇ ରହିଛି … ।