ଗଳ୍ପ

ଅନୁରାଧା ଓ ନନ୍ ମାରିଆ

Dr Mousumi Parida's odia story Anuradha O Nun Maria

ଦୁଇମାସ ପରେ ଖବର ପାଇଲି ..ସେ ଧର୍ମ ପରିବର୍ତ୍ତନ କରି ‘ନନ୍’ ହୋଇଯାଇଥିଲା

ଅନୁରାଧା ଓ ନନ୍ ମାରିଆ

ଦଶଟା ଭିତରେ ଅଫିସକୁ ପ୍ରାୟ ସବୁ କର୍ମଚାରୀ ଆସିଯାଇଥିଲେ । କର୍ମମୁଖର ଜଣାପଡୁଥିଲେ ନିଜନିଜ ଆସନରେ ବସିବା ପରେ । ପିଅନ ଗଗନ ମଉସା ଅଫିସ୍‌ର ନିର୍ଦ୍ଧିଷ୍ଟ କାମ ଭିତରେ ପ୍ରତିଦିନ ପରି ମିସ୍ ଆରାଧନାଙ୍କ କୋଠରି-ମୁହାଁ ହେଲେ ନିତିଦିନ ପରି । କାଚ ପାଚେରି ସେପଟେ ଦିଶୁଥିଲା ସାମ୍ନା କୋଠରିର ଅର୍ଦ୍ଧାଧିକ ଅଂଶ । ଆହ୍ୱାନ ଆଜି ବି ଅନୁଧ୍ୟାନ କଲା ଗଗନ ମଉସାଙ୍କ ଗତିବିଧି। ସେହି ତତ୍ପରତା, ଆନ୍ତରିକତା, ଆଶ୍ଚର୍ଯ୍ୟ ହେଲା ସେ ପୁଣି !

ସେ କୋଠରିରେ କି ଏମିତି ରହସ୍ୟ ଅଛି ଯେ ଗଗନ ମଉସା ତତ୍ପର ହୋଇଉଠନ୍ତି ତାକୁ ସଫାସୁତରା କରି ସଜେଇବାକୁ ! ଆବଶ୍ୟ ତାଙ୍କୁ ମାଲୁମ୍ ନଥିଲା ସାମ୍ନାରୁ ତାଙ୍କ ଗତିବିଧିକୁ କେହି ଦେଖୁଛି ବୋଲି ! ସେ ଚିରାଚରିତ ଭାବେ ନିଜ କର୍ତ୍ତବ୍ଯ କଲେ, ବାହାର ନାମଫଳକ ଯେଉଁଥିରେ କେବଳ ମିସ୍ ଅନୁରାଧା ଲେଖାଥିଲା, ତାକୁ ଯତ୍ନରେ କପଡାରେ ପୋଛି ଦେଲେ ଯଦିଓ ସେଥିରେ କୌଣସି ଧୂଳି ମଳି ଲାଗି ନଥିଲା । ଚେୟାର୍ ଉପରେ ବି ମଇଳା ଦିଶୁନଥିଲା, ତେବେ ବି ସେସବୁ ସହିତ ଟେବୁଲ ପୋଛି ଫୁଲଦାନୀକୁ ଚାହିଁଲେ..ମଉଳା ଗୋଲାପ ଫୁଲ ମୁହଁ ଭାରିକରି ଫୁଲଦାନୀ ତଳକୁ ନଇଁପଡିଥିଲେ ! ସେସବୁ କାଢି ସତେଜ ଫୁଲଗୁଡ଼ିକୁ ସଜେଇଲେ। ଟେବୁଲ୍ ଉପରେ ଥିବା ବହି ମଲାଟ ଗୁଡ଼ିକୁ କପଡାରେ ପୋଛିନେଲେ | ଗ୍ଲାସରେ ସତେଜ ପାଣି ରଖି କବାଟ ଆଉଜେଇ ଚାଲିଆସିଲେ ।

ଆହ୍ୱାନ ଅପେକ୍ଷା କଲା ସେ ମହିଳାଙ୍କୁ ଯାହାଙ୍କ କୋଠରି ସବୁଦିନ ଏମିତି ସଫା ହୁଏ, ସଜା ବି ହୁଏ । ଥାକ, ଟି’ ପୟ’ଠୁ ଆରମ୍ଭ କରି ଟେବୁଲ୍, ଚେୟାର, ଫୁଲଦାନୀଯାଏଁ ସମସ୍ତେ ତାଙ୍କ ଅପେକ୍ଷାରେ ଥା’ନ୍ତି। ଅଥଚ ସେ କେବେ ବି ଆସନ୍ତିନି ! ସପ୍ତାହେ ହେବ ଆହ୍ୱାନର ଏଠିକୁ ଆସିବା । ଅଫିସ୍‌ର ଗୋଟେ କଣକୁ ମାଲିକଙ୍କ କୋଠରି । ତା’ ସାମ୍ନା ମିସ୍ ଅନୁରାଧାଙ୍କ କୋଠରିର ରହସ୍ୟ କଣ ଥିଲା କେଜାଣି ଆହ୍ୱାନର ଉତ୍କଣ୍ଠା ବଢିଚାଲିଥିଲା ଭେଦିବାକୁ ସେ ରହସ୍ୟ। ତା’ ଅଫିସ୍ ବି ମାଲିକଙ୍କ ଚାମ୍ବରକୁ ଲାଗି ତେଣୁ ମିସ୍ ଆରାଧନାଙ୍କ କୋଠରିର ଇତିବୃତ୍ତ ଜଣାପଡେ।

ଆହ୍ୱାନ ଘଣ୍ଟାକୁ ଚାହିଁଲା । ସାଢେ ଏଗାର । ଆଜି ବି ଅନୁପସ୍ଥିତ ମିସ୍ ଆରାଧନା ! କିନ୍ତୁ ରୋଜ୍ ତାଙ୍କ କୋଠରି ସଜାଚାଲିଛି ! ଏ ବିଷୟରେ ଗଗନ ମଉସାଙ୍କୁ ପଚରାଯାଇପାରେ । ଲୋକଟା ମାଲିକଙ୍କର ବେଶ୍ ବିଶ୍ୱସ୍ତ । ସହଜେ କହିବନି ! ତେବେ ପଚାରିଲେ ଅସୁବିଧା କଣ ..ଏ ବାହାନାରେ ତା’ ମୁହଁର କ୍ରିୟା ପ୍ରତିକ୍ରିୟା ଜଣାପଡିପାରେ । ସେଦିନ ମାଲିକଙ୍କ ଅନୁପସ୍ଥିତି ବେଶ୍ ସୁହାଇଲା । ଚା’ କପ୍ ଆଣି ଟେବୁଲରେ ରଖିଲାବେଳକୁ ଆହ୍ୱାନ୍ ଗଗନ ଓଝାଙ୍କ ପକେଟରେ ଗୁଞ୍ଜିଦେଲା ପାଞ୍ଚଶହ ଟଙ୍କାର ଶାଗୁଆ ନୋଟ୍ ଖଣ୍ଡେ..ଗଗନ ଥତମତ ହେଉଥିଲା ନେବାକୁ। ଦଶହରା ବକ୍ସିସ୍ କହି ଆହ୍ୱାନ ବାଧ୍ୟ କଲା ରଖିବାକୁ । ଟଙ୍କା କାହାକୁ ଗନ୍ଧାଏ ଯେ !

ମାଲିକଙ୍କ ପୁଅର କଥାକୁ କି ଟାଳିହୁଏ ସହଜେ ! ନନେଲେ କାଳେ ଭୁଲ୍ ବୁଝିବେ, ଗଗନ ଓଝା ଆହ୍ୱାନକୁ “ସାନବାବୁ” ବୋଲି ଡାକେ..। ମାଲିକ କୀର୍ତ୍ତିରାଜଙ୍କ ଏକମାତ୍ର ଉତ୍ତରାଧିକାରୀ, ତେବେ ବି ନମ୍ର ବିନୟୀ ସ୍ନେହୀ ଓ ପରୋପକାରୀ, ଯେମିତି ବାପକୁ ସେମିତି ପୁଅ। ଅଫିସରେ ବାପ ପୁଅ ଅପେକ୍ଷା ସହଭାଗୀର ସଂପର୍କ ବେଶି ।

ଏ ସହରରେ ଯେବେଠୁ ନୂଆକରି ବେପାର ଆରମ୍ଭ କରିଥିଲେ କୀର୍ତ୍ତିରାଜ, ସେବେଠୁ ଗଗନ ଓଝା ସହ ତାଙ୍କ ପରିଚୟ। ସେ ହିଁ ତାଙ୍କ ଅଫିସ୍‌ର ପ୍ରଥମ କର୍ମଚାରୀ, ସବୁ ସୁଖଦୁଃଖ, ଭଲମନ୍ଦର ସାକ୍ଷୀ ! ଯାହାର ବିନାସ୍ପର୍ଶରେ କୀର୍ତ୍ତିରାଜଙ୍କ କୌଣସି କାମ ହୁଏନା । ତାଙ୍କ କୋଳରେ ଅନେକବାର କୁନି-ଆହ୍ୱାନର ଜିଦ୍ ବଗିଚାରୁ କଙ୍କି ଧରିବାକୁ..ଫୁଲ ଛିଣ୍ଡେଇ ଖେଳିବାକୁ । ଆକାଶରୁ ଚାନ୍ଦ ତୋଳିବାକୁ , ତାରା ଗଣିବାକୁ ! ଗଗନ ମଉସା ପାଖେ ତା’ର ସବୁ ଅଳି..। ଆଜି ସେ ମାଲିକଙ୍କ ଚେୟାରରେ ନବସୁଥିଲେ ବି ପ୍ରାୟ ପାଖାପାଖି ଭୂମିକାରେ । ଆହ୍ଵାନ ବିଦେଶରୁ ପାଠସାରି ଫେରିବାପରେ ମାଲିକ ଚାହାନ୍ତି ପୁଅ ସବୁକାମ ବୁଝୁ ବୋଲି । ସେଥିପାଇଁ ସେ କମ୍ପାନୀ ସମ୍ଭାଳୁଛନ୍ତି ସପ୍ତାହେ ହେବ । ଟିକିନିକି ସବୁକଥା ପଚାରିବୁଝୁଛନ୍ତି ବାପା ନହେଲେ ଗଗନ ମଉସାଙ୍କଠାରୁ । ତାଙ୍କ ବିଚାରକୁ ଅଫିସ୍‌ରେ ଭୂରିଭୂରି ପ୍ରଶଂସା । ଅଳ୍ପଦିନରେ ସେ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇସାରିଲେଣି ।

ନୀରବତା ଫେଡି ପଚାରିଲେ ଗଗନ ମଉସା- ଆଉ କଣ ଆଣିଦେବି କି ସାନବାବା ( ଅତି ଶ୍ରଦ୍ଧାରେ କେବେକେବେ “ବାବା” ସମ୍ବୋଧନ ବି କରନ୍ତି ) ?

ନାଇଁ ଯେ..କିଛି ଜାଣିବାର ଥିଲା । ଆହ୍ୱାନ ଟିକେ ଅପ୍ରତିଭ ହୋଇ କହିଲା ।

କୋଉ କଥା ?

ମିସ୍ ଅନୁରାଧାଙ୍କ କଥା । ମୁଁ ଆସିଲା ଦିନୁଁ କେବେ ତାଙ୍କୁ ଅଫିସରେ ଦେଖିନି । ତେବେ ତାଙ୍କ କୋଠରି ସଜାହୁଏ। ମୋ ଜାଣିବାରେ ସେ ତ ଆମ ସଂପର୍କୀୟ କେହି ନଥିଲେ ତେବେ ସେ ଏତେ ସ୍ପେଶାଲ୍ କାହିଁକି ? ନଆସି ବି ଦରମା ନେଉଛନ୍ତି ବୋଲି ଶୁଣିଲି । ଅବଶ୍ୟ ସତ୍ୟାସତ୍ୟ ଅନୁସନ୍ଧାନ କରିନି । ବାପା କୌଣସି ଅନ୍ୟାୟ କରନ୍ତିନି ବୋଲି ମୋର ବିଶ୍ୱାସ। ତେଣୁ ତୁମଠୁ ଜାଣିବାକୁ ଚାହୁଁଛି ଏସବୁର ରହସ୍ୟ ।

ଗଗନ ମଉସାଙ୍କ ମୁହଁର ତେଜ ମରିଗଲା ଯେମିତି ! ସେ ହଡବଡେଇଗଲେ କଣ କହିବେ ଭାବି । କିଛିକ୍ଷଣ ପରେ ସେ ଅଳ୍ପରେ କହିଲେ – ଷ୍ଟାଫ୍ ଥିଲେ, ଭାରି ଭଲ ଓ କାମିକା, ଆସୁନାହାନ୍ତି ଏବେ । ଦରମା ଫରମା କଥା ବଡବାବୁ ଜାଣିଥିବେ । ମୋତେ କହନ୍ତି ସବୁଦିନ ତାଙ୍କ କୋଠରି ସଜାଡିଦେବାକୁ..ମୁଁ ଚାକରବାକର ଲୋକ..ମୋ ଉପରେ ବାବୁଙ୍କ ଖୁବ୍ ଦୟା ! ତାଙ୍କ ଆଦେଶ ପାଳିବା ମୋର ଧର୍ମ ।

କଣ ଏତେ ନିଷ୍ଠାପର ଯେ ତାଙ୍କ ଅବର୍ତ୍ତମାନରେ ବି ତାଙ୍କୁ ଅନୁଭବ କରିବାର ପ୍ରୟାସ ! ଆଶ୍ଚର୍ଯ୍ୟ ହୋଇ ପଚାରିଲା ଆହ୍ୱାନ୍ ।

“ହଁ” ଟେ କହି ଗଗନ ମଥାନତ କରି ଚାଲିଗଲା ଅନ୍ୟକାମ ଦର୍ଶାଇ। ପରୋକ୍ଷରେ ସନ୍ଦେହର ବୀଜଟେ ବୁଣିଦେଇଗଲା ! ଏମିତି କୋଉକଥା ନାହିଁ ଯାହା ଗଗନ ମଉସା ନଜାଣନ୍ତି ! ଅଥଚ କହିବାକୁ ଅମଙ୍ଗ କାଇଁ ହେଲେ ! ଅନ୍ୟକାହାକୁ ପଚାରିଲେ କଥାଟା ଭିନ୍ନରୂପ ନେଇପାରେ । ଘରେ ବାପାଙ୍କୁ କାଇଁ ସିଧା ନପଚାରିବ ! ତା’ର ଅଧିକାର ଅଛି ସବୁ ଜାଣିବାରେ ।

ମଝିରେ ମ୍ୟାନେଜର୍ ବାବୁ ଦରମା ବିଲ୍ କଲାବେଳେ ସେ ଲକ୍ଷ୍ଯ କରିଛି ମିସ୍ ଅନୁରାଧାଙ୍କ ନାଁରେ ଦରମା ଯାଉଛି ବ୍ୟାଙ୍କ ଆକାଉଣ୍ଟ୍‌କୁ । ଦୁଇଦିନ ପରେ କୋଲକାତାରୁ ମିଟିଙ୍ଗ୍ ସାରି ଫ୍ଲାଇଟରେ ସନ୍ଧ୍ଯାବେଳକୁ ଘରେ ପହଞ୍ଚିଲେ କୀର୍ତ୍ତିରାଜ । ଗଗନ ମଉସାଙ୍କ ସହ ଅଫିସ୍ କଥା ଆଲୋଚନା କରୁଥିଲେ ହୁଏତ । ଆହ୍ୱାନ ଯାଇ ପାଖରେ ବସିଲା ।
କୀର୍ତ୍ତିରାଜ ବେଶ୍ ହାଲକା ଲାଗୁଥିଲେ..ମୁହଁରୁ ତିଳେମାତ୍ର କ୍ଳାନ୍ତି ବାରିହେଉନଥିଲା । ଓଲଟା ଅଫିସ୍‌ର କିଛି ଫାଇଲ୍ ପତ୍ର ତଦାରଖ କରିବାକୁ ମ୍ୟାନେଜରଙ୍କୁ ଘରକୁ ଡାକି ଆଲୋଚନା କରୁଥାନ୍ତି । ଅବଶ୍ୟ ଫାଇଲସବୁ କୋଲକାତା ମିଟିଙ୍ଗ୍ ସଂକ୍ରାନ୍ତରେ । ଆହ୍ୱାନ ବାପାଙ୍କ ନିଷ୍ଠାପରତା ଓ କର୍ତ୍ତବ୍ଯପରାୟଣତାକୁ ମାଗୁଥାଏ ମନ ଭିତରେ । ସେ ଏମିତି ହୋଇପାରନ୍ତା କି !

ତାକୁ ଚାରିବର୍ଷ ହେଲାବେଳକୁ ମା’ ଆରପାରିରେ । ବାପା କେତେବେଳେ ମା’ ଓ ଗଗନ ମଉସା କେତେବେଳେ ତା’ର ଖେଳସାଥୀ ପାଲଟିଯାଇଥିଲେ ମନେନଥିଲା । ଆଜି ବି ଘରେ ଚାକର ପୂଜାରୀ ଥାଇ ବି ସେ ନିଜ ହାତରେ କିଛି ଖାଇବା ବନାନ୍ତି ତାଙ୍କ ଅଲିଅଳ ପୁଅପାଇଁ। ବାପାଙ୍କ ମା’ ହେବାରେ ଯେତିକି ତପସ୍ୟା, କମ୍ପାନୀକୁ ଆହୁରି ଆଗେଇନେବା ପାଇଁ ସେତିକି ତ୍ୟାଗ, ତା’ ଭିତରେ ଘୋରିହୋଇ ସେ ଚନ୍ଦନ ପରି ମହକି ଉଠନ୍ତି ! ଏହା ହିଁ କୀର୍ତ୍ତିରାଜଙ୍କ ସଫଳତା ।

ବାପାଙ୍କୁ ଢେର୍ ସମୟ ନିରେଖୁଥିଲା ଆହ୍ୱାନ । ସେ କାମରେ ହଜିଯାଇଥିଲେ ଏକରକମ । ବଡ କାମଟେ ହାତେଇଛନ୍ତି ଯେହେତୁ ତା’ ପାଇଁ ଯୋଜନାସବୁ କିପରି ହେବା ଉଚିତ୍ ସେ ସଂକ୍ରାନ୍ତରେ ଆଲୋଚନା ଚାଲିଥାଏ । ଆହ୍ୱାନ ଉଠିକି ଚାଲିଆସୁଥିଲା, ପଛରୁ ଡାକିଲେ କୀର୍ତ୍ତୀରାଜ – ବାବା, ଯାଆନି | ବସ ମୋ ପାଖେ ।

ତମେ କାମରେ ବ୍ୟସ୍ତ ଅଛ। କାମସାରି ଦୟାକରି ବିଶ୍ରାମ ନେବ । ଆମେ ପରେ କଥା ହବା । ଆହ୍ୱାନ ଚେତେଇଦେଲା ଟୁର୍‌ରୁ ଫେରି ବି କୀର୍ତ୍ତିରାଜ କାମ ଜାରିରଖିଛନ୍ତି । ତା’ ହାତ ଟାଣି ପାଖରେ ବସାଇଦେଇ କୀର୍ତ୍ତିରାଜ କହିଲେ – ତୁ ମୋ ପାଖରେ ବସିରହିଲେ ମନଟା ଆହୁରି ଫୁର୍ତ୍ତି ଲାଗେ । ମୋ ମଥାର ଆକାଶ ତୁ, ଚାରିକାନ୍ଥ ଘେରା ଘର ବି ତୁ । ଆସ, ବସ୍‌ ମୋ ପାଖେ । ମାଧବ ଦୁଇକପ୍ କୋଲ୍ଡକଫି ଆଣ ତ ମୋ ବାବା ପସନ୍ଦର, ଟିକେ କ୍ରୀମ୍ ଦେଇ, ଡାକ ଦେଲେ ପୂଜାରୀକୁ ।

ଆହ୍ୱାନ ବାପାଙ୍କୁ ନିରେଖୁଥିଲା। ଇଚ୍ଛାନଥିଲା କୌଣସି ପ୍ରଶ୍ନ ଜରିଆରେ ତାଙ୍କ ମନକୁ ଭାରାକ୍ରାନ୍ତ କରିବାକୁ । କରନ୍ତୁ ଯାହା ତାଙ୍କ ପସନ୍ଦ, ସବୁକଥା ଜାଣିବା ତା’ର ଏତେ ଜରୁରୀ ବି ନୁହଁ । ବାପା ଯାହା ବି କରିବେ ଠିକ୍ ହୋଇଥିବ, ସେ ଭରସା ଅଛି ତା’ର ।

କାମଭିତରେ ରାତି ଏଗାର । ଦୁଇଥର କୋଲ୍ଡ କଫି ଓ କିଛି କାଜୁ ଖାଇଛନ୍ତି ବାପପୁଅ ଦୁହେଁ। ରାତି ଖାଇବା ବନାସରିଛି । କୀର୍ତ୍ତିରାଜଙ୍କ ପାଇଁ ଓଟ୍ସ, କଷ୍ଟାର୍ଡ ଓ ସନ୍ତୁଳା , ଆହ୍ୱାନପାଇଁ ପନିର୍ ପରଟା, ଚଟଣୀ ସହ ମିଲ୍କ ସେକ୍ । ସମସ୍ତେ ଯିବାପରେ କୀର୍ତ୍ତିରାଜ ଆଉଜିପଡିଲେ ସୋଫାରେ । ଆହ୍ୱାନର ହାତକୁ ଆଉଁସି ପଚାରିଲେ – ଆଜି ଅଫିସ୍‌ରେ କେମିତି ଲାଗିଲା ?

ଆହ୍ୱାନ – ଠିକ୍ ଥିଲା । ଦରମା ରିଲିଜ୍ ବି ହେଲା ।

କୀର୍ତ୍ତିରାଜ – ତୁ ଦସ୍ତଖତ କରିଚୁ ?

ଆହ୍ୱାନ – ତମେ ଇ କରିବ ବାପା, ଭୁଲିଯାଉଛ ମୁଁ ମାତ୍ର ସପ୍ତାହେ ହେଲା ଯାଉଛି । ଧୀରେ ଧୀରେ ବୁଝୁଛି ସବୁ ।

କୀର୍ତ୍ତିରାଜ – ଗଗନ କହୁଥିଲା ସାନବାବୁକୁ ଷ୍ଟାଫମାନେ ଖୁବ୍ ପ୍ରଶଂସା କରୁଛନ୍ତି । ଏମିତି ରହ ବାବା । ମଣିଷ ପ୍ରତି ଦରଦ ରହୁ , ନିଜକୁ ଶାସକ ନୁହଁ ପ୍ରତିପାଳକ ବୋଲି ମନେକର । କିଛି ନା କିଛି ଉପକାର କର ତୋ ସାଧ୍ୟମତେ । ମନେରଖ ବାବା, ମୃତ୍ୟୁପରେ ସାଥୀରେ ସଂପତ୍ତି ଯିବନି ..! ଦିଗବିଜୟୀ ଆଲେକଜାଣ୍ଡାର ଶେଷ ଯାତ୍ରାବେଳେ ଶୂନ୍ୟହସ୍ତରେ ଯାଇଥିଲେ ବୋଲି ଦର୍ଶାଇବାକୁ ତାଙ୍କ ଶୂନ୍ୟହସ୍ତଦ୍ୱୟଙ୍କୁ ଦୁଇପାର୍ଶ୍ୱରେ ଝୁଲାଇ ଦିଆଯାଇଥିଲା । ତେଣୁ ସତ୍କର୍ମ କରିବୁ ଯାହା ସାଥିରେ ଯିବ ।

ଆହ୍ୱାନ ନୀରବ ସମ୍ମତି ଜଣେଇ ଉଠିଲା ଯିବାକୁ ।

କୀର୍ତ୍ତିରାଜ ପୁଣି ରୋକିଦେଲେ ଗୋଟେ ପ୍ରଶ୍ନରେ – “ମିସ୍ ଅନୁରାଧା” କିଏ ବୋଲି ପଚାରିଲୁନି ଯେ ! ଆହ୍ୱାନର ପାଦତଳୁ ଖସିଯାଉଥିଲା ମାଟି..! ବାପା କେମିତି ଜାଣିଲେ ତା’ ଭିତରର ହଟ୍ଟଗୋଳକୁ ! ନିଶ୍ଚେ ଗଗନ ମଉସା କହିଦେଇଥିବେ। ଦିନଯାକର ଘଟଣା ବଖାଣିଲାବେଳେ ଆହ୍ୱାନର ଏକଥାକୁ ବି ବାଦ୍ ଦେଇପାରିନଥିବେ ବିଶ୍ୱସ୍ତତାର ଦାୟରେ । “କଣ କହିବ କହିବ” ହୋଇ କିଛି କହିପାରିଲାନି ଆହ୍ୱାନ।

କୀର୍ତ୍ତିରାଜ କହିଲେ- ମୁହଁହାତ ଧୋଇ ଫ୍ରେଶ୍ ହୋଇଯା’ । ଖାଇବା ଭିତରେ ଖୁବ୍ କଥାହେବା ଦୁହେଁ । ଜାଣୁ ବାବା, ତୁ ଯେବେ ଅଫିସ୍‌ର ସେ ଚେୟାରରେ ବସିଲୁ ମୋ ଛାତି କୁଣ୍ଡେମୋଟ ହୋଇଗଲା। ଲାଗିଲା ତୁ ଖାଲି ମୋର ପୁଅ ନୁହଁ ଉତ୍ତରାଧିକାରୀ ସହ ସଚ୍ଚାବନ୍ଧୁ ବି । ଆହ୍ୱାନ ବାପାଙ୍କ ଯେଉଁ ରୂପ ଦେଖୁଥିଲା, ତାହା ଜଣେ ବିଶ୍ୱସ୍ତ ବନ୍ଧୁର । ପୂଜାରୀ ରାତିଖାଇବା ଡାଇନିଙ୍ଗ୍ ଟେବୁଲରେ ବାଢିସାରିଥିଲା । ଏବେ ଆହ୍ଵାନ ମନରେ କୌଣସି ଦ୍ଵନ୍ଦ୍ଵ ନଥିଲା ।

ଖାଉଖାଉ ଆରମ୍ଭ କଲେ କୀର୍ତ୍ତିରାଜ – ତିରିଶ ବର୍ଷ ତଳର ଘଟଣା । ସେତେବେଳେ ମୁଠେଦାନା ଯୋଗାଡିବା ମୋ ପାଇଁ ଅସମ୍ଭବ ହୋଇପଡୁଥାଏ । ଛକରେ ଗାଡିରୁ ଧୂଳିଝାଡି ସଞ୍ଚୁଥିବା କିଛି ରେଜାପଇସାରେ କେବେ ରୁଟି ତ କେବେ ଗଣ୍ଡେ ଭାତ ଯୋଗାଡୁଥାଏ । ଆଉ କେବେ ଉପବାସ ଭାଗ୍ୟରେ ଲେଖାହୋଇଥାଏ । କେବେ ଓ କିପରି ଏ ସହରକୁ ଆସିଥିଲି ମନେନାହିଁ । ମୋର ବାପ ମା’ଙ୍କ ପରିଚୟ କି ଘର ଠିକଣା କିଛି ବି ଜଣାନଥିଲା ।

ହେତୁ ହେବାପରଠୁ ନିଜକୁ ପାଇଲି ଜଣକ ଘରେ ବୋଲହାକ କରିବାକୁ । କାମ ଠିକ୍‌ରେ କରିପାରୁନଥିଲେ ମାଲିକ ଖାଇବାକୁ ନଦେଇ ଓଲଟା ମାରୁଥିଲେ । ମାଲିକାଣୀ ବି ଘରେ ବନ୍ଦ କରି ଦିଆଯିବ ବୋଲି ଧମକ ଦେଉଥିଲେ | ମତେ ଲାଗୁଥିଲା ମୁଁ ଆଉ ସେଠାରୁ ମୁକୁଳି ପାରିବିନି | ରାତିଦିନ ସେଠାରୁ ମୁକୁଳିବା ଚିନ୍ତା ଖାଦ୍ୟ ଚିନ୍ତା ଅପେକ୍ଷା ଅଧିକ ଜରୁରୀ ହୋଇପଡ଼ିଥିଲା | ସେଥିପାଇଁ ମୁଁ ସେଠୁ ଲୁଚି ପଳାଇଆସିଲି ବହୁ ଦୂରକୁ ପେଟପୂରା ଗଣ୍ଡେ ଖାଇ ଖୋଲା ଆକାଶ ତଳେ ରାତି ବିତାଇବାକୁ । ମଣିଷ ଜାଣି ଜାଣି ବଶ୍ୟତା ସ୍ୱୀକାର କରିନିଏ | ଲୋଭ, ଅସହାୟତା ଯେତେକ ଅକାର୍ଯ୍ୟ କରାନ୍ତି, କିନ୍ତୁ ମୁଁ ତ ଜୀବନଧାରଣ କରିବାକୁ ମୋ ଦୁଃସ୍ଥିତି ସହିତ ଲଢ଼ିଥିଲି ।

ସେଠାରୁ ଚାଲିଆସି ଦୋକାନଗୁଡିକରେ କିଛି କିଛି କାମ କଲି | ସେସବୁରୁ ଯାହା ମିଳେ, ସେଥିରେ ଦୁଇ ଦିନ ଚଳିବା ପାଇଁ ଯଥେଷ୍ଟ ହୁଏ । ପେଟର ଜ୍ୱାଳା ମଣିଷକୁ ହତ୍ୟାକାରୀ ବନେଇପାରେ ଏକଥା ଅନୁଭବ ହୋଇଛି କେତେଥର । ତେବେ ବି ଧୈର୍ଯ୍ୟ ହରାଇନି । ଦିନଯାକ ଏଣୁତେଣୁ କାମ କରେ, ରାତିହେଲେ ବସଷ୍ଟାଣ୍ଡ ନଇଲେ ଦୋକାନ ବାରଣ୍ଡାରେ ଶୋଇଯାଏ । ଦିନଯାକର ଖଟଣିପରେ ମଶାଙ୍କ ଦାଉ କି ଶୀତ, ବର୍ଷାର ଜୁଲମ କିଛି ଜଣାପଡେନା । ରାତିଟା ଭାରି ଖୁସି ଦିଏ | ସଂଘର୍ଷ କରିବାକୁ ପଡ଼େନି ନିଦ ପାଇଁ |

ଦିନେ ଛକରେ ଜଣେ ଧନୀବ୍ୟକ୍ତିଙ୍କ ଗାଡି ସଫା କରୁକରୁ ସେ ପଦାକୁ ଚାଲିଆସି ମୋ ହାତକୁ ଶହେ ଟଙ୍କିଆ ନୋଟ୍ ଖଣ୍ଡେ ବଢାଇଦେଲେ। ମୁଁ ଅମଙ୍ଗ ହୋଇ କହିଲି – ଦଶଟଙ୍କା ବହୁତ, ତିନିବେଳା ଖାଇପାରିବି ପେଟ ପୂରେଇ । ସେ କହିଲେ – ରଖ ଏ ଟଙ୍କା, ଦଶଦିନ ଖାଇବୁ । ମୁଁ କହିଲି – ତେବେ ଦଶଦିନ କୋଢିଆ ହେଇଯିବି ! ନାଇଁ ବାବୁ, କାମିକା ମଣିଷ ଥରୁଟେ ବସିବା ସୁଖ ପାଇଗଲେ ଅଳସୁଆ ହୋଇଯିବ। ଆପଣ ଏତେ ଟଙ୍କା ରଖନ୍ତୁ, ଦଶ ଟଙ୍କା ଦେଲେ ଖୁସି ଲାଗିବ । ଲୋକଜଣକ କଣ ଭାବିଲେ କେଜାଣି ପଚାରିଲେ – ମୋ ପାଖେ କାମ କରିବୁ ଗାଡିର ସର୍ଭିସ୍ ସେଣ୍ଟର୍‌ରେ ? ମାସକୁ ଖାଇବା ରହିବା ବାଦ୍ ଦେଢହଜାରେ ଟଙ୍କା ଦେବି । ଦେଢହଜାର ଟଙ୍କା କଥା ଶୁଣି ମୋ ତଣ୍ଟି ଶୁଖିଗଲା । ଦିନକୁ ଦଶଟଙ୍କା ବି ଯାହାର ବହୁତ ମାସକୁ ଦେଢ ହଜାରଟଙ୍କା କଥା ଶୁଣି ସେ କଣ ମନାକରିପାରିବ !

ତାହା ହିଁ ହେଲା । ମାଲିକଙ୍କ ଗୋଟେ ସୁନ୍ଦର ଘର ଥିଲା । ସ୍ତ୍ରୀ ମରିଯାଇଥିଲେ ବୋଲି ଆୟା ଜଣେ ତାଙ୍କ କୁନିଝିଅକୁ ପାଳୁଥିଲା । ଗ୍ୟାରେଜ୍ କାମ ସରିଗଲେ ମୁଁ ତାଙ୍କ ଘରକୁ ଆସେ, ବୋଲହାକ କରେ, ସେ ଝିଅ ସହ ଖେଳେ । ମାଲିକ ଏତେ ଭଲଥିଲେ ଯେ ମୋ ନିଷ୍ଠାପରତା ଦେଖି ମୋତେ ପାଠ ପଢାଇଲେ, ମୁଁ ଆଇ. ଏସ୍. ସି ପାଶ୍ କଲି । ତାଙ୍କ ପାଖେ ରହି କାମ କରିବା ଆଠବର୍ଷ ହୋଇଯାଇଥିଲା । ସିଦ୍ଧାନ୍ତ ନେଲି ମୁଁ ନିଜେ ଗୋଟେ ଗ୍ୟାରେଜ୍ କରିବି । ମନକଥା ମାଲିକଙ୍କୁ ଜଣେଇଲା ପରେ ସେ ‘ହଁ ‘ କଲେନି ସିନା କିନ୍ତୁ ରୋକିଲେନି ..ଭବିଷ୍ୟତକୁ ଚାହିଁ କହିଲେ – ଚଢେଇର ପର ଲାଗିଲେ ତାକୁ ରୋକିହୁଏନା । ଯା’ ତୋ’ ଆକାଶକୁ, କିନ୍ତୁ ମାଟିର ମୋହକୁ ଭୁଲିବୁନି । ତାଙ୍କ ପାଦ ଛୁଇଁ ଚାଲିଆସିଲି । ସେ ମୋ ପାଇଁ ଭଗବାନ ଥିଲେ !

ଗ୍ୟାରେଜ୍ ଓ ପରେ ମସଲା ଫ୍ୟାକ୍ଟ୍ରି ସହ ଡ୍ରେସ୍ ମାଟେରିଆଲ୍ ବିଜିନେସ୍ ଗୋଟେ ପରେ ଗୋଟେ ବଢିଉଠିଲା । ଶିଳ୍ପପତି ଭାବେ କେତେବେଳେ ପରିଚିତ ହେଲି ଜଣାନଥିଲା । ୟା’ ଭିତରେ ଦଶବର୍ଷ ବିତିଯାଇଥିଲା । ମାଲିକଙ୍କୁ ମାତ୍ର ତିନିଥର ଭେଟିଥିଲି । ଦିନେ ହଠାତ୍ ଚିଠିଟେ ଗ୍ୟାରେଜ ଠିକଣାରେ ପହଞ୍ଚିଲା । ପ୍ରାୟ ପନ୍ଦରଦିନ ପରେ ମୋ ହାତକୁ ଆସିଲାପରେ କିଛି ବାକିନଥିଲା ।

ଲେଖାଥିଲା – “ବାବୁ କୀର୍ତ୍ତି! ମୁଁ ଏବେ ମରଣକବ୍ଜାରେ । ପେଟରେ କ୍ୟାନସର୍, ସୁସ୍ଥହେବାର ସଂଭାବନା ନାହିଁ । ଏତେ ସଂପତ୍ତି..ଅଥଚ କେହି ବିଶ୍ୱସ୍ତ ସଂପର୍କୀୟ ନାହାନ୍ତି ମୋ ଝିଅ ‘ବିଖ୍ଯାତି’ର ଦାୟିତ୍ୱ ନେବାକୁ । ତୁ ଆସିଥିଲେ କଥା ହୋଇଥାନ୍ତେ ଏ ବାବଦରେ..ଏମିତିରେ ବହୁବର୍ଷ ହେଲାଣି ତୋତେ ଦେଖିନି । ଶୀଘ୍ର ଆସିବୁ, ସମୟ ନାହିଁ ମୋ ହାତରେ “।
ମୁଁ ପହଞ୍ଚିଲାବେଳକୁ ମାଲିକ ନଥିଲେ କି ତାଙ୍କ ଘର ସଂପତ୍ତି ତାଙ୍କର ହୋଇନଥିଲା ! ସେ ଆୟା ଓ ତା’ ସଂପର୍କୀୟମାନେ ମାଲିକଙ୍କ ଟିପଚିହ୍ନ ନେଇ ସବୁ ନିଜ ନାଁରେ ହାତେଇନେଇଥିଲେ। ମାଲିକଙ୍କ ସନ୍ଦେହ ସତ ଥିଲା ଅଥଚ ମୁଁ ତାଙ୍କ ପାଇଁ କିଛି କରିପାରିଲିନି ଯଦିଓ ସେ ମୋ ଜୀବନ ଗଢିଥିଲେ କୁମ୍ଭାର ପରି !

ଆୟାକୁ ଝିଅ ବିଖ୍ଯାତି କଥା ପଚାରିଲାରୁ ଉତ୍ତର ମିଳିଲା-” ସେ ବିଦେଶରେ ପଢୁଛି “। ଭଙ୍ଗାମନ ନେଇ ଫେରିଲି ସିନା ମନ ମାନିଲାନି । କିଛିଦିନ ପରେ ପାଖ ପଡୋଶୀଙ୍କଠୁ ଖବର ପାଇ ପୋଲିସଙ୍କ ସହାୟତାରେ ବିଖ୍ୟାତିକୁ ଉଦ୍ଧାର କଲି । ନେଇଆସିଲି ନିଜେ ରହୁଥିବା ଘରକୁ ମାଲିକଙ୍କ ସେ ଚିଠି ବଳରେ | ସେ ମାନସିକ ଚାପଗ୍ରସ୍ତା ହୋଇସାରିଥିଲା ଉତ୍ପୀଡନ ସହିସହି । ଚିହ୍ନୁନଥିଲା କି କିଛି କହିପାରୁନଥିଲା !

ସେତେବେଳକୁ ତାକୁ ବାଇଶ କି ତେଇଶ ଆଉ ମୋତେ ଅଠେଇଶ୍ ବର୍ଷ ହୋଇଥିବ । ପିଲାଦିନରୁ କେମିତି ଗୋଟେ ଆତ୍ମୀୟତା ଭାବ ଗଢିଉଠିଥିଲା ତା’ ସହ । ଏତେ ବର୍ଷପରେ ତା’ର ବିବର୍ତ୍ତିତ ରୂପଦେଖି ଆତ୍ମହରା ହେଲି । ମୋ ଭିତରେ ଉଦ୍‌ବେଳନ ସୃଷ୍ଟିକଲା ତା’ର ଉପସ୍ଥିତି। ଅଜାଣତେ ତାକୁ ଭଲପାଇବସିଲି । ସେତେବେଳକୁ ତା’ ନିଜର ବୋଲି କହିବାକୁ କିଛି ବି ନଥିଲା । ଭାଙ୍ଗି ପଡିଥିଲା ଜୀବନର ଦୁର୍ଦ୍ଦିନକୁ ସାମ୍ନା କରିକରି । ମୋତେ ବି ସହଜେ ବିଶ୍ୱାସ କରିପାରୁନଥିଲା । କିଛି ପଚାରିଲେ ଉତ୍ତର କରେ ନଇଲେ ନିଜ ନୀରବତା ସହ ମୁହଁ ମାଡି ପଡିରହିଥାଏ । ଖୁବ୍ ବହି ପଢେ ଓ ସେମାନଙ୍କୁ ନିଜର ସାଥୀ ବୋଲି ଧରିନିଏ ।

ଗୋଟେ ନିରୋଳା ଅପରାହ୍ନରେ ବହି ସହ ତାକୁ ଲନ୍ ରେ ବସିଥିବା ଦେଖି କହିଲି – ବନ୍ଦ ବହିର ଭିତର ଦୁନିଆ ଅପେକ୍ଷା ବାହାର ଦୁନିଆ ଭିନ୍ନ । କେବେକେବେ ଜୀବନର ଭିନ୍ନତାକୁ ପରଖିବା ଦରକାର ।

ସେ କହିଲା – ବାହାର ଦୁନିଆକୁ କଣ ଭରସା ଥାଏ ! ଗୋଡ ତଳୁ ମାଟି ଖସିଯାଏ, ମଥା ଉପରେ ଆକାଶ ଛିଣ୍ଡିପଡେ ସେ ଦୁନିଆରେ ।

ମୁଁ କହିଲି – ଏଠି ଫୁଲ ସହ ଫଗୁଣ ବି ଅଛି, ଇନ୍ଦ୍ରଧନୁର ସାତରଙ୍ଗ ବି । ମଳୟ ଦେହକୁ ଛୁଏଁ, ଶୀତ ବି ଦେହକୁ ଜଡାଏ, ପଳାଶର ରଙ୍ଗ ବି ଅଧର ରଙ୍ଗକୁ ପରାଜିତ କରେ ! ଏସବୁକୁ ଦେଖିବାକୁ ମନଟେ ଦରକାର ।

ସେ କହିଲା – ମୋର ଆଉ ସେ ମନ ନାହିଁ ।

ତେବେ ମୋ ମନରେ ମିଶେଇ ଦିଅ ନିଜ ମନକୁ ।

ସେ କହିଲା – ମୁଁ ଯେ ନିଃସ୍ୱ..!

ମୁଁ କହିଲି – ମୋ ଭିତରର ପୂର୍ଣ୍ଣତା ବି ତୁମ ନାଁରେ ଲେଖିଦେଲି ।

ସେ କହିଲା – ମୁଁ ଡେଇଁ ଆସିଛି ସବୁଜ ପୃଥିବୀ, ଝରଣାର କୁଳୁକୁଳୁ ସ୍ୱର ଏବେ ତ ମୋ ଜୀବନ ମରୁଭୂମି !

ମୁଁ କହିଲି – ଭାବିନିଅ, ମୁଁ ତୁମ ‘ଓଏସିସ୍’ !! ସେ ମୋତେ ଚାହିଁଲା ବହିଭିତରୁ ମୁହଁ ଟେକି..ତା’ ମୁହଁରେ ଉଜ୍ଜ୍ୱଳତା ଧାରେ ନେସିହୋଇଯାଇଥିଲା । ଧୀରେ ଧୀରେ ମୋତେ ବିଶ୍ୱାସ କରିବାକୁ ଲାଗିଥିଲା । ଏ ସୁଯୋଗରେ ମେଞ୍ଚେ ଲାଲ୍ ଗୋଲାପ ତା’ ହାତରେ ଧରେଇଦେଇଥିଲି ।

ମୁଁ ଆସିଲା ପରେ ସେସବୁକୁ ଅବେଗର ସହ ଛାତିରେ ଭିଡିଧରିଥିଲା..! ତା’ ବିଛଣା ପାଖେ ସଜାଇ ରଖିଥିଲା ଫୁଲଗୁଡାକ ପୁରାପୁରି ଶୁଖିବାଯାଏଁ ! ସେବେଠୁ ଲାଲ୍ ଗୋଲାପ ମୁଁ ତାକୁ ଆଣିଦିଏ ଯେମିତି ହେଲେ । ଯାନ୍ତ୍ରିକ ଜୀବନରେ ସେ ମୋର ଏକମାତ୍ର ସ୍ୱର ଥିଲା ଯାହାକୁ ଶୁଣି ମୁଁ ବିଭୋର୍ ହୁଏ..ଭବିଷ୍ୟତର କଳନା କରେ !

ନୂଆକରି ଅଫିସ୍ ଖୋଲିବାର ଯୋଜନା ଥାଏ, ତିନିଟା ଅଫିସ୍‌ର ତଦାରଖ ଗୋଟେ ଯାଗାରେ କରିବାକୁ ସ୍ଥିର କଲାବେଳେ ସେ ଖୁବ୍ ସାହାଯ୍ୟ କରିଛି କାମରେ । ମୋ ସହ ସ୍ୱାଭାବିକ ହୋଇଛି, ରାଗିଛି, ରୁଷିଛି ପୁଣି ଫଗୁଣର ରଙ୍ଗ ବୋଳିଦେଇଛି ମନରେ ! ଅତୀତକୁ ଭୁଲାଇବାକୁ କୋର୍ଟରେ ଆଫିଡେବିଟ୍ କରି ତା’ ସମ୍ମତିରେ ନାଁ ବଦଳାଇ “ଅନୁରାଧା” ରଖିଲି । ସେବେଠୁ ସେ “ମିସ୍ ଅନୁରାଧା” ନାଁରେ ପରିଚିତା ହେଲା ।

ଅଫିସ୍‌ର ମୁଖ୍ୟ କାମସବୁ ସେ ହିଁ ତଦାରଖ କରୁଥିଲା ନିଷ୍ଠାପର ଭାବେ | ସେଇ ସେ ନିର୍ଦ୍ଦିଷ୍ଟ କୋଠରି, ଯାହାକୁ ଆଜି ବି ଗଗନ ସଜାଏ ନିଜ ହାତରେ ! ଏତିକି କହୁକହୁ ଅଟକିଗଲେ କୀର୍ତ୍ତିରାଜ ! ଦୀର୍ଘଶ୍ୱାସଟେ ଭିଜେଇଦେଉଥିଲା ଆହ୍ୱାନକୁ । ପ୍ଲେଟ୍‌ରୁ ଦଶଭାଗ ଖାଦ୍ୟ ବି ସରିନଥିଲା କାହାର । ଦୁହେଁ ଏଯାଏଁ କଥାରେ ହଜିଯାଇଥିଲେ । ଭୋକ ମରିଯାଇଥିଲା କଥା ନିଶାରେ !

କୀର୍ତ୍ତିରାଜଙ୍କୁ ହଠାତ୍ ନୀରବ ହୋଇଯିବା ଦେଖି ଆହ୍ୱାନ୍ ଉତ୍କଣ୍ଠିତ ହୋଇ ପଚାରିଲା – ତା’ ପରେ…।

ଢୋକେ ପାଣି ପିଇ କୀର୍ତ୍ତିରାଜ ପୁଣି ଆରମ୍ଭ କଲେ – ସବୁ ଠିକ୍ ଥିଲା । ଦୁହେଁ ସେ ବର୍ଷ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ । ସେତେବେଳେ ତୋ’ ମାମା ନୂଆକରି ଚାକିରୀ କରିଥିଲା ଅଫିସ୍‌ରେ । ମାର୍କେଟିଂ ଦାୟିତ୍ୱ ତା’ର ଥିଲା । ସେଥିପାଇଁ କିଛି ସମୟ ତା’ ସହ ବିତିଯାଏ । ଏସବୁର ସୁଯୋଗ ନେଇ ଅସହିଷ୍ଣୁମାନେ ମୋତେ ଭାଙ୍ଗିବାକୁ ଯୋଜନା କଲେ । ମିଥ୍ଯା ତଥ୍ୟକୁ ପ୍ରସଂଗ ବନେଇ ଅନୁରାଧାକୁ ଜଣେଇଲେ ଯୋଜନାମୁତାବକ। ବହୁକଷ୍ଟରେ ତାକୁ ଡିପ୍ରେସନରୁ ମୁକାଳିଥିଲି ..! ସେ କିନ୍ତୁ ପୁଣି ସେଇ ଅତୀତକୁ ଚାଲିଗଲା । ଖୁବ୍ ଅଭିମାନୀ ହୋଇପଡିଥିଲା ବୋଲି ମୁଁ କିଛି ନିଷ୍ପତ୍ତି ନେବା ପୂର୍ବରୁ ସେ ଚାଲିଗଲା ଘର ଛାଡି । ବିଶ୍ୱାସ ରଖିପାରିଲାନି ମୋ ଉପରେ ।

ଦିନା କେତେ ଭାଙ୍ଗି ପଡିଲି । ଭାବିଲି ମୋ ଜୀବନ ଛାରଖାର୍ ହୋଇଗଲା । ତା’ ଭିତରେ ବି ତାକୁ ଖୋଜୁଥାଏ ବିଭିନ୍ନ ଯାଗାରେ । ମୋ ଲୋକମାନେ ଖେଦିଯାଇଥାନ୍ତି ଚାରିଆଡେ । ଦୁଇମାସ ପରେ ଖବର ପାଇଲି ..ସେ ଧର୍ମ ପରିବର୍ତ୍ତନ କରି ‘ନନ୍’ ହୋଇଯାଇଥିଲା ! ଯାଇଥିଲି ଭେଟିବାକୁ, ହେଲେ ଦେଖାକରିବାକୁ ମନାକରିଦେଲା । ଚିଠିଟେ ପଠାଇଲା ତା’ ଲୋକଙ୍କ ହାତରେ ।

ଲେଖାଥିଲା – “ତୁମେ ଯାହା କଲ ସେଥିପାଇଁ ଚିର ଋଣୀ । ତୁମ ସବୁଚେଷ୍ଟା ବିନିମୟରେ ମୁଁ ନିଜକୁ ପାଇଲିନି । ସେ ବିଶ୍ୱାସ ଓ ସ୍ୱାଭାବିକତା ଫେରିଲାନି । କାଳେ ଆଗକୁ ତୁମ ପାଇଁ ବିପଦ ହୋଇଯିବି ସେ ଭୟରେ ଚାଲିଆସିଲି । ତୁମେ ଭଲ ରୁହ, ସୁଖୀ ଥାଅ, ଏତିକି କଣ ମୋ ପାଇଁ କମ୍ ଆଶ୍ୱାସନା ! ମୁଁ ସେବା କରିକରି ବଞ୍ଚିଯିବି ! ଗୋଟେ କଥା ରଖିବ, ଅକାରଣେ ସେ ଝିଅଟି ବହୁ ନିନ୍ଦା ସହିଲାଣି, ତାକୁ ହିଁ ବିବାହ କରିନେବ..। ମୋର ଫେରିବା ବାଟ ବନ୍ଦ ଏବେ। କୌଣସି ଆଶା ରଖିବନି । ମୋର ସବୁ ପ୍ରେମ ଓ ପୂଜା ଶେଷଥର ପାଇଁ ଗ୍ରହଣ କରିବ “।

ସେବେଠୁ ତା’ କୋଠରିକୁ କାହାକୁ ଦେଇନି । ତା’ ପସନ୍ଦାନୁସାରେ ଆଜି ବି ସଜାହୁଏ । ସେ ମୋ ସୌଭାଗ୍ୟର କାରଣ ଅଥଚ ମୁଁ କିଛି କରିପାରିଲିନି ତା’ ପାଇଁ !! ହାତରେ ଧନ ସଂପଦ ଥାଇ ବି ମଣିଷ କେତେ ଅସହାୟ ସେବେ ବୁଝିଲି ! ହଁ ତା’ କଥାରଖି ତୋ ମାମାକୁ ବିବାହ କଲି । ମୋ ବିଷୟରେ ସବୁକଥା ସେ ଜାଣିଥିଲା । ଆଜିଯାଏଁ ମାସ ଶେଷର ଦରମା ତା’ ଅଜାଣତେ ଚର୍ଚ୍ଚକୁ ଯାଉଛି ଅନାଥଙ୍କ ସେବାପାଇଁ । ଏ ବାହାନାରେ କାଳେ ସେ ବାପଝିଅଙ୍କ ଋଣ ଶୁଝିପାରିବି !

କୀର୍ତ୍ତିରାଜ ଓ ଆହ୍ୱାନ ଦୁହିଁଙ୍କ ଆଖିରେ ଲୁହ ! ଖାଇବା ସବୁ ସେମିତି ଟେବୁଲରେ ପଡିରହିଲା ! ରାତିଯାକ ବିଚିତ୍ର ଅନୁଭୂତିରେ କଟିଗଲା ଦୁହିଁଙ୍କର ! ତା’ ପରଦିନ ସକାଳେ ନିଜେ ଆହ୍ୱାନ ମିସ୍ ଆରାଧନା ନେମ୍ ପ୍ଲେଟ୍ ଥିବା କୋଠରିକୁ ନିଜ ହାତରେ ସଫା କରି ଲାଲ୍ ଗୋଲାପରେ ସଜାଉଥିଲା !

ସେଦିନ ଚିଠିଟେ ଆସିଥିଲା – “ଆଉ ଦରମା ପଠାଇବା ଆବଶ୍ୟକ ନାହିଁ । “ନନ୍ ମାରିଆ” ଏବେ ମୃତା !! ସେ କିନ୍ତୁ କେଶ୍ କରି ଆୟାଠୁ ଜିତିଥିବା ନିଜର ସମସ୍ତ ସଂପତ୍ତି କୀର୍ତ୍ତିରାଜଙ୍କ ପୁତ୍ର ଆହ୍ୱାନଙ୍କ ନାମରେ ଉଇଲ୍ କରିଯାଇଛନ୍ତି !!”

ଅଫିସର ସମସ୍ତଙ୍କ ଆଖି ଲୁହରେ ଛଲକି ଉଠିଥିଲା । ସେ ଉଇଲ୍ କରିଥିବା ସମସ୍ତ ସଂପତ୍ତି କୀର୍ତ୍ତିରାଜ ପଠାଉଥିବା ଦରମାଠୁ ଢେର୍ ଅଧିକ ଥିଲା !! ସେ ଭାବୁଥିଲେ କିଛି ମଣିଷ ବିନା ଆଶାରେ ଖାଲି ଦେବାପାଇଁ ବୋଧେ ଜନ୍ମ ନିଅନ୍ତି..ସେମିତି ନାଁଟେ ଥିଲା …ଅନୁରାଧା !! “ବିଖ୍ୟାତି” ରୁ “ନନ୍ ମାରିଆ” ଏ ତିନୋଟି ନାଁ ଭିତରେ ଅନୁରାଧା ନାଁଟି ଆତ୍ମୀୟ ଲାଗୁଥିଲା !! ଖାଲି ଚେୟାରଟିରେ ଲାଲ୍ ଗୋଲାପ ସାଙ୍ଗକୁ ଅନୁରାଧାର ଫଟୋ ..!! ସେ କାହାଣୀ ଅସମାପ୍ତ ଭାବେ ସରିଯାଇଥିଲା । କିନ୍ତୁ କୀର୍ତ୍ତିରାଜ ଓ ଆହ୍ୱାନଙ୍କ ମନ ମସ୍ତିଷ୍କରେ ସେ “ମିସ୍ ଅନୁରାଧା” ହୋଇ ରହିଯାଇଥିଲା ଚିରକାଳ !!

ଲୋକପ୍ରିୟ ଲେଖା

To Top