କବିତା

ଫେରି ଆ’ରେ ଧନମଣି

Prafulla Tripathy's odia poem Pheri Aa'Re Dhana

ଅଜା ଆଈ ବାପା ମାଆ ବି ଝୁରନ୍ତି
ତତେ ଦେଖିଥିଲେ ବୋଲି
ତୋ ନିର୍ଜୀବ ଦେହ ଦେଖିଥିଲେ ସେ ତ
ନ ପାରନ୍ତି ଧୈର୍ଯ୍ୟ ଧରି
ବୁଝେଇ ଯାଆ ତୁ କାହିଁକି ଏମିତି
କଲେ ପ୍ରଭୁ ଚକ୍ରଧାରୀ ।।

ଫେରି ଆ'ରେ ଧନମଣି

ଏ ଏକ କାଳ୍ପନିକ ଗୀତିକବିତା ନୁହେଁ । ଏକ ସତ୍ୟ ଘଟଣା 0 ଶିଶୁ ସନ୍ତାନକୁ ହରାଇ ଦୁଃଖିନୀ ମା’ର ଆଖିରୁ ଲୁହ ଶୁଖୁନି । ସନ୍ତାନକୁ ପ୍ରସୂତି ବେଳେ ହରାଇ ମାଆର ହୃଦୟ ବିଗଳିତ ହେଇଚି, ସେ ଭାବୁଛି ତା’ର ସନ୍ତାନ ମରିନାହିଁ । ସେ ବାହାରକୁ ଯାଇଛି । ଫେରିଆସିନି ବୋଲି ତାର ମନରେ ଅହେତୁକ ଶଙ୍କା । ସେ କଣ ଜାଣିଛି ଯେ ତାର କୋଳ ଶୂନ୍ୟ କରି ଯେ ଚାଲିଗଲା ସେ କେବେବି ଫେରିବନି ।

ଗୋଧନ ଗଲେଣି ପକ୍ଷୀ ଫେରିଲେଣି
ସଞ୍ଜ ତ ଗଲାଣି ଗଡ଼ି
କାହିଁ ଗଲୁ ଆରେ ଧନମଣି ମୋର
ଏ ଯାଏଁ ଆସୁନୁ ଫେରି ।।

କେତେ ମାନସିକ କେତେ ଓଷା ବ୍ରତ
କେତେ ମନ୍ଦିର ଦର୍ଶନ
ତୋ ଲାଗି ସହିଲି କେତେ ନିନ୍ଦା ଗାଳି
ଦେଖିବି ବୋଲିରେ ଧନ
ଏଡ଼େ ନୀରିଦୟ ହେଲୁ କାହିଁ ପାଇଁ
କୋଳ ମୋର ଶୂନ୍ୟ କରି ।।

ନଅ ମାସ ତତେ ଗର୍ଭରେ ଧରିଲି
ଆଉ କେତେ ଦିନ ଥିଲା
ଦେଖି ଥାଆନ୍ତି ତୋ ମୁଖ ଚନ୍ଦ୍ରମାକୁ
କୋଳ ମୋର ନ ପୁରିଲା
ଦେଖିବା ଆଗରୁ ତୋ କଅଁଳ ଦେହ
ଚାଲିଗଲୁ ଆର ପାରି ।।

କେମିତି ସହିବି ହୃଦୟ ବେଦନା
ବୁକୁ ମୋ ଯାଉଛି ଫାଟି
ନିତିନିତି ତୋର ବାଟକୁ ଚାହିଁଛି
ଆ’ତୁ ଥରେ ଲେଉଟି
କେତେ ଆଖି ଲୁହ ଢ଼ାଳିଲେ ବି ତୋର
ମନ ଯାଉନି ତରଳି ।।

ଅଜା ଆଈ ବାପା ମାଆ ବି ଝୁରନ୍ତି
ତତେ ଦେଖିଥିଲେ ବୋଲି
ତୋ ନିର୍ଜୀବ ଦେହ ଦେଖିଥିଲେ ସେ ତ
ନ ପାରନ୍ତି ଧୈର୍ଯ୍ୟ ଧରି
ବୁଝେଇ ଯାଆ ତୁ କାହିଁକି ଏମିତି
କଲେ ପ୍ରଭୁ ଚକ୍ରଧାରୀ ।।

ଲୋକପ୍ରିୟ ଲେଖା

To Top