ହାଁ. . . ହାଁ. . . କହି ବୋଉଙ୍କ ହାତଟାକୁ ଧରି ପକାଇଲେ ଚିନ୍ତନ ।
ଆଉ ଟିକକୁ କ’ଣ ଯେ ହୋଇଥାନ୍ତା !
ବୋଉ ସେ ପାହାଚରୁ ପଡ଼ିଯାଇଥାନ୍ତା । ନେଡ଼ି, କହୁଣି ଛିଡ଼ି ଯାଇଥାନ୍ତା । ହାତ, ଗୋଡ଼ ଭାଙ୍ଗିଯାଇଥାନ୍ତା । ବୟସ ଯାହା, ପଡ଼ି ଯାଇଥିଲେ ବିପଦ ।
ଓଃ !
ଦୁର୍ଘଟଣାକୁ ନିୟନ୍ତ୍ରଣ କରି ସୁଦ୍ଧା ଆଶ୍ୱସ୍ତ ହୋଇପାରୁ ନଥିଲେ ଚିନ୍ତନ ।
ଗରଗର ହୋଇ କହିପକାଇଲେ, “ତତେ କେତେଥର କହିଛି ବୋଉ ଯେତେବେଳେ ଉଠିବୁ ସତର୍କ ହୋଇ ଉଠିବୁ । ତୁ କ’ଣ ଭୁଲିଯାଉଛୁ ଆଣ୍ଠୁ କଥା । ଚଟ୍ କରି ଠିଆ ହୋଇପଡୁଛୁ । ଠିକ୍ ସମୟରେ ଔଷଧ ନ ଖାଇ ତେଲ ମାଲିସ୍ ନ କରି ଥରକୁ ଥର ତ ଆଣ୍ଠୁଟାକୁ ବାଡ଼େଇ ଦେଉଛୁ । କହିଲୁ, ହାତରେ ହାତଟା ପଡ଼ି ନ ଥିଲେ କ’ଣ ହୋଇଥାନ୍ତା ଏବେ !”
ଅପ୍ସରା ଚୁପ୍ ।
ଚିନ୍ତନ ସେମିତି କହି ଚାଲୁଥିଲେ, ଚାକର ବାକରଙ୍କୁ ତ ରଖେଇ ଦେଉନ । ଯିଏ ଆସିଲା ଅଖାଡୁଆ ପ୍ରଶ୍ନ । ଜାତି କ’ଣ, ଗୋତ୍ର କ’ଣ, ଶିକ୍ଷାଦୀକ୍ଷା କ’ଣ, ଅବିଶ୍ୱାସ ସମସ୍ତଙ୍କୁ । ମୋତେ ବି କିଛି କରାଇ ଦେଉନ ଆଜିକାଲି ସମୟ ଯାହା କହି ଦେଉଛି କୋଉଠୁ କାମବାଲୀଟାଏ ଖୋଜି ଆଣିଲେ ତମମାନଙ୍କ ମୁହଁରୁ ଯେମିତି କିଛି ନ ବାହାରେ । କିଛି ନ ଶୁଣେ ମୁଁ ।
ଏମିତି ସତର୍କ କରି, ଚିନ୍ତନ ଚଉକି ପାଖକୁ ଚଲାଇ ନେଲେ ବୋଉଙ୍କୁ, ହଁ. . . ଏଇଠି, ଏଇ ଚଉକି ପଛକୁ ଆଉଜି, ହଁ ଗୋଡ଼ଟା ଆଉ ଟିକେ. . . ଆଉ ଟିକେ ପାଖକୁ ଆଣ । ଆଉଜି ବସ୍ ।
ବୋଉଙ୍କ ପିଠି ସାଉଁଳି ନେଲେ ଚିନ୍ତନ । ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, “ପାଣିଟା ଥୋଇ ଯା’ ଏଠି, ବୋଉ ପାଖରେ ।”
ପରେ ବାହାରି ଆସିଲେ ଘରୁ ।
ମିଶ୍ରବାବୁ କହୁଥିଲେ ପାଞ୍ଚ ଛ’ଦିନ ପରେ ସେ ଘର ଛାଡ଼ିବେ । ତାଙ୍କ ଘରେ ଯେଉଁ ସ୍ତ୍ରୀଲୋକଟା ଅଛି ବହୁତ ଭଲ । ମନ ଜାଣି କାମ କରିନିଏ । କିଛି କହିବାକୁ ପଡ଼େନା । ପଇସା କିନ୍ତୁ ଅଧିକ ।
ଏ ଘର ଗୋଟେ ଚାକରାଣୀର ନା ମାଲିକାଣୀର !
ମିଶ୍ରବାବୁ ଦେଇଥିବା ଠିକଣା ଜାଗାରେ ସେ ପହଞ୍ଚିଛନ୍ତି ତ !
ଗେଟ୍ ଖୋଲି ଭିତରକୁ ଯିବା ପୂର୍ବରୁ ଦ୍ୱନ୍ଦ୍ୱରେ ପଡ଼ିଲେ ଚିନ୍ତନ ।
ସାମ୍ନାରେ ଦି’ବଖରା କୋଠାଘର । ଛୋଟ ବଗିଚା । ଦୁଆର ମୁହଁରେ ସ୍କୁଟି । ଦୃଶ୍ୟମାନ ସ୍ୱଚ୍ଛନ୍ଦ ଭିତରେ ଛପିଥିବା ଅଭାବବୋଧକୁ ଖୋଜି ସେ ହାତ ବଢ଼ାଉଥିଲେ କଲିଂବେଲ୍ ଆଡ଼କୁ ।
ଶାବନା ସ୍ତ୍ରୀଲୋକ ଜଣେ ଘର ଭିତରୁ ବାହାରି ଆସିଲେ । ହାତ ଯୋଡ଼ିଦେଲେ । ପରିଚିତ ଭଳି ପଚାରିଲେ, “ଚିନ୍ତନ ସାର୍ ତ ?”
ହଁ ! କେମିତି ଜାଣିଲ ? ମୁଁ ତ ତମକୁ ଦେଖିନାହିଁ ।
ମୁଁ ଦେଖିଛି । ମିଶ୍ର ସାର୍ଙ୍କ ଘରେ । ସେ ବି କହିଛନ୍ତି ଆପଣଙ୍କ କଥା ।
ମୋ କଥା ? ମୋ କଥା କ’ଣ କହୁଥିଲେ ?
କହୁଥିଲେ, “ନିନା ମୁଁ ଘର ଛାଡ଼ିବା ପୂର୍ବରୁ ଚିନ୍ତନ ସାର୍ଙ୍କ ସହିତ କଥା କରାଇଦେବି ।”
ସ୍ତ୍ରୀଲୋକଟାର ନାଁ ସହିତ, ନିଜ ଆବଶ୍ୟକତା ଲାଗି କ୍ଷେତ୍ରଟିଏ ପ୍ରସ୍ତୁତ ହୋଇସାରିଛି ଜାଣି ସେ ଗଦ୍ଗଦ୍ ହୋଇ କହି ପକାଇଲେ, ହଁ. . . ହଁ. . . ସେଇଥି ପାଇଁ ।
କିଛି ଉତ୍ତର ପାଇବା ପୂର୍ବରୁ ଚାଲ ଚାଲ ହୋଇ ସେ କେତେବେଳେ ଘର ଭିତରେ ପହଞ୍ଚି ଯାଇଛନ୍ତି, ବେଡ୍ ଚେୟାର୍ରେ ବସି ସାରିଛନ୍ତି ଜାଣିପାରି ନଥିଲେ ଚିନ୍ତନ ।
ନିନା ପଚାରିଲେ, “ଆପଣ ତ ଚା’ ପିଅନ୍ତି । ଦେବି ?”
ନା, ଥାଉ ।
ଥଣ୍ଡା ?
କିଛି କହିବା ପୂର୍ବରୁ ସାମ୍ନା ଫ୍ରିଜ୍ର ଅଧାମେଲା ଦରଜା ଭିତରୁ ଦଲକାଏ ପବନ ତାଙ୍କ ପାଦରେ ବାଜିଲା । ତତ୍ ସହିତ ଏକ ଶୀତଳ ସିକ୍ତ ପ୍ରଶ୍ନ, ଘରେ ଆଉ କିଏ କିଏ ଅଛନ୍ତି ?
ଆମେ ଦି’ପ୍ରାଣୀ, ମୋ ବୋଉ !
ମ୍ୟାଡ଼ାମ୍ ହୋମ୍ମେକର ନା ସର୍ଭିସ୍ ହୋଲ୍ଡର୍ ।
ଚମକି ପଡ଼ିଲେ ଚିନ୍ତନ । କେହି ତୃତୀୟ ଲୋକ ଏ ପ୍ରଶ୍ନ ଭାବି ସେ ଖୋଜିବା ଖୋଜିବା ହୋଇ ଅଟକିଗଲେ । ନିନା ଶିକ୍ଷିତା ଜାଣି ଉତ୍ତର ଦେଲେ, ସର୍ଭିସ୍ ହୋଲ୍ଡର୍ ।
ଏକା ଅଫିସ୍ ।
ନା ।
ଆପଣ କେତେବେଳେ ଅଫିସ୍ ଯା’ନ୍ତି ?
ଦଶଟା ।
ମ୍ୟାଡ଼ାମ୍ ?
ସାଙ୍ଗହୋଇ ଯାଉ, ଫେରୁ ।
କେତେବେଳକୁ ଫେରନ୍ତି ?
ଛ’ଟା ।
ଆରେ ପିଅନ୍ତୁ ନା । ଗ୍ଲାସ୍ଟା ଏ ପର୍ଯ୍ୟନ୍ତ ଆପଣ ମୁହଁକୁ ନେଇନାହାନ୍ତି ଯେ ।
ନିନା ସଚେତନ କରିବାରୁ ଚିନ୍ତନ ଛୋଟ ହଁ ଟିଏ ମାରିଲେ । ଆଦୌ କିଛି ଭାବନାରେ ନ ଥିବା ପରି ।
ଏଥର କମକୁଟ ଜଉଶଙ୍ଖାର ପଟିକିଆ ହାତଟା ଲମ୍ୱିଆସିଲା ଚିନ୍ତନଙ୍କ ଖାଲି ଗ୍ଲାସ୍ ଆଡ଼କୁ । ତତ୍ ସହିତ ପ୍ରଶ୍ନ ବି, ଠିକ୍ ଛ’ଟା ନା ଡେରି ହୁଏ କେବେ ।
ଦିନେ ଦିନେ । ବେଶି ହେଲେ ସାତ କି ସାଢ଼େ ସାତ ।
ଆକ୍ୱାରିୟମ୍ ରଖିଛନ୍ତି ?
ସ୍ତ୍ରୀଲୋକଟା ସାମାଜିତ ଅର୍ଥନୈତିକ ଜାତିଗତ ଜନଗଣନା ସର୍ଭେ କରୁଛି ନା କ’ଣ ? ଏତେ ପ୍ରଶ୍ନ ପଚାରୁଛି । ଆକ୍ୱାରିୟମ୍ ସହିତ ୟା’ର ସମ୍ପର୍କ କ’ଣ ?
ଚିନ୍ତନ ଭାବୁ ଭାବୁ ଉତ୍ତର ଦେଲେ, ନା ।
ଚଢ଼େଇ ?
ନା ।
କୁକୁର ?
ନାଇଁ ନାଇଁ ସେମାନଙ୍କ ପାଇଁ ସମୟ କାଇଁ ଆମର ।
ଗୁଡ଼ାଏ ଅବାନ୍ତର ପ୍ରଶ୍ନର ଉତ୍ତର ଦେବାକୁ କୁଣ୍ଠିତ ଥିବା ପରି କହିପକାଇଲେ ଚିନ୍ତନ । ଅଥଚ ସରୁ ନ ଥିଲା ପ୍ରଶ୍ନ ।
ବଗିଚା ?
ନା, ନା, ବଗିଚା ନାହିଁ । ଘର ପୂଜା ପାଇଁ ଚାରି ଛ’ଟା ଫୁଲକୁଣ୍ଡ ଅଛି । ପୂଜା କିଏ କରନ୍ତି ?
ମୋ ସ୍ତ୍ରୀ ।
ଦିଅଁ ଦେବତାଙ୍କ ପ୍ରତି ଭକ୍ତି ଥାଏ ନା ସେମିତି ?
ଚିନ୍ତନଙ୍କ କାନକୁ କଥାଟା ଠିକ୍ ଲାଗୁ ନଥିଲା । ଏତେ ସବୁ ପ୍ରଶ୍ନର କାରଣକୁ ବି ସେ ବୁଝିପାରୁ ନଥିଲେ । ତେବେ କହିଲେ, ସେ କଥା ମୁଁ କେମିତି ଜାଣିବି ?
କି କଥା ଗୃହକର୍ତ୍ତା ଆପଣ, ଆପଣ ଜାଣିବେ ନାହିଁ, ଜାଣିବ କିଏ ? ଲୋକେ ତ ଆନ୍ତରିକତା ଅପେକ୍ଷା ଲୋକାଚାର, ବାଧ୍ୟବଧକତାରେ ଈଶ୍ୱରଙ୍କୁ ବସାଉଛନ୍ତି । ଆଉ ସ୍ତ୍ରୀଲୋକ ଗୁଡ଼େ, ସକାଳ ସଞ୍ଜ ଜଞ୍ଜାଳରୁ ମୁକ୍ତ ହେବା ଭାବନା ରଖି ଦିଅଁ ଘରେ ପଶିଯାନ୍ତି । ପ୍ରାର୍ଥନା ନାଁରେ ଆଖିବୁଜି ଢେର୍ ସମୟ ବସି ଅଳସଛଡ଼ା ହାଇ ମାରନ୍ତି, ମୁଁ ଦେଖିଛି ।
ଚିନ୍ତନ ଗମ୍ଭୀର ହୋଇଉଠିଲେ । ନିଜ ସ୍ତ୍ରୀଙ୍କ ବୋଉ ବୈରାଗ୍ୟ ଭାବନା ବି ପୂଜାର ଏକ କାରଣ ହୋଇପାରେ ମନେକଲେ ସେ ।
ପଚାରିଲେ ନିନା, ଗ୍ୟାସ୍ ତ ଥିବ, ଇଣ୍ଡକ୍ସନ୍ ?
ଅଛି ।
ରୋଷେଇ ପାଇଁ ଉଭୟ ବ୍ୟବହାର କରନ୍ତି ?
ହଁ ।
ତେବେ ଆପଣ ଅନ୍ୟର ସହାୟତା କାହିଁକି ଚାହୁଁଛନ୍ତି ? ଆକ୍ୱାରିୟମ୍ ନାହିଁ । ଚଢ଼େଇ ନାହାନ୍ତି । ବଗିଚା, କୁକୁର ନାହିଁ । ଛୋଟ ଛୁଆ ନାହାନ୍ତି । କାମ କ’ଣ ? ରୋଷେଇ କଲେ ଦି’ଓଳି ତ ପନ୍ଦର ପନ୍ଦର ମିନିଟ୍ ସମୟ ଲାଗିବ ।
ନିନାଙ୍କ ଆଶ୍ଚର୍ଯ୍ୟ ଭିତରେ ଥିବା ପ୍ରଶ୍ନଟାକୁ ଜାଣି ଚିନ୍ତନ କହିପକାଇଲେ, “ଏସବୁ ଆମର ସମସ୍ୟା ନୁହେଁ, ସମସ୍ୟା ବୋଉ ।”
ବୋଉ ଆପଣଙ୍କ ପାଇଁ ସମସ୍ୟା !
ନିନାଙ୍କ ଅଳିଅଳ ଆଶ୍ଚର୍ଯ୍ୟ ସଚେତନ କରିଦେଲା ଚିନ୍ତନଙ୍କୁ ।
– ତା’ପରେ –
