ଅଣୁଗଳ୍ପ

ମହା ବାତ୍ୟା ୧୯୯୯

Bindass Gopal's story Mahaabaatya 1999

​ହଠାତ୍ ଗୋଟିଏ ଜାଗାରେ ବେହେରା ବାବୁ ଅଟକି ଗଲେ । ସାମ୍ନାରେ ପଡ଼ିଥିଲା ଅଲେଖର ମୃତଦେହ । ବେହେରା ବାବୁ ଚମକି ପଡ଼ିଲେ । ତାଙ୍କ ମନ ଭିତରେ ସେହି କଥାଟି ବାରମ୍ବାର ଗୁଞ୍ଜରି ଉଠିଲା— “ସାର୍, ମୋତେ ଗୋଟେ ଚାବି ଦିଅନ୍ତୁ।”

୧୯୯୯ ମସିହା ଅକ୍ଟୋବର ୨୮ ତାରିଖ । ଟିଭି ଏବଂ ରେଡିଓରେ ବାରମ୍ବାର ମହାବାତ୍ୟାର ଘୋଷଣା ଚାଲିଥାଏ । ଦ୍ୱିପ୍ରହର ପାଞ୍ଚଟା ବାଜିଲାଣି, ବାହାରେ ପବନର ବେଗ ଧୀରେ ଧୀରେ ବଢୁଛି। ଆମ ଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ କ୍ୱାଟରରେ ଫାର୍ମାସିଷ୍ଟ ବେହେରା ବାବୁଙ୍କ ସହ ମୁଁ ଚେସ୍ ଖେଳୁଥାଏ ।

​ଠିକ୍ ସେତିକି ବେଳେ ଗାଁର ଅଲେଖ ଆସି ବେହେରା ବାବୁଙ୍କ ପାଖରେ ପହଞ୍ଚିଲା । ତା ମୁହଁରେ ଭୟ ଏବଂ ଆଖିରେ କାକୁତି ମିନତି ର ଉଦାସୀନତା ସ୍ପଟ୍ ଦେଖାଯାଉଥିଲା । ନମ୍ର ଓ ଧୀର ସ୍ୱର ରେ ସେ କହିଲା, “ଆଜ୍ଞା ସାର୍, ଗୋଟେ କଥା ଥିଲା… ଆପଣ ମୋତେ ଗୋଟିଏ ଖାଲି କ୍ୱାଟରର ଚାବି ଦିଅନ୍ତୁ ନା ! ମୁଁ ଜଣେ ଗରିବ ଲୋକ, ଏବର୍ଷ ମୋ ଚାଳଘରଟା ଛାଇ ପାରିନି । ବାତ୍ୟା ହେଲେ ମୋ ଘର ଭାଙ୍ଗିଯିବ, ମୋ ଛୁଆପିଲା ଅସହାୟ ହୋଇଯିବେ। ଟିକେ ଦୟା କରନ୍ତୁ ସାର୍!”
​
ବେହେରା ବାବୁ କିନ୍ତୁ ସରକାରୀ ନିୟମ ଓ ଦାୟିତ୍ୱର ବଳୟ ଭିତରେ ବାନ୍ଧି ହୋଇ ରହିଥିଲେ ଟିକିଏ ମୃଦୁ ହସ ଦେଇ ସେ କହିଲେ, “ଦେଖ ଅଲେଖ, ଏଇଟା ମେଡିକାଲ । ଏଠି ସବୁ କ୍ୱାଟରରେ କିଛି ନା କିଛି ସରକାରୀ ସାମାନ ରଖାଯାଇଛି, ଯାହାର ଦାୟିତ୍ୱ ମୋର । ଏଇଟା ଆଶ୍ରୟ ସ୍ଥଳୀ ନୁହେଁ ।”

​ପନ୍ଦର-କୋଡ଼ିଏ ଦିନ ପୂର୍ବରୁ ମଧ୍ୟ ଏମିତି ଏକ ବାତ୍ୟା ଘୋଷଣା ହୋଇଥିଲା ହେଲେ କିଛି ହେଇ ନଥିଲା । ଏଥରେ ଭି କିଛି ହବନି ଚିନ୍ତା କରନି ସବୁକିଛି ଠିକ୍ ହବ ।

ଗତ ଥର ର ବାତ୍ୟା ଘୋଷଣା ସତ୍ତ୍ୱେ ନ ହେବା ସମସ୍ତଙ୍କ ମନରେ ଟିକିଏ ପ୍ରଶ୍ନବାଚୀ ସୃଷ୍ଟି କରି ଦେଇ ଥିଲା ସେଥିପାଇଁ କାହାର ବିଶ୍ୱାସ ନଥିଲା ଯେ ଏହି ବାତ୍ୟା ଏତେ ବଡ଼ ରୂପ ନେବ । ଅଲେଖ ବହୁତ ଅନୁରୋଧ କରିବା ସତ୍ତ୍ୱେ ବେହେରା ବାବୁ ରାଜି ହେଲେନି । ଅଲେଖ ଦୁଃଖରେ ଫେରିଗଲା ।

ସନ୍ଧ୍ୟା ଗଡି ରାତି ହେଲା ପବନ ର ବେଗ ବଢି ଗଲାଣି ସରକାରୀ ବିଜୁଳି କାଟି ଦିଆଯାଇଛି, ଚାରିଆଡ଼େ ଅନ୍ଧକାରମୟ । ରାତିସାରା ଗାଁ ଲୋକେ ଭୟରେ ରେଡିଓ ର ବରମ୍ବାର ବାତ୍ୟା ର ସ୍ଥିତି ବିଷୟ ରେ ଖବର ଶୁଣୁଥାନ୍ତି । କାହା ଆଖିରେ ନିଦ ନାହିଁ । ସକାଳ ହେଲା, ପବନ ଟିକେ କମିଗଲା । ସମସ୍ତେ ଭାବିଲେ ବୋଧେ ବାତ୍ୟା ଟଳିଗଲା । କିନ୍ତୁ ଅକ୍ଟୋବର ୨୯ ସକାଳ ୮ଟା ୪୦ ମିନିଟରେ ହଠାତ୍ ସବୁ ଓଲଟପାଲଟ ହୋଇଗଲା ।

​ଆକାଶରୁ ସତେ ଯେମିତି ବାଦଲ ଫାଟିଗଲା ପରି ପ୍ରବଳ ବର୍ଷା ଆରମ୍ଭ ହେଲା । ପବନର ବେଗ ଏତେ ଥିଲା ଯେ ନିମିଷକ ମଧ୍ୟରେ ଗଛ ଲଟା ,ବତିଖୁଣ୍ଟ ଧରା ତଳେ ଶୋଇଗଲେ । ଗାଁ ରେ ୯୦ ପ୍ରତିଶତ ଚାଳଘର ହିଁ ଥିଲା ଦେଖୁ ଦେଖୁ ସବୁ ଚାଳ ଘର ଗୁଡା ମାଟିରେ ମିଶିଗଲା । ଗାଁ ଲୋକେ ଜୀବନ ବିକଳେ ବଞ୍ଚିବାକୁ ମେଡିକାଲ କୋଠା ଆଡ଼େ ଧାଇଁ ଆସିଲେ । ସେଠାରେ ଶହ ଶହ ଲୋକଙ୍କ କାନ୍ଦ ବୋବାଳି ଓ ହରିନାମ ଶବ୍ଦରେ କୋଠା ଭିତରଟା ଗୁଞ୍ଜି ଉଠୁଥିଲା । ମୋ ଜେଜେବାପା ଆମ ଚାଳଘରଟା ଉଡ଼ିଯାଉଥିବାର ଦେଖି ‘ଭୋ’ କରି କାନ୍ଦି ଉଠିଲେ । ମୋ ଆଖିରୁ ମଧ୍ୟ ଲୁହ ଛୁଟି ଚାଲିଥାଏ । ଆବାଳବୃଦ୍ଧବନିତା ସମସ୍ତଙ୍କ ଆଖିରେ ଭୟ ଓ ଲୁହ ଝଲକୁ ଥାଏ । ଦିନ ତମାମ ବାତ୍ୟା ର ତାଣ୍ଡବ ସବୁ କିଛି ବିନାଶ କରି ଚାଲିଥାଏ । ଦିନ ପରେ ରାତି ହେଲାଣି, ଭୋକ ଉପାସରେ ଲୋକେ ନିସ୍ତେଜ ହୋଇ ପଡ଼ି ରହିଥାନ୍ତି । ରାତି ତିନିଟା ବାଜିଲା ପବନ ବର୍ଷା ଟିକିଏ ଥମି ଗଲା, ପୁଣି ଏକ ନୂଆ ସକାଳର ଆଗମନ ଧୀରେ ଧୀରେ ବର୍ଷା ପବନ ଛାଡି ଗଲା, ହାଲକା ଫୁଲକା ଶୀତୁଆ ପବନ ବହୁଥିଲା ।

ଚାରିଆଡ଼େ କେବଳ ପାଣି ଆଉ ପାଣି । ଗାଁ ର କିଛି ବୁଝା ଶୁଝା ଲୋକେ ରାସ୍ତା ସଫା କରିବା ପାଇଁ ବାହାର କୁ ବାହାରିଲେ । ଗାଁ ପାଖ ନଇ ବନ୍ଧ କୁ କାଟି ଜଳ ନିଷ୍କାସନ କରାଯାଉଛି, ଭୋକ ଉପାସରେ ପଡି ଲୋକେ ପାଣିରେ ଭାସୁଥିବା ନଡ଼ିଆ ପଇଡ କୁ ଭାଙ୍ଗି ଖାଇ ବାକୁ ଲାଗିଲେ । ଚାରିପାଖରେ ସହ ସହ ପଶୁ ପକ୍ଷୀ ମାନଙ୍କ ମରା ଶବ ପଡି ରହିଥାଏ ଲୋକେ ବାହାର କୁ ବାହାରି ଗଲେ ।

ନିଖୋଜ ଲୋକଙ୍କୁ ଖୋଜିବା ଆରମ୍ଭ କଲେ । ବେହେରା ବାବୁ ମଧ୍ୟ ମେଡିକାଲ ସରଞ୍ଜାମ ଧରି ଆହତଙ୍କ ଚିକିତ୍ସା କରୁଥାନ୍ତି ।

​ହଠାତ୍ ଗୋଟିଏ ଜାଗାରେ ବେହେରା ବାବୁ ଅଟକି ଗଲେ । ସାମ୍ନାରେ ପଡ଼ିଥିଲା ଅଲେଖର ମୃତଦେହ । ବେହେରା ବାବୁ ଚମକି ପଡ଼ିଲେ । ତାଙ୍କ ମନ ଭିତରେ ସେହି କଥାଟି ବାରମ୍ବାର ଗୁଞ୍ଜରି ଉଠିଲା— “ସାର୍, ମୋତେ ଗୋଟେ ଚାବି ଦିଅନ୍ତୁ।”

​ନିଜର ସେହି ସାମାନ୍ୟ ଭୁଲ୍ ପାଇଁ ଗୋଟିଏ ଜୀବନ ଚାଲିଗଲା ବୋଲି ସେ ନିଜକୁ କ୍ଷମା କରି ପାରୁନଥାନ୍ତି । ବେହେରା ବାବୁଙ୍କ ଆଖିରୁ ଲୁହ ଝରିଗଲା । ସେ ଅଲେଖର ପାଦ ଛୁଇଁ ନିଜକୁ କ୍ଷମା ମାଗୁଥାନ୍ତି, କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା ।

ବେଳେ ବେଳେ ନିୟତି ର ଖେଳରେ ମଣିଷ ଏମିତି ଫଶିଯାଏ ଭଲମନ୍ଦ ବୁଝିବା କୁ ବି ସମୟ ନ ଥାଏ ଭାଗ୍ୟ ଉପରେ ଜୋର କାହାରି ନାହିଁ । ୧୯୯୯ ର ଏହି ମହାବାତ୍ୟା ଲକ୍ଷ ଲକ୍ଷ ପଶୁ ପକ୍ଷୀ, ମଣିଷ ର ଜୀବନ ଉଜାଡି ଦେଇ ଚାଲିଗଲା କାହାପାଇଁ ପଶ୍ଚାତାପର ଅନୁଭୂତି ତ କାହା ପାଇଁ ଦୁଖଃ ଦରଦ ଛବି ଛାଡି ଗଲା । ସେ ଦିନରୁ ଏବେ ଯାଏଁ ଅନେକ ବାତ୍ୟା ତୁଫାନ୍ ଆସୁଛି ହେଲେ ସରକାର ଙ୍କ ଶୁଝ ବୁଝ ଆଉ ମୌସମ ବିଭାଗ ର ସତର୍କତା ବାଣୀ ଓ ଲୋକଙ୍କ ସଚେତନତା ପାଇଁ ଆଉ ବିଶେଷ କିଛି କ୍ଷତି ହେଉ ନାହିଁ ।

ହେଲେ ମହା ବାତ୍ୟା ୧୯୯୯ ଆଜି ବି ଲୋକଙ୍କ ମନରେ ଲିଭି ନାହିଁ । ନିଜର ଆତ୍ମୀୟ ଙ୍କୁ ହରାଇବା, ଧନ ସମ୍ପତ୍ତି ର କ୍ଷତିପୂରଣ ଆଜି ବି ଭରି ପାରିନି ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top