ଗଳ୍ପ

ଜହ୍ନ ମାମୁଁ ଦେଶ

Odia Author Gagan Bihari Nayak

ସାରିଆକୁ ଖୁବ ନିକଟକୁ ଟାଣି ଆଣି ସନିଆ ଗପ କହେ, ଏଇ ଭିଜା ଭିଜା ନିରୋଳା ରୂପେଲି ଜ୍ୟୋତ୍ସ୍ନା ବିଧୌତ ଜହ୍ନ ରାତିରେ

ଜହ୍ନ ମାମୁଁ ଦେଶ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଦୁଇ ତିନି ଦିନ ଉପବାସରେ ସମୟ କାଟିବା ପରେ, ଭାଙ୍ଗି ପଡିଛି ସାରିଆ ।

ସ୍ଵାମୀ ସନିଆ ହାତରେ କାମ ପାଇଟି ନାହିଁ । ଠିକାଦାର ଗଲା ବର୍ଷ ନେଇଥିଲା, ଏମାନଙ୍କ ହାଡଭଙ୍ଗାପରିଶ୍ରମରୁ ଦାଦନ ଖଟେଇ ଖୁବ ଲାଭ ଉଠେଇଲା । ଶେଷରେ ଯାହା ପାଖରେ ମୁଣ୍ଡ ବିକି ଥିଲେ ଏଇ ଅଭିଶପ୍ତ ଦାଦନ ଗୋଷ୍ଠୀ, ସେମାନେ ଏମାନଙ୍କୁ ଛାଡିବାକୁ ନାରାଜଥିଲେ । ଏପରିକି, କେହି ଯଦି ଘରକୁ ଯିବା କଥା କହେ, ତାଙ୍କୁ ଗଛରେ ବାନ୍ଧି ନିର୍ଘାତ ମାଡ଼ ସହିବାକୁ ପଡେ । ସହିବାକୁ ପଡ଼େ ଅଶ୍ରାବ୍ୟ ଭାଷାରେ ଅଶ୍ଳୀଳ ଗାଳି ଗୁଲଜ ଓ ରାତିରେ ଖାଇବା କଟକଣା । ସେ କଥା ଶୁଣିବା ପରେ ସ୍ତ୍ରୀ ସାରିଆ ନିଜର ଶଙ୍ଖା ସିନ୍ଦୂରକୁ ବିପଦରେ ପକେଇ, କେମିତି କହିବ ସନିଆକୁ ଆଉଥରେ ଦାଦନ ଯାଇ ଖଟିବାକୁ । ସେ’ ସିଧା ସିଧା ମନା କରିଦେଲା- ଆମର ଦାଦନ ଖଟିବାକୁ ଦରକାର ନାହିଁ’। ହେଲେ ଖାଇବେ କ’ଣ । ଜମି ବାରୀ କିଛି ନାହିଁ । କେଉଁ ଯୁଗରୁ ସେମାନେ ରହି ଆସୁଥିବା ଏଇ ଭିଟାମାଟି ଛଡା ଆଉ କେହି ଆପଣାର ନାହାନ୍ତି । ଦୁଃଖରେ କାନ୍ଦି କାନ୍ଦି ସେ’ ଭିଜେଇଛି ଭିଟା ମାଟିର ଛାତି । ଏଇ ମାଟିର ବାସ୍ନାରେ କଟେଇଛି ଉପବାସର କେତେ ଉନିଦ୍ର ରଜନୀ ।

ସଂସାର ଭିତରେ ସ୍ଵାମୀ ଓ ଝିଅ ସବିତା ।

ଘର ତା’ର ଚାଳ ଛପର । ଠିଆ ହୋଇଛି ସର୍ପିଳ ହୋଇ ବହି ଯାଉଥିବା ଛୋଟ ବାଙ୍କନଈ କୂଳରେ । ଉଡେଇ ନେଇଛି ଚାଳର ମଥାନ ମେଞ୍ଚେ ପୂବେଇ ବାଆ । ସେଇ ଉଡିଯାଇଥିବା ଚାଳ ଦେଇ ଉଙ୍କି ମାରେ ଆକାଶୀ ଜହ୍ନ । ସେଇ ଜହ୍ନ ଦେଖି ଖୁସିରେ ନାଚି ଉଠେ ଝିଅ ସବିତାର ମନ ।

ଆଜି କିନ୍ତୁ ନିଆରା, ରାହାଧରି କାନ୍ଦୁଛି ସବିତା । କେତେବେଳୁ କାନ୍ଦି କାନ୍ଦି ହାଲିଆ ହେଇ ଗଲାଣି । ଯେତେ ବୁଝେଇଲେ ବୁଝୁନି ଜମା । ସାରିଆ ଝିଅଟିକୁ ଛାତି ଉପରେ ପକେଇ ଗୁଣୁଗୁଣୁ ହୋଇ କହୁଛି ,”ହେଇରେ –ମୋ’ ମା’ ଦେଖ ଜହ୍ନ ମାମୁ, -‘ଜହ୍ନ ମାମୁ ଦେଶ ଯିବ କିଏ ଆସ । ରାଜା ମୋଡି ନିଶ ହସୁଥିବ ହସ “। ଜମା ବୁଝୁନି ସବିତା । ଭୋକରେ ଆଉଟୁ ପାଉଟୁ ହୋଇ କିଛି ଭଇଁଚ କୋଳୀ ଖାଇ ଥିଲା ଦିନ ବେଳେ । ପିଲା ମନ ବୁଝିବ କେମିତି । ସଞ୍ଜ ହଉ ହଉ ଭୋକ । କ’ଣ ଦିଟା ଖାଇକି ଶୋଇଯିବାକୁ ତା’ର ଅଝଟ ।

କନ୍ଧରେ ଆଉଜେଇ ଜହ୍ନ ଦେଖେଇ ସାରିଆ ଗାଉଛି ସେଇ ପୁରୁଣା ଗୀତ-ଜହ୍ନ ମାମୁ ଦେଶ, ଯିବ କିଏ ଆସ ….. । ସନିଆଁ ଯାଇଛି ଠିକାଦାର ପାଖକୁ- ଗାଁ ଆର ପାରେ ବନ୍ଧ କାମ ହେବ, ସେ’ ଓ ସାରିଆର ଦୁହେଁ କାମ କରିବେ । ଅଗ୍ରୀମ କିଛି ଟଙ୍କା ଆଣି ବର୍ତ୍ତମାନ ପରିସ୍ଥିତିକୁ ସାମ୍ନା କରି ଅନ୍ତତଃ କିଛି ଦିନ ଭଲରେ ଚଳି ଯିବେ ।

……ଏଇ ଆଶା ନେଇ ଯାଇଛି ସେ, ଗାଁ ରୁ ସହର ।

ଆଖି ପାଣି ଆଖିରେ ମଲାଣି, ଫେରିନି ସନିଆଁ । କାନ୍ଦି କାନ୍ଦି ଶୋଇ ଯାଇଛି ସବିତା । ସାରିଆ ଭୋକର ଦାଉ ସମ୍ଭାଳି ନ ପାରି ହାଣ୍ଡିରେ ରଖି ଥିବା ପାଣି ପିଇବାରେ ଲାଗିଛି । ସେଇ ପାଣି କୁ ସାରା ଦିନ ପିଇ ବାକୁ ଦେଇ ସବିତାକୁ ବୁଝେଇ ପାରିଛି-ସାରିଆ ।

ମା’ଭୁଲେଇ ଦେଇଛି ତା;ର ଅଝଟିଆ ମନଟିକୁ । ଆଉ ଅଝଟ ନାହିଁ ସବିତାର । ଦିନ ସାରା କାନ୍ଦି କାନ୍ଦି ଶୋଇ ପଡିଛି ସେ ନିଘୋଡ ନିଦରେ । ଟିକେ ଆଶ୍ଵସ୍ତ ହେଲା ସାରିଆ ।

ଜହ୍ନ ମୁଣ୍ଡ ଉପରକୁ ଉଠି ଗଲାଣି – । ଚାଞ୍ଚେରାର କବାଟ ଖୋଲି ବାହାରକୁ ଆସି ଦେଖୁଛି ସାରିଆ । ବହୁତ ଦୂରରେ କେହି ଜଣେ ଝୁଲି ଝୁଲି ଆସୁଛି । ସିଏ ସବିତା ବା’ ପରି ଜଣା ପଡୁଛିତ । ନାଇଲୋ ମା’ ଆଜିକାଲି ଭୂତ ପ୍ରେତ ରାତିରେ ବୁଲନ୍ତି । ହେଇ ପାରେ କିଏ?

…କିନ୍ତୁ ସେ ଥିଲା ସନିଆ । ହଠାତ ଦୂର ଛାଇଟି ଅଟକି ଗଲା ସେଇ ଦୂର ବିଳବନ ପାହାଡ ଘେରା ବାଙ୍କନଈର ଧାରେ ଯାଇଥିବା ଜଳାଶୟ ପାଖରେ । ସେଇଠି ବସି ଗଲା ସନିଆଁ । ଭାବିଲା ଆରେ ବା ! କଇଁ ଫୁଲଟି ଜହଙ୍କୁ ଦେଖି ବଡ ସରାଗରେ ଫୁଟିଛି । ସେଇ ସଲିଳ ଭିତରେ ଜହ୍ନ ବି ହସୁଛି, ଲହରାୟିତ ପାଣିରେ ଶତ ଭାଗ ହେଇ ଉଠୁଛି ଜହ୍ନର ପ୍ରତିବିମ୍ବ । ଏଇ ଜହ୍ନ ତା’ଚାଳ ମଥାନ ଦେଇ ଉଙ୍କି ମାରେ, ଭସା ବଉଦରେ ଲୁଚକାଳୀ ଖେଳେ । ସାରିଆକୁ ଖୁବ ନିକଟକୁ ଟାଣି ଆଣି ସନିଆ ଗପ କହେ, ଏଇ ଭିଜା ଭିଜା ନିରୋଳା ରୂପେଲି ଜ୍ୟୋତ୍ସ୍ନା ବିଧୌତ ଜହ୍ନ ରାତିରେ । ଜହ୍ନକୁ ଦେଖି ଝିଅ ସବିତା ବହୁତ ଖୁସି ହୁଏ । ଆଜି ସେ ଏଇ କଇଁ ଫୁଲଟିକୁ ଯେମିତି ହେଉ ନବ । ତା’ ଝିଅକୁ ସବୁଠାରୁ ବଡ ଭେଟିଟିକୁ ଦେଇ ଖୁସି କରେଇବ । ଏଇ କଥା ଭାବି ପାଦେ ଆଗେଇ ଯାଇଛି ସେ । କ୍ଳାନ୍ତ ଅବୟବ ଶରୀର କଇଁ ନାଡରେ ଛନ୍ଦି ହୋଇ ଯାଇଛି । ଅନେକ ଚେଷ୍ଟା କରି ସେ ମୁକୁଳି ପାରିନି । ସେଇ ସରସୀର ଜହ୍ନ ସବୁ ଦିନ ପାଇଁ ତାକୁ ଟାଣି ନେଇଛି ତା ଦେଶକୁ । ଜୀବନ ଯୁଦ୍ଧରେ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଲଢି ଲଢି ସେଇ ଜହ୍ନ ଡାକି ନେଇଛି ସେଇ ରାଇଜକୁ ଯେଉଁ ରାଇଜର ରାଜା ବଡ ନିଦାରୁଣ । ଯିଏ ବାଛି ନିଏ ଏମିତି ସରଳ ନିରୀହ ଜୀବନ । ଯେଉଁ ରାଜା ବୁଝେନା ସୁଖ ଦୁଃଖ- ଅଭାବ କଷଣ ।

ସାରିଆ ଚାହିଁ ଚାହିଁ ଆଖି ତା’ର ଥକି ଗଲାଣି । ତଥାପି, ନଈ ଭିତରୁ ସେ ଛାଇ ଉପରକୁ ଆସିଲାନାହିଁ । ତୋଫା ଜହ୍ନ ଆଲୁଅ ଭିତରେ ବାରଣ୍ଡାରେ ବସି ଚାହିଁ ରହିଛି ସାରିଆ । କେତେ କ’ଣ ଅଶୁଭ କଥା ଗୁଡାକ ଖାଲି ଭାବୁଛି । ସନିଆର ବାଟ ଚାହିଁ। ହଠାତ, ଚିତ୍କାର କରି ଉଠିଲା ସବିତା – ” ବା’– ମୋ ବା’ । ବାବା- ଏଇ ଜହ୍ନ, ମାମୁଁ – ଦେଶ, ଆସ , ଆ-ସ । ”

ସବିତାର ଦେହର ତାତି ଧୀରେ ଧୀରେ ବଢିବାରେ ଲାଗିଛି । କାନ୍ଦୁଥିବା ଧକ୍‌କ ଏବେବି ଉଠୁଛି । ବିଳାପ କରି ଉଠିଲା ସବିତା । ସାରିଆ ଘର ଭିତରକୁ ପଶି ଆସିଲା । ଦେଖିଲା, ଦେହରେ ବହୁତ ତାତି । ସେ ବାହୁନି ବାକୁ ଆରମ୍ଭ କଲା। ମା’ର ବାହୁନା ଶୁଣି ଟିକିଏ ଆହତ ଆଖିରେ ଚାହିଁଲା ସବିତା । ତା’ ପରେ ମୁଣ୍ଡଟିକୁ ଢଳେଇ ଦେଲା …ବାଶ…… ।

ଜହ୍ନ ମାମୁର ସେଇ ରୂପେଲି ରାଇଜକୁ ଚାଲି ଗଲା ସବିତା । ଯେଉଁ ରାଇଜକୁ ଥରେ ଗଲେ ଆଉ କେବେ କେହି ଫେରେ ନାହିଁ । ଯେଉଁଠି ରାଜା ନିଶ ମୋଡି ହସୁଥାଏ ବିକଟାଳ ହସ । ଆଉ ସେଇ ଆସୁରିକ ହସର ଫୁତ୍କାରରେ ଉଡିଯାଇଥିଲା କୋମଳମତି ନିରୀହା କଳିକା-ସବିତା । ଏଠି ବାଳ-କୃଷ୍ଣର ପୂଜାହୁଏ, କିନ୍ତୁ ବାଳକକୁ ନୁହେଁ । କନ୍ୟା ସୁରକ୍ଷାର ନିୟମ ହୁଏ, ହେଲେ କନ୍ୟାକୁ ନୁହେଁ । ଏଠି ସେଇ କଂସର କରାୟତରେ କେତେଯେ ନିରିହା ଅକାଳରେ ଝଋ ପଡନ୍ତି । ଆଉ ସେଇ ଜହ୍ନ ମାମୁଁ ଦେଶରେ ରାଜା-। ସମସ୍ତଙ୍କ ଅଧିକାର ଛଡେଇ ନେଇ, ସଜେଇ ଦେଇଛି ମାନବ ସମାଜକୁ ନିସ୍ଵ-ଦୀନ ହୀନ କଙ୍ଗାଳ । ଏଇମିତି ରାଜା ମାନେ ମଉଜରେ ରାଜ ସିଂହାସନରେ ବସି, ନିଷ୍ପାପ ହୃଦୟର ମଣିଷ ନିଗିଡା ରକ୍ତକୁ ଆକଣ୍ଠ ପାନ କରି ଦେଖି ଆସି ଛନ୍ତି ଅନ୍ୟର ଦାରିଦ୍ର କଷଣ । ସେଇ ରାଜାଙ୍କ ଭିତରେ ଏବେବି କଂସ ବଞ୍ଚିଛି । ବଞ୍ଚିଛି ସେଇ ବିଜୁଳି କନ୍ୟା ଓ କୃଷ୍ଣ ବିନାଶ ପାଇଁ …. ।

ସାରିଆର କାନ୍ଦ ଆଉ ଶୁଭୁନି, କାନ୍ଦିବାକୁ ସାହାସ ପାଉନି । ଦାରିଦ୍ର କଷାଘାତରେ ତିନି ତିନି ଦିନ ଉପବାସରେ କଟେଇ ସେ ହରେଇଛି ଏକମାତ୍ର କନ୍ୟା ସବିତାକୁ । ଯିଏ ତା’ ଜୀବନର ଅଶାର ଜ୍ୟୋତି । ସ୍ଵାମୀ, ଦୁଇ ଦିନ ବିତି ଯାଇଥିଲେବି ଅଫେରା । ସେ’ କାଳ ବିଳମ୍ବ ନ କରି ଦୌଡିଲା ସେଇ ନଈ ଆଡେ, ଯେଉଁଠି ସେ ଦେଖି ଥିଲା କାଲି ରାତିରେ ମଣିଷର ଛାଇ । ଆଉ ଭାବୁଥିଲା, ସବିତାର ବା’-ସେଇ ହେଇଥିବ କି ?

ସାରିଆ, ଦେଖିଲା କଇଁ ନାଡରେ ଛନ୍ଦି ହୋଇ ମୁଣ୍ଡକୁ ଉପରକୁ କରି ଚାହିଁ ରହିଛି କେଉଁ ପ୍ରିୟାର ଟିକେ ସ୍ପର୍ଶ ପାଇଁ ସାନିଆଁ । ହାତରେ ଧରିଛି କଇଁ ଫୁଲଟି ପ୍ରଥମ କରି ପ୍ରଥମ ଭେଟି ଦେବାକୁ ତା’ ପ୍ରିୟା ସାରିଆକୁ ସତେ। ଯାହା ଜୀବନର ପ୍ରଥମ ଓ ଶେଷ । ପୋଖରୀ କୂଳେ ଥୁଆ ହୋଇ ଥିଲା ଚିରା ଗାମୁଛାଟି । ସେଥିରେ ବନ୍ଧା ହୋଇଥିଲା ସାତ ଗଣ୍ଠିରେ ପାଞ୍ଚ ଶହ ଟଙ୍କା । ଚୂଡା ଓ ଚିନି ଆଉ ଝିଅ ପାଇଁ କିଣି ଆଣିଥିବା ରାଜା ଓ ରାଣୀର କଣ୍ଢେଇ ।

କାଳ ବିଳମ୍ବ ନ କରି ସେ ଲମ୍ପ ମାରିଲା ପୋଖରୀ ଭିତରକୁ । ଆଉ ଫେରିଲା ନାହିଁ……। ସଲିଳ ସମାଧିସ୍ଥ ଯୁଗଲ ମୁଦ୍ରାରେ ଭାସୁଥିଲା ସନିଆ ଓ ସାରିଆର ଶବ ।

ଗାଁର ଆଖ ପାଖ ଲୋକେ ଦେଖିବାକୁ ଦଉଡିଲେ – ମହା ଯାତ୍ରାର ମହାନିଦ୍ରା- ସ୍ପର୍ଶ କାତର ପୂର୍ଣ୍ଣ ପରିବେଶ ।

ସଞ୍ଜ ନଇଁ ଆସିଲା – ନଇ ପଠା ମଶାଣିରେ ଜଳୁଥିଲା ଜୁଇ। ଆକାଶର ଜହ୍ନ ଲୁଚି ଲୁଚି କାନ୍ଦୁଥିଲା ବଉଦ କୋଳରେ । ମହା ଆନନ୍ଦରେ ନିଶ ମୋଡି ହସ ହସୁଥିଲେ ସେଇ ଦେଶ ରଜା,ଯେଉଁମାନେ ସ୍ଵେଚ୍ଛାଚାରୀ ଓ ସ୍ଵାର୍ଥର ପୂଜାରୀ । କଇଁଫୁଲ ଖୋଜୁଥିଲା ଜହ୍ନ ଶିହରଣ । ଜହ୍ନଆଖିରୁ ଝରୁଥିଲା ଅବିଶ୍ରାନ୍ତ ଲୁହ । ନଈ ପଠାରେ ପଡି ରହିଥିଲା ଗଦାଏ ପାଉଁଶ ।

5 Comments

5 Comments

  1. ଅନସୂୟା ଜେନା

    Anusuya Jena

    January 27, 2018 at 5:23 pm

    very heart touching description……..

    • ଗଗନ ବିହାରୀ ନାୟକ

      gaganbihari nayak

      February 4, 2018 at 12:09 am

      Always welcome to your good compliment madam jee.

  2. Ashok kumra jena

    January 24, 2018 at 4:56 pm

    very interesting story !! thanks story writer !!

    • GAGAN BIHARI NAYAK

      January 25, 2018 at 4:29 pm

      My Dear wisher I Always welcomes to your fantastic comments to inspire go ahead, hearty thanks .

      • GAGAN BIHARI NAYAK

        January 25, 2018 at 5:21 pm

        ମୁଁ ନିଜେ ପଢି କାନ୍ଦି ପକେଇଛି । ତେଣୁ ଆପଣମାନଙ୍କୁ ଏମିତି ଏକ କାହାଣୀକୁ ପଠେଇ ନିଜକୁ ଗୌରବାନିତ୍ୟ ମାନେ କରୁଛି । ଏମିତି ସହଯୋଗ କରନ୍ତୁ । ସେଇ ଗୋଟିଏ ଲେଖକ ପାଇଁ ଅନୁପ୍ରେରଣା ……

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top