କେମିତି ଗୋଟିଏ ସ୍ପନ୍ଦନ ଖେଳି ହୋଇଯାଉଥିଲା ଭିତରେ । ତରଙ୍ଗାୟିତ ମନର ଦରଜା ଦେଇ ପୂବେଇ ପବନର କିମିଆ ଉଦ୍ବେଳିତ କରୁଥିଲା ନିଶିଥ୍କୁ । ସେ ବାରମ୍ୱାର କଡ଼ ଲେଉଟାଉଥିଲା ଖଟିଆ ଉପରେ । ଗୋଟିଏ ପଟକୁ ଶୋଇ ଯେଉଁ ସ୍ୱପ୍ନଟାକୁ ପରସ୍ତେ ଦେଖୁଥିଲା ପୁଣି ଆରପଟକୁ କଡ଼େଇ ସେଥିରେ ଯୋଡୁଥିଲା ଆଉ ଗୋଟିଏ ପୃଷ୍ଠା । ଏମିତି ପୃଷ୍ଠା ପରେ ପୃଷ୍ଠା ଯୋଡ଼ି ହୋଇ ତା’ ସ୍ୱପ୍ନଟା କାହାଣୀର ରୂପ ନେଉଥିଲା । ହଁ, ତା’ର ଏହି ମସ୍ଗୁଲ୍ ଏକାନ୍ତ କଳ୍ପନାର ଉଜାଗରି ସାକ୍ଷୀ ଥିଲା ଉତ୍ତପ୍ତ ଜ୍ୟେଷ୍ଠ ମାସର ଛଟପଟ ରାତି । ଛାତ ଉପର ଚାରିପଟର ଗୁମ୍ସୁମ୍ ଗଛ କେଇଟା ଓ ସାମନା ଦୂରରେ ଥିବା ଘଞ୍ଚ ବାଉଁଶ ବଣ । ଯୋଉଟା ମଝିରେ ମଝିରେ ପରସ୍ତେ ପବନ ସହ ଘୁଁ. . . ଘୁଁ ଶବ୍ଦ କରି ତାକୁ ଆହୁରି ଆବେଗ ପ୍ରବଣ କରି ଦେଉଥିଲା ।
ବୈଶାଖୀ ସହ ବୁଝାମଣା ହୋଇଯାଇଥିଲା ଏହା ମଧ୍ୟରେ । ଫ୍ୟାମିଲି କୋର୍ଟରେ ଦୁଇକକ୍ଷ ପଢ଼ି ବୁଝି ଦସ୍ତଖତ ରଖିଥିଲେ । ଗଲା ତିନି ବର୍ଷର ଦାମ୍ପତ୍ୟ ବିବାଦର ହୋଇଥିଲା ଅବସାନ । ଯେମିତି ନାଟକୀୟ ଢଙ୍ଗରେ ଗୋଟିଏ ଦାରୁଣ ବଜ୍ରପାତରେ ବିବାହ ବେଦୀରୁ ହିଁ ଜଳିପୋଡ଼ି ଯାଇଥିଲା ସେମାନଙ୍କ ସମ୍ଭାବିତ ମିଳନର ପର୍ବ । ପୁଣି ସେହିପରି ନାଟକୀୟ ଅରୋହଣରେ ଯୋଡ଼ି ହେବାକୁ ଯାଉଥିଲା ଦୁଇ ବିକ୍ଷୁବ୍ଧ ବେଳାଭୂମିର ଅନ୍ତଃଚିତ୍କାର । ବିଚ୍ଛେଦର ଦୂରନ୍ତ ଗହନପୀଡ଼ା ଉପରେ ଛାଏଁ ଛାଏଁ କଅଁଳିଥିଲା ସବୁଜ ଉପସମର ଶୀତଳ ବନାନୀ । ଯୋଉଟା ଦିନେ ଘାଇ ପରି ପାଲଟି ଯାଇଥିଲା ଅପହଞ୍ଚ ଆଉ ପ୍ରଶସ୍ତ ସେଠି ଦୁଇମୁଣ୍ଡର ଘାଇକୁ ଯୋଡ଼ିବା ପାଇଁ ପଡ଼ିଥିଲା ଉଜୁଡ଼ା ସମ୍ପର୍କର ସେତୁ ଉପରେ କେଇଁ ମୁଠା ନୂଆ ମାଟିର ପ୍ରଲେପ ।
ବୈଶାଖୀ କାହିଁକି ସେଦିନ ହସ୍ତଗଣ୍ଠିର ସମାପନ ପୂର୍ବରୁ ନିଜ ସରୁ ମେହେନ୍ଦି କରା ହାତଟାକୁ ତା’ ହାତର ବନ୍ଧନରୁ ନିଷ୍ଠୁର ଭାବରେ ପଛକୁ ଘୋଷାରି ନେଇଥିଲା ସେହି ଆଘାତ ଏବେ ବି ତା’ ଭିତରେ ଥିଲା ତାଜା । ଅପାସୋରା ଦୁଃସ୍ୱପ୍ନର ରାତି ପରି ସଦା ଜାଗ୍ରତ । ସପ୍ତଫେଣୀର କଣ୍ଟା ପରି ଅବଶିଷ୍ଟ ଜୀବନକୁ କରି ପକାଇଥିଲା କଣ୍ଟକିତ । ଅକୁହା ଯନ୍ତ୍ରଣାରେ ମର୍ମରିତ । କେତେ କ’ଣ କଥା ଆ’ ତା’ ମୁହଁରୁ ଶୁଣିବାକୁ ପାଇଥିଲା । ହେଲେ କୋଉଟା ସତ, କୋଉଟା ମିଛ ତା’ର କଷୋଟର ଅବକାଶ ନ ଥିଲା । କରି ଅବା ଲାଭ କ’ଣ ?
ଥରକୁ ଥର ଏ ପ୍ରଶ୍ନ ଆନ୍ଦୋଳିତ କରିଛି । ପ୍ରତିଥର ହାର ମନାଇଛି । ହୃଦୟର ଚଟାଣକୁ କ୍ଷତାକ୍ତ କରି ଅଦୃଶ୍ୟ ତଟକା ରକ୍ତ ଛିଟାରେ । ଆଃ. . . ବୈଶାଖୀ ସେତେବେଳେ ତା’ ପାଇଁ ମରୁଭୂଇଁର ତୀକ୍ଷ୍ଣ କଣ୍ଟା ନୁହେଁ ତ ଆଉ କ’ଣ ? ମରୁଝର ତ କେବେ ନୁହେଁ. . . ଯଦି ସେ ଝରର ଧାରଟିଏ ସୁଦ୍ଧା ହୋଇଥାନ୍ତା, ତା’ ହେଲେ କ’ଣ ପାଇଁ ତା’ର ଥିଲା ସେହି ନିର୍ଦ୍ଦୟ ପ୍ରତ୍ୟାଖାନ ! ଦାରୁଣ ଭାବରେ ଶିହରିତ ହୋଇ ଉଠୁଥିଲା ନିଶିଥ୍ର ଅବୁଝା ହୃଦୟ ।
ପବନ ଟିକେ ଥମ୍ ପଡ଼ିଯାଇଥିଲା । ଏଇ ଟିକେ ଆଗରୁ ଯେମିତି ତା’ର ମୃଦୁ ଶିହରଣ ମନର ସବୁ ଗୋପନ ତନ୍ତ୍ରୀକୁ ପ୍ରାପ୍ତିର ଅନେଶତ ପୁଲକରେ ଉଚ୍ଚାଟିତ କରି ଚାଲିଥିଲା, ସେଠି ପୁଣି କିଛି କ୍ଷଣ ପାଇଁ ଲେଉଟି ଆସିଥିଲା ବିରାମ । ନିଶ୍ୱାସ ଓ ପ୍ରଶ୍ୱାସର ଠିକ୍ ମଝାମଝି ଏକ ଅସମାହିତ ସ୍ଥିତି । ମୁଣ୍ଡରୁ ଦେହସାରା ଗୋଟା ସୁଦ୍ଧା ବତୁରା ଝାଳରେ ଜୁଡୁବୁଡୁ । ନିଜ ଦେହଟା କେମିତି ଗମରା ଲାଗୁଥିଲା ତା’ ସହିତ ଶୁଭୁଥିଲା ଭିତରେ ଗୁମୁରୁ ଥିବା ବହୁ ଦିନର ବାହୁନା । ଅସହ୍ୟ ହୋଇପଡୁଥିଲା ସିଏ । ଭଲା ପବନ ଟିକେ ପୁଣି ବହନ୍ତା କି ! ସ୍ଥିର ଦୁଇ ଡେଣାକୁ ଝାଡ଼ି ଚଳଚଞ୍ଚଳତାରେ ଭରି ଦିଅନ୍ତା ଏଇ ଖାଁ ଖାଁ ସ୍ଥବିର ରାତିକୁ । ଓଃ, ଏ ବୈଶାଖୀ କେବେ ମାୟାର ପ୍ରଭଞ୍ଜନ ପୁଣି କେବେ ନ ପାହୁଥିବା ଗୁଳୁଗୁଳି ରାତି ପରି ବିରକ୍ତିକର । ମନଟା ବିଳପି ଉଠୁଥିଲା ନିଶିଥ୍ର । ଆହୁରି ଅବଶିଷ୍ଟ ରାତି ସରିବାକୁ ଥିଲା । ଗ୍ରୀଷ୍ମର ଉଷ୍ମ ଅଭିସାର ନିଷ୍ଠୁର ମଧ୍ୟାହ୍ନ ପରି ଛାଇ ରହିଥିଲା ନିରବ ରାତିର ଅସ୍ତବ୍ୟସ୍ତ ବିଛଣା ଉପରେ ।
ଚାରିପଟରେ ଦାନ୍ତ କାମୁଡ଼ିଲା ପରି କିଛି ସମୟ ଧରି ପୂରା ନିଶ୍ଚୁପ୍ ପଡ଼ିଯାଇଥିଲା ପବନଟା । କିଏ ବୁଝିବ ତା’ର ଏହି ଅବ୍ୟକ୍ତ ଅଭିମାନ । ବର୍ଷେ କି ଦୁଇ ବର୍ଷର ନୁହଁ ପାଖାପାଖି ପୂରା ତିନିବର୍ଷର । ତା’ ଜୀବନରେ ନ ପାହୁଥିବା ରାତିକୁ କିଏ ବା ବୁଝିଛି ? ଯଦି ସେତକ ବୈଶାଖୀ ବୁଝିବାକୁ ଆଗଭର ହୋଇଥାନ୍ତା, ତା’ହେଲେ ଏ ଫ୍ୟାମିଲି କୋର୍ଟ, ଏସବୁ ନାଟକ ବାଜିର କ’ଣ ବା ଆବଶ୍ୟକତା ପଡ଼ିଥାନ୍ତା ! ପୁଣି ଶେଷକୁ ସେଇ ବୁଝାମଣା ଯୋଉଟା କି ଆହୁରି ଆଗରୁ ମଧ୍ୟ ଚାହିଁଥିଲେ ସମ୍ଭବ ହୋଇପାରିଥାନ୍ତା । ଏତେ ସବୁ ଅନ୍ତର୍ଦାହ ପୀଡ଼ା, ବିରହର ଅପୂର୍ଣ୍ଣ କ୍ଷତ ଆଉ ଅବୁଝା ଅଶୁଖା ହୋଇ ରହିନଥାନ୍ତା । କେବେଠୁ ଗୋଟିଏ ନୀଡ଼ରେ ଏକାଠି ବସା ବାନ୍ଧି ସାରନ୍ତେଣି ଦୁଇ ବାସହରା ପକ୍ଷୀ ।
ଏବେ ଖାଲି କଳ୍ପନାରେ କାହିଁକି, ବେଳେ ବେଳେ ନିଜର ଦୁଇ ସ୍ୱପ୍ନ ଗଜୁରୀ ଆଖିକୁ ସୁଦ୍ଧା ତା’ର ଘରଟା ବାୟା ଚଢେ଼ଇର ସୁନ୍ଦର କୁନି ବସାଘର ପରି ଦେଖାଯାଉଥିଲା । ଶୂନ୍ୟର କୋଳରେ ଦୋହଲା ପବନରେ ଝୁଲି ଝୁଲି ଆଖିକୁ ଯେମିତି ଆକର୍ଷିତ କରୁଥାଏ ବାୟା ଚଢେ଼ଇର ବସାଟା ସେମିତି ଆକର୍ଷଣରେ ଭରି ଯାଇଥିଲା ତା’ ଇଟାକାନ୍ଥରେ ତିଆରି ସ୍ୱପ୍ନର ଇମାରତ୍ । ସେ ଦେଖୁଥିଲା ସେହି ବସାର ଛୋଟ ମୁହଁ ଦେଇ ଦୁଇଟି କୁନି କୁନି ଟିକି ଚଢେ଼ଇର ମୁହଁ । ଭସା ଭସା ନୀଳ ଆକାଶକୁ ପଛ କରି ଅସୀମ ଦାମ୍ପତ୍ୟ ପ୍ରେମର ମହାଆନନ୍ଦରେ ବିଭୋର । କାହାକୁ ବୋଲି ପରବାଏ ନାହିଁ, ନାଁ ଦୁଃଖର ନା ଅଭାବର । ସେହି ଛୋଟ ବସାରେ ଅଛି ତ କେବଳ ନିରୋଳା ସୁଖ ହିଁ ସୁଖ ! ନିରୋଳା ପ୍ରେମ ହିଁ ପ୍ରେମ ! ଆସ୍ତେ ଆସ୍ତେ ଏମିତି ଗୋଟିଏ ସ୍ୱପ୍ନର ବସା ପାଲଟି ଯାଉଥିଲା ତା’ର ଘରଟା । ଅପେକ୍ଷା ଥିଲା ତ ବୈଶାଖୀର । ଯାହାର ଆଗମନରେ ଏହି ରୂପାନ୍ତରଣ ପାଇବ ତା’ର ଶେଷ ପୂର୍ଣ୍ଣାଙ୍ଗ ବିନ୍ୟାସ । ଆଗତ ପୁଲକରେ ଅଧିର ହୋଇଉଠୁଥିଲା ନିଶିଥ୍ ।
ଏତେ ଖୁସିରେ ବିଭୋର ହୋଇ ଉଠୁଥିଲା ଯେ ତାକୁ ଆନ୍ଦୋଳିତ କରୁଥିବା ଅଭ୍ୟନ୍ତରର ଏକାନ୍ତ ଗୁପ୍ତ ପ୍ରଶ୍ନ ଗୁଡ଼ାକ ସୁଦ୍ଧା ପାଶୋରି ଦେବାକୁ ବସିଥିଲା । ଏଇ ଯେଉଁ ଅସମାହିତ ସଂଗୀନ ପ୍ରଶ୍ନ ଆଜି ଯାଏଁ ଭିତରେ ଭିତରେ ଉତ୍ପୀଡ଼ିତ କରି ରଖିଥିଲା, ସେଥିରୁ ଗୋଟିଏ ତ ନିଶ୍ଚିତ ଥିଲା ବୈଶାଖୀ ପାଇଁ । କ’ଣ ଏମିତି କେଉଁ ରହସ୍ୟ ହେତୁ ବାହାବେଦୀରୁ ସହସା ମୁହଁ ଫେରାଇ ନେଇଥିଲା ଯେ ସେହି ଅଛିଣ୍ଡା ଗଣିତର ଭାଗଶେଷ ପାଖରେ ନିଜ ଭାଗ୍ୟକୁ ବନ୍ଧା ଦେବାକୁ ମଧ୍ୟ ହୋଇଥିଲା । ଚାହିଁଥିଲେ ପରେ ଆଉ ଥରେ ବିବାହ ମଧ୍ୟ କରିପାରିଥାନ୍ତା । ଜୀବନର ସେହି ଅଭିଶପ୍ତ ମୋଡ଼କୁ ଦୁର୍ଘଟଣା ବୋଲି ମନେ କରି ଡେଇଁ ଯାଇ ନିଜ ପାଇଁ ଆଉ ଗୋଟିଏ ମଧୁର ସଳଖ ରାସ୍ତା ବାଛିପାରିଥାନ୍ତା । କିନ୍ତୁ ସେପରି କରିବାକୁ ଉଚିତ୍ ମଣିଲା ନାହିଁ । ସେମିତି କରିଥିଲେ ହୁଏତ ବିବାହ ବନ୍ଧନକୁ ନେଇ ମନରେ ଥିବା ସବୁତକ ନୈସର୍ଗିକ କୋମଳ ଭାବନାତକ ଓଲଟପାଲଟ ହୋଇଯାଇଥାନ୍ତା । ପ୍ରତିବଦଳରେ ଅପେକ୍ଷା କଲା । ସମୟର ସ୍ରୋତରେ ଉତ୍ଥିତ ବିପର୍ଯ୍ୟୟ ଝଡ଼ର ବେଗ ପ୍ରଶମିତ ହେବା ଯାଏଁ । ମନର ଅଶାନ୍ତ ସାଗରରେ ଧାପେ ଆଶାର ତରୀଟିଏ ମେଲାଇ ଶାନ୍ତ ଏକ ସୂର୍ଯ୍ୟୋଦୟକୁ ଚାହିଁ ରହିଥିଲା ଅସୀମ ଧୈର୍ଯ୍ୟ ଓ ବିଶ୍ୱାସର ସହ । ସେହି ସକାଳ ଏବେ ଉଇଁବା ଉଇଁବା ହେଉଥିଲା ଜୀବନ ଆକାଶର ପୂର୍ବାଶରେ । ନୂଆ ପ୍ରେମରାଗର ଉଦୟ କାକଳିରେ ସିନ୍ଦୂର ଫଟା ଦିଗ୍ବଳୟର ଚିତ୍ରଟେ ଉଇଁ ଆସୁଥିଲା । ଖୁବ୍ ହାତପାଆନ୍ତାରେ । ବିଲ୍କୁଲ୍ ଆଖିର ସାମ୍ନାରେ ।
ପାହାନ୍ତି ଆଡ଼କୁ ମୁହାଁଉଥିଲା ନିଃଶବ୍ଦ ରାତି । ଆଉଟା ଗରମରେ ସାରା ରାତିର ଦଂଶନ ସହିତ ବିଞ୍ଚଣାର କେଁ କଟର ପରି ପରସ୍ତ ପରସ୍ତ ଦହନରେ ଅତିଷ୍ଟ ଛାତି କଲିଜାଟାକୁ ସିଝାଇ ପକାଇଥିଲା ଯେମିତି । ପଚାରିବ ତ କୋଉ କୋଉ ପ୍ରଶ୍ନକୁ ପଚାରିବ ! ଯାହାକୁ ସେ ଏ ଯାଏଁ ନିଜକୁ ପଚାରି ଆସୁଥିଲା, ପଚାରି ଏ ଯାଏଁ ନିଜକୁ ଲହୁଲୁହାଣ କରୁଥିଲା । କାନ୍ଦୁଥିଲା ନିଜେ, ଆଉ ବୋହି ପଡୁଥିବା ଲୁହଧାରକୁ ପୋଛି ପକାଉଥିଲା ନିଜର ସବୁ ନିଭୃତ୍ତ ପ୍ରହରମାନଙ୍କରେ ।
ନା ଆଜି ଆଉ ହିସାବ କିତାବର ସମୟ ନୁହେଁ । ଯାହା ହୋଇଯାଇଛି ସେଇଟା ଅତୀତ । ତାକୁ ଆବୋରି ବର୍ତ୍ତମାନକୁ ଆରମ୍ଭ କରାଯାଇନପାରେ । ଅନ୍ତଃପ୍ରଦେଶରୁ ସେ ଶୁଣିପାରୁଥିଲା ଏଇ କେଇ ଧାଡ଼ିର ସ୍ୱଗୋତକ୍ତି । ହଁ, ତାକୁ ଭୁଲିଯିବାକୁ ହେବ ଅମାବାସ୍ୟାର ଅନ୍ଧକାର ପରି ତା’ର ପିଛିଲା ସମୟ । ମଙ୍ଗଳ ବେଦୀରେ ଯେଉଁ ତେଲିଙ୍ଗି ବାଜାର ଲହରୀଟା ହଠାତ୍ ବନ୍ଦ ହୋଇଯାଇଥିଲା ପୁଣି ସେହି ଲହରୀର ଗୁଞ୍ଜନ ଆଜି ତା’ କାନ ପାଖରେ ହେଉଛି ଗୁଞ୍ଜରିତ । ପୁରୋହିତଙ୍କ କଣ୍ଠରୁ ଅଧା ବାହା ବେଦୀର ମନ୍ତ୍ର ଆଉ ଥରେ ଯେପରି ହେଉଛି ଉଚ୍ଚାରିତ । ସବୁ ଅଧା ହେବ ଆଉ ଥରେ ଗଢ଼ା । ଭଗ୍ନାଂଶ ହେବ ପୂର୍ଣ୍ଣାଂଶ । ଛାତିରୁ ଫେଡ଼ି ହୋଇ ଆସୁଥିଲା ତମାମ୍ ଅବଶୋଷ । ଛ୍ୟାଃ. . . ପୋଛିଲା ଲୁହକୁ ଆଉ ଥରେ ଆଖିରୁ ଝରାଇ ଲାଭ କ’ଣ ? ଧାରେ ଆଶ୍ୱସ୍ତିର ହସ ଫିଟି ଆସୁଥିଲା ତା’ ଓଠରେ । ଏପର୍ଯ୍ୟନ୍ତ ଅକୁହା ଦୁଃଖର ପଥର ଚାପରେ ଜାବ ପଡ଼ିଯାଇଥିବା ତା’ ଓଠ ଧାରରେ ଖେଳି ଉଠୁଥିଲା ପ୍ରାଣ । ସେ ଆଗକୁ ଆବିଷ୍କାର କରୁଥିଲା ଗୋଟିଏ ଦୀର୍ଘ ସୁଖଦ ସଂସାରର ପଥ । ଦୁଇ ଧାରରେ ସବୁଜ ଗଛକୁ ଉହାଡ଼ କରି ଲମ୍ୱି ଯାଇଥିବା ସେହି ପଥ । ମଝିରେ ପରସ୍ପରର ହାତ ଧରି ଅଗ୍ରସର ହେଉଥିବା ଦୁଇ ପଥଚାରୀ । ଗୋଟିଏ ଦିଗରେ । ଗନ୍ତବ୍ୟ ଏକ । ଯାତ୍ରା ଅବିରତ । ଦୁଇ ଜୀବନ ସଂଗୀତର ମିଳିତ ମୂର୍ଚ୍ଛନାରେ ଏକାଠି ପାଦ ବଢ଼ାଉଥିବା ଗୋଟିଏ ତାଳ । ଏକା ମୁହାଁ ହୋଇ ବାଟ ଚାଲୁଥିବା ଗୋଟିଏ ଲୟ ।
ଆଃ. . . ପାହାନ୍ତି ମୃଦୁ ପବନର ହାବୁକାଏ ଶୀତଳତାରେ ସତେଜ ହୋଇ ଉଠୁଥିଲା ନିଶିଥ୍ର ଦେହ ଆଉ ମନ । ସାରା ରାତିରେ ନିର୍ଦ୍ଦୟ ଗ୍ରୀଷ୍ମର ଉଷ୍ମ ଅଭିସାର ଭିତରେ ରୁଦ୍ଧ ହୋଇଯାଇଥିଲା ପ୍ରାଣଟା । ବାହାରୁ ଯେତେ ଅସ୍ତବ୍ୟସ୍ତ ଲାଗୁଥିଲା, ଭିତରେ ଅତିଷ୍ଠ କରୁଥିଲା ଆଉ ଏକ ବ୍ୟଗ୍ରତା । ଅଧୀର ହୃଦୟକୁ ବୁଝାଇବା ଥିଲା ବି ସତରେ କି କଷ୍ଟକର ! ବୈଶାଖୀର ଅବୁଝା ପ୍ରତାରଣା ପୁଣି ତା’ ଠାରୁ ବିରହର ଏହି ଲମ୍ୱା ଅବଧି ବେଦନାପ୍ରଦ ନୁହେଁ ତ ଆଉ କ’ଣ ? ଛାତି ତଳେ ଏହି ଉଦ୍ବେଳିତ ପ୍ରଶ୍ନ ତଥାପି ଦେହରାଉଥିଲା ଅବୁଝା ପବନ ପରି । ବାଉଁଶ ବଣର ଘୁଁ. . . ଘୁଁ ପାଲଟି ପିଟି ହେଉଥିଲା ମନର ଦରଜାରେ । ପୁଣି ଦେଖ ସେହି ଆହତ ମନର ଗହନରେ ଶୁଭୁଛି, ଆଜି କିପରି ମିଳନ ରାଗର ବଂଶୀସ୍ୱନ । ପ୍ରଗଳ୍ଭ ହୋଇପଡୁଥିଲା, ତା’ ସହିତ ଭାବନାରେ ଭାସିଯାଉଥିଲା ଦୂରକୁ ଦୂରକୁ । ସେତେବେଳକୁ ସକାଳର ପ୍ରଥମ ସୁନେଲି ଆଭାରେ ପରିଷ୍କାର ହୋଇ ଆସୁଥିଲା ଆକାଶ ।
ପ୍ରତୀକ୍ଷିତ ଦିନ ଓହ୍ଲାଇ ଆସିଥିଲା ନିଶିଥ୍ର ଘର ଅଗଣାକୁ । ନରମ ରଙ୍ଗର ମୁରୁଜ ପକାଇ ଅଗଣା ସାରା ବିଛାଡ଼ି ହୋଇପଡ଼ିଥିଲା ପହିଲି ସୂରୁଜର କିରଣ । ଆବେଗ ପ୍ରବଣ ହୋଇ ଉଠୁଥିଲା ସେ । ବୈଶାଖୀ ପହଞ୍ଚିବା ଆଗରୁ ଆହୁରି କେତେ କାମ ରହିଲା ଯେ. . . । ଗୃହ ପ୍ରବେଶ ପାଇଁ ମଙ୍ଗଳ ଶଙ୍ଖ ଧ୍ୱନି ଓ ବନ୍ଦାପନା । ହୁଳହୁଳି ନାଦରେ ସେ ଥାପି ତା’ର ପ୍ରଥମ ପାଦ । ଗୋଟିଏ ମୃଦୁ ତରଙ୍ଗ ଖେଳାଇ ହୋଇ ଯାଉଥିଲା ତା’ର ଚଳଚଞ୍ଚଳ ହୃଦୟ ପ୍ରଦେଶରେ । ପାଦ ସହିତ ମିଶିବ ପାଦ । ଅଧୁରା ଜୀବନର ହେବ ଆଉ ଥରେ ଶୁଭ ଅୟମାରମ୍ଭ । ଏକ. . . ଦୁଇ ପରେ ଛିଣ୍ଡି ଯାଇଥିବା ଜୀବନଗଣିତ ପୁଣି ତିନ୍ ପାଖରୁ ଗଣନା ଆରମ୍ଭ କରିବ ।
ଘରର ମାହୋଲ ବି ଟିକେ ମୁଖର ଲାଗୁଥିଲା ସକାଳୁ । ପରିଜନମାନଙ୍କ ମୁହଁରେ ସଦ୍ୟ ହଳଦୀ ରଙ୍ଗ ପରି ଖୁସିର ଛିଟା । ଏଇ ନିଶିଥ୍ର ଜୀବନରେ ଘୋଟି ଆସିଥିବା ଅଦିନ ଅନ୍ଧାରକୁ ନେଇ ଯେଉଁ ନୈରାଶ୍ୟର ଚାଦରରେ ଢାଙ୍କି ହୋଇଯାଇଥିଲା ସଭିଁଙ୍କ ଚେହେରା, ସେଠି ଏବେ ଅସୀମ ଆନନ୍ଦର ଶୁଭ୍ର ଝଲକ । ଅଦୃଶ୍ୟ ଝୋଟି ଚିତାର ପାଖୁଡ଼ା ହସରେ ପୁରି ଉଠୁଥିଲା ଘର ବାହାର, ଦାଣ୍ଡ ଦୁଆର ସବୁ କିଛି । ସବୁଠି ଭରି ରହିଥିଲା ସଜ ଫୁଲର ମାଦକତା । କାହାର ଆସିବା ନେଇ ସଜବାଜ । ପ୍ରସ୍ତୁତିର ବିରାମହୀନ ପର୍ବ ।
ଇତସ୍ତତଃ ଦୁଇ ଆଖି ଅପଲକ ଭାବରେ ପହଁରି ଚାଲିଥିଲା ବାହାର ପଟ ରାସ୍ତାରେ । ଖୁବ୍ ବିଚଳିତ ଭାବରେ ମଝିରେ ମଝିରେ ଚାହିଁ ରହୁଥିଲା ରାସ୍ତାର ସେହି ବାଙ୍କ ମୁଣ୍ଡ ଯାଏ, ଯେଉଁଠି ମୋଡ଼ ବୁଲିଲେ ରାସ୍ତାଟା ସିଧା ହୋଇ ପହେଞ୍ଚ ତା’ ଘର ସାମ୍ନାରେ । ସକାଳ ଗଡ଼ି ଚାଲିଥିଲା ଧିରେ ଧିରେ । ସହନାଇର ମନ୍ଦ ମନ୍ଦ ଲହରୀ ପରି ଖରାର ତେଜ ଟିକେ ଟିକେ ବଢ଼ି ଆସୁଥିଲା ପଦାକୁ । ବ୍ୟତିବ୍ୟସ୍ତ ଲାଗୁଥିଲା ତାକୁ । ସକାଳୁ ଢେର୍ ସମୟ ଧରି ସିଏ ଆସି ଅପେକ୍ଷାରତ ଥିଲା ଘର ଆଗରେ ।
ମାମୁଁ ଝିଅ ଭଉଣୀ ଅନୀତାର ଦାୟିତ୍ୱ ଥିଲା ବୈଶାଖୀକୁ ସାଙ୍ଗରେ ଧରି ଆସିବାକୁ । ସେହି ଅନୁସାରେ ସବୁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା ପୂର୍ବରୁ । ଅନୀତା ସେହି ଗୋଟିଏ ସହରରେ ରହେ ଯେଉଁଠି ରହେ ବୈଶାଖୀ । ଆଉ ପୂର୍ବରୁ ସିଏ ତାକୁ ଜାଣିଥିଲା ମଧ୍ୟ । ନିଜେ ଦାୟିତ୍ୱ ନେଇଥିଲା ଭାଉଜଙ୍କୁ ଧରି ସକାଳୁ ଆସି ପହଞ୍ଚିଯିବ ଠିକଣା ସମୟରେ ଅର୍ଥାତ୍ ଯଥା ଶୁଭ ବେଳାରେ । ମଝିରେ କେତେଥର ବିଳମ୍ୱର କାରଣ ଜାଣିବାକୁ ତା’ ମୋବାଇଲ୍କୁ କଲ୍ କରିଥିଲା । ହେଲେ କ’ଣ ପାଇଁ କେଜାଣି ସେପଟୁ ତା’ର ମୋବାଇଲ୍ଟା ସୁଇଚ୍ ଅଫ୍ ବୋଲି ବାରମ୍ୱାର ଜଣାଉଥିଲା । ଏହା ଯେମିତି ଖାଲି ଉତ୍କଣ୍ଠାକୁ ଦୁଇଗୁଣ ବଢ଼ାଇ ଦେବା ଭଳି କଥା ଥିଲା ବରଂ ସବୁପ୍ରକାର ଭାବରେ ଅସହ୍ୟନୀୟ ଥିଲା ନିଶିଥ୍ ପାଇଁ ।
ଦାଣ୍ଡରେ କେତେବେଳେ ଧୀର ଭାବରେ ବ୍ରେକ୍ କଷି ଛିଡ଼ା ହୋଇଯାଇଥିଲା ଗାଡ଼ି । ଅପ୍ରସ୍ତୁତ ଭାବରେ ଏକୁଟିଆ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲା ଅନୀତା । ଘରର ସବୁଲୋକ ଜମାଟ ବାନ୍ଧି ସାରିଥିଲେ ଆସି ଦୁଆର ମୁହଁରେ । ସମସ୍ତଙ୍କ ମୁହଁରେ ଅଦମନୀୟ ଉଦ୍ଗ୍ରୀବତା । ଘେରା ଘେରା ପ୍ରଶ୍ନିଳ ଚାହାଁଣି । ହଠାତ୍ ନିଶିଥ୍ର ହାତକୁ ଧରି ଘର ଭିତରକୁ ସାଙ୍ଗରେ ଭିଡ଼ି ନେଇଗଲା ଅନୀତା । କ’ଣ କିଛି ବୁଝିବା ଜାଣିବା ପାଇଁ ଯେପରି ସମ୍ପୂର୍ଣ୍ଣ ହତବାକ୍ ଥିଲା ନିଶିଥ୍ । ଖାଲି ବଲ୍ ବଲ୍ ଆଖିରେ ଚାହିଁ ରହିଥିଲା ତା’ ଆଡ଼କୁ । ସେପଟୁ ସେ କହୁଥିଲା, “ତିନି ବର୍ଷ ତଳେ ଯେଉଁ ହସ୍ତହଣ୍ଠିକୁ ଛାଡ଼ି ବୈଶାଖୀ ବେଦୀରୁ ଉଠିଥିଲା, ସିଏ ତା’ର ମନପସନ୍ଦର ହାତ ପାଇସାରିଛି । ଆଉ ସେଠାରୁ ଫେରିବାର ଆଶା ନାହିଁ ।”ତାକୁ ସେଥିରୁ କିଛି କଥା ବୁଝା ପଡୁଥିଲା, ପୁଣି ବୁଝି ଲାଗୁଥିଲା ଅବୁଝା । ଗତ ରାତିର ଉତ୍କଟ ତାତି ପରି ତା’ ଛାତିକୁ ଗ୍ରାସି ପକାଉଥିଲା ଗ୍ରୀଷ୍ମର ଗରଳ । ରାତି ପାହିବା ଯେପରି ଆଉ ବାକିଥିଲା ।