କଥା କଥାକେ
ମାରିବାକୁ ମାରିବାକୁ
ତିଆର, ନିଷ୍ଠୁର
ଆତ୍ମଘାତୀର ଛାତି ତଳେ
ନିଭୃତରେ କୋଉଠି
ସାଇତା ଥାଇପାରେ
କୁନିଝିଅର ହାତଛାପ ଥାଇ
ଚାରିଚଉତା ଖଣ୍ଡେ
ମଇଳା କାଗଜ ।
ଯାଅ
ଅସ୍ତ୍ରଶସ୍ତ୍ରର ବେପାରୀମାନଙ୍କୁ କୁହ
ସବୁ ବୋମା, କମାଣ, ବନ୍ଧୁକ
ଓ ଯୁଦ୍ଧଜାହାଜର ଅସ୍ତିତ୍ୱକୁ
ଘଡ଼ିକ ପାଇଁ
ପୋଛି ଦିଅନ୍ତୁ ସେମାନେ ।
ସବୁ ପାଦ୍ରୀ, ପଣ୍ଡିତ
ଓ ମୁଲ୍ଲାମାନଙ୍କୁ କୁହ
ସେମାନେ ଦୟାକରି
ମୁହୂର୍ତ୍ତେ ଭୁଲିଯାନ୍ତୁ
ନିଜ ନିଜର
ସନ୍ତ୍ରାସବାଦୀ ପ୍ରବଚନ ।
ଅମାନିଆ ମିନୀମାନଙ୍କର
କାବୁଲିବାଲା. . . ଆ
ଡାକ
ବିନାବାଧାରେ ଥରେ
ପହଁରିଯାଉ
ବିଶ୍ୱର ଏ କୋଣରୁ
ସେ କୋଣ ପର୍ଯ୍ୟନ୍ତ ।
ଦେଖିବ
ମାନବିକତାର ଶତ୍ରୁ
ତତ୍କ୍ଷଣାତ୍ ମରିଯିବ
ପ୍ରେମର ଆଘାତରେ ।