କବିତା

ଅଳସୀ ଅଳକା

Prasanta Kumar Behera's odia poem Alasi Alakaa

ଅନେକ ଅଭୁଲା ସ୍ମୃତିର ଗନ୍ତାଘର ସାଜି
ସାଇତି ରଖିଛି କେତେ ପ୍ରେମୀଙ୍କର
ହୃଦୟର କମ୍ପନକୁ ତା’ ନିଜ ଛାତିରେ …….

ସତରେ !
ଏଇ ସେଇ ଅଳକା
ଯିଏ ଦେଖିଛି
କେତେ ହୃଦୟର ସ୍ପନ୍ଦନ
ଅଗଣିତ ପ୍ରେମର ଅପାସୋରା
ସ୍ମୃତିର ଛାପ ରଖିଛି ଧରି
ତା’ ଅବଲୁପ୍ତ ଏଇ ବାଲୁକା ରାଶିରେ …

ସତରେ !
ଏଇ ସେଇ ଅଳକା
ଆଜି ବି ରହିଛି
ମୁକସାକ୍ଷୀ ହୋଇ
ବହୁ ପ୍ରେମୀଙ୍କର ମହାର୍ଘ ମୁହୂର୍ତ୍ତର
କେତେ ସ୍ୱପ୍ନ ଏବେ ବି ଫେଣେଇ ଉଠୁଛି
ତା’ର ଏଇ ପାଣି ପବନରେ ….

ସତରେ !
ଏଇ ସେଇ ଅଳକା
ତା’ ସୁପ୍ତ ବାଲୁକା ବେଳାରେ
ମୁଁ ଦିନେ ଭେଟିଥିଲି ମୋ ପ୍ରେମକୁ
କେଉଁ ଏକ ଦୂର୍ବଳ ମୁହୂର୍ତ୍ତରେ
ତା’ ତନୁ ବୈଭବ ସୁଷମାରେ
ଝୁମିଝୁମି ମତୁଆଲା ହୋଇ
ହଜିଥିଲି ତା’ ପ୍ରେମରେ ….

ସତରେ !
ଏଇ ଅଳସୀ ଅଳକା
ଆଜି ବି ଦେଖୁଛି
କେତେ ଆଶା ଆଉ ହତାଶା ସହିତ
ସ୍ୱପ୍ନସବୁ ଧୂଳିସାତ୍ ହେବାର କ୍ଷଣକୁ
ଅନେକ ଅଭୁଲା ସ୍ମୃତିର ଗନ୍ତାଘର ସାଜି
ସାଇତି ରଖିଛି କେତେ ପ୍ରେମୀଙ୍କର
ହୃଦୟର କମ୍ପନକୁ ତା’ ନିଜ ଛାତିରେ …….

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top