କେତେବେଳେ କେଉଁଠି କେଉଁ ରୂପରେ
ଆସି ପହଞ୍ଚିଯିବ ସେ
କେଉଁ ଢଙ୍ଗରେ ବାଗରେ ତା ଜଙ୍ଗଲୀ
ନିଶାର ଯାଦୁ ଦେଖାଇ
ସ୍ତବ୍ଧ କରିଦେବ ଆଖି ଓ କାନକୁ
ନିମିଷେକ ମୁହୂର୍ତ୍ତର କଣ୍ଠରୋଧ କରି ।
ତାକୁ ପଚାର ଜବାବ ଦେବ ସେ
କି ଲାଭ ମିଳେ ତା’କୁ ନା’ ଆଉ କାହାରିକୁ
କାହା ମର୍ଜିର କେଉଁ ବାହାନାରେ
ନିଜକୁ ଜିତାପଟ କରିବାର ପ୍ରଲୁବ୍ଧ ଉଦ୍ୟମ
ତାକୁ ନିରନ୍ତର ପ୍ରସ୍ତୁତିର ଚୂଡାନ୍ତ ପର୍ବରେ ଥାପେ
ସଠିକ୍ ଉତ୍ତର ପାଖରେ ନ ଥାଏ ବୋଲି
ଆତଙ୍କର ଛାଇ ହୋଇ ଛପି ବସିଥାଏ
ଅନ୍ଧାର ଭିତରେ ସୁଯୋଗ ଅପେକ୍ଷାରେ ।
ଇଚ୍ଛାର ଗୋଲାମ କରିବାକୁ ସାରାଜଗତ
କେଉଁଠି ନା’ କେଉଁଠି ଷଡ଼ଯନ୍ତ୍ରର
ମଞ୍ଜି ପୋତି ଚାଲିଥାଏ
ନିଜେ ବୁଝିଥିବା ନିଜ ଈଶ୍ବର ଇଚ୍ଛାର ସାମ୍ରାଜ୍ୟ
ବ୍ୟାପ୍ତ କରିବାକୁ ଦୈର୍ଘ୍ୟ ପ୍ରସ୍ଥର ଚତୁର୍ଦ୍ଦିଗ
ରକ୍ତବୀର୍ଯ୍ୟର ନିରାପଦ ଆଶ୍ରୟସ୍ଥଳୀ ।
ଠିକଣା ବାରମ୍ବାର ବଦଳୁଥାଏ
ପର୍ଦା ପଛପଟର ରକ୍ତମୁଖା ଖଳନାୟକ
ସମୟକୁ ରୁଧିରାକ୍ତ କରେ
ଜଳସ୍ଥଳ ଆକାଶରେ ପ୍ରଭୁତ୍ୱ ଜାହିର୍ କରେ
ସଭ୍ୟତାର କବର ଉପରେ ସମ୍ପର୍କକୁ
ଖିନ୍ଭିନ୍ କରି ନିଜକୁ ଧୋକା ଦିଏନି ତ ?
ପ୍ରାୟୋଜିତ ସନ୍ତ୍ରାସର ଆତସବାଜିରେ
ନିଜେ କମ୍ ଜଳେନି ଅନ୍ୟଠୁଁ
ଧମାକାରେ କମ୍ ସ୍ତବ୍ଧ ହୁଏନି ଅନ୍ୟଠୁଁ ।
ପଚାର ତାକୁ
ଧର୍ମ ଜାତୀୟତା କେଉଁ ଅନୁଶାସନରେ
ବନ୍ଧା ସେ ମୁକୁଳିପାରୁନି ।