କବିତା

ବସନ୍ତର ଶେଷ ପାହାଚରେ

Smrutiranjan Parida's odia poem Basantara Sesha Pahachare

ତୁମେ ଆଉ ମୁଁ
ବିଦାୟର ସେଇ ଦଗ୍ଧ ମୁହୂର୍ତ୍ତରେ
ଶବ୍ଦହୀନ, ଭାଷାହୀନ ଓ ସଂଜ୍ଞାହୀନ ହୋଇ

ବସନ୍ତର ଶେଷ ପାହାଚରେ

ତୁମେ ଆଉ ମୁଁ ଦୁହେଁ
ବସିଥିଲେ ବସନ୍ତର ଶେଷ ପାହାଚରେ
ପାଦଚାଲା ରାସ୍ତା ସବୁ ଥକିଯାଇ
ଛୋଟ ଛୋଟ ମାଇଲ ଖୁଣ୍ଟ ଓ ତା ସାଙ୍ଗରେ
ରାସ୍ତା କଡ଼ ବଡ଼ ବଡ଼ ଗଛଗୁଡା
ଏକ ବାରେ ନିସ୍ତେଜ ନିଶ୍ଚଳ ହୋଇ
ଶୁଣୁଥିଲେ ବସନ୍ତର ଶେଷ ଗୀତ
ଶେଷ ଥର ପାଇଁ ତାର ଆଭା ଥିଲା ସତ

ତୁମେ ଆଉ ମୁଁ
ବିଦାୟର ସେଇ ଦଗ୍ଧ ମୁହୂର୍ତ୍ତରେ
ଶବ୍ଦହୀନ, ଭାଷାହୀନ ଓ ସଂଜ୍ଞାହୀନ ହୋଇ
ଗୋଟେ ଗୋଟେ ସଞ୍ଜ ପକ୍ଷୀ ଓ
ଟୋପେ ଟୋପେ ଅଶ୍ରୁ ବଦଳରେ
କାହିଁ କେତେ ସ୍ବପ୍ନ ସବୁ ମାରି ଚାଲିଥିଲୁ
କାହିଁ କେତେ ଦିନସବୁ ଭୁଲି ଚାଲିଥିଲୁ

ଆଜି ବସନ୍ତ ଚାଲି ଯାଇଛି
ତୁମେ ଆଉ ମୁଁ କିବା
ମଳୟର ମଧୁର ପରସ
କୋଇଲିର କୁହୁ ତାନ ଓ ତାସାଥିରେ
ଅଭୁଲାସେ ଦିନ ଗୁଡା
ଚାଲିଯାଇଛି

ବସନ୍ତର ପରେ ପରେ
ଦିନ ଗୁଡା ବିତିଯାଏ ରାତ୍ରି ଅପେକ୍ଷାରେ
ଓ ରାତ୍ରିର ମୁହୂର୍ତ ଆସେ ସ୍ମୃତିର ସାଥିରେ
ଚାରିପାଖେ ଶୂନ୍ୟତାର ଝିଙ୍କାରି ଶବଦେ
ମୁଁ ତୁମ ଅପେକ୍ଷାରେ
ବସନ୍ତର ପରେ ପରେ
ତୁମ ଅପେକ୍ଷାରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top