ଦୁଆର ମୁକୁଳା ରଖିଥିଲି,
ଦୁଆରେ ତୋରଣ ସଜେଇଥିଲି,
ତୁମେ କାଳେ ଫେରିବ ବୋଲି,
ସାରା ଅଗଣାରେ ମଲ୍ଲୀ ମାଳତୀ
ଆଉ ଗୋଲାପର ଗଛ ଲଗେଇଲି ।
ତୁମେ ଆସିଥିଲେ, ଫୁଲ ସବୁ ଫୁଟିଥାଆନ୍ତେ
ମହକେଇ ଦେଇଥାଆନ୍ତେ ସାରା ଅଗଣାରେ,
ଝରକା ପାଖରେ ମଲ୍ଲିକା ବି
ଶୋଇବା ଘରେ ବାସ ଭରିଦେଇ ଥାଆନ୍ତା ।
ହେଲେ ଏଇମିତି ବିତିଗଲା ଦିନ ସବୁ,
ନିସଙ୍ଗ ସାୟାହ୍ନ ଆଉ ବିନିଦ୍ର ରଜନୀ
ହେଲେ ତୁମେ ଥରେ ଫେରିକି ଚାହିଁଲନି ।
ଯାହା କିଛି ଭୁଲିବାକୁ ଥିଲା
ସବୁ ତୁମେ ମନେ ରଖିନେଲ,
ମନେ ରଖିବାର କଥାସବୁ
କୁହ କେତେ ସହଜରେ ଭୂଲିଗଲ ?
ଆଖିର ସେ କଥା, ମୃଦୁ ମୁଦୁ ହସ
ଆଉ କୋଇଲିର କୁହୁ କୁହୁ ତାନ,
ଭୂଲିଗଲ ପ୍ରଥମ ମିଳନର
ରୋମାଞ୍ଚିତ ମୂହୁର୍ତ୍ତ ସବୁକୁ ।
ଭୂଲିଗଲ ପ୍ରଥମ ମିଳନର ରାତି
ଟିକେ ଟିକେ ଡର, ଆଉ ଅଳ୍ପ ଅଳ୍ପ ଲାଜ,
ଉତ୍ତେଜିତ ଶରୀର କମ୍ପନ
କଂପିତ କଣ୍ଠରେ ତୁମର ସେ
ଖନିମାରି ଯାଉଥିବା ସ୍ୱର !
ଦୁହେଁ ମିଶି ଅସଜଡା ନୀଡ ସଜାଡିଲେ
ଗୋଟି ଗୋଟି କାଠିକୁଟାକୁ ସାଉଁଟିି ଆଣିଲେ,
ଘର ମୋର ଖାଲି ଘରଟିଏ ଥିଲା,
ତୁମେ ଆସିଲ,
ଘରକୁ ମୋ ସଂସାର କରିଦେଲ ।
ରାଣ ଖାଇଥିଲ, ଦୁଃଖ ସୁଖ,
ହସକାନ୍ଦ ସବୁ କିଛି ବାଣ୍ଟିନେବା
ଘରକୁ ଆମର ସ୍ୱର୍ଗ କରିଦେବା ।
ହେଲେ କଣ ହେଲା ଯେ ଏମିତି,
ପଦିଏ କଥାରେ ସବୁକିଛି ଉଜାଡି ଦେଲ,
ଲକ୍ଷେ ସୁଖର ମୁହୁର୍ତ୍ତ ସବୁକୁ
ଗୋଟିଏ ଭୂଲ ବୁଝାବଣାର
ବଳି ଚଢେଇ ଦେଲ ।
