ତୋଟାମୂଳ ଠାରୁ ପାହାଡ଼
ଯାଏ ସେ ବେନି କୋଟି ।
ପୃଥିବୀ ବିଦିତ ସେହି ମୋ
ନିଜ ଛୋଟ ଗାଆଁଟି ।।
ସରଗ ପଡ଼ିଛି ଛିଡ଼ି ତା’
ପ୍ରତି ଧୂଳିକଣାରେ ।
ଆଙ୍କିଛି ମେଦୁର ଛବି ମୋ ସେହି
ହୃଦ-ଅଗଣା ଟାରେ ।।
ସେଇଠି ଜନମ , ସେଇଠି
ଅଛି ମୋ ଷଠୀଘର ।
ଗୁଞ୍ଜରେ ହୃଦୟେ ଆଜିବି
ତାର ସରସୀ ତୀର ।।
ବିଶାଳ ଦୁନିଆ କଣରେ
ମାତ୍ର ଚାଖଣ୍ଡେ ଥାନ ।
ଛୋଟ ତାର ସୀମା,ସଂସ୍ଥାନ
ତାଠୁ ଆହୁରି ସାନ ।।
ମତୁଆଲା ଝର କରେ ତା
ପାଶେ କେତେ କିମିଆ ।
ସପନ ରାଇଜେ ଆଙ୍କେ ତା
ଲୋଭନୀୟ ଦୁନିଆ ।।
ସବୁଠୁ ରୋଚକ ଫଗୁଣ
ତାର ଉଷା ପାହାନ୍ତି ।
ଇଚ୍ଛା ହୁଏ ଥରେ ମାଟିରେ
ତା’ର ଶିର ନୁଆଁନ୍ତି ।।
ପାଞ୍ଚହାତ ଦେହେ, ଖଞ୍ଜା ମୋ
ପାଞ୍ଚ ପଞ୍ଜରା କାଠି ।
ମରଣ ଲଭିବି କାୟା ମୋ’
ସେଠି ହେବ ତାହାଟି ।।
