ମୋଦି ସାଇଁ ତୁମେ ଯାହା କଲ ଭାରି ଭଲ କଲ
ବିମୁଦ୍ରିକରଣ ଆଠ ନଭେମ୍ବରେ ଥୋପି ଦେଲ ।
କଳା ଟଙ୍କା ବାଲା ମୁଣ୍ଡେ ହାତ ଦେଇ ବସିଛନ୍ତି
ବିରୋଧୀ ବାଲାଏ ଦାନ୍ତ କଡମଡ କରୁଛନ୍ତି ।
ଚାର୍ଟାର୍ଡ ଓକିଲ ତଥାପି କହନ୍ତି ଦମ୍ଭ ଧର
ଶହେରେ ଚାଳିଶି ଦେଇକି କଳାକୁ ଧଳା କର ।
ବ୍ୟାଙ୍କ ଧାଡିରେ ଜନତାର ହୁଏ ଲମ୍ବା ଦାଢୀ
ବ୍ୟାଙ୍କର ବାପୁଡା ଖଟି ଖଟି ହେଲେ ବୁଢା ବୁଢୀ ।
ଟଙ୍କା ଦେଖା ନାହିଁ ଚାହିଁ ଚାହିଁ ଆଖି ପାଣି ମରେ
ରିଜର୍ଭ ବ୍ୟାଙ୍କର କିସ ଯାଏ କିଏ ମଲେଗଲେ ।
ଏଟିଏମ୍ ଗୁଡା ଅଭିଶାପ କେତେ ନେବେ ଆଉ
ମହାମେରୁ ପରି ଛିଡା ପଛେ ନୋଅଟ ନଥାଉ ।
ଏବେଳରେ ତୁମେ ଉଭାନ ହେଲକି ମୋଦି ସାଇଁ
ବ୍ୟାଙ୍କର ବାପୁଡା ଗାଳି ଣୁଣି କାନ ମାରେ ଝାଇଁ ।
ପରକିଜାଇଟ ଟିକସର ଖଣ୍ଡା ଝୁଲୁଅଛି
ବିଦେଶ ଭ୍ରମଣ ଆଶାଟି ମଉଳି ଯାଇ ଅଛି ।
ବ୍ୟାଙ୍କର କରିବେ ଦେଶ ଅର୍ଥନୀତି ଆଗେ ଠିଆ
ଦରମା ବେଳକୁ ଲାଭ କ୍ଷତିର ହିସାବ କିଆଁ ।
ବ୍ୟାଙ୍କର ଭାଇହେ ଏ ଜନମେ କିଛି ନମିଳିଲେ
ଭାବନା ନକର ସରଗ ବାସଟି ଥୁଆ ଭଲେ ।
