କବିତା

ଦୁଃଖ

Brundabana Das's odia poem Duhkha

ହାୟଃରେ….. କିଛି ନିମନ୍ତିତ କିଛି ଅନିମନ୍ତ୍ରିତ
ସବୁଠୁଁ ଅନୁଗତ ପ୍ରିୟ ବନ୍ଧୁ ଜୀବଦ୍ଦଶାର

ଯେଉଁ ରଙ୍ଗରେ ଆକାଶ ହଜେଇଦିଏ
ଚିହ୍ନାପଣର ସବୁ ଚିହ୍ନ ବର୍ଣ୍ଣ
ଅବଶେଷର ଧସାମାଟି ବାଟ ଓଗାଳରେ
ସାମ୍ନାପଥ ହେଉଥିବ ଅବରୁଦ୍ଧ ଧୂମାୟିତ
ଟିପେ ଜାଗା ନଥିବ ପାଦ ବଢେଇବାକୁ
ଏକା ଏକା
ନିଃସଙ୍ଗତାର ମଜବୁତ୍‌ ପିଣ୍ଡି ଉପରେ
ଆବୋରି ବସୁଥୁବ ଆହାଃର କରୁଣ ସ୍ପର୍ଶ ।

ସମୟର ନଦୀ ପରି ଇଏ ଏକ ନଦୀ
ତୀର ଥାଏ ଧାରା ଥାଏ
ଲଂଘିପାରେ କୂଳ ଉଜୁଡେ ଫସଲ
ସ୍ଵପ୍ନ ଅନୁଭବ କେଉଁ ଦୂରନ୍ତ ଇଚ୍ଛାର;
ଲହଲହ ଜିଦ୍ଵାରେ ଚାଟି ସଫା କରପାରେ
ଘୋଡେଇ ଦିଏ ସାରା ଅବବାହିକା
ଛିନ୍ନ ଡାଳପତ୍ରର ବିଧ୍ଵସ୍ତ ଆସ୍ତରଣରେ ।

ଭାରି ଭାରି କଳାମେଘରେ ଭାଙ୍ଗି ପଡୁଥୁବା
ଆକାଶକୁ କେମିତି ରଖିହେବ ଢିରା ଦେଇ
କିଏ ଖୋଜିଆଣିବ ହଜିଲା ଧନ
ଯୋଡ଼ିଦେବ ସମ୍ପର୍କକୁ
ଅଡୁଆ ସୂତାର ଖୂଅ ଖୋଜି ଖୋଜି
ବୁଝେଇ ଦବ ଅମାନିଆ ସମୟକୁ
ବୁଝାପଣର ହାତ ମାଲିସ୍‌ରେ ।

ଜହ୍ନ ତାରା କି ଓଦା ଓଦା ଉଦାସ ଅନ୍ଧାର
କି ଆଲୁଆ ଓ ଅନ୍ଧାର ମଝିରେ
ହଲଚଲ ସୀମାରେଖାଟିଏ
ଚିହ୍ନଉଥୁବ ଛିଡ଼ାହୋଇ ଅବସୋସ
ଅସରନ୍ତି ଅଭାବରେ ଶୁନ୍ୟସ୍ଥାନ
ଅଙ୍ଗୁଳି ନିର୍ଦ୍ଦେଶ କରି ସୂଚଉଥିବ
ହାତଗୋଡ଼ ବାନ୍ଧିବୁନ୍ଧି ଅସହାୟତାକୁ
ନିଜର କରିବା ପାଇଁ;
ଅବରୋଧରେ ରାସ୍ତାସବୁ ଶେଷ ହେଉଥିବ ।

ହାୟଃରେ….. କିଛି ନିମନ୍ତିତ କିଛି ଅନିମନ୍ତ୍ରିତ
ସବୁଠୁଁ ଅନୁଗତ ପ୍ରିୟ ବନ୍ଧୁ ଜୀବଦ୍ଦଶାର
ତମାମ ସମୟ ଜୁଇ ଜଳିବା ଯାଏଁ ପାଖ ଛାଡୁ ନ ଥିବ
ଯେତିକି ଆଗଉଥିବ
ସେତିକି ପଛକୁ ଫେରିବାର ଉପକ୍ରମରେ
ପ୍ରତିଟି ପର୍ବ ଆନ୍ଦୋଳିତ ହେଉଥିବ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top