ଅଣୁଗଳ୍ପ

ଅନନ୍ତ ପ୍ରତୀକ୍ଷା

Binay Mohapatra's odia short story Ananta Pratikshaa

ସେଇ ଦିନ ମୁଁ ଜାଣି ଗଲି ମଲ୍ଲୀଫୁଲର ଗଜରା ପ୍ରତି ତୁମର କେତେ ଦୁର୍ବଳତା । ଏବେ ବି କେବେ ବଜାର ଗଲେ, ତୁମ କଥା ମନେପଡେ, ପୁଣି କିଣି ଆଣେ ମଲ୍ଲୀମାଳ, କେବଳ ତୁମରି ଜୁଡାରେ ଖୋସି ଦେବାପାଇଁ ।

ବର୍ଷ ବଦଳୁଛି, ବର୍ଷ ଶେଷରେ କ୍ୟାଲେଣ୍ଡର ବଦଳି ଯାଉଛି, ମାସ ଶେଷରେ କ୍ୟାଲେଣ୍ଡରର ପୃଷ୍ଠା ବି ବଦଳି ଯାଉଛି । ତୁମେ ଗଲା ପରେ, ବହୁତ ଜୀବନର ବହୁତ କିଛି ବଦଳି ଯାଉଛି ଗୋଟିଏ ଗୋଟିଏ ଦିନରେ । କିନ୍ତୁ ତୁମର ଫଟୋଟି ଯୋଉଁଠି ଲାଗିଥିଲା ଠିକ୍ ସେଇଠି ସେମିତି ଲାଗିଛି । ସେଥିରେ ଲାଗିଥିବା ଫୁଲମାଳଟି ଦିନେ ସୁଖି ସୁଖି ଛିଣ୍ଡି ଆପଣାଛାଏଁ ତଳେ ଖସି ପଡିଲା । ତା’ପରେ ଆଉ ସାହାସ ଜୁଟେଇ ପାରୁନି ନୂଆ ଫୁଲ ମାଳଟିଏ ଆଣି ଲଗାଇ ଦେବି ବୋଲି । ତୁମେ ମଲ୍ଲୀ ଫୁଲକୁ ବହୁତ ପସନ୍ଦ କରୁଥିଲ, ମଲ୍ଲୀ ଫୁଲର ଗଜରାଟିଏ ତୁମ ଗଭାରେ ଖୋସି ଦେଲେ ତୁମେ କେତେ ଖୁସି ହୋଇ ଯାଉଥିଲ ! ଆଜି ବି ମନେ ଅଛି, ତୁମ ଜନ୍ମ ଦିନରେ ଥରେ ତୁମ ପାଇଁ ଗୋଲାପ ତୋଡାଟିଏ ଆଣି ଦେଇଥିଲି । ତୁମେ ବହୁତ ଖୁସି ତ ହୋଇ ଯାଇଥିଲ, ହେଲେ ଉତ୍ସୁକତାଭରା ନୟନରେ ମୋତେ ସେମିତି ଅନେଇ ରହି ଗଲ । ଯେମିତି ତୁମେ ଗୋଲାପ ନୁହେଁ ଆଉ କିଛି ଖୋଜୁ ଥିଲ ! ମୁଁ ପଚାରିଲି ଭଲ ଲାଗିଲାନି, ଗୋଲାପ ଫୁଲର ତୋଡାଟା ? ତୁମେ ଟିକିଏ ହସିଦେଇ କହିଲ, ଖୁବ୍ ସୁନ୍ଦର ହୋଇଛି ଗୋଲାପ ଗୁଡିକ, ହେଲେ ମୁଁ ଭାବିଥିଲି ତୁମେ ମୋ ପାଇଁ ମଲ୍ଲୀ ମାଳଟିଏ ଆଣିବ, ନିଜ ହାତରେ ମୋ ଗଭାରେ ବାନ୍ଧି ଦେବ ବୋଲି । ସେଇ ଦିନ ମୁଁ ଜାଣି ଗଲି ମଲ୍ଲୀଫୁଲର ଗଜରା ପ୍ରତି ତୁମର କେତେ ଦୁର୍ବଳତା । ଏବେ ବି କେବେ ବଜାର ଗଲେ, ତୁମ କଥା ମନେପଡେ, ପୁଣି କିଣି ଆଣେ ମଲ୍ଲୀମାଳ, କେବଳ ତୁମରି ଜୁଡାରେ ଖୋସି ଦେବାପାଇଁ । ହେଲେ ତୁମ ଫଟୋରେ ତୁମ ମୁଣ୍ଡ ପଛର ଜୁଡାଟା ତ ଦିଶେନି, କେମିତି ବାନ୍ଧି ଦେବି କହୁନ ? ଏଇ ଟେବୁଲ ଉପରେ ମଲ୍ଲୀମାଳ ସବୁ ଏମିତି ପଡି ପଡି ସୁଖି ଯାଉଛି ସିନା, ହେଲେ ତୁମ ଫଟୋରେ ନୁଆ ମାଳାଟିଏ ଚଢେ଼ଇବାକୁ ସାହାସ ଏକାଠି କରି ପାରୁନି । ବିଶ୍ୱାସ ହୁଏନି ତୁମେ ଆଉ ନାହଁ ବୋଲି !

ନିଇତି ସକାଳେ ନିଦ ଭାଙ୍ଗିଲେ ପ୍ରଥମେ ବାଆଁ ପଟ ଶେଜ ଆଡକୁ ଆଖି ଚାଲିଯାଏ, ତୁମକୁ ସେଇଠି ଖୋଜେ, ତୁମରି କଥା ଭାବେ । ମନେହୁଏ ତୁମ ଯେପରି ସକାଳୁ ସକାଳୁ ଉଠି ରୋଷେଇ ଘରେ ମୋ ପାଇଁ ଚାହା ତିଆରି କରୁଛ ! ଏଇ ଏବେ ଏବେ ଗରମ ଗରମ ଚାହା କପ୍ ଟେ ହାତରେ ନେଇ ଚାଲି ଆସିବ, ଆଉ ପାଖ ଟେବୁଲରେ ଥୋଇଦେଇ ମୋ ଉପରୁ ଚାଦରଟା ଓଟାରି ନେଇ କହିବ, ଆରେ ଉଠମ, କେତେ ବେଳୁ ସକାଳ ହୋଇ ସାରିଲାଣି, ଆଉ କେତେ ସମୟ ଶୋଇବ? ତୁମେ ପୁରା ଅଳସୁଆ ହୋଇ ଗଲଣି ଏବେ । ହେଲେ ଆଜି କାଲି ମୋତେ କେହି ଉଠାଇବାକୁ ଆସେନି, କିନ୍ତୁ ସକାଳୁ ସକାଳୁ ଆପେ ଆପେ ନିଦ ଭାଙ୍ଗି ଯାଉଛି । ସକାଳୁ କେହି ଚାହା କପେ ବେଡ ପାଖକୁ ନେଇ ଆସୁନି । ଉଠିଗଲା ପରେ ମୁହଁ ଧୋଇ ଡାଇନିଂ ଟେବୁଲ ପାଖରେ ଯାଇ ଦେଖେ, ପିଲାଏ ଉଠିଲେଣି କି ନାହିଁ । ତୁମେ ତ ଜାଣିଛ, ପିଲାଏ ଡେରିରେ ଉଠନ୍ତି । ନିଜେ ରୋଷେଇ ଘରେ ପଶି ଚାହା କପଟେ ତିଆରି କରି ପିଇବାକୁ ଇଚ୍ଛା ବି ହୁଏନି । ତୁମେ ଥିଲା ବେଳେ କେତେ ଥର ତୁମ ସାଙ୍ଗରେ ଟିକେ ସମୟ ବିତେଇବା ପାଇଁ ମୁଁ ଚାହା କରିବା ବାହାନାରେ ରୋଷେଇ ଘରକୁ ଚାଲି ଆସୁଥିଲି । ଚାହା ତିଆରି କରିବାକୁ ଚେଷ୍ଟା ବି କରୁଥିଲି । ହେଲେ ସବୁ ଥର ତୁମେ ମୋତେ ଅଟକେଇ ଦିଅ, ସବୁବେଳେ କୁହ, ରୁହ ମୁଁ ତିଆରି କରି ଦେଉଛି । ହେଲେ ଆଜି କାଲି ରୋଷେଇ ଘରର ସେ ଆକର୍ଷଣ ମୋ ପାଇଁ ଆଉ ନାହିଁ । ରାତିରେ ସେମିତି ଶେଜକୁ ଗଲେ, ଶେଜରେ ପଡି ପଡି ତୁମକୁ ଅପେକ୍ଷା କରେ । ମନେହୁଏ ରୋଷେଇଘର କାମ ସାରି, ଲୁଗା କାନିରେ ହାତ ପୋଛୁ ପୋଛୁ ତୁମେ ଏବେ ଆସିଯିବ ସତେ । ହେଲେ ତୁମେ ଆଉ କେବେ ବି ଆସନା । ଏମିତି ଅପେକ୍ଷା କରୁ କରୁ କେତେ ବେଳେ ନିଦରେ ଆଖି ନଇଁ ଆସେ ଜାଣି ପାରେନି । ତୁମେ ନାହଁ, ଏକଥା ବିଶ୍ୱାସ ହୁଏନା । କେମିତି ଭୁଲି ଯିବି ଅତୀତର ସେଇ ପଚିଷ ବର୍ଷରେ ସାଥିହୋଇ ବିତେଇଥିବା ଜୀବନର ପ୍ରତିଟି ମୁହୁର୍ତ୍ତକୁ । କେତେ ସୁଖ ଦୁଃଖ, ହସ କାନ୍ଦର ମୁହୁର୍ତ୍ତ ସବୁକୁ । କେମିତି ବୁଝେଇ କହିଦେବି, ତୁମେ କେବଳ ମୋର ଆବଶ୍ୟକତା ନଥିଲ, ତୁମେ ତ ମୋର ଗୋଟିଏ ଅଭ୍ୟାସ ହୋଇ ଯାଇଥିଲ । ତୁମେ ମୋର ଅଧା ଅଙ୍ଗ, ଅଧା ପ୍ରାଣ ଥିଲ, ଏକାତ୍ମ, ସବୁ ଠାରୁ ବେଶି ଅନ୍ତରଙ୍ଗ ଥିଲ । ମନେହୁଏ ତୁମେ ସତେ ଆଜି ବି ମୋ ସାଙ୍ଗରେ ସେମିତି ଅଛ, କଣ ଟିକେ ଅଭିମାନ କରି ତୁମେ ତୁମ ଭାଇଙ୍କ ପାଖକୁ ଚାଲି ଯାଇଛ । ପୁଣି ଶିଘ୍ର ଫେରି ଆସିବ, ନିଶ୍ଚୟ ଫେରି ଆସିବ । ତୁମ ପାଇଁ ମୁଁ ସବୁ ଦିନ ସବୁ ମୁହୁର୍ତ୍ତରେ ଏମିତି ଅପେକ୍ଷା କରି ରହିଛି ।

ତୁମେ ଆସିବ ବୋଲି କେବେ ସିନା କଥା ଦେଇ ନଥିଲ, ହେଲେ ମୁଁ ମୋ ଅଭ୍ୟାସକୁ ଆଜି ଯାଏ ବଦଳେଇ ଦେଇ ପାରୁନି । ତୁମେ ଫଗୁଣକୁ ଭଲପାଅ, ହୋଲିର ରଙ୍ଗକୁ ଭଲପାଅ, ସେଥି ପାଇଁ ଭାବିଥିଲି ଏଇ ଫଗୁଣରେ ତୁମେ ନିଶ୍ଚୟ ଆସିବ । ତୁମେ ଆସିବ ବୋଲି, ପ୍ରତିଥର ପରି ଏଥରକ ବି ବସନ୍ତକୁ ଡାକିଥିଲି, ମଳୟକୁ ଆଉ କୋଇଲିକୁ ବି ଡାକିଥିଲି । ହେଲେ ତୁମେ ଆସିଲନି । କିଛି କଥା ନାହିଁ, ତୁମେ ଆସିଲନି ବୋଲି କିଛି ଦୁଃଖ ବି ନାହିଁ । ତୁମେ ଆସିଲନି ତ ଆସିଲନି, କଣ ବା ବିଗିଡି ଗଲା !

ବସନ୍ତ ତା ସମୟରେ ଆସିଲା, ଚାରି ଦିଗରେ ତାର ରଙ୍ଗ ବିଛାଡି ଦେଲା । ମୋ ଅଗଣାର ଗୋଲାପ ଗଛରେ ନୁଆ ନୁଆ ଗୋଲାପ କଢ ଆସି ଗଲାଣି, ତୁମେ ନିଜ ହାତରେ ଲଗେଇ ଥିଲ ନା ଏଇ ଗୋଲାପ ଗଛଟା, ହେଲେ ଫୁଲ ଫୁଟିବା ଆଗରୁ ତୁମେ ନିଜେ ଝାଉଁଳି ଗଲ । ରାସ୍ତା କଡର କୃଷ୍ଣଚୁଡା ଗଛଟା ତା ମୁଣ୍ଡରେ ନାଲି ଓଢଣୀଟିଏ ଢାଙ୍କି ସାରିଲାଣି, ବୋଧହୁଏ ବସନ୍ତକୁ ଦେଖି ଲାଜେଇ ଯାଉଛି । ଜାଣିଛ କିଛିଦିନ ହୋଇଗଲାଣି ଶୋରିଷ ଖେତରେ କିଏ ଜଣେ କଳାକାର ହଳଦିଆ ରଙ୍ଗ ବୋଳି ଦେଇଛି, ଆହା, କି ସୁନ୍ଦର ଦିଶୁଛି ସଦ୍ୟ ଅଙ୍କା ପେଣ୍ଟିଙ୍ଗଟିଏ ପରି, ଦୁର ପାହାଡର ନୀଳ ଚାଦର ପର୍ଯ୍ୟନ୍ତ ସବୁ କିଛି ହଳଦିଆ ହୋଇ ଯାଇଛି । ଆଉ ତ ଆଉ, ଆମ୍ବ ଗଛରେ ବଉଳ ବି ଆସି ଗଲାଣି, ମହୁଲ ଗଛରେ ଫୁଲ ବି ଫୁଟିଲାଣି, ମଳୟର ଧୀର ପବନରେ ଚଉଦିଗ ମହମହ ବାସ୍ନାରେ ମହକି ଗଲାଣି । ଆଜି ସକାଳେ ପ୍ରଥମ କୋଇଲିର କୁହୁ କୁହୁ ଗୀତ ଶୁଣିଲି, ସତେ ଯେମିତି ସିଏ କହୁ ଥିଲା ଆଖି ଖୋଲି ଦେଖ, ବସନ୍ତ ଆସି ଗଲାଣି । ବସନ୍ତର ପ୍ରଥମ ସ୍ପର୍ଶ ପ୍ରେମୀମାନଙ୍କ ହୃଦୟରେ ପ୍ରଣୟର ରୋମାଞ୍ଚ ଭରି ଦେଲାଣି । ବନ, ଉପବନ, ତରୁ, ଲତା ଆଉ ଉପବନ ସବୁ କିଛି ପ୍ରେମର ରଙ୍ଗରେ ସତେ ଯେମିତି ଜୁଡୁ ବୁଡୁ ହୋଇ ଗଲେଣି ।

ତୁମେ ଆସିଥିଲେ ମୋତେ ବହୁତ ଭଲ ଲାଗିଥାନ୍ତା । ଆମେ ସାଥିହୋଇ ପାର୍କ ଯାଇଥାନ୍ତେ, ସେଇଠି ପାର୍କର ପଶ୍ଚିମ କୋଣରେ, ତୁମର ସେଇ ପ୍ରିୟ ପୁରୁଣା କୃଷ୍ଣଚୁଡା ଗଛଟା ଆଜି ବି ତୁମକୁ ଅପେକ୍ଷା କରିଛି । ତୁମେ ଆସିବ, ଆଉ ତାଆରି ତଳେ ସିମେଣ୍ଟ ବେଞ୍ଚରେ ଆମେ ସାଥିହୋଇ ଦେହକୁ ଦେହ ଲଗାଇ ବସିଯିବା । ଯେମିତି ଆଗରୁ ପାର୍କକୁ ଗଲେ ଆମେ ସେଇଠି ସବୁବେଳେ ବସୁଥିଲେ । ମୁଁ ତୁମ ହାତକୁ ମୋ ହାତରେ ଜାବୁଡି ଧରିଥାଆନ୍ତି । ଆମେ କିଛି ଗପ୍ ସପ୍ କରି ଥାଆନ୍ତେ । ପୁରୁଣା ଦିନର ସ୍ମୃତି ସବୁ ମନେ ପକେଇ ଥାଆନ୍ତେ ଆଉ କିଛି ଭବିଷ୍ୟତର ଯୋଜନା ବି କରି ଥାଆନ୍ତେ । ତୁମେ କିଛି କହିଥାନ୍ତ ମୁଁ ଶୁଣିଥାନ୍ତି, ଆଉ ମୁଁ କିଛି କହିଥାନ୍ତି, ତୁମେ ଶୁଣିଥାନ୍ତ । ଛୋଟ ଛୋଟ କଥାରେ ତୁମେ କେବେ ରୁଷି ଯାଆନ୍ତ, ଯେମିତି ଆଗରୁ ସବୁବେଳେ ନାକ ଫୁଲେଇ ରୁଷି ଯାଉଥିଲ ! ଆଉ ମୁଁ ଟିକେ ଗେହ୍ଲେଇ ଦେଲେ, କୁନି ଝିଅଟିଏ ପରି ତୁମେ ପୁଣି ଖିଲି ଖିଲି ହସି ଦେଇଥାନ୍ତ ଆଉ ମୋ ଦେହକୁ ଆଉଜି ପଡିଥାନ୍ତ । ହେଲେ ତୁମ ଅପେକ୍ଷାରେ ଦିନ ଲମ୍ବା ହୋଇଗଲା, ରାତି ବି ରୁଷିଗଲା ସିନା, କିନ୍ତୁ ତୁମେ ଆସିଲନି । ମୋର ସବୁ ସ୍ୱପ୍ନ କେବଳ କଳ୍ପନାରେ ହିଁ ରହିଗଲା । କେବେ ମନେ ମନେ ଭାବେ, ତୁମେ ଯେଉଁଠିକି ଯାଇଛ,ସେଠିକି ଯିଏ ଯାଏ ସେ କଣ ଆଉ କେବେ ଫେରେ ? ସେଇ ଅଜଣା ଦେଶରେ କଣ ଏମିତି ମିଳିଯାଏ ସେମାନଙ୍କୁ କେଜାଣି, ଯିଏ ଥରେ ଯାଏ, ତାର ମନ ଲାଗି ଯାଏ ସେଇଠି । ହେଲେ ତୁମକୁ ଭୂଲି ହେଉନି, ତୁମକୁ ଅପେକ୍ଷା କରିବା ଛଡା ଆଉ କଣ କରି ପାରିଥାନ୍ତି ? କିନ୍ତୁ ଏଇ ଅବୁଝା ମନଟାକୁ ଜମାରୁ ବୁଝେଇ ପାରୁନି ।

କିଛି କଥା ନାହିଁ, ଦୁଃଖ ବି ନାହିଁ ତୁମେ ଆସିଲନି ବୋଲି । ତୁମେ ସିନା ଆଖି ବୁଜି ଦେଲ, ନିଶ୍ଚିନ୍ତରେ ଚିରନିଦ୍ରାରେ ଶୋଇ ଗଲ ! କିନ୍ତୁ ଫଗୁଣ ତ ସବୁ ବର୍ଷ ଆସୁଛି, ହୋଲିର ନାଲି ନୀଳ ହଳଦିଆ ନାରଙ୍ଗୀ ରଙ୍ଗରେ ସମସ୍ତଙ୍କୁ ରଙ୍ଗେଇ ଦେଉଛି । ପୋଷାକ ତ ପୋଷାକ, ଗଛର ପତ୍ର, ଘରର କାନ୍ଥରେ ବି ହୋଲିର ଛିଟା ଲାଗି ଯାଉଛି । ହେଲେ ତୁମେ କଣ ବିଶ୍ୱାସ କରିବ ? ମୋ ମନରେ ଟୋପିଏ ବି ରଙ୍ଗ ଲାଗି ପାରିଲାନି । କେମିତି ଲାଗି ଥାଆନ୍ତା କୁହନି, ଅପରାହ୍ନ ସୂର୍ଯ୍ୟର କିରଣ ମୋ ଦେହ, ମୋ ମନ ଆଉ ହୃଦୟରେ କେବେ ଠାରୁ କ୍ଳାନ୍ତିର ନାଲିମା ବୋଳି ସାରିଲାଣି । ହୋଲିର ରଙ୍ଗ ପାଇଁ ଦେହ ମନରେ ଆଉ ଜାଗା କେଉଁଠି ବାକି ଥିଲା ଯେ ! ତୁମେ ମୋତେ ଏକୁଟିଆ କରି ଆଗ ଚାଲିଗଲ, ଟିକିଏ ଅପେକ୍ଷା କରିବାକୁ ବି ତୁମର ମନ ହେଲାନି । ଏମିତି କଣ କିଏ ଯାଏ ? ଯାହାକୁ ଏତେ ନିଜର ଭାବୁ ଥିଲ, ଶେଷରେ ତାକୁଇ ଏକୁଟିଆ ଛାଡି ଦେଲ ! ତୁମେ କଣ ବୁଝି ପାରୁଛ ତୁମ ବିନା ଏ ଜୀବନଟା କେମିତି ନିସଙ୍ଗ, ବେରଙ୍ଗ ହୋଇ ଯାଇଛି, ତୁମ ବିନା ମୁଁ କେମିତି ବଞ୍ଚିଛି ? ଏଇ ଦେଖ ଏବେ ସଂଜ ଘୋଟି ଆସିଲାଣି, ରାତ୍ରି ହେବାକୁ ଆଉ କେତେ ବା ଡେରି ? ହୋଇପାରେ ପୁଣି ଥରେ ଦେଖା ହୋଇଯିବ ! ଆର ପୁରରେ, ଅବା ଆର ଜନ୍ମରେ, ଦେଖାହେଲେ ଦୁହିଁଙ୍କୁ ବହୁ ତ ଖୁସି ଲାଗିବ, କିନ୍ତୁ ସେତେ ବେଳେ ତୁମେ ମୋତେ କଣ ଚିହ୍ନି ପାରିବ ? ହଁ ଯଦି ଦେଖା ନହୁଏ ତେବେ ବି କିଛି ଦୁଃଖ ନାହିଁ । ଜୀବନର ଏଇ ନିଃସଙ୍ଗତା ଏବେ ମୋର ଦେହସୁହା ହୋଇ ସାରିଲାଣି । ତୁମ ବିନା ଜୀବନକୁ ଜୀଇଁବା ବି ଶିଖି ଗଲିଣି । କିନ୍ତୁ ତଥାପି ତୁମକୁ ଅପେକ୍ଷା କରିଛି, ଅନନ୍ତ କାଳ ଯାଏ ଏମିତି ଅପେକ୍ଷା କରିଥିବି । ଏଇ ପ୍ରତୀକ୍ଷା ଯେ ମୋର ଅନନ୍ତ ପ୍ରତୀକ୍ଷା ।

(ଗଳ୍ପଟି ମୋ କବିତା-“ତୁମେ ଆସିବ ବୋଲି”ର ଛାୟାରେ ଲିଖିତ) ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top