ଜାଣିଛ ବେଳେ ବେଳେ ନିରୋଳାରେ ବସି
ଢେର୍ କାନ୍ଦିବାକୁ ଇଚ୍ଛା ହୁଏ,
ତୁମର ସ୍ମୃତି ଚାରଣ କରି ଅବା
ତୁମେ ଦେଇଥିବା ଅମାପ ପ୍ରୀତିକୁ ଆଦର କରି ।
ଜାଣିଛ ପୁଣି ବେଳେ ବେଳେ ନିରୋଳାରେ ବସି
ଢେର୍ ହସିବାକୁ ଇଚ୍ଛା ହୁଏ,
ମୁଁ ରାଗି ଋଷି ଅଭିମାନ କଲେ
ମୋତେ ପାଗେଳା ମନୁଆ କହି ବୁଝାଇଲା ବେଳେ ।
ଜାଣିଛ ପୁଣି ବେଳେ ବେଳେ ନିରୋଳାରେ ବସି
ଇଚ୍ଛା ହୁଏ ମହୁମାଛି ପରି ଗୁଣୁଗୁଣୁ ହେବାକୁ,
ତୁମର ଭାବନା ରାଇଜରେ ବୁଡି ତୁମକୁ ଜାବୁଡ଼ି ଧରି
ଢେର୍ ସାରା ଗପିବାକୁ ।
ଏହି ସବୁ ଭାବାନ୍ତର ଓ ମନୋମାଳିନ୍ୟ ଭିତରେ
ଜାଣିଛ କଣ ଇଚ୍ଛା ହୁଏ?
ପ୍ରତିଟି ମୁହୂର୍ତ୍ତରେ ତୁମେ ଦେଇଥିବା ଲୁହର ହିସାବ ନେବାକୁ ।
ପୁଣି ଭାବେ ଏ ଲୁହର ହିସାବ ନେବାକୁ
ଆଉ ଥରେ ଲେଉଟିବା କଣ ଠିକ୍ ହେବ?