ଏ ଜୀବନ ଯଦି ଦୁର୍ବିସହ
ଆସ ନୂଆ ଜୀବନ ଖୋଜିବା
କଳକଳ ବହୁଥିବା ନଦୀପରି ଶବ୍ଦ ଯା’ର
ଢଳଢଳ କରୁଥିବା ପଦ୍ମପରି ବାସ ଯା’ର
ସେ ନାଦେ ମଜ୍ଜିବା, ସେ ବାସେ ରସିବା
ଆସ ଏକ ଜୀବନ ଖୋଜିବା ।
ସେ ନଦୀ ତଟ ନଥିବ ଅପନ୍ତରା କଣ୍ଟକିତ ଭୂଇଁ
ନଥିବ ଶଯ୍ୟାରେ ତା’ର ଚୋରାବାଲି ଯେ ନେବ ଚୋରାଇ
ସେ ଭୂଇଁରେ ରହିବାନି, ସେ ଖାଲକୁ ମାନିବାନି
ଅସରନ୍ତି ପଥରେ ଗମିବା, ସାଗରେ ମିଶିବା, ଜୀବନ ଖୋଜିବା ।
ସେ ଜୀବନ ସ୍ରୋତରେ ତ ନ ଥିବ ଭଉଁରୀ
ନଥିବ କୁହୁକ ଗଣ୍ଡ ମଗର ପ୍ରହରୀ
ଭଉଁରୀରେ ଭ୍ରମିବାନି, କୁହୁକରେ ପଡ଼ିବାନି
ମଗରର ନଜରୁ ବଞ୍ଚିବା, ଲକ୍ଷ୍ୟରେ ଧାଇଁବା, ଜୀବନ ଖୋଜିବା ।
ଜୀବନ ତ କେବେ ନୁହେଁ ଶଙ୍କୁଳ ବିହୀନ
କେବେ ଖାଲଖମା ଆଉ କଣ୍ଟକିତ ପୂର୍ଣ୍ଣ
ସବୁକୁ ସାଉଁଟି ନେବା, ଜୀବନ ତ ଜୀବନ ହିଁ ତାକୁ ଆଦରିବା,
ଜୀବନ ଜୀଇଁବା ।