କବିତା

ଜୀବନ ରଥ

Surendra Kumar Behera's odia poem Jeebana Ratha

ଆଉ କେତେ କାଳ
ଏ ଭେଡାଭେଦ, ଧର୍ମ, ଈଶ୍ୱରଙ୍କୁ ନେଇ
କେତେ ଯୁଦ୍ଧ ନିଭାଇବ ବସୁନ୍ଧରା,
କେତେ ରକ୍ତନଦୀ ବୁଛାଇବି ଏ ମାଟି !

ଜୀବନ ରଥ

ଧର୍ମକୁ ଜପାମାଳି କରି
ଜାତି ବର୍ଣ୍ଣ ସମ୍ପ୍ରଦାୟକୁ ଯୋଡ଼ି
ତିଆରିଛ, ଯେଉଁ ତଳ ଉପର ପାହାଚ
ଖଣ୍ଡା, ବର୍ଚ୍ଛା, ଗଦା ଆଉ ଧନୁରେ
ବଳ କଷାକସିକରି
ଗଢ଼ାଇଛ ଯେଉଁ କୁରୁକ୍ଷେତ୍ର ଦୁର୍ଗ
ସେ ସବୁକୁ କ’ଣ
ଦେଖିପାରନ୍ତି ଈଶ୍ୱର ?

ଭାବୁଛି କି ତାଙ୍କର ଯଦି
ହାତ ଅଛି, ଗୋଡ଼ ଅଛି
ଢ଼େଗା ଢ଼େଗା ଗୋଲ୍‌ ଗୋଲ୍‌
ଦି’ଟା ଆଖି ଅଛି ,
ସଭିଙ୍କୁ ବୁଝିଲା ପରି ଗୋଟାଏ
ପ୍ରଶସ୍ତ ହୃଦୟ ଅଛି;
ପଚାର… ପଚାର ତାଙ୍କୁ
କିଏ ତଳ ପାହାଚର, କିଏ ଉପର ଥାକର
କିଏ ସ୍ପୃଶ୍ୟ, କିଏ ଅସ୍ପୃଶ୍ୟ
କାହାର ରକ୍ତ କଳା , କାହାର ରକ୍ତ ଗୋରା
ଆଉ କିଏ ଦେଶୀ… କିଏ ବିଦେଶୀ
ପଚାର… ପଚାର… ପଚାର ।

ଧର୍ମ କ’ଣ, ବା-ଘ-ନି-ଶ-ହ-ନା-ଲାରେ ରଞ୍ଜିତ
ସପ୍ତରଙ୍ଗୀ ଇନ୍ଦ୍ରଧନୁ, ନା’ ଭେଦାଭେଦରେ
ବହୁବର୍ଣ୍ଣୀ ରକ୍ତରେ ବିଚିତ୍ର ବର୍ଣ୍ଣାଳୀ
ଯେ, ଭକ୍ତି ନୈବେଦ୍ୟ ଦେଇ,
ତାଳି ବଜାଇ, ପଚାରି ଦେଲେ
ମଠ, ମନ୍ଦିର, ମସ୍‌ଜିଦ୍‌ ଆଉ ଗୀର୍ଜାରେ
ବନ୍ଦୀ ଥିବା ଈଶ୍ୱର …
ଗୋଟିଏ ପରେ ଗୋଟିଏ ଉତ୍ତର ଅଜାଡ଼ି ଦେବେ
ଆଉ ଆମେ, ତମେ, ମୁଁ ସମସ୍ତେ
ଧର୍ମର ବିଶ୍ୱରୂପ ଦର୍ଶନ କରି
ରାତାରାତି ସ୍ଵଦେହରେ
ସ୍ୱର୍ଗଗାମୀ ଯୋଇଯିବା ।

ଆଉ କେତେ କାଳ
ଏ ଭେଡାଭେଦ, ଧର୍ମ, ଈଶ୍ୱରଙ୍କୁ ନେଇ
କେତେ ଯୁଦ୍ଧ ନିଭାଇବ ବସୁନ୍ଧରା,
କେତେ ରକ୍ତନଦୀ ବୁଛାଇବି ଏ ମାଟି !
ଆଉ କେତେ ଦିନ, କେତେ ଦିନ …?
ଟଣାଟଣି, ଭିଡ଼ାଭିଡ଼ି, ଠେଲାପେଲା କରି
ଛୁଆଁ ଅଛୁଆଁର ଦଉଡ଼ିରେ
ଟାଣିଚାଲିଥିବ :
ବିଶ୍ଵମାନବବାଦର ନନ୍ଦିଘୋଷ ରଥ !!

ହଟାଇ ଦିଅ, ଆଖି ସାମ୍ନାରୁ
ଢାଙ୍କି ରହିଥିବା କଳାପର୍ଦ୍ଦା
ପୋଛିଦିଅ, ମନର ଅରମାରେ
ଜମାଟ ବାନ୍ଧିଥିବା ଧୂଳି ଅଳନ୍ଧୁ;
ହୃଦୟର ଅଂତଃଚକ୍ଷୁ ଖୋଲି
ଖୋଜ…, ଖୋଜ, ପାଇଯିବ ଜୀବନ୍ତ ଈଶ୍ୱରଙ୍କୁ :
ପ୍ରଗତିର ରାସ୍ତାକଡ଼େ…
ମେହନତି କରୁଥିବା ମଣିଷର
ତତଲା ଲୁହରେ ତରଳୁଥିବା ଡହଡ଼ହ ପିଚୁରେ
ବିକାଶର ଶିଳ୍ପସାମ୍ରାଜ୍ୟ ଗଢୁଥିବା
ଠିକା ଶ୍ରମିକଙ୍କ ଉତ୍ତପ୍ତ ଲହୁର ରଡ଼ନିଆଁରେ,
ଦଧୀଚି ପରି ଜୀବନ ହାରିଦେଇ
ଖଣି, ଖାଦାନ ଖୋଲୁଥିବା, ପାହାଡ଼ କାଟୁଥିବା
ଆଉ ଇଟାଭାଟି ଗଢୁଥିବା ଖଟିଖିଆ …
ଦାଦନ୍‌, ବିସ୍ଥାପିତଙ୍କ ସଶକ୍ତ ହାଡ଼ରେ
ଖୋଜ… ଖୋଜ… ଖୋଜ
ନିଶ୍ଚୟ ମିଳିଯିବେ, ଧର୍ମର ବିଶ୍ଵରୂପଧରି
କିପରି ଟାଣି ଚାଲିଛନ୍ତି
ମାନନବାଦର ଜୀବନ ରଥ !!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top