ସରିବ ସରିବ ହେଉଛି ସରିନାହିଁ ତାମସା
ତୁଟିଲାଣି ଭବ ସାଗରୁ ମାୟା ମୋହ ଲାଳସା ।।
ଦିଶିଲେଣି ମ୍ଳାନ ଆତ୍ମୀୟ ଜନ ଦୁଆର ଘର
ବାହୁଡ଼ିବ ବୋଲି ସେଠାରୁ ସର୍ବେ କଲେଣି ପର ।।
କାଲି ଯାହା ଥିଲା ସତେଜ ଏବେ ହେଲାଣି ବାସି
ମଝି ବଖରାରୁ ବସା ତା’ ଦାଣ୍ଡ ମେଳାରେ ଆସି ।।
ଧରିଲାଣି ଜୀବ ସରଳ ଶିଶୁ ପରି ସ୍ଵଭାବ
ପଡ଼ିଲାଣି ପୁଣି ତନୁରେ ତାର ଆଦ୍ୟ ପ୍ରଭାବ ।।
କାମନା ବାସନା ନ ଥିଲା ଏବେ ଗଲାଣି ନାଶ
ଲୋଭ ମୋହ ମାୟା ଛଳନା ଛାଡ଼ି ଗଲେଣି ପାଶ ।।
ଜନମି ପଡ଼ିଲା ଭୂମିରେ ପଡ଼ି ଉଠିଲା ଚାଲି
ଚାଲି ଚାଲି ପଡ଼ି ଆଣ୍ଠୋଇ ଶୋଇଲାଣି ସେ ଖାଲି ।।
ନଥିଲା ବାକ୍-ଶକ୍ତି ରହୁନି ପୁଣି ବିନାଶ ବେଳେ
ଲଙ୍ଗଳା ହୋଇ ସେ ପଡ଼ିଛି ପରିଜନଙ୍କ ମେଳେ ।।
ଆସିଥିଲା ଏକା ସାଙ୍ଗରେ କିଛି ନ ଥିଲା ଆଣି
କରିବାକୁ ଶୂନ୍ୟ ତା’ଠାରୁ ଶେଜ ଦେଲେଣି ଟାଣି ।।
ଲୋଡ଼ା ଥିଲା ଟିକେ ଉତ୍ତାପ ଷଠି ଘରେ ତା ପାଇଁ
ଖୋଜିଳେଣି କାଠ ପୋଡ଼ିବେ ପୁଣି ଜୁଇ ଲଗାଇ ।।
ଆସିଥିଲା ଯେବେ ଭବକୁ ପଡ଼ିଥିଲା ଚହଳ
ଦେବାପାଇଁ ଚିର ବିଦାୟ ଲାଗିଲାଣି ଗହଳ ।।
କରିଥିଲା କେବେ ଜୀବନେ ଭଲମନ୍ଦ ଆଚାର
ଜନ ଅଦାଲତେ ପଡ଼ିଛି ଏବେ ତା’ର ବିଚାର ।।