ଜୀବନ… ଏକ ଉଛୁଳା ନଦୀର ସୁଅ
କେହି ଯଦି ତୁମେ ଦେଖିଛ ପାଖରୁ
ଯାଣିଛ କେମିତି କୁହ ….ଜୀବନ ଏକ …।
ମାଆ ର ଅନ୍ଧାର ନିଭୃତ ଗର୍ଭରୁ
ମୋହ ଭରା ବଣ ପାହଡ କୋଳରୁ
ନିର୍ଝରଣୀ ସମ କୁଳୁ କୁଳୁ ନାଦେ….
ଝରି ଆସେ ଅହରହ ….ଜୀବନ ଏକ …।
ବାଳୁତ କାଳରେ ନିର୍ଝରଣୀ ହେଲା
କିଶୋର ବେଳାରେ ନଦୀ ରୂପ ନେଲା
ତରଙ୍ଗାକୁଳିତ ଯଉବନ ଧାରେ
ଉନ୍ମାଦେ ବହାଏ ସୁଅ.. ଜୀବନ ଏକ …।
ମନ୍ଥର ହୁଅଇ ଯୌବନ ଉନ୍ମାଦ
ଜରାରେ ଶିଥିଳ ହୁଏ ଜର୍ଜରିତ
ଉଛୁଳା ଉଛାହ ଉଜୁଡି ଯାଉଛି
ନିବୃତ ନହୋଇ ମୋହ ..ଜୀବନ ଏକ …।
ଅବିରତେ ନଦୀ ଧାର ଯାଏ ବହି
ଭାବ ଅଭାବର ଦୁଇ କୁଳଖାଇ
ସୁଖର ଦୁଃଖର ସେ କୁଳ ବେଭାର
କିଏ ନ’ଯାଣିଛି କୁହ … ଜୀବନ ଏକ …।
ରଙ୍ଗ ରୂପ ରସ ସ୍ୱାଦ ଗନ୍ଧ ସ୍ପର୍ଶ
ଗତି ସ୍ରୋତ ପ୍ରିତୀ ହରଷ ବିରସ
ମିଳନ ସାଗର ମରଣ ର ବେଳା
ମୃତ୍ୟୁ ତାର ନିତ୍ୟ ଲୟ..ଜୀବନ ଏକ …।
