କବିତା

ଝରକାର ବନ୍ଧନ

Minati Pradhan's odia poem Jharakaara Bandhana

ଝରକା ଦଣ୍ଡ ପାଏ ପବନ ଟା ପାଇଁ
ବନ୍ଦ ହୁଏ ଦିନ ଦିନ ଧରି
ଆଖି କେବେ ଝରକା ଡେଇଁ ରାସ୍ତାରେ ବୁଲିଲେ
ବର୍ଷେ ଅବିରତ ଗାଳି ।

ଝରକାର ବନ୍ଧନ

ବାହାରକୁ ଚାହିଁଲି,
ପୁଣି ସେଇ ଝରକା ଦେଇ ।
ସେଇ ଉଚ୍ଚା କୋଠାଘର ସବୁ,
ଧୂଳିଆ ରାସ୍ତାରେ ଯାନ ବାହନଙ୍କ ପାଦ
କୁଆ କୁକୁର ଭୋକିବାର ଶବ୍ଦ ।
ଘୁ-ଘାଁ, ସମୟ ଟା ଦଉଡୁଛି…. !

ଆଖିର ମୋଟା ଚଷମା କାଚ କୁ ପୋଛିଲି
ତଥାପି ବି ସ୍ପଷ୍ଟ ନୁହେଁ-
ଏବେ ବି ଅନ୍ଧାର ମନ ତଳ, କିଛି କିଛି ମନେ ପଡେ ।
ଏ ଯାଏ ବି ସଜଳ କିଛି କ୍ଷତ
ସମୟ ପ୍ରଲେପ ପରେ ବି, କାହିଁକି କେଜାଣି,
ବେଳେ ବେଳେ ସତେଜ ହୋଇ ଉଠେ କ୍ଷତ ।

ଝରକା ଦଣ୍ଡ ପାଏ ପବନ ଟା ପାଇଁ
ବନ୍ଦ ହୁଏ ଦିନ ଦିନ ଧରି
ଆଖି କେବେ ଝରକା ଡେଇଁ ରାସ୍ତାରେ ବୁଲିଲେ
ବର୍ଷେ ଅବିରତ ଗାଳି ।
କିଏ ଦାୟୀ- ଝରକା ନା ଆଖି ?
ଝରକା ନ ଥିଲେ କଣ ଥାଆନ୍ତା ଫରକ
ଘର ବାହାର, ଭଲ ମନ୍ଦ ର ଆଉ ଆପଣା ପରର ?

ସବୁ ଶୁଣି ଆଜୀବନ ଚୁପ ରହେ ଝରକା ବି-
ତା’ର ବା କଣ ଯାଏ ଆସେ
ଅପବାଦ-ପ୍ରଶଂସାରେ?
ନିର୍ବିକାର ନ ରହିଲେ ଲକ୍ଷ୍ୟ ଅପୂରା !
କହିଥିଲି ନା ଝରକା ବନ୍ଧନ
ଏପଟ ଆଉ ସେପଟ ଭିତରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top