ଅଣୁଗଳ୍ପ

ଟିକିଏ ସ୍ୱାଧୀନତା

Rukeya Jabeen's odia short story Tikie Swadhinata

ପୁଅ ତା’ର ବଡ଼ ହେଉଛି । ସିଏ କ’ଣ ତା ପୁଅର ପ୍ରତ୍ୟେକଟି ଖର୍ଚ୍ଚ ଏମିତି ହାତ ପତେଇ ନଉଥିବ ? ଏ ସବୁରେ ତା’ର ସ୍ୱାଭିମାନ ପ୍ରତ୍ୟେକଟି କ୍ଷଣ କ୍ଷତ ବିକ୍ଷତ ହେଉଛି ।

ଟିକିଏ ସ୍ୱାଧୀନତା

ଆଜି ସ୍ୱାଧୀନତା ଦିବସ । ସକାଳୁ ସକାଳୁ ଗାଁ ଦାଣ୍ଡ ଗୁଡିକ ଫୁଲ ଚନ୍ଦନରେ ମହକି ଉଠୁଛି । ବିଦ୍ୟାଳୟ ମାନଙ୍କରୁ ଭାସି ଆସୁଛି ଜାତୀୟ ସଙ୍ଗୀତର ଜୟଧ୍ୱନୀ। ବନ୍ଦେ ମାତରଂ, ଜୟ ହିନ୍ଦ୍ , ବନ୍ଦେ ଉତ୍କଳଜନନୀର ଗୁଞ୍ଜରଣ । ସ୍କୁଲ୍‌, କଲେଜ୍‌, ବଜାର ହାଟ ସବୁଠି ସ୍ୱାଧୀନତାର ଗାନ, ବୀରତ୍ୱର ଗାଥା ।

ବିରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ମଧ୍ୟ ଚାଲିଥାଏ ସ୍ୱାଧୀନତା ଦିବସ ପାଇଁ ଆୟୋଜିତ ବିଶେଷ କାର୍ଯ୍ୟକ୍ରମ । ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ଥାଆନ୍ତି ଦାମୋଦର ରାଉତରାୟ , ବିରେନ୍ଦ୍ର ପୁର ଗ୍ରାମର ସୁନାମଧନ୍ୟ ରାଜନୀତିଜ୍ଞ , ସମାଜସେବୀ, ତଥା ନାରୀ ସଶକ୍ତିକରଣର କର୍ଣ୍ଣଧାର । ବିରେନ୍ଦ୍ରପୁର ଗ୍ରାମର ଗଳି କନ୍ଦିରେ ପ୍ରସାରି ଯାଇଥିବା ପକ୍କା ରାସ୍ତା , ସ୍କୁଲ ଗୁଡ଼ିକର ନବୀକରଣ , ସବୁ ତାଙ୍କରି ବଦାନ୍ୟତା । ଗରିବ ମା ଭଉଣୀ ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଅନେକାଂଶରେ ସହଯୋଗର ହାତ ବଢାଇଛନ୍ତି ସିଏ । ତାଙ୍କ ମୁହଁରୁ ବାହାରୁଥିବା ପ୍ରତ୍ୟେକଟି ଶବ୍ଦ ବିରେନ୍ଦ୍ର ପୁର ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କ ପାଇଁ ଆଦର୍ଶ ସଦୃଶ ।

ମଞ୍ଚ ଉପରେ ମାଇକ୍ ଧରି ଦାମୋଦର ବାବୁ ଆଜି ଦେଶର ସ୍ୱାଧୀନତା ସହିତ ନାରୀମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଗୁରୁତ୍ବ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଉଥିଲେ । ନାରୀ ଶିକ୍ଷା , ନାରୀ ସୁରକ୍ଷା , ନାରୀ ସଶକ୍ତିକରଣକୁ ଜୀବନର ମୂଳ ମନ୍ତ୍ର ଧରି ନବାକୁ କହୁଥିଲେ ସିଏ । ଇତିହାସ ପୃଷ୍ଠା ଲେଉଟାଇ ନାରୀ ମାନଙ୍କର ଜୟଗାଥା ଗୁଡ଼ିକୁ ବଖାଣି ବଖାଣି ନିଜର ବକ୍ତୃତାଟିକୁ ଉତ୍କୃଷ୍ଟ କରିଚାଲିଥିଲେ । କରତାଳିରେ ବିଦ୍ୟାଳୟ ପରିସରଟି ପ୍ରକମ୍ପିତ ହେଇ ଉଠୁଥିଲା ।

ସଭା ଉଦଯାପନୀ ପରେ ଦାମୋଦର ବାବୁ ଘରକୁ ଫେରିଲେ । ଦୁଆର ମୁହଁରେ ଜୋତାଟା ବାହାର କରୁଥିଲା ବେଳେ ଦଉଡ଼ି ଆସିଲା ତାଙ୍କ ସାନ ପୁଅ ସ୍ୱର୍ଗୀୟ ସୋମେଶର ଚାରିବର୍ଷ ର ପୁଅ ରାହୁଲ । ଜେଜେ ମୋ ପାଇଁ କ’ଣ ଆଣିଛ କହି ଝୁଲିପଡିଲା ପଛପଟୁ । ଦାମୋଦର ବାବୁ ଅତି ସ୍ନେହରେ କୋଳେଇ ନେଲେ ତାକୁ । ପକେଟରୁ ବାହାର କରି ଧରେଇ ଦେଲେ ସେଉ ବୁନ୍ଦିଆର ଜରି ଆଉ ଗୋଟେ ଚକୋଲେଟ୍‌ ।

ଡାଇନିଂ ରୁମରେ ବସିଥିଲା ବେଳେ ସାନ ବୋହୁ ସୁଷମା ଚା’ ଜଳଖିଆ ନେଇ ଆସିଲେ ତାଙ୍କ ପାଇଁ । ପ୍ଲେଟ୍‌ଟା ଟେବୁଲ୍ ଉପରେ ଥୋଇଦେଇ ଚେୟାର ପାଖରେ ଚୁପ୍ ଚାପ୍ ଠିଆ ହୋଇ ରହିଲେ କିଛି ସମୟ । ଦାମୋଦର ବାବୁ ପଚାରିଲେ କ’ଣ କିଛି କହିବାର ଅଛି କି ?

ସୁଷମା ଧୀର କଣ୍ଠରେ ଉତ୍ତର ଦେଲା ଆଜ୍ଞା ।

କ’ଣ କହୁନ ?

ଶାଢ଼ୀ କାନିଟାକୁ ଦୁଇ ହାତ ପାପୁଲିରେ ମୁଠେଇ ଧରି କହିଲା, ” ବାପା ମୁଁ କ’ଣ କହୁଥିଲି କି ସୋମେଶ ଗଲା ପରଠାରୁ ମୁଁ ପୁରାପୁରି ଆପଣଙ୍କ ଉପରେ ନିର୍ଭରଶୀଳ ହେଇଯାଇଛି। ରାହୁଲ ବଡ ହଉଛି । ମୁଁ ଭାବୁଥିଲି ବଜାର ପାଖରେ ଯେଉଁ ଦୋକାନ ଘର ଗୁଡ଼ିକ ଭଡ଼ା ପାଇଁ ସଜଡ଼ା ହେଉଛି ମୁଁ ସେଇଠି ଗୋଟିଏ ବିୟୁଟି ପାର୍ଲର କରିବି । ମୁଁ ବାହାଘର ପୂର୍ବରୁ ବିୟୁଟି ପାର୍ଲର କୋର୍ସ କରିଥିଲି । ମୁଁ ସେ ସବୁ କାମ ଆରାମରେ କରି ପାରିବି । ତା ସହିତ ଝିଅ ମାନଙ୍କ ଲାଗି କିଛି ଲୁଗାପଟା ବିକ୍ରି ପାଇଁ ରଖିବି । ଆମ ଗାଁରେ ପାର୍ଲର ନାହିଁ ବୋଲି ଝିଅମାନେ ଦୂର ବଜାରକୁ ଯାଉଛନ୍ତି। ପାଖରେ ହେଲେ ସେମାନଙ୍କୁ ସୁବିଧା ହେଇଯିବ । ”

ଦାମୋଦର ବାବୁ ହଠାତ୍ ଉତ୍ତେଜିତ ହେଇ ଉଠିଲେ । ଏ କ’ଣ କହୁଛ ତୁମେ ? ରାଉତରାୟ ପରିବାରର ବୋହୁ ବଜାରରେ ବସି ଅନ୍ୟ ମୁଣ୍ଡରେ ତେଲ ମାଖିବ , ଚୁଟି କାଟିବ ? ଯେଉଁ ମାନଙ୍କର ସିନା କେହି ସାହା ଭରଷା ନାହିଁ , ପେଟ ପାଟଣା ପାଇଁ ମୂଲ ଲାଗୁଛନ୍ତି କି ୟା ଦୁଆରେ ତା ଦୁଆରେ ହାତ ପାତି ଠିଆ ହେଉଛନ୍ତି ସେମାନେ ଏସବୁ କଲେ ମାନିବ । ଆମଭଳି ସମ୍ଭ୍ରାନ୍ତ ପରିବାରର ବୋହୁ ମାନଙ୍କ ମୁହଁରୁ ଏସବୁ ସୋଭା ପାଏନି । ଲୋକେ କ’ଣ କହିବେ ? ଆଉ ପୁଣି ତମର ଏ ଘରେ ଅସୁବିଧା ବା କ’ଣ ? ମୁହଁ ଖୋଲିବା ଆଗରୁ ସବୁ ଯାବତୀୟ ସାମଗ୍ରୀ ଯୋଗାଇ ଦିଆଯାଉଅଛି । ସୋମେଶ ନାହିଁ ବୋଲି ମୁଁ କ’ଣ କେବେ କୌଣସି ଜିନିଷରେ ତମକୁ ଉଣା କରିଛି । ଖାଇବା , ପିନ୍ଧିବା , କେଉଁଥିରେ କେବେ କିଛି କମ୍ କରିଛି ? ଆଉ ରାହୁଲ ବଡ଼ ହଉଛି । ତେବେ କ’ଣ ହେଇଗଲା । ମୁଁ ପରା ଅଛି । ସେ କେମିତି ବଢିବ , କେମିତି ପାଠ ପଢ଼ି ଭଲ ମଣିଷ ହବ ସେ ଦାୟିତ୍ଵ ମୋର । ତୁମେ , ସେସବୁ ଚିନ୍ତା କାଇଁ କରୁଛ ? ତମ ଶାଶୁକୁ ଆଜି ଯାଏଁ ଚିନ୍ତା କରିବାକୁ ପଡିନି । ତୁମେମାନେ ଖାଅ ପିଅ , ଘରକରଣାରେ ଧ୍ୟାନ ଦିଅ । ବାକି ସବୁ ଛାଡ଼ । ସେସବୁ ଚିନ୍ତା ପାଇଁ ମୁଁ ଅଛି ।

ସୁଷମା ବୁଝି ପାରୁନଥିଲା ସିଏ କେମିତି ତା ଶଶୁରଙ୍କୁ ବୁଝେଇବ । ତା ମନର ବ୍ୟଥା କେମିତି ଶୁଣେଇବ । ସେ ଜାଣେ ସୋମେଶର ଅନୁପସ୍ଥିତିରେ ଦାମୋଦର ବାବୁ ତାକୁ କୌଣସି ଜିନିଷରେ ଉଣା କରି ନାହାନ୍ତି । ମୁହଁ ଖୋଲିବା ଆଗରୁ ତା ପାଖରେ ସବୁ ହାଜର ହେଇଛି। କିନ୍ତୁ ମାତ୍ର ଗୋଟିଏ ଜିନିଷ ଯାହା ସିଏ ହରେଇଛି ତାହା ସ୍ୱାଧୀନତା । ପିନ୍ଧୁଛି, ଖାଉଛି କିନ୍ତୁ ତାଙ୍କ ଇଚ୍ଛାରେ । ତା’ର ନିଜର ଇଚ୍ଛା ବୋଲି କ’ଣ ଗୋଟାଏ ସେ ଭୂଲିଯାଇଛି । ବାପଘରକୁ ଓଳିଏ କି ଦିନଟେ ଗଲେ ମଧ୍ୟ ତାଙ୍କ ଇଚ୍ଛାରେ । ଏ ସବୁ ତ ବହୁତ ଛୋଟ କଥା । ସବୁଠୁ ବେଶି ଯାହା ଆଘାତ ଦିଏ ତାକୁ, ସିଏ ହଉଛି ତା ପୁଅର ଇଚ୍ଛା, ଅନିଚ୍ଛା, ଆନନ୍ଦ , ସ୍ୱପ୍ନ । ସୋମେଶ ଯିବା ପରଠାରୁ ଆଜିଯାଏଁ ସିଏ ରାହୁଲ ହାତରେ ଗୋଟିଏ ଆଇସ୍‌କ୍ରିମ ପାଇଁ ପଇସାଟିଏ ଦେଇପାରିନି । ଯଦିବା କେବେ ଦେଇଛି ଶାଶୁ ଶ୍ୱଶୁରଙ୍କଠାରୁ ମାଗି ଆଣି ଦେଇଛି। ପୁଅ ତା’ର ବଡ଼ ହେଉଛି । ସିଏ କ’ଣ ତା ପୁଅର ପ୍ରତ୍ୟେକଟି ଖର୍ଚ୍ଚ ଏମିତି ହାତ ପତେଇ ନଉଥିବ ? ଏ ସବୁରେ ତା’ର ସ୍ୱାଭିମାନ ପ୍ରତ୍ୟେକଟି କ୍ଷଣ କ୍ଷତ ବିକ୍ଷତ ହେଉଛି । ଏସବୁ ଯନ୍ତ୍ରଣା ତାକୁ ରାତିରେ ସୁଆଇ ଦଉନି । ସେ ନିଜକୁ ସୁନା ପଞ୍ଜୁରୀର ସେହି ଶାରୀଟିଏ ଭଳି ମନେ କରୁଛି ଯାହାର ସବୁ ଅଛି ପୁଣି ନିଜର କହିଲା ବେଳକୁ କିଛି ନାହିଁ ।

ହଠାତ୍ ତା ହୃଦୟ କୋହରେ ପ୍ରକମ୍ପିତ ହେଇ ଉଠିଲା । ଝରି ଆସୁଥିବା ଲୋତକ ଧାରକୁ ଶାଢ଼ୀ କାନିରେ ପୋଛି ମନ ଭିତରେ ଲେଉଟାଣି ଖାଉଥିବା ସମସ୍ତ ଆଶା ଆଶଂକା ମାନଙ୍କୁ ଶଶୁରଙ୍କ ଆଗେ ଅଜାଡ଼ି ପକେଇଲା ।

ଦାମୋଦର ବାବୁ ନିରୁତ୍ତର ସେଠୁ ଚାଲିଗଲେ । ସେଦିନ ସୁଷମା ଆଖିକୁ ନିଦ ନ ଥିଲା । ଏକ ଅନିଶ୍ଚିତ ଭବିଷ୍ୟତର ଜ୍ୱାଳାମୁଖୀରେ ସେ ଜଳି ଜଳି ଯାଉଥିଲା ।

ସକାଳୁ ଠାକୁର ଘରେ ଆରତୀ ଦେଇ ଫେରିଲା ବେଳେ ଦୁଆର ମୁହଁରେ ଶାଶୁ ଓ ଶଶୁର ଠିଆ ହୋଇଥିଲେ । ପୂଜା ଥାଳି ଉପରେ ହାତ ବୁଲେଇ ନେଇ ସୁଷମା ହାତକୁ ଚାବିଟେ ବଢେଇ ଦେଲେ । ଶାଶୁ କହିଲେ , ତୁ ପରା ମୋ ଝିଅ । ତତେ ଏତେ ସବୁ କଥା ମନ ଭିତରେ ଚାପି ରଖିବା କ’ଣ ଦରକାର ଥିଲା । ପାଗେଳିଟା । ନେ ଏଇ ଚାବିଟା ସେଇ ଦୋକାନ ଘରର । ଆଜି ଯାଇ ଦେଖି ଆସିବୁ । ଯାହା ସବୁ ଜିନିଷପତ୍ର ଲାଗିବ ହିସାବ କରିଦବୁ । ସବୁ ନେଇ ଆସିବା ।

ଶଶୁରଙ୍କ ପାଦ ଛୁଇଁଲା ବେଳେ ସୁଷମାକୁ ଲାଗୁଥିଲା ସତେ ଯେମିତି ଆଜି ଠାକୁରେ ନିଜେ ତା ଆଗରେ ପାଦ ବଢେଇ ଠିଆ ହୋଇଛନ୍ତି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top