କବିତା

କିଏ ମାଓବାଦୀ

Jachindra Kumar Rout's odia poem Kie Maaobadi

ଗୁଳି ଚଡ଼କରେ ଚହଲି ଯାଉଚି
ଶୋଷଣର ପୂର୍ଣ୍ଣ କୁମ୍ଭ
କାତିରି ଉଠୁଚି ଧଳାଧୋତି
ଥର ଥର ବରଡ଼ାପତ୍ର
ପଞ୍ଜାବୀର ଦାଢ଼ ।

କିଏ ମାଓବାଦୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପାଚିଲା ଧାନକ୍ଷେତକୁ
ବାଣ୍ଟି ଖାଉଥିବା ପଙ୍ଗପାଳମାନେ
କୁଦା ମାରୁଛନ୍ତି
ଛନକି ଯାଉଚନ୍ତି
ମାଓବାଦୀଙ୍କ ତୀର ମାଡ଼ରେ ।

ଗୁଳି ଚଡ଼କରେ ଚହଲି ଯାଉଚି
ଶୋଷଣର ପୂର୍ଣ୍ଣ କୁମ୍ଭ
କାତିରି ଉଠୁଚି ଧଳାଧୋତି
ଥର ଥର ବରଡ଼ାପତ୍ର
ପଞ୍ଜାବୀର ଦାଢ଼ ।

କିଏ ପଢ଼େଇ ଦେଲା
ମାର୍କ୍ସବାଦ କେଜାଣି ?
ମଣିଷମେଳାରେ କିଏ
ଚଟେଇ ଦେଲା ଜହ୍ଲାଦଙ୍କ ରକ୍ତ
ବାଘ ପାଟିରେ କେଜାଣି ?
ମାଂସ ରୁଚୁନି ବାଘକୁ
ଖୋଜୁଚି ମଣିଷ ରକ୍ତ
ମାଳି ଜପୁଥିବା ଗଣ ସେବକମାନେ
ମନ୍ତ୍ରୀପୁରରେ ସଚ୍ଚିବାଳୟରେ
ଧ୍ୟାନସ୍ଥ ବଗ ବୈଷ୍ଣବମାନଙ୍କ ତୁଳା
ଖସିପଡୁଚି ବନ୍ଧୁକ ବର୍ଷାରେ
ଦଣ୍ଡିକିରିଙ୍କ ମୁଣ୍ଡରେ ।

ପଞ୍ଜୁରୀ ଭାଙ୍ଗି ଡେଇଁ ପଡ଼ିଲେ
ମହାବଳ ମଣିଷମାନେ
ଠାବ କଲେ ରାବଣ କୁମ୍ଭକର୍ଣ୍ଣ
ଭାଙ୍ଗି ପକେଇଲେ ଅଶୋକବନ
ହାଡ଼ ପାହାଡ଼ ।

କିଏ ଢାଳି ଦେଇଚି ଜହର
ତାଙ୍କ ଆମ୍ୱଟାକୁଆ ଜାଉରେ
ଫିଙ୍ଗି ଦେଇଚି ନିଆଁ ହୁଳା
ତାଙ୍କ ପତର କୁଡ଼ିଆକୁ
ପାଉଁଶଗଦାରୁ କୁହୁଳି ଉଠିଛି
ଝଡ଼
ଡକାଡକି ହେଇ ତିଆରି କଲେ
ଗୋଟେ ଦଳ
ନା ହେଲା ମାଓବାଦୀ
କଣ୍ଟା ଚାମଚରେ ଝୁଲେଇ ଦେଲେ
ହାଣ୍ଡି ହାଣ୍ଡିଆ
ତାଙ୍କ ଆଖିରୁ କାଢ଼ି ନେଲେ
ସ୍ୱପ୍ନର ଚଷମା
ଆଙ୍କି ଦେଲେ, କନ୍ଧମାଳ,
ରାଉରକେଲା, ଦାନ୍ତେୱାଡ଼ା
ରାମ୍ପିଦେଲେ କୋଠପୁଅଙ୍କୁ
ତୀର ଅଗରେ ।

ଏବେ ଗଳି କନ୍ଦି ଖୋଜାଚାଲିଚି
ମାଓବାଦୀ
କେତେବେଳେ, ଜଙ୍ଗଲରେ ତ
ପାହାଡ଼ ଖମାରେ, କି ପଞ୍ଚ ତାରକା ହୋଟେଲ୍
କି ଏସି ରୁମ୍‌ରେ
ପାଇଖାନା ଆଉ ପାର୍ଲିଆମେଣ୍ଟ୍‌ରେ ।

ମାଓବାଦୀ ଖୋଜୁଛନ୍ତି ମାଓବାଦୀ
ଆକାଶରେ, ପାଣିରେ କି ମାଟିରେ
କାଳେ କେବେ ମିଳିଯିବ
ସତ ମାଓବାଦୀ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top