ତମ ଲୁହ ବୁନ୍ଦେ
ଭିଜେଇପାରେ ମୋର ସମଗ୍ର ଆୟୁଷ
ତାର ଅଥଳ ଗଭୀରତାରେ
ନିଶବ୍ଦରେ ହଜିଯାଏ, ଯେତେ ମୋର ସଞ୍ଚିତ ଅସ୍ତିତ୍ୱ
ତମ ଆଖି କୋଣରେ ଚହଲୁଥିବା
ସ୍ଫଟିକ ସ୍ୱଚ୍ଛ, ଧାରେ ଲହଡ଼ିକୁ
ଉଛୁଳିବାରୁ ଅଟକେଇ ରଖିବାର ତମ ଚେଷ୍ଟା
ଅନାୟାସେ ଧରାପଡ଼େ
ତମେ ଲୁଚେଇଦିଅ ତାକୁ
କାଳେ ସେ ବୁଡ଼େଇଦେବ ମୋତେ
ଟାଣି ନେବ ରସାତଳକୁ
ସାଗରର ଅତଳ ଅନ୍ଧାରକୁ
ତମେ କେମିତି ତାକୁ ଅଟକେଇ
ଉଭାନ କରିଦିଅ, ଚଳୁ କରିଦିଅ
ମାୟା ପରି, କିମିଆ ପରି
ହସଟେ ଖେଳେଇ ତମ ଅନିଶ୍ଚିତ ଓଠରେ ଟିକିଏ
କାଳେ ମୁଁ ଧରି ପକେଇବି ତମ ମନର କଥା
କାଳେ ମୁଁ ପଢ଼ି ପକେଇବି
ତମ ଅନ୍ତର ତଳେ ଘୋଡ଼େଇଥିବା
ତମ ସାଇତା କାହାଣୀସବୁ
ମୁଁ ବି ସେମିତି ମିଛ ମିଛ ଅଣଦେଖା କରି
ଯେମିତି ମୁଁ କିଛି ଦେଖିନି, ପଢ଼ିନି, ଜାଣିନି
ତମ କଥା, ତମ ମନ, ତମ ହୃଦୟ ତଳର କଥା
ସେଇମିତି ହସଟିଏ ମୁଁ ଟାଣି
ତମକୁ ଆଶ୍ୱସ୍ତ କରିବି ବୋଲି, ଏଣେତେଣେ ଚାହେଁ
ନଈ ପାଣିରେ ପହଁରୁଥିବା ଆକାଶର ଚିତ୍ର କଥା କହେ
ତମେ ବୁଝ, ମୁଁ ବୁଝେ
ଆମେ ଭାଗ ଦେଉନା, ଭାଗ ବସଉନା
ଆମ କାହାଣୀର ବୋଝ ଆମେ ନିଜେ ବୋହୁ
ନିଜ କାନ୍ଧରେ, ଆଖି ବୁଜି, ଭାବିନେଇ
ଏସବୁ କେହି ଦେଖି ପାରୁନି ବୋଲି
ସମସ୍ତଙ୍କ ଆଢ଼ୁଆଳେ, ଆମେ ଲୁଚେଇ ପାରିଛୁବୋଲି
ରଙ୍ଗ ବୋଳି, ଅଙ୍ଗଭଙ୍ଗୀ କରି,
ଚେଷ୍ଟା କରୁ ଘୋଡ଼େଇବାକୁ ମନକଥା
ବନ୍ଧ ବାନ୍ଧୁ, ଅଟକେଇବାକୁ ଅମାଅନ୍ଧାରର ଘଡ଼ି
ତମେ ଜାଣ, ମୁଁ ଜାଣେ
ତମେ ମୋ ଭିତରର କଥା ସବୁ
ଅକୁହା ଶବ୍ଦ ସବୁ, ସ୍ୱର ସବୁ
ସ୍ପଷ୍ଟ ଦିଶେ, ଶୁଣି ହୁଏ, ବୁଝି ହୁଏ, କଳି ହୁଏ ସବୁ କାଳେ,
ଏସବୁ ମିଛ ମିଛ ଆବରଣ ତଳେ
ମୁଖା ଉହାଡ଼ରେ
ଆମେ ଯେ ଲଙ୍ଗଳା, ତା ବାରି ହୁଏ
ସେ ଅଚହଲା ବିଶ୍ୱାସଟେ ଥାଏ ସବୁ କାଳେ
ହୃଦୟ କୋଣରେ