ତୁମ ଓଠରୁ ସୁଧା ଝରେ-
ଝରେ ଚାନ୍ଦିନୀର ଜୋସ୍ନା ।
ଓଠୁ ଝରା ଭାଷା ପ୍ରେମର ଇଙ୍ଗିତେ-
ବଢାଏ ପ୍ରେମର ତୃଷ୍ଣା ॥
ଓଠ ତୁମ କଥା କହେ ଚୁପି ଚୁପି….
ଅଳସୀ ରାତିର ଶେଜେ ।
ପ୍ରିୟାର ଚୁମ୍ବନ ଶିହରଣ ଭରେ ….
ପ୍ରୀତି ଜୋଛନାରେ ଭିଜେ ॥
ଚୋରା ଚାହାଣୀର ମାଦକତା କଥା-
କହେ ତୁମ ଓଠ ଧାର ।
ସଜେଇ ରଖିଛ କେତେ ଜନମର-
ମଧୁ ପିରତୀ ସଂଭାର ॥
ଓଠ ତଳେ କେତେ ସାଇତା ସ୍ଵପ୍ନକୁ-
କହିବାକୁ ଇଚ୍ଛା ତୁମ ।
ସେଇ ଓଠେ ତୁମେ ଆଙ୍କି ଦିଅ ଚିହ୍ନ-
ରହେ ସଦା ଅମଳିନ ॥
ଆକର୍ଷଣ ତୁମ ଓଠର ଏମିତି….
ରହିହୁଏ ନାହିଁ ଏକା ।
ତୁମ ଓଠଭାଷା ଶୁଣିବାକୁ ମିଠା-
ଇଚ୍ଛା ହୁଏ ତୁମ ଦେଖା ।।
ଦରଦୀ ଓଠର ଯେତେ ଲେଖା କଥା-
ପଢିବାକୁ ଇଚ୍ଛା ଯେବେ ।
ମନର ଭାଷା ତା’ ମନରେ ରହେନା-
ଖୋଲି କହିଦିଏ କେବେ ॥
ମନ ତଳ କଥା କହେ ଯେବେ ଓଠ-
ବୁଝେ ଯେ ପ୍ରେମିକେ ଏକା ।
ନ ବୁଝିପାରିଲେ ସେ ଭାଷାର ଅର୍ଥ-
ନୁହେଁ ସେ ପ୍ରେମିକେ ଲେଖା ॥