ପହିଲି ଶ୍ରାବଣ ଆସିବା ଆଗରୁ ପ୍ରେମ ମେଘ ବରଷିଲା ,
ତୁମରି ମୁହଁରୁ ଦୁଇପଦ କଥା ଏ ମନ ଯେବେ ଶୁଣିଲା ।
ଆଖିରେ ଆଖିରେ ଇଶାରା କରିକି ବଢ଼େଇଲ ମୋ ସ୍ପନ୍ଦନ ,
ପହିଲି ରଜରେ ପ୍ରଥମ ପ୍ରେମର ଦୋଳିରେ ଝୁଲିଲା ମନ ।
ଛୁଁଇ ଦେଇଗଲ ପାପୁଲିରେ ତୁମ ମୋ ଦେହକୁ ଯେତେବେଳେ ,
ଆଖି ଭରିଗଲା ମନ ଭରିଗଲା ଖୁସିରେ ମୋ ସେତେବେଳେ ।
କେବେଠୁଁ ଏ ମନ ତୁମ ମନ ଭାଷା ବୁଝିବାକୁ ଚାହୁଁଥିଲା,
ଆଜି ସେ ଅପେକ୍ଷା ସରିବା ଆଗରୁ ମନ ସବୁ ବୁଝିଗଲା ।
ଶବ୍ଦରେ ସୀମିତ ମୋର ପ୍ରେମ ନୁହେଁ ତୁମ କଥା ଅପେକ୍ଷାରେ ,
ତୁମେ ଯାହା ସବୁ ଆଖିରେ ହିଁ କୁହ ମୋ ଆଖି ଗ୍ରହଣ କରେ ।
ତୁମର ସେ ମୁଖ ହସ ହସ ଯେବେ ମୋ ଦୁଇ ଆଖିକୁ ଦିଶେ ,
ହୃଦୟ ସ୍ପନ୍ଦନ ବଢ଼ି ବଢ଼ି ଯାଏ ଶ୍ଵାସ ହାର ବଢ଼ି ବସେ ।
ଯେତେବେଳେ ତୁମେ ପାଖରେ ମୋ ଥାଅ ସମ୍ପୁର୍ଣ୍ଣ ଲାଗେ ଜୀବନ ,
କିଛି ଲୋଡ଼ା ନାହିଁ ମୋତେ ଏ ଜଗତେ ତୁମକୁ ଚାହେଁ ଏ ମନ ।
ଡର ଲାଗେ ଯଦି ମୋତେ ଏକା କରି ତୁମେ ହାତ ଛାଡ଼ି ଦେଲ ,
କିପରି ବଞ୍ଚିବି ତୁମ ବିନା ମୁହିଁ ବୁଝି ନେବ ପ୍ରାଣ ନେଲ ।
ଧରିଥାଅ ମୋତେ ତୁମରି ବାହୁରେ ସଂସାରର ଚିନ୍ତା ନାହିଁ ,
ଅସତ୍ୟ ସଂସାର ତୁମେ ତ ନିଜର କେହି ନାହାନ୍ତି ମୋ ପାଇଁ॥