ରେଡ ଲାଇଟକୁ
ନେଇ ଅନେକ କବିତା,
ଆଲୋଚନା ଓ ଚଳଚ୍ଚିତ୍ରର ପୃଷ୍ଠଭୂମି
ଗୋଟାଉଛ-
ଦରଦୀ ହେବାର ବାହାବା ।
ସତ କହିଲ ଦେଖି,
କିଏ ସଜାଇଛି
ଏମାନଙ୍କୁ ଅଭିଶପ୍ତ ରାତ୍ରିର ନାୟିକା ?
ସମାଜ ବାସନ୍ଦ
ପିନ୍ଧାଇଦେଇଛି ବାରାଙ୍ଗନାର ଆଖ୍ୟା ?
କିଏ କେବେ ଝାଙ୍କିଛ ଚନ୍ଦ୍ରମୂଖୀର ହୃଦୟ ଭିତରକୁ ?
ଛାନ୍ଭିନ୍ କରିଛ ଦେବଦାସ ପାଇଁ ସାଇତା ପ୍ରେମକୁ ?
ଜୀବନ ବଞ୍ଚିବାର ସହଯୋଗକୁ,
ଆମ୍ରପାଲିର ଦ୍ୱାର ଏବେବି ଖୋଲା
ଯତ୍ନ ନେବାକୁ – ଅନେକ ଘାଇଲା ଶରୀର ଓ କ୍ଷତାକ୍ତ ମନ ।
କିନ୍ତୁ ତୁମେ ତ ଚାହଁନା
ଛିଟା ବି ପଡ଼ିବାକୁ ତାଙ୍କ ବନ୍ଧୁତ୍ୱର
ପିଲାଙ୍କ ଦେହରେ ତୁମର
ବାକି ସବୁ ସ୍ବପ୍ନ ଅବାସ୍ତବ,
ପାଣି ଫୋଟୋକା ମାତ୍ର ।
ଏକବିଂଶ ଶତାବ୍ଦୀରେ ବି
ଦ୍ୱାର ସବୁ ବନ୍ଦ ତାଙ୍କ ପାଇଁ,
ଆପଣେଇ ନେବା ଯେମିତି ଅସମ୍ଭବ
ଅଛୁଆଁ ଧୂଳିରେ ବୋଳା ଜୀବନ
କାଟେ ଅଭିଶପ୍ତ ଇଲାକାରେ ।
କରିଦିଅ ନା ସବୁ ଆଗାମୀ ରାସ୍ତା ସୁଗମ୍ୟ
ହଟାଇ ନଗ୍ର ବଧୂର ଉପାଧି
ସତ କରିଦିଅ ବଧୂ ସାଜିବାର ସ୍ବପ୍ନ
ରମ୍ଭା ମେନକା ମାନଙ୍କର
ଦୂର ଦିଗାନ୍ତରେ ହଜି ନଯାଇ ଆଶା ।
ସବୁ ଦରଦୀ ହୃଦୟ ଖୋଲୁ
ପ୍ରତି ମୁହୂର୍ତ୍ତର ଦୁଃଖ ଯନ୍ତ୍ରଣାକୁ
ସବୁ ହାତ ପହଞ୍ଚୁ ପୋଛିବାକୁ ଲୁହ,
ଆଉ ଆଖି ଦେଖୁ ଦିବ୍ୟତା ପ୍ରେମର
ଦାସ ନ ହୋଇ ଦୈହିକ ବାସନାର ।