ଅଣୁଗଳ୍ପ

ସ୍ୱପ୍ନର ୨୦୩୦ ମସିହା

Pradip Kumar Sahoo's odia short story Swapnara 2030 Masihaa

ପଢିବା ପାଇଁ ବହୁତ ଇଚ୍ଛା ଥିଲା ମୋର କିନ୍ତୁ ବାପା ମା କହିଲେ ପ୍ରଦୀପ କାହିଁକି ତୁ ପଢ଼ିବୁ ।

ସ୍ୱପ୍ନର ୨୦୩୦ ମସିହା

ସକାଳ ୫ରୁ ଉଠି ଲାଗି ପଡିଛି କାମରେ ମୁଁ । ଘର ସଫା ଠାରୁ ଆରମ୍ଭ କରି ରୋଷେଇ ସରିଲାଣି; ଆଉ ଏବେ ବି ଶୋଇଛନ୍ତି ପତ୍ନୀ ମୋର । ଉଠିବେ ଖାଇ ପିଇ ଦେଇ ଅଫିସ୍‌ ଚାଲିଯିବେ । ପୁଣି ଫେରିଲା ବେଳକୁ ସନ୍ଧ୍ୟା ଆଉ ଆସିବା କ୍ଷଣି ଚା କପେ ନିହାତି ଦରକାର । ରୋଜଗାର କରିବା ସହ ବହୁତ ଯତ୍ନ ନିଅନ୍ତି ଘରର, କେବେବି ମାଗିଲେ ମନା କରନ୍ତି ନାହିଁ ପାଇସା ପାଇଁ ।

ସମସ୍ତ କାମସାରି ପେପର ପଢିବାକୁ ବସିଲି, ପ୍ରଥମ ଖବର ସେଇ ପୁରୁଣା ନର ନିର୍ଯାତନା । ଜଣେ ପୁରୁଷ ତା ସ୍ତ୍ରୀର ଯନ୍ତ୍ରଣା ସହି ନ ପାରି ପୁରୁଷ କମିଶନଙ୍କ ପାଖେ ଅଭିଯୋଗ କରିଛି କି ତାକୁ ତା ପତ୍ନୀ ଆଉ ଶାଶୁ ଯୌତୁକ ନିର୍ଯାତନା ଦେଉଛନ୍ତି ବୋଲି, କେବେ କେଜାଣି ଏ ସମାଜ ବଦଳିବ ଆଉ ପୁରୁଷ ମାନେ ନ୍ୟାୟ ପାଇବେ ବୋଲି ଖବର ପଢିବା ବନ୍ଦ କରିଦେଲି ଆଉ ଚାଲିଲି ପଡିଶା ଘର ରାକେଶ ଭାଈ ଘରକୁ । ରାକେଶ ଭାଇଙ୍କ ପାଖରୁ କାଲି ରାତିର କଥା ଶୁଣି ବହୁତ ଡର ଲାଗିଲା । ସେ ଯାଇଥିଲେ ତାଙ୍କ ଦୂର ବନ୍ଧୁ ଘରକୁ ଆଉ ଫେରିବା ବେଳକୁ ରାଇ ଏଗାର । ଆଉ ବାଟରେ ଅଟୋ ପାଇଁ ଅପେକ୍ଷା କଲାବେଳେ ସାମ୍ନା ହେଲା ଚାରି ଜଣ ସୁନ୍ଦରୀ କନ୍ୟାଙ୍କ ସହ ଆଉ ନିଜକୁ ଏକୁଟିଆ ପାଇ ବହୁତ ଡରିଯାଇଥିଲେ ସେ, ସେ ଅଟୋ ଚାଳକ ଝିଅ ମଧ୍ୟ ତାଙ୍କୁ କାହିଁକି ବାରମ୍ବାର ଦେଖୁଥିଲା । ରାକେଶ ଭାଈଙ୍କୁ ଆଜି ତାଙ୍କ ବାପ ଘରକୁ ଯିବାକୁ ଥିଲା ସେଥିପାଇଁ ମୁଁ ଶୀଘ୍ର ପଳାଇ ଆସିଲି ଘରକୁ ।

ସରକାରଙ୍କ ‘ପୁରୁଷ ପ୍ରଥମେ’ର ଘୋଷଣା ପରେ ଟିକେ ଆଶ୍ବସ୍ତି ମିଳିଛି । ନ ହେଲେ ଏ ନାରୀ ସମୂହ ସମାଜରେ ବଞ୍ଚିବା କଷ୍ଟକର ହୋଇ ଯାଉଛି । ଗୋଟେ ଚାକିରୀ ପାଇଁ କେବେଠୁଁ ଚେଷ୍ଟା କରୁଛି କିନ୍ତୁ ହୋଇ ପାରୁନି । ମାର୍କେଟ ଗଲେ ତ ସବୁଆଡେ ନାରୀ , ଛୋଟ ଦୋକାନ ଠୁ ଆରମ୍ଭ କରି ଆମର ଏମ୍‌ଏଲ୍‌ଏ ଚଣ୍ଡୀ ମାଡାମ ସବୁ ନାରୀ । ଅପେକ୍ଷା କରିଛି କେବେ ପୁରୁଷ ସଂରକ୍ଷଣ ବିଲ୍‌ ପାସ ହେବ ବୋଲି ।

ପଢିବା ପାଇଁ ବହୁତ ଇଚ୍ଛା ଥିଲା ମୋର କିନ୍ତୁ ବାପା ମା କହିଲେ ପ୍ରଦୀପ କାହିଁକି ତୁ ପଢ଼ିବୁ । ବଡ଼ ହେଲେ ବାହାହେବୁ , ତୋ ସ୍ତ୍ରୀ ତୋତେ ପଢାଇବ । ଚାଳିଶ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୋତେ ବିବାହ କରାଇ ମୋତେ ଶାଶୁଘର ପଠାଇ ଦେଲେ , ବହୁତ ଖୋଜି ଖୋଜି ଗୋଟେ ଚାକିରିଆ ବୋହୁ ପାଇଥିଲେ । ବାହା ହେଲା ପରେ ପୁଣି ଝିଅ ଜନ୍ମ କରିବାର pressure, ନ ହେଲେ ଶାଶୁ ଶଶୁରଙ୍କ ଠାରୁ କଥା ଶୁଣିବାକୁ ପଡିବ ।

କଣ ଅଛି ଏ ପୁରୁଷ ଜୀବନରେ । ବାହା ହୋଇ ଘର ସଂସାର କରିବାକୁ ପର ଘରକୁ ଯିବାକୁ ପଡ଼େ, ପର ଘର ଭିତରେ ପଶି ରହି ପିଲାମାନଙ୍କ ଯତ୍ନ ନେବାକୁ ହୁଏ । ଯେତେ ଥର ଭଲ ରୋଷେଇ କଲେ ବି କେହି ପଡେ ଅଧେ ଏଠି କୁହନ୍ତି ନାହିଁ । ତରକାରୀ ଅଲଣା ହୋଇଯାଏ ମୋର ଶଶୁର ଖାଲି ନାଲି ଆଖି ଦେଖେଇବେ । କିନ୍ତୁ ମୋ ସ୍ତ୍ରୀଙ୍କ ଆଗରେ ମୋତେ କିଛି କହି ପାରନ୍ତି ନାହିଁ । ଆଉ ମୋ ଶାଶୁଙ୍କୁ ଏ ସବୁ ପସନ୍ଦ ନ ଥିଲେ ବି ଶଶୁରଙ୍କ ଭୟରେ କିଛି କୁହନ୍ତି ନାହିଁ । ଚୁପ୍‌ ରୁହନ୍ତି ।

ଇତି ।
ଭବିଷ୍ୟତର ପୁରୁଷ

ଲୋକପ୍ରିୟ ଲେଖା

To Top