ମନ କେମିତି ଯୋଡାଯାଏ
କେବେକେବେ କେତେକରି ହୃଦୟଖୋଲି ହସିଲେ
ନା’ କୋହଧରି ଭାବବିହୋଳ ହୋଇ କାନ୍ଦିଲେ ।
ସମୁଦ୍ରକୂଳେ ଏକାକୀ ବସିଥିବା ମଣିଷର
ଭାବୁକ ମନକୁ ପଚାର
ସେ କହିବ କେମିତି ଆସେ ପୁନେଇଁ ତିଥିରେ ଉଚ୍ଚ ଉଚ୍ଚ ଜୁଆର
କୁଳ ଲଙ୍ଘେ ମନ ଫାଟେ ବାଲୁକା ଶେଯରେ ,
ଡେମ୍ଫରୁ ଫୁଲଝଡେ ଗୋଟି ଗୋଟି ହୋଇ
କାକର ବି ମିଳେଇ ଯାଏ
ସକାଳ ଗଡ଼ି ଟିକେ ଖରା ଆଗକୁ ମାଡିଲେ ।
ଏଇ ଅସାରା ଅସାରା ବର୍ଷା
ମାଟିକୁ ଭିଯାଏ, ଅଲିଅଳି ବର୍ଷାରେ କେମିତି ଭିଜେ ଚଷା ପୁଅ, ଗାଁ ବରଗଛ ସେଥୁରେ ଝୁଲୁଥିବା ବାଇଆ ବସା ।
ମନ ହଜୁଛି କାଶତାଣ୍ଡି ନଈ ତୁଠରେ ପ୍ରିୟାର ଗାଁ’ରେ ତା’ ବନ ବିଲ ତୋଟାମାଳେ, ଧୁସର ଧୁଆଁରେ ।
କେମିତି ମଣିଷ ବିଶ୍ୱାସରେ ଜାଲବିଛାଏ
ମାଛମନେ ଧରା ଦିଅନ୍ତି ଅତି ସହଜରେ ।
ହମ୍ବା ହମ୍ବା ରଡିଛାଡିଲେ ଟିକି ବାଛୁରୀ ଚାଲିଆସେ ମା’ କୋଳେ ;
ଘାସ ଗାଲିଚାରେ ଫୁଲର ଘରକରି କବିତା ଲେଖେ କବି ,
ସମ୍ପର୍କରର ନୂଆ ନୂଆ ଖିଅ ବୁଣେ ବୁଢିଆଣି
ଏପାରିରୁ ସେପାରିକୁ କେତେ ପ୍ରଯତ୍ନେ ।
