ଅଣୁଗଳ୍ପ

ଅକ୍ଷୟ ପାତ୍ର

Binay Mohapatra's odia short story Akshaya Paatra

ଏ ଗଙ୍ଗାଜଳ ଡାଇଲ୍ୟୁଟ୍ ହୋଇ ହୋଇ ଆଜି କେତେ ପରସେଣ୍ଟ୍‌ ଗଙ୍ଗାଜଳ ଆଉ କେତେ ପରସେଣ୍ଟ୍‌ ସାଧା ଜଳ ସେ କଥା କେବଳ ମାଆ ଗଙ୍ଗା ହିଁ ଜାଣନ୍ତି ।

ଦଶହରା ବର୍ଷର ଏମିତି ଗୋଟିଏ ପର୍ବ, ଯେତେ ବେଳେ ଘରର ସବୁ ପୁଅ ବାହୁ, ଝିଅ ଜୋଇଁ ନାତି ନାତୁଣୀ ସମସ୍ତେ ଏଇ ଘରେ ଏକାଠି ହୁଅନ୍ତି । ଶୁନଶାନ୍ ପଡିଥିବା ଘରଟା ପୁଣି ଥରେ ଗହଳ ଚହଳ ହୋଇଯାଏ, ଅଗଣାରେ ଛୋଟ ଛୁଆ ମାନଙ୍କର ଧା’ ଧପଡ ଖେଳ ଗୋଳରେ ଚଳ ଚଞ୍ଚଳ ହୋଇଉଠେ । ସୁଲୋଚନାଙ୍କର ତିନି ପୁଅ, ତିନି ବୋହୁ, ହେଲେ ସମସ୍ତେ ବାହାରେ ରହିଲେ । ଦୁଇ ଝିଅ ବାହାଘର ପରେ ସେମାନେ ଜେଝା ଘର ଜଞ୍ଜାଳରେ ବ୍ୟସ୍ଥ । ନାତି ନାତୁଣୀ ମିଶାଇ ଦଶଟା ଛୁଆ । ଏତେ ବଡ ପରିବାର ଥାଇ ମଧ୍ୟ ଘରଟା ବର୍ଷସାରା ଶୁନଶାନ୍ ପଡିଥାଏ ।

ବୁଢା ବୁଢି ଦିଜଣ ଘର ଜଗି ବସିଛନ୍ତି । ସୁଲୋଚନାଙ୍କ ସ୍ୱାମୀ ନାରଣ ସାଆନ୍ତେ । ବୟସ ସତୁରୀ ହେଲା ଏଇ ଗଲା ଭୋଦୁଅ ମାସରେ । ନାରଣ ସାଆନ୍ତେ ଏ ବୟସରେ ବି ବହୁତ ମଝଭୂତ ଅଛନ୍ତି । ଛ‌ଅ ଫୁଟର ଡେଙ୍ଗା ମଣିଷଟେ, ଚଉଡା ଛାତି, ବଳିଷ୍ଟ ଦେହ ସାଙ୍ଗକୁ ମୋଟା ମୋଟା ଦୁଇଟା ରାଜକୀୟ ବାଘୁଆ ନିଶ ତାଙ୍କୁ ଖୁବ୍ ମାନେ। ବୁଢା ବୁଢା ପୁରୁଖା ଲୋକେ କହନ୍ତି ତାଙ୍କ ବୟସ ସମୟରେ ତାଙ୍କୁ ଦେଖି ବାଘୁଣୀ ବି ବାଟ ଛାଡି ଦେଉଥିଲା । ଜମିଦାରୀ ସିନା ସରି ଯାଇଛି, ହେଲେ ଜମିଦାର ଘରର ଥାଟ ବାଟ ଆଜି ବି ସେମିତି ଅଛି । ବର୍ଷର ବଡ ପର୍ବ ଏଇ ଗୋଟିଏ ଦୁର୍ଗାପୂଜା । କୋଉ ଗୋସେଇଁ ଜେଜେ ବାପା ଅମଳର ଦେବୀ ମନ୍ଦିର ତାଙ୍କ ଆମ୍ବ ବଗିଚା ମଝିରେ । ଏଇ ଆମ୍ବ ବଗିଚା ଭିତରେ ଥିବା ଗାଡିଆ ପାଖରେ ଗୋସେଇଁ ଜେଜେ ତିଆରି କରିଥିଲେ ଏଇ ଦେବୀ ମନ୍ଦିରଟି । ବାରିପଦାର ଖିଚିଂରୁ କାରୀଗର ଡକେଇ କଳା ମୁଗୁନି ପଥରରେ ତିଆରି ଗଢ଼ାଇ ଥିଲେ ମାଆ ଦଶଭୂଜା ଦୂର୍ଗାଙ୍କ ମୂର୍ତ୍ତୀ । ମାଆଙ୍କ ପାଖରେ ସବୁ ଦିନ ତିନି ଧୂପ ଲାଗେ, କିନ୍ତୁ ଦଶହରା ସମୟରେ ମହାସପ୍ତମୀ ଠାରୁ ଦଶମୀ ମହାପୂଜା ଯାଏ ମାଆଙ୍କର ଶୋଡ଼ଷ ଉପଚାରରେ ଚାରି ଦିନ ବଡ ପୂଜା ହୁଏ ।

ଏଇ ଦଶହରା ସମୟରେ ପରମ୍ପରା ଅନୁଯାୟୀ ପରିବାରର ସବୁ ସଦସ୍ୟ ମାନଙ୍କ ଉପସ୍ଥିତି ନିହାତି ଜରୁରୀ, ସେଥି ପାଇଁ ସବୁ ପିଲାମାନେ ଘରକୁ ଆସିବାକୁ ବାଧ୍ୟ । ଏତେ ଦିନ ପରେ ପିଲାମାନେ ଘରକୁ ଆସୁଛନ୍ତି ବୋଲି, ବୁଢା ବୁଢି ଦୁଇଜଣଙ୍କ ଗୋଡ ତଳେ ଲାଗୁ ନାହିଁ । କୋଉ ପୁଅକୁ କଣ ଭଲ ଲାଗେ, କୋଉ ଝିଅ କି କୋଉ ବୋହୁକୁ କଣ ଖାଇବାକୁ ଭଲ ପାଏ, ତାରି ଯୋଗାଡରେ ମାସକ ଆଗରୁ ଲାଗି ଯାଆନ୍ତି ନାରଣ ସାଆନ୍ତେ । ଗୋଟି ଗୋଟି କରି ସବୁ ଏକାଠି କରନ୍ତି । କାହାକୁ କଣ ବରାଦ ଦିଆ ଯିବ ସୁଲୋଚନା ନାରଣ ସାଆନ୍ତଙ୍କୁ ମନେ ପକେଇ ଦିଅନ୍ତି । ପିଲାଙ୍କର ଯେପରି କୋଉ ଥିରେ କିଛି ଅଭାବ ରହି ନଯାଏ ସେ କଥାକୁ ବଡ ସାବଧାନରେ ଯୋଗାଡ କରି ଦିଅନ୍ତି । ଗାଆଁରେ ବିଜୁଳି କଟିଯାଏ ବୋଲି ବଡ ଇନଭର୍ଟର ଟିଏ, ଗଲା ମାସରେ ଆଣି ଘରେ ଲଗେଇଛନ୍ତି । ବଡ ପୁଅ ବୋହୁ ଦିଲ୍ଲୀରୁ ଆସି ଦୁଇ ଦିନ ଆଗରୁ ପହଞ୍ଚି ଗଲେ, ମଝିଆ ଆଉ ସାନ ପୁଅ ବୋହୁ ବାଙ୍ଗାଲୋରରେ ରହନ୍ତି ସେମାନେ ପୂଜାର ଦିନକ ଆଗରୁ ଆସି ପହଞ୍ଚି ଗଲେ । ଝିଅ ଦିଜଣ ଓଡିଶାରେ, ବଡ ଜୋଇଁ ବ୍ୟାଙ୍କରେ କାମ କରନ୍ତି, ଆଉ ଭୂବନେଶ୍ୱରରେ ରହନ୍ତି, ସାନ ଜୋଇଁଙ୍କର ନିଜର ବିଜିନେସ ଅଛି କଟକରେ । ଝିଅ ଦିଜଣ ସେମାନଙ୍କ ଜ୍ୱାଇଁ ଓ ପିଲାମାନଙ୍କୁ ନେଇ ସପ୍ତମୀ ଦିନ ଆସି ପହଞ୍ଚି ଗଲେ ।

ମହାସପ୍ତମୀ ଦିନ ରାତି ଚାରିଟାରୁ ଉଠି ସୂଲୋଚନା ଲାଗି ପଡିଛନ୍ତି, ପୂଜା ପାଇଁ । ରୋଷେୟା ନନା ତାଙ୍କ ଗାଆଁରୁ ନିଜ ସାନ ଭାଇକୁ ନେଇ ଆସିଛି, ପୂଜା ସମୟରେ ବହୁତ ଲୋକ, ବଡ ପରିବାର, ଘରେ ବଡ ଲୋକ ଆଉ ଛୋଟପିଲା ସମସ୍ତଙ୍କୁ ମିଶେଇ ତିରିଶ ଜଣ ହେବେ । ସମସ୍ତଙ୍କର ପୁଣି ଅଲଗା ଅଲଗା ବରାଦ, କାହାର ଯେପରି କିଛି ଉଣା ରହି ନଯାଏ ସେଥି ପାଇଁ ରୋଷେଇ ଘରେ ପୁଜାରୀ ଦିଜଣ ରେଷେଇ କାମରେ ବହୁତ ବ୍ୟସ୍ଥ । ପୂର୍ବଦିନ ସଂଧ୍ୟାରେ ପୂଜା ସାମଗ୍ରୀ ସବୁ ଏକାଠି କରିବା ପାଇଁ ସୂଲୋଚନା ବଡ ବୋହୁକୁ କହି ଦେଇଥିଲେ ।

ପୁରୋହିତେ ସକାଳ ପାଞ୍ଚଟା ବେଳକୁ ଆସି ପୂଜା ଆରମ୍ଭ କରିବେ ବୋଲି କହି ଯାଇଛନ୍ତି । ସେଥି ପାଇଁ ସୁଲୋଚନା ସମସ୍ତଙ୍କୁ ଥରେ ଥରେ ଉଠେଇ ଦେଇ ଆସିଲେଣି । ପୂଜା ଆଗରୁ ସମସ୍ତେ ଗାଧୋଇ ପାଧୋଇ ରେଡି ହେବାକୁ କହିଦେଇ ନିଜ କାମରେ ବ୍ୟସ୍ଥ ହୋଇଗଲେ ।

ଠିକ୍ ସମୟରେ ସମସ୍ତେ ମନ୍ଦିରରେ ପହଞ୍ଚି ଯାଇଥିଲେ, ଏବେ ପୂଜାରେ ବସି ସାରିଲେଣି, ପୂଜା ପାଇଁ ପୁରୋହିତେ ବେଦୀ ସଜାଡି, ମଣ୍ଡଳୀ ବୁଲାଇ କଳସ ସ୍ଥାପନ କଲା ବେଳକୁ କହିଲେ, ଆରେ, ଗଙ୍ଗାଜଳ କାଇଁ ? ଗଙ୍ଗାଜଳ ବୋତଲଟା ତ କାହିଁ ନଜର ଆସୁନି, ବିନା ଗଙ୍ଗାଜଳରେ ପୂଜା କେମିତି ହେବ ? କଳଶ ପାଣିରେ ଦି ଟୋପା ଗଙ୍ଗାଜଳ ନପଡିଲେ କଳଶ ସ୍ଥାପନା କେମିତି ହେବ ? ପୂଜା ଗଡୁରେ ବି ଦି ଟୋପା ଗଙ୍ଗାଜଳ ମିଶା ନହେଲେ ଠାକୁରାଣୀଙ୍କ ସ୍ନାନ ଆଚମନ କେମିତି ହେବ ? ସେତିକି ବେଳକୁ ବଡ ଭାଉଜ ପାଟିଟାଏ କରି କହିଲେ, ସାନକୁ କହିଥିଲିପା, ଠାକୁରାଣୀ ପୂଜାର ସମସ୍ତ ସାମଗ୍ରୀ ଜୋଗାଡ କରି ଏକାଠି ଗୋଟିଏ ଜାଗାରେ ରଖିବାକୁ, କିଛି ଅସୁବିଧା ହେଲେ ମଝିଆଣିକୁ ପଚାରି ନେବୁ, ନହେଲେ ମୋତେ କହିବୁ ବୋଲି କହିଥିଲି ! ହେଲେ ଆଜି କାଲିକା ଝିଅ ତ ସବୁ ଭାରି ସିଆଣୀ, କାହାକୁ କିଛି ପଚାରିବାକୁ ସରମ ଆସେ ସେମାନଙ୍କୁ ।

ହଠାତ ମାଆ ଶାନ୍ତ ସ୍ୱରରେ କହିଲେ, ଆରେ ସୁରେଖା, (ସୁରେଖା ବଡ ଭାଉଜଙ୍କ ନାଆଁ), ୟାକୁ ତାକୁ ଦୋଷ ଦେଇ କଣ ହେବ, ସିଏ ତ ନୂଆ ବୋହୁଟା, ଏ ଘରର ରୀତି ନୀତି ଶିଖିବାକୁ ତାକୁ ସମୟ ଲାଗିବ, ସେ କଣ ଜାଣିଛି ଏ ଘରର କୋଉ ଜିନିଷ କୋଉଠି ଥାଏ ? ତମେ ତ ସବୁ ବାହାରେ ରହିଲ, କୁଣିଆ ପରି ଦୁଇ ଚାରି ଦିନ ପାଇଁ ଘରକୁ ଆସିବ, କେମିତି ଜାଣିବ କୋଉ ଜିନିଷ କୋଉଠି ରହେ ? ଯାଆ ଦେଖ, ଠାକୁର ଘର ଉପର ଥାକରେ ଗଙ୍ଗା ଜଳର ସେଇ କାଚ ବୋତଲଟାରେ ଅଛି ଗଙ୍ଗାଜଳ, ଯଦି କମ୍ ହୋଇ ଯାଇଥିବ ସେଥିରେ ଆଉ ଗିନାଏ ପାଣି ମିଶାଇ ଦେବୁ । ସେ ବି ଗଙ୍ଗାଜଳ ହୋଇଯିବ ।

ଗଙ୍ଗାଜଳ, ଏଇ ଗଙ୍ଗାଜଳ ବହୁତ ପୁରୁଣା, ଯେତେ ବେଳେ ଜେଜେ ଆଉ ଜେଜେ ମାଆ ବଞ୍ଚିଥିଲେ ସେବେ ଯାଇଥିଲେ ତୀର୍ଥ କରିବାକୁ, ପୁରା ମାସେ କାଳ ସାରା ଭାରତ ଭ୍ରମଣ କରି ଆସିଥିଲେ । ହରିଦ୍ୱାରରୁ ଆଣିଥିଲେ ବୋତଲେ ଗଙ୍ଗାଜଳ । ସେ ସମୟରେ ଆଜି କାଲିକା ପରି ପ୍ଲାଷ୍ଟିକ ବୋତଲ କି ଜାର ମିଳୁ ନଥିଲା । ସେ ଯୁଗରେ ବୋତଲ କହିଲେ କାଚର ବୋତଲ ସବୁ, କିରୋସିନ୍ ଠାରୁ ଆରମ୍ଭ କରି ରୋଷେଇ ଘରର ଶୋରିଷ ତେଲ ବୋତଲ ହେଉ କି ଗଙ୍ଗାଜଳ ସବୁ କାଚ ବୋତଲରେ ରହେ । ଏମତିକି ସ୍ୟାହି ଶିଶିର ଠିପିରେ କଣାଟାଏ କରି ସେଇ ବାଟେ ବଳିତାଟିଏ ଲଗାଇ ଦେଇ ଶିଶିରେ କିରୋସିନ ଭରି ଦେଲେ ସେ ହୋଇ ଯାଉଥିଲା ଡିବିରି । ଇଲେକ୍ଟ୍ରିକ ତ ନଥିଲା ସେ ବେଳେ, ତେଣୁ ସଂଜ ହେଲେ ଲଣ୍ଠନ କି ଡିବିରିଟିଏ ଖୋଜା ହୁଏ । ଆଜି ବି ମନେ ପଡେ ପିଲା ଦିନର ସେଇ କଥା ସବୁ, ସେଇ ଡିବିରି ଆଲୁଅରେ ପାଠ ପଢିବା କଥା, ଆଜି କାଲିକା ପିଲେ ଏ ଦେଶୀ ଜୋଗାଡ କଥା ଶୁଣିଲେ ହସିବେ ।

ଛାଡ, ଗଙ୍ଗାଜଳ ବିଷୟରେ କହୁଥିଲି ନା’ । ହଁ ସେଇ ଯୁଗର ସେଇ ଗଙ୍ଗାଜଳ ଆଜି ଯାଏ ବ୍ୟବହାର ହେଉଛି । ସାଇ ପଡିଶାରେ କାହାର କେବେ ପୁଜା ପାଠ ହେଉ କି ମଲା ମଣିଷ ମୁହଁରେ ଟୋପାଏ ଗଙ୍ଗାଜଳ ଦେବାକୁ ହେଉ, ଆମରି ଘରୁ ସମସ୍ତେ ମାଗି ନିଅନ୍ତି ଗଙ୍ଗାଜଳ । ଗାଆଁରେ ପ୍ରାୟ ସମସ୍ତଙ୍କୁ ଜଣା, କୋଉଠି ନ ମିଳିଲେ ବି ଆମ ଘରେ ନିଶ୍ଚୟ ମିଳି ଯିବ ଏଇ ଦୂର୍ଲ୍ଲଭ ଗଙ୍ଗାଜଳ, ଏବେ ତ ସବୁ ଆଡ଼େ ପୂଜା ସାମଗ୍ରୀ ଦୋକାନ ସବୁ ଖୋଲି ଗଲାଣି, ସବୁଠି ଛୋଟ ଛୋଟ ଶିଶିରେ ମିଳି ଯାଉଛି ଗଙ୍ଗାଜଳ ‌। ଆମ ପିଲା ସମୟରେ ଏସବୁ ନଥିଲା, ଅଲଗା ଅଲଗା ଦୋକାନରୁ ଖୋଜି ଖୋଜି ଗୋଟି ଗୋଟି କରି ସବୁ ସାମଗ୍ରୀ ଯୋଗାଡ କରିବାକୁ ହେଉଥିଲା, କିନ୍ତୁ ଗଙ୍ଗାଜଳ କୋଉଠି ବି କିଣିବାକୁ ମିଳେନି । ଗଙ୍ଗାଜଳ ପାଇଁ ଗଙ୍ଗା ପାଖକୁ ଯିବାକୁ ହୁଏ, ଯିଏ ଗଙ୍ଗା ଯାଇ ତାର ପବିତ୍ର ଜଳ ଆଣିଛି, କେବଳ ତା ପାଖରୁ ମାଗି ଆଣିବାକୁ ହୁଏ ।

ବଡ ଆଶ୍ଚର୍ଯ୍ୟ ଲାଗେ କୋଉ ଯୁଗରୁ ଆମ ଘରର ସେ ଗଙ୍ଗାଜଳ ଆଜିଯାଏ ସେମିତି, ସେତିକି ଅଛି । ସତେ ବା ଆମର ଏଇ ବୋତଲଟା, ମାଣବସା ଗୁରୁବାର ଦିନ ମାଆ ଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀକୁ ଦେଇଥିବା ଅକ୍ଷୟ ପାତ୍ର ! ଶ୍ରୀୟାକୁ ମାଆ ଲକ୍ଷ୍ମୀ ବରଦାନ ଦେଇ କହିଥିଲେ, ଦେଖ ଶ୍ରୀୟା, ତୋର ଯେତେ ବେଳେ ଯେତେକି ଦରକାର ହେବ, କେବଳ ସେତିକି ମାଗିବୁ, ଏ ପାତ୍ରରୁ ତୋତେ ଯାହାବି ପ୍ରାପ୍ତ ହେବ, ଯାହା ବି ତୋତେ ମିଳିବ, ସେଥିରୁ କିଛି ଅଂଶ ନିଶ୍ଚୟ ଦାନ ଧର୍ମ କରିବୁ, ଦେଖିବୁ ଏ ଅକ୍ଷୟ ପାତ୍ର କେବେ ବି ଖାଲି ହେବନି, କିନ୍ତୁ କେବେ ଯଦି ଲୋଭରେ ତୋର ଆବଶ୍ୟକତା ଠାରୁ ଅଧିକ କାଢି଼ବୁ ତେବେ ଏ ପାତ୍ର ଶୁନ୍ୟ ହୋଇଯିବ । ସେମିତି ଥିଲା ଜେଜେ ମାଆଙ୍କର ଏଇ ଗଙ୍ଗାଜଳ ବୋତଲ । ଜେଜେ ମାଆ ବି ମାନି ଥିଲା ଏଇ ମନ୍ତ୍ର, ଏବେ ମାଆ ବି ମାନୁଛି, ଆଗକୁ ଚାଲି ପରମ୍ପରା ଅନୁଯାୟୀ ବୋହୁମାନେ ବି ମାନିବେ ବୋଲି ମାଆ ସବୁ ବେଳେ ବୋହୁମାନଙ୍କୁ ଶିଖାଏ, ସତେ ବା ଏଇ ବୋତଲଟା ହିଁ ସ୍ୱୟଂ ମାଆ ଗଙ୍ଗା !

ଏ ଗଙ୍ଗାଜଳ ବୋତଲ ଆଜି ଯାଏ କେବେ ବି ଶୁନ୍ୟ ହୋଇନି ? ଜେଜେ ମାଆ ଯେତେ ବେଳେ ହରିଦ୍ୱାରରୁ ଏ ଗଙ୍ଗାଜଳ ଆଣିଥିଲା ସେତେ ବେଳେ ଜଣେ ସାଧୁ କହିଥିଲେ, ଝିଅ, ଯେତେ ବେଳେ ବୋତଲ ଅଧା ହୋଇଯିବ ଏଥିରେ ଆଉ କିଛି ପରିଷ୍କାର ପାଣି ମିଶାଇ ପୁଣି ବୋତଲ ଭରି ନେବୁ । ଟୋପାଏ ଗଙ୍ଗାଜଳ ସାରା ସମୁଦ୍ରର ଜଳକୁ ବି ଗଙ୍ଗାଜଳ କରିଦେଇ ପାରେ । ମାଆ ଗଙ୍ଗା କଲ୍ୟାଣମୟୀ ପାପ ନାଶିନୀ, ତୋର ଏ ଗଙ୍ଗାଜଳ ବୋତଲ କେବେ ଖାଲି ହେବନି, ମାଆ ଗଙ୍ଗାର ଆଶିର୍ବାଦ ତୋ ସାଙ୍ଗରେ ଅଛି । ସେଇ ଫର୍ମୁଲାରେ ଜେଜେ ମାଆର ବୋତଲ କେବେ ଖାଲି ହୋଇ ନଥିଲା, ମାଆର ବୋତଲ ବି ଖାଲି ହୋଇନି, ଆଶା ବୋହୁ ମାନଙ୍କ ଅମଳରେ ବି ଏଇ ଅକ୍ଷୟ ବୋତଲ କେବେ ଖାଲି ହେବନି ସତେବା ଏଇ ବୋତଲଟାରେ ସ୍ୱୟଂ ମାଆ ଗଙ୍ଗା ବିଜେ କରିଛନ୍ତି । କିନ୍ତୁ ଆଜି ଭାବୁଛି, ଏ ଗଙ୍ଗାଜଳ ଡାଇଲ୍ୟୁଟ୍ ହୋଇ ହୋଇ ଆଜି କେତେ ପରସେଣ୍ଟ୍‌ ଗଙ୍ଗାଜଳ ଆଉ କେତେ ପରସେଣ୍ଟ୍‌ ସାଧା ଜଳ ସେ କଥା କେବଳ ମାଆ ଗଙ୍ଗା ହିଁ ଜାଣନ୍ତି ।

ବେଳେ ବେଳେ ମନେ ହୁଏ ସତେବା ଏଇ ବୋତଲଟି ଗୋଟିଏ ଅକ୍ଷୟ ପାତ୍ର ଅଥବା ସ୍ୱୟଂ ମାଆ ଗଙ୍ଗା ଏଇ ବୋତଲ ଭିତରେ ବିରାଜମାନ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଆସ୍ଥା ଓ ବିଶ୍ୱାସ କେତେ ମଝଭୂତ ସତେ । କାଠ ପଥରରେ ସିନ୍ଦୁର ବୋଳି ଆଜି ବି ଆମେ ଆମର ଇପ୍ସିତ ବରଦାନ ପାଇଁ ପ୍ରାର୍ଥନା କରୁଛୁ, ଭଣ୍ଡ ସାଧୁ ସନ୍ୟାସୀଙ୍କ ଚରଣ କମଳରେ ସାରା ଜୀବନ ଉତ୍ସର୍ଗ କରି ଦେଉଛୁ, ଏହାର ନାଆଁ କଣ ଆସ୍ଥା ଆଉ ଭଗବାନ ? ହଁ, କହନ୍ତି ମନ ନିର୍ମଳ, ଆସ୍ଥା ଶୁଦ୍ଧ ଓ ବିଶ୍ୱାସ ଦୃଢ ଥିଲେ ସବୁ ସମ୍ଭବ । ଗୋବର ଗାଡିଆ ବି ଗଙ୍ଗା ପାଲଟି ଯାଏ । ବିଶ୍ୱାସ ଓ ଆସ୍ଥା ହିଁ ଭଗବାନ, ଆଉ ସେଇ ଭରଷାରେ ତ ଦୁନିଆ ଚାଲିଛି ।

 

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top