ବ୍ୟଙ୍ଗକବିତା

ଭିନ୍ନ ଆଜିର ନାରୀ

Manas Ranjan Subuddhi's odia satire poem Bhinna Aajira Naari

ଅଧର ଫାଙ୍କରୁ ମୃଦୁ ମୃଦୁ ହସ
ପଡୁଥାଏ ସିନା ଝରି,
କୃତ୍ରିମ ରଙ୍ଗରେ ରଙ୍ଗାଇ ଅଧର
ଶୂନ୍ୟରେ ଚୁମ୍ବନ ଜାରି, ଭିନ୍ନ ଆଜିର ନାରୀ

ଭିନ୍ନ ଆଜିର ନାରୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବସ୍ତ୍ର –
ଅଂଗ ଭେଦି ବସ୍ତ୍ର ପରିଧାନ କଲେ
ଅଙ୍ଗକୁ ନହୁଏ ସରି,
ପ୍ରସାରିତ ସିଏ ଆପାଦ ମସ୍ତକ
ତଥାପି ପଡୁଛି ଭାରି, ଭିନ୍ନ ଆଜିର ନାରୀ ।୧।

କେଶ –
କାଟି କେଶ ଶୀରୁ ସୁନ୍ଦରୀ ଦିଶଇ
ନାରୀକେଳ ଚୂଡ଼ା ପରି,
କାହା ଛାୟା ତଳେ ସପନ ସାଜିବ
ରସିକ ଯାଉଛି ମରି, ଭିନ୍ନ ଆଜିର ନାରୀ ।୨।

ଆଖି –
ଆଖି ବେଢ଼ା କାଟି କଜଳ ଦେଇଛି
ଚଷମା ପିନ୍ଧିଛି କାଳି,
ଚଞ୍ଚଳ ଆଖିରୁ ଲଜ୍ୟାର ଭୂଷଣ
ଦେଇଛି ସତେ ଉତ୍ତାରୀ, ଭିନ୍ନ ଆଜିର ନାରୀ ।୩।

ଓଠ –
ଅଧର ଫାଙ୍କରୁ ମୃଦୁ ମୃଦୁ ହସ
ପଡୁଥାଏ ସିନା ଝରି,
କୃତ୍ରିମ ରଙ୍ଗରେ ରଙ୍ଗାଇ ଅଧର
ଶୂନ୍ୟରେ ଚୁମ୍ବନ ଜାରି, ଭିନ୍ନ ଆଜିର ନାରୀ ।୪।

ବକ୍ଷ –
ଯଉବନ କାଳେ ଭରା ବକ୍ଷଦେଶ
ବାନ୍ଧିଛି ଟାଣି ଓଟାରି,
ଅଙ୍ଗ ମାଧୁର୍ଯ୍ୟକୁ ଫୁଟାଇ ଆଣୁଛି
ସତେ ଅବା କାରିଗରୀ, ଭିନ୍ନ ଆଜିର ନାରୀ ।୫।

କଟି –
କଟି ଦେଶ ତଳ ଉପର ଆବୃତ
ନାଭି କମଳକୁ ଛାଡ଼ି,
ରମ୍ଭା ମେନକା ଯେ ପଛରେ ରହିଲେ
ଠୁମୁକା ମାରେ ଏପରି, ଭିନ୍ନ ଆଜିର ନାରୀ ।୬।

ଚାଲି –
ଅଛି ଅବା କିଏ ଆଗପଛେ ତା’ର
ନଥାଏ ତିଳେହେଁ ଖାତିରି,
ମଦମସ୍ତ ଚାଲି ଚାଲଇ ସୁନ୍ଦରୀ
ହଂସ ଚାଲି ଦେଲା ପାସୋରି, ଭିନ୍ନ ଆଜିର ନାରୀ । ୭।

କଥା –
ବିଦେଶୀ ଭାଷାକୁ ମୁଖସ୍ତ କରିଛି
କଥା କହେ ଲମ୍ବା କରି,
ଦେଖେଇ ଶୁଣେଇ ଶବଦ କରଇ
ଶୁଣି କାନ ଯାଏ ଡରି, ଭିନ୍ନ ଆଜିର ନାରୀ । ୮।

ବେଶ –
ପଶ୍ଚିମି ଢଙ୍ଗକୁ ଆବୋରି ନେଇଛି
ବେଶଭୂଷା ଏହି ପରି,
ଦୂରୁ ତାଙ୍କୁ ଦେଖି ଧୋକା ଖାଏ ଆଖି
ପୁଅ ଝିଅ ନହୁଅଇ ବାରି, ଭିନ୍ନ ଆଜିର ନାରୀ । ୯।

ଲକ୍ଷ୍ୟ –
କ୍ଷୀଣ କାୟା ଲାଗି ବ୍ୟାୟାମ ସହିତ
ବ୍ରତ କରେ ସ୍ୱଲ୍ପାହାରୀ,
ଆଇନା ଆଗରେ ନିଠେଇ ନିହାରେ
ହେବ ଦିନେ ବିଶ୍ଵସୁନ୍ଦରୀ, ଭିନ୍ନ ଆଜିର ନାରୀ ।୧୦।

1 Comment

1 Comment

  1. ଶ୍ରୀ ଅରବିନ୍ଦ ଦାସ

    aravinda das

    June 11, 2016 at 12:47 pm

    Ha ha Good satire…..But what ever we say …..women are always above men & respectable.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top